ନାଗରିକ ଅଧିବକ୍ତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ୱାରା ତିନି ଦିନ ତଳେ କ୍ୟାପିଟୋଲ୍‌ ବିଲ୍ଡିଂ ଉପରେ ଆକ୍ରମଣ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଶ୍ୱନେତା ଟ୍ରମ୍ପ୍‌ଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ହିଂସା ପରେ ଟ୍ରମ୍ପ୍‌ ହାର୍‌ ମାନିବାକୁ ବାଧ୍ୟ ହୋଇଛନ୍ତି। ଜୋ ବାଇଡେନ୍‌ଙ୍କୁ ୨୦ ଜାନୁୟାରୀରେ ଶୃଙ୍ଖଳିତ ଭାବେ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ସବୁ ଠିକ୍‌ଠାକ୍‌ ରହିଲେ ବାଇଡେନ୍‌ ପ୍ରଶାସନ ଧାର୍ଯ୍ୟ ତାରିଖରୁ କାର୍ଯ୍ୟ ଆରମ୍ଭ କରିବେ। ଇତିମଧ୍ୟରେ ବାଇଡେନ୍‌ ବିଭିନ୍ନ କ୍ଷେତ୍ରରେ ପଦାଧିକାରୀ ନିଯୁକ୍ତ କରିଚାଲିଛନ୍ତି। ତାଙ୍କ ଟିମ୍‌ରେ କେତେକ ଭାରତୀୟ ସ୍ଥାନ ପାଇସାରିଥିବା ବେଳେ ଏବେ ଭାରତୀୟ ପ୍ରବାସୀଙ୍କ କନ୍ୟା ଭନିତା ଗୁପ୍ତା ସଦ୍ୟ ସାମିଲ ହୋଇଛନ୍ତି। ଆମେରିକାରେ ନାଗରିକ ଅଧିକାର ଉପରେ କାର୍ଯ୍ୟ କରୁଥିବା ଆଇନଜୀବୀ ଭନିତାଙ୍କୁ ବାଇଡେନ୍‌ ଆସୋସିଏଟ୍‌ ଆଟର୍ନି ଜେନେରାଲ ପଦ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ (ଡିଓଜେ)ର ତୃତୀୟ ସର୍ବାଧିକ ପଦବୀ ହେଉଛି ଆସୋସିଏଟ୍‌ ଆଟର୍ନି ଜେନେରାଲ। ଭନିତାଙ୍କ ନାମ ଘୋଷଣା କରି ବାଇଡେନ୍‌ କହିଛନ୍ତି ଯେ, ତାଙ୍କୁ ସେ ବହୁପୂର୍ବରୁ ଜଣେ ଅଙ୍ଗୀକାରବଦ୍ଧ ନାଗରିକ ଅଧିକାର ଓକିଲ ଭାବେ ଜାଣିଛନ୍ତି। ସର୍ବଦା ସେ ସମାନତା ଓ ଅନ୍ୟାୟ ବିରୋଧରେ ଲଢ଼େଇ କରି ନ୍ୟାୟ ବ୍ୟବସ୍ଥାରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ବୋଲି ବାଇଡେନ୍‌ କହିବା ସୂଚାଇ ଦେଉଛି ଯେ ନବନିଯୁକ୍ତ ରାଷ୍ଟ୍ରପତି ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଛନ୍ତି।
ଭନିତା ୧୯୭୪ରେ ଫିଲାଡେଲ୍‌ଫିଆରେ ଜନ୍ମଗ୍ରହଣ କରିଥିଲେ। ୟେଲେ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୨୦୦୧ରେ ନ୍ୟୁୟର୍କ ୟୁନିଭର୍ସିଟି ସ୍କୁଲ ଅଫ୍‌ ଲ’ରୁ ସେ ଆଇନବିଦ୍ୟାରେ ଡିଗ୍ରୀ ଅର୍ଜନ କରିଥିତ୍ଲେ। ପଢ଼ା ଶେଷ କରି ସେ ନ୍ୟାଶନାଲ ଆସୋସିଏଶନ ଅଫ୍‌ କଲର୍ଡ ପିପୁଲ୍‌ (ଏନ୍‌ଏଏସିପି)ର ଲିଗାଲ ଡିଫେନ୍ସ ଫଣ୍ଡ୍‌ରେ କାର୍ଯ୍ୟ କରିଥିଲେ। ପରେ ସେ ଆମେରିକାନ୍‌ ସିଭିଲ୍‌ ଲିବର୍ଟିଜ୍‌ ୟୁନିୟନ (ଏସିଏଲ୍‌ୟୁ)ରେ ଯୋଗ ଦେଇଥିଲେ। ଆଇନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିବା ଯୋଗୁ ଭନିତାଙ୍କୁ ଓବାମା-ବାଇଡେନ୍‌ଙ୍କ ପ୍ରଶାସନ ସମୟରେ ଜଷ୍ଟିସ୍‌ ଡିପାର୍ଟମେଣ୍ଟରେ ସ୍ଥାନ ମିଳିଥିଲା। ସେତେବେଳେ ସେ ସିଭିଲ୍‌ ରାଇଟ୍ସ ଡିଭିଜନ୍‌ର ନେତୃତ୍ୱ ନେଇଥିଲେ। ସେହି ସମୟରେ ଫର୍ଗୁଶନ ଏବଂ ମିସୋରି ପୋଲିସ ବିଭାଗ ଦ୍ୱାରା କ୍ଷମତା ଅପବ୍ୟବହାର ହେଉଥିଲା। ଏଥିସହିତ ଅନ୍ୟାନ୍ୟ ସମ୍ପ୍ରଦାୟଗୁଡ଼ିକ ବିରୋଧରେ ହିଂସା ଓ ବର୍ଣ୍ଣବୈଷମ୍ୟଜନିତ ଅନ୍ୟାୟ ଘଟୁଥିବାରୁ ତାହାର ତଦନ୍ତ ଦାୟିତ୍ୱ ଭନିତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏବେ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବାରୁ ସେ ବାଇଡେନ୍‌ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ନିଜର ପୁରୁଣା କର୍ମକ୍ଷେତ୍ରକୁ ଆସିପାରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି। ଯେଉଁ ବିଭାଗକୁ ଅତି ଭଲପାଆନ୍ତି, ସେହିଠାରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିବାରୁ ସେ ସଂଘୀୟ ଆଇନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଏନ୍‌ଏଏସିପିରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ବେଳେ ଭନିତାଙ୍କୁ ସଫଳତା ମିଳିଥିଲା । ୩୮ ଜଣ ଆଫ୍ରିକୀୟ-ଆମେରିକୀୟଙ୍କ ବିରୋଧରେ ଭୁଲବଶତଃ ଡ୍ରଗ୍ସ କାରବାର ଅଭିଯୋଗ ଅଣାଯାଇ ୬ ମିଲିୟନ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା। ନ୍ୟାୟ ଦେବାକୁ ଯାଇ ଭନିତା ଯେତେବେଳେ ସେମାନଙ୍କୁ ମୁକ୍ତ କରିଦେଲେ, ସେତେବେଳେ ତାଙ୍କ ଖ୍ୟାତି ବଢ଼ିଯାଇଥିଲା। ବର୍ଣ୍ଣ ବୈଷମ୍ୟ ବିରୋଧରେ ଲଢ଼େଇ କରିବା ଲାଗି ତାଙ୍କ ଆଗ୍ରହ ପଛରେ ରହିଛି ଏକ ବ୍ୟକ୍ତିଗତ ଅନୁଭୂତି ବୋଲି ଭନିତା କହିଛନ୍ତି। ଥରେ ମ୍ୟାକ୍‌ଡୋନାଲ୍ଡ ରେସ୍ତୋରାଁରେ ଭଉଣୀ, ମା’ ଓ ଜେଜେମା’ଙ୍କ ସହ ଭନିତା ବସିଥିଲେ। ଯେତେବେଳେ ସେମାନେ ଖାଇବା ଆରମ୍ଭ କଲେ, ପରବର୍ତ୍ତୀ ଟେବୁଲ୍‌ରେ କିଛି ଲଣ୍ଡିତ ଲୋକ ସେମାନଙ୍କୁ ଉପଲକ୍ଷ୍ୟ କରି ବର୍ଣ୍ଣବୈଷମ୍ୟ ଆକ୍ଷେପ କରିବା ସହ ଖାଦ୍ୟ ଫୋପାଡ଼ିଥିଲେ। ସେମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଆମେ ସମସ୍ତେ ଖାଇବା ଛାଡ଼ି ପଳାଇ ଆସିଥିଲୁ ବୋଲି ଭନିତା କହିଛନ୍ତିି। ସେହି ଘଟଣା ତାଙ୍କ ମନରେ ଅସୁରକ୍ଷାର ଏକ ଗାର ଟାଣି ଦେଇଥିଲା। ଏବେ ସେ ୨୦୦ ମାନବ ଅଧିକାର ସଙ୍ଗଠନକୁ ନେଇ ଗଠିତ ଲିଡରଶିପ୍‌ କନ୍‌ଫରେନ୍ସ ଅନ୍‌ ସିଭିଲ୍‌ ଆଣ୍ଡ୍‌ ହ୍ୟୁମାନ୍‌ ରାଇଟ୍ସର ଅଧ୍ୟକ୍ଷ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ସବୁ ଆମେରିକୀୟଙ୍କ ନାଗରିକ ଅଧିକାରର ସୁରକ୍ଷା ଓ ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ଭନିତାଙ୍କ ତ୍ୟାଗ ଆଜି ତାଙ୍କୁ ଆସୋସିଏଟ୍‌ ଆଟର୍ନି ଜେନେରାଲ ପଦରେ ବସାଇବାର ଗୌରବ ଆଣି ଦେଇଛି। ଯେତେବେଳେ ଗତବର୍ଷ ‘ବ୍ଲାକ୍‌ ଲାଇଭ୍‌ସ ମେଟର’ ବିକ୍ଷୋଭ ହୋଇଥିଲା, ସେତେବେଳେ ଭନିତାଙ୍କ ନେତୃତ୍ୱ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ନ୍ୟାୟ ପାଇଁ ଲଢ଼େଇ ତାଙ୍କୁ ଆଜି ନ୍ୟାୟ ବିଭାଗରେ ଅବସ୍ଥାପିତ କରିବାରେ ସହାୟକ ହୋଇଛି ବୋଲି କୁହାଯାଉଛି।
ଭନିତାଙ୍କ ସଂସାର କହିଲେ ସ୍ବାମୀ ଓ ଦୁଇପୁଅ। ସ୍ବାମୀ ଚିନ୍‌ହ କ୍ୟୁ.ଲେ ହେଉଛନ୍ତି ଡିଷ୍ଟ୍ରିକ୍ଟ ଅଫ୍‌ କଲମ୍ବିଆର ଲିଗାଲ ଏଡ୍‌ ସୋସାଇଟିର ନିର୍ଦ୍ଦେଶକ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri