ନୂଆଦିଲ୍ଲୀ,୨୪ା୧୦ (ପି.ଟି.):ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି। କେବଳ ସେତିକି ନୁହେଁ, କିଛି ଅଞ୍ଚଳକୁ ମାଡ଼ିବସିଛି। ସୀମା ସଂକ୍ରାନ୍ତ ଯେତେ ବୈଠକ ହେଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରୁ ନାହିଁ। ଏଭଳି ସ୍ଥଳେ ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର ସ୍ବୀକାର କରିବା ପରେ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଭାରତ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମା ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନ ଥିବାରୁ ଏଭଳି ଅସ୍ବାଭାବିକ ସ୍ଥିତି ଜାରି ରହିଛି ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। ଚାଇନାକୁ ବାରମ୍ବାର ଭାରତ କ୍ଲିନ୍ଚିଟ୍ ଦେଉଥିବା ବେଳେ ମହାନିର୍ଦ୍ଦେଶକଙ୍କ ସ୍ବୀକାରୋକ୍ତି ସରକାରଙ୍କ ସୀମା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀରେ ରଖିଦେଇଛି ବୋଲି କୁହାଗଲାଣି।
ଅରୁଣାଚଳପ୍ରଦେଶ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ଭାରତ-ତିବ୍ବତ ସୀମାନ୍ତ ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର କହିଛନ୍ତି। ପୂର୍ବ ସୀମାନ୍ତରେ ମୁହଁାମୁହିଁ ସ୍ଥିତି ଲାଗିରହିଥିବା ନେଇ ପ୍ରଥମ ଥର ସରକାରୀ ଭାବେ ସ୍ବୀକାର କରାଯାଇଛି।
ଆଇଟିବିପିର ବାର୍ଷିକ ସମ୍ବର୍ଦ୍ଧନା ସମାରୋହକୁ ସମ୍ବୋଧିତ କରି କପୁର କହିଥିଲେ, ଜୁଲାଇରୁ ଅପର ସୁବନସିରିର ଟାକ୍ସିଙ୍ଗ ସେକ୍ଟରରେ ଆରମ୍ଭ ହୋଇଥିବା ମୁହାଁମୁହିଁ ସ୍ଥିତି ଏବେ ମଧ୍ୟ ଜାରି ରହିଛି। ଆଇଟିବିପିର ନବଗଠିତ ଶୌର୍ଯ୍ୟ କମାଣ୍ଡୋମାନେ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ନେଇଥିବାବେଳେ ମୁହଁାମୁହିଁ ସ୍ଥିତି ବେଳେ ସେମାନେ ମୁଖ୍ୟ ଭୂମିକା ନେଇଛନ୍ତି।
ଅରୁଣାଚଳ ପ୍ରଦେଶରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗିରହିଥିବା ସମ୍ପର୍କରେ ଆଇଟିବିପି ମହାନିର୍ଦ୍ଦେଶକଙ୍କ ସ୍ବୀକାରୋକ୍ତି ଆସିବା ପରେ କଂଗ୍ରେସ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଏବଂ ପାର୍ଲାମେଣ୍ଟକୁ ବିଶ୍ୱାସକୁ ନେଇ ସୀମାନ୍ତ ସ୍ଥିତି ସମ୍ପର୍କରେ ବିସ୍ତୃତ ବିବୃତି ଜାରି କରିବାକୁ ବିରୋଧୀ ଦଳ ଆହ୍ବାନ ଦେଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ବୈଠକରେ ସୀମା ପ୍ରସଙ୍ଗ ଉଠାଇ ନ ଥିବା ମୋଦିଙ୍କୁ କଂଗ୍ରେସ ଭୀରୁ ବୋଲି କହିବା ସହ ଭାରତର ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଛି। ଆଇଟିବିପି ମହାନିର୍ଦ୍ଦେଶକ କପୁରଙ୍କ ସ୍ବୀକାର ପରେ ଚାଇନା ସମ୍ପର୍କିତ ସତ ପଦାକୁ ଆସିଥିବା କଂଗ୍ରେସ କହିଛି। ବିରୋଧୀ ଦଳ ଦାବି କରିଛି ଯେ ପୂର୍ବ ଲଦାଖରେ ହିଂସା ପରେ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ କ୍ଲିନ୍ଚିଟ୍ ଯୋଗୁ ଅରୁଣାଚଳପ୍ରଦେଶରେ ଚାଇନାର ସାହସ ବଢ଼ିଗଲା। କଂଗ୍ରେସର ଅଭିଯୋଗ ଏବଂ ଦାବି ଉପରେ କେନ୍ଦ୍ର ସରକାର କିମ୍ବା ଭାଜପା ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ‘x’ରେ ଏକ ପୋଷ୍ଟ କରି କହିଛନ୍ତି, ଚାଇନାକୁ ଯଥେଷ୍ଟ କ୍ଲିନ୍ଚିଟ୍ ଦିଆଯାଇଛି। ଭାରତର ଜନସାଧାରଣଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସତ୍ୟ ଓ ସ୍ପଷ୍ଟତା ରଖିବାକୁ ପଡ଼ିବ। ଭାରତର ସଶସ୍ତ୍ର ବଳଗୁଡ଼ିକ ଉପରେ ଜନସାଧାରଣଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। କିନ୍ତୁ ଜାତୀୟ ସୁରକ୍ଷା ଉତ୍ତରଦାୟିତ୍ୱ ଦାବି କରେ, କୂଟନୈତିକ ଫଟୋ ଉଠାଇବା ଏବଂ କୋଳାକୋଳି କୂଟନୀତି ନୁହେଁ ବୋଲି ଖାର୍ଗେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ସମାଲୋଚନା କରିବା ପରିବତ୍ତେ ପାର୍ଲାମେଣ୍ଟ ଓ ରାଷ୍ଟ୍ରକୁ ବିଶ୍ୱାସକୁ ନିଅନ୍ତୁ। ଜାତୀୟ ସୁରକ୍ଷା, ଆର୍ଥତ୍କ ନୀତି ଓ କୂଟନୈତିକ ଉତ୍ତରଦାୟିତ୍ୱକୁ ନେଇ ଖାର୍ଗେ ପ୍ରଶ୍ନ ଉଠାଇଛନ୍ତି। ସୀମାରେ ମୁହାଁମୁହିଁ ସ୍ଥିତି ଜାରି ରଖିବା ଅତ୍ୟନ୍ତ ଚିନ୍ତାଜନକ। ଡୋକ୍ଲାମ୍ ଓ ଗଲଓ୍ବାନ୍ ହିଂସା ପରେ ପୁଣି ଏକ ଗମ୍ଭୀର ମୁହାଁମୁହିଁ ସ୍ଥିତି ଜାରି ରହିଛି କି ବୋଲି ଖାର୍ଗେ ଜାଣିବାକୁ ଚାହିଁଛନ୍ତି। ଗତ ଅଗଷ୍ଟରେ ଚାଇନା ଟାକ୍ସିଙ୍ଗ୍ ନିକଟରେ ଅନୁପ୍ରବେଶ କରିଥିବା ଖବର ପ୍ରକାଶ ପାଇଥିଲା। ଏହାର ୧୮୦ କି.ମି. ଦୂର ଓ୍ବାଚା ଦାମାଇଠାରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାର ୪୭ ଦିନ ପରେ ମଧ୍ୟ ମୁହାଁମୁହିଁ ସ୍ଥିତି ଜାରି ରହିଛି। ଭାରତର ପାଟ୍ରୋଲିଂ ଅଧିକାର କ୍ଷୁଣ୍ଣ ହୋଇଛି କି? ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଦେଶକୁ ଅନ୍ଧକାରରେ ରଖାଯାଇଛି କାହିଁକି ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି।
ଚାଇନା ସୈନ୍ୟ ସ୍ଥିରୀକୃତ ପାଟ୍ରୋଲିଂ ଧାରାରୁ ବିଚ୍ୟୁତ ହେଲେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ସ୍ଥିତି ଅଶାନ୍ତ ହୋଇଥାଏ ବୋଲି ଭାରତ ଶୁକ୍ରବାର କହିଛି। ଅତୀତରେ ବିଭିନ୍ନ ସମୟରେ ଏଭଳି ସ୍ଥିତି ଉପୁଜିଥିବା ଦେଖାଯାଇଛି। ମୋଟାମୋଟି ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ଅରୁଣାଚଳପ୍ରଦେଶ ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଲାଗି ରହିଥିବା ନେଇ ଆଇଟିବିପି ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର କହିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ପ୍ରଶ୍ନ ହେବାରୁ ଜୟସ୍ବାଲ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

