Posted inଫୁରସତ

ବୃଷଭ ବିଚାର

ଆଜି ଆମ ଏରିଆର ଷଣ୍ଢମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାଖୀ ପୂନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି ପରିବାର ଚିନ୍ତା ନା ସଂସାର ଚିନ୍ତା । ସାରା ପୃଥିବୀଟା ଆମ ପାଇଁ ଗାଈମୟ। ସମ୍ପର୍କ ଭିତରେ ବାନ୍ଧି ନ ହେବା ପାଇଁ ଆମେ ଷଣ୍ଢ ଜନ୍ମ ପାଇଛୁ । କିନ୍ତୁ ଗତ ରାଖୀ ପୂର୍ଣ୍ଣିମାରେ ଗାଈମାନେ ଯେଉଁ ଉତ୍ପାତ କଲେ ସେ ବିଷୟରେ ଆଉ ଅଧିକ କହି ଆପଣମାନଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବିନି । କେବଳ ଏତିକି କହିବି ରାଖୀ ପୂର୍ଣିମାକୁ ଆଉ ଦୁଇ ତିନିଦିନ ବାକି ରହିଲା । ତା’ ପୂର୍ବରୁ ଆମକୁ କିଛି କରିବାକୁ ପଡ଼ିବ । ନଚେତ ମୋ ଭଳି ଅବସ୍ଥା ସମସ୍ତଙ୍କର ହେବ । ଗତବର୍ଷ କେବଳ ମୋ ହାତରେ ଅଧ ସେଞ୍ଚୁରିରୁ ଅଧିକ ରାଖୀ ବନ୍ଧାହୋଇଥିଲା । ମୋ ଜାଣିବାରେ ଆମ ଏରିଆରେ ଏତେ ଗାଈ ନାହାନ୍ତି, ଯେତିକି ସେଦିନ ମୋ ହାତରେ ରାଖୀ ବନ୍ଧାହୋଇଥିଲା । ଖାସ୍‌ ସେଇଥିପାଇଁ, ବର୍ଷେ ହେଲାଣି ମୁଁ କିଭଳି ବ୍ରହ୍ମଚର୍ଯ୍ୟ ପାଳନ କରି ଜୀବନ ବିତଉଛି ତାହା କେବଳ ମୁଁ ଜାଣେ । ଯୁଆଡ଼େ ଦେଖ ସିଆଡ଼େ ମୋତେ ଖାଲି ଭଉଣୀ ଭଉଣୀ ନଜର ଆସୁଛନ୍ତି । କ’ଣ ଏଇଥିପାଇଁ ଷଣ୍ଢ ଜନମ ପାଇଥିଲି ?

ଧିକ୍‌ ମୋ ଷଣ୍ଢ ପଣିଆକୁ । ଆଉ ଗୋଟେ ବୟସ୍କ ଷଣ୍ଢ କହିଲା, ଆମେ ଅହେତୁକ ପୌରୁଷପଣିଆ ଦେଖେଇବାକୁ ଯାଇ ରାସ୍ତା ଘାଟ, ଦିନ ରାତି କିଛି ମାନୁନୁ। ଆମକୁ ଟିକେ ସଂଯମ ରକ୍ଷାକରିବା ଉଚିତ । ଆମେ ନିଜର ବଳ କଷାକଷି ପାଇଁ ବିଚ୍‌ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲଢ଼େଇ କରି ଯେତିକି ସମୟ ନଷ୍ଟ କରୁଛୁ, ତାକୁ ଗାଈଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କଲେ ସେମାନେ ମଧ୍ୟ ଆମ ପ୍ରତି କୃତଜ୍ଞ ରୁହନ୍ତେ । ସହଜେ ଏବେ କରୋନା ଯୋଗୁ ଗୋ ପାଳକଙ୍କ ଅବସ୍ଥା ଅସମ୍ଭାଳ । ଗୁହାଳେ ବାନ୍ଧି ଖାଇବାକୁ ଦେବାକୁ ସେମାନଙ୍କ ପାଖରେ ଆଉ ଧନ ନାହିଁ । ସକାଳୁ ଗାଈଙ୍କୁ ବାହାରେ ଛାଡ଼ି ଦେଉଛନ୍ତି ।

ଆମ ଭୟରେ ଗାଈମାନେ ପରିବା ମାର୍କେଟ, ମନ୍ଦିର କି ଘାସପଡ଼ିଆ ପାଖ ମାଡୁନାହାନ୍ତି । ରାସ୍ତାଯାକ ବୁଲି ବୁଲି ଛିଣ୍ଡା ଜରି, ପୁରୁଣା ଔଷଧ, ଘର ଅଇଁଠା ଖାଇ ସେମାନଙ୍କ ଡଉଲ ଡାଉଲ ଚେହେରା ହାଡୁଆ ଦେଖାଗଲାଣି। ଫି ବର୍ଷ ସେମାନେ ଗର୍ଭବତୀ ହେବା ଦ୍ୱାରା ଭରାଯବାନୀରେ ବୁଢ଼ୀ ଭଳି ଦେଖାଯାଉଛନ୍ତି ।

ଆମର ସେଥିପ୍ରତି ନିଘା ନାହିଁ । କିଛି ଯୁବ ଷଣ୍ଢ ଯେଉଁଠି ଯେତେବେଳେ ଯାହାକୁ ପାଇଲେ…. ଛିଃ …। ଆମ ବେଳେ କିନ୍ତୁ ଆମେ ଏତେ ଉତ୍ପାତିଆ ହେଉ ନ ଥିଲୁ । ଆମ ସମୟରେ ଏ ଏରିଆର ଗାଈମାନଙ୍କ ସୁନ୍ଦରତା ଯୋଗୁ ଆଖପାଖ ଏରିଆର ଷଣ୍ଢ ଆମ ସୀମା ସରହଦ ଭିତରକୁ ଲୁଚିଛପି ଆସୁଥିଲେ । ଆଜି ଯଦି ଅତିଷ୍ଠ ଗାଈମାନେ ଆମକୁ ରାଖୀ ବାନ୍ଧିବାକୁ ଯୋଜନା କରୁଛନ୍ତି ସେଥିପାଇଁ କେବଳ ଆମ ଭିତରେ ଥିବା କିଛି ଉଚ୍ଛୃଙ୍ଖଳ ଯୁବ ଷଣ୍ଢମାନେ ହିଁ ଦାୟୀ । ସର୍ଦ୍ଦାର କହିଲା ଦାଦା ସବୁ ଠିକ୍‌ ଯେ, ହେଲେ ଏବେ କରାଯିବ କ’ଣ ? ସ୍କୁଲ ପାଖରେ ବୁଲି ବୁଲି ପିଲାଙ୍କ ଅଲକ୍ଷ୍ୟରେ ସେମାନଙ୍କ ବହି ଖାତା ଖାଇ ନିଜକୁ ବୁଦ୍ଧିଆ ବୋଲାଉଥିବା ଷଣ୍ଢ କହିଲା, ଆମେ ଯଦି ରାଖୀ ପୂର୍ଣ୍ଣିମା ଦିନ କୁଆଡ଼େ ଅଦୃଶ୍ୟ ହୋଇଯାଆନ୍ତେ ତେବେ ଗୋଟେ ଚିନ୍ତା ଯାଆନ୍ତା । କିନ୍ତୁ ପ୍ରଶ୍ନ ହେଲା ଅଦୃଶ୍ୟ ହେବେ କେମିତି ! ଜଣେ କହିଲା ଚାଲ ଆମେ ମ୍ୟୁନିସିପାଲିଟି ବାଲାଙ୍କୁ କହିବା ସେମାନେ ଯେମିତି ଆମକୁ ଦଶହରା ପୂର୍ବରୁ ନେଇ ସହରଠୁ କୋଡ଼ିଏ ତିରିଶ କିଲୋମିଟର ଦୂରରେ ଛାଡ଼ି ଦିଅନ୍ତି ଓ ଆମେ ସେଠୁ ଚାଲି ଚାଲି ପୁଣି ସହରରେ ପହଞ୍ଚତ୍ଲା ବେଳକୁ ଦଶହରା ସରିଯାଇଥାଏ, ସେମିତି ଆମକୁ ରାଖୀ ପୂର୍ଣ୍ଣିମା ପୂର୍ବରୁ ନେଇ ଦୂରରେ ଛାଡ଼ିଦେବେ, ଆମେ ସେଠାରୁ ଫେରୁ ଫେରୁ ରାଖୀ ପୂର୍ଣ୍ଣିମା ସରିଯାଇଥିବ । ସମସ୍ତଙ୍କ ମନକୁ କଥାଟା ପାଇଲା ।

ଜଣେ ଷଣ୍ଢ ମ୍ୟୁନିସିପାଲିଟି ବାଲାଙ୍କୁ ଫୋନକରି କହିଲା ଆଜ୍ଞା! ଆମକୁ ଦଶହରା ସମୟରେ ଯେମିତି ଧରି ସହର ବାହାରେ ଛାଡିଦିଅନ୍ତି ସେମିତି ଏବେ ଆମକୁ ନେଇଯାଆନ୍ତୁ । ସେପଟୁ ମ୍ୟୁନିସିପାଲିଟି ଅଧିକାରୀ କହିଲେ, ସେମିତି କେମିତି ହେବ? ଆମ ବଜେଟ୍‌ରେ କେବଳ ଦଶହରା ପୂର୍ବରୁ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ ମରାମତି ଓ ଷଣ୍ଢ ଧରିବା ପାଇଁ ଟଙ୍କା ଅଛି। ଏ ଅବେଳରେ ଷଣ୍ଢଧରିବା ପାଇଁ ଆମ ବଜେଟ୍‌ରେ ଫଣ୍ଡ ନାହିଁ ।

ତୁମେ ଏବେ ଆରାମରେ ବୁଲାବୁଲି କର, ଦଶହରା ପୂର୍ବରୁ ଦେଖିବା କହି ଫୋନ ରଖିଦେଲେ । କିଛି ସମୟ ପରେ ଆଉ ଗୋଟେ ଷଣ୍ଢ ଫୋନ କଲା ଆଜ୍ଞା! ମୁଁ ବହୁତ ମାରଣା ଷଣ୍ଢ ବୋଲି ଏ ଏରିଆରେ ଖ୍ୟାତି ଅଛି । ଆଜି ସକାଳୁ ଜଣଙ୍କୁ ମୋ ମୁନିଆ ଶିଙ୍ଗରେ ଭୁସି ଅଧାମରା କରିଛି, ତେଣୁ ମୋତେ ଶୀଘ୍ର ଧରି କାଞ୍ଜିଆହୁଦାରେ ଛାଡ଼ି ଦିଆଯାଉ ।

ସେପଟୁ ଅଧିକାରୀ କହିଲେ, ଏଥିରେ ତୁମର କ’ଣ ଭୁଲ୍‌ ରହିଲା । ସେ ଲୋକଟା କ’ଣ ଅନ୍ଧ? ଜାଣିଶୁଣି ମାରଣା ଷଣ୍ଢ ପାଖକୁ କାହିଁକି ଯାଉଥିଲା ? ଏମିତିରେ କେଉଁ ନିୟମ ଅଛି ତୁମକୁ ନେଇ ଜେଲରେ ରଖିବା ପାଇଁ ? ବରଂ ସେ ଲୋକ ଯଦି ଆହତ ହୋଇଛି ତାଙ୍କ ପାଇଁ ଆମର କ୍ଷତିପୂରଣ ବ୍ୟବସ୍ଥା ଅଛି । ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫଣ୍ଡରୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରିଦେବୁ । ସବୁ ପ୍ରକାର ବାହାନା ଫେଲ୍‌ ହେବା ପରେ ଶେଷରେ ବୁଦ୍ଧିଆ ଷଣ୍ଢ ଫୋନ କଲା ଆଜ୍ଞା! ଦୁଇ ଦିନ ହେଲାଣି ମୋର ତରଳ ଝାଡା ସାଙ୍ଗକୁ ଦେହରେ ଭୀଷଣ ଜ୍ୱର । ପ୍ରବଳ ଥଣ୍ଡାରୁ ନାକରୁ ଫେଣ ବାହାରୁଛି ।

ନିଃଶ୍ୱାସ ନେବାରେ କଷ୍ଟ ହେଉଛି । ଲାଗୁଛି ମୋତେ କରୋନା ହୋଇଛି । ଶୀଘ୍ର ମୋତେ କ୍ୱାରାଣ୍ଟାଇନ ସେଣ୍ଟରକୁ ନିଆଯାଉ । ଘଣ୍ଟାଏ ହେଇଛି କି ନାହିଁ ଦୁଇଟା ବଡ଼ ଡାଲାବାଲା ଟ୍ରାକ୍ଟର ଧରି ମ୍ୟୁନିସିପାଲିଟିର ଜନସ୍ବାସ୍ଥ୍ୟବାଲା ପହଞ୍ଚତ୍ଲେ । ଷଣ୍ଢକୁ ସସମ୍ମାନେ ଗାଡ଼ିରେ ଚଢ଼େଇ ପଚାରିଲେ ତୁମେ ଆଉ କାହା କାହା ସହ ଏଇ ଦିନେ ଦୁଇଦିନ ଭିତରେ ମିଶିଛ ? କଣ୍ଟାକ୍ଟ ଟ୍ରେସିଂ ପାଇଁ ସେ ସମସ୍ତଙ୍କ କରୋନା ଟେଷ୍ଟ ହେବ । ଷଣ୍ଢ ବାକି ଅନ୍ୟ ସବୁ ଷଣ୍ଢଙ୍କ ଆଡ଼କୁ ଅନେଇ କହିଲା, ଆଜ୍ଞା ଆମେ ସମସ୍ତେ ଆଜି ଏକ ଜରୁରୀ ମିଟିଂ ପାଇଁ ଏଇଠି ଏକାଠି ହୋଇଥିଲୁ । ତା’ ପାଟିରୁ କଥା ସରିଛି କି ନାହିଁ ବାକି ସବୁ ଷଣ୍ଢ ଠେଲାପେଲା ହେଇ ଟ୍ରାକ୍ଟର ଡାଲାରେ ଚଢ଼ିଗଲେ ।

ସେଣ୍ଟରରେ ପହଞ୍ଚିଲା ପରେ ସମସ୍ତଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ସାମ୍ପୁଲ ନିଆଗଲା । ଯେ ପର୍ଯ୍ୟନ୍ତ ଟେଷ୍ଟ ରିପୋର୍ଟ ନ ଆସିଛି ସେ ପର୍ଯ୍ୟନ୍ତ ସରକାରୀ ଅତିଥି ଭାବେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଗଲା । ବାହାରୁ ଯେମିତି କେହି ଆସି ଭେଟି ପାରିବେ ନାହିଁ କି ସେମାନେ ବାହାରକୁ ଯାଇପାରିବ ନାହିଁ ସେଥିପାଇଁ ଗେଟ୍‌ ବାହାରେ ପହରା ବ୍ୟବସ୍ଥା କରାଗଲା ।
ମଳୁ ଖୋଜୁଥିଲା ଯାହା ବଇଦ ଦେଲା ତାହା । ତିନିଦିନ ପରେ ଅର୍ଥାତ୍‌ ରାଖୀ ପୂର୍ଣ୍ଣିମା ପରଦିନ ସମସ୍ତଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଆସିଲା । ସମସ୍ତେ ଖୁସି ହୋଇ ନିଜ ନିଜ ଏରିଆକୁ ଫେରିଲେ । ଏପଟେ ସବୁ ଗାଈ ଏଯାଏ ସେ ବୁଦ୍ଧିଆ ଷଣ୍ଢକୁ ଖୋଜୁଛନ୍ତି, ଯିଏ ଏପରି ଏକ ସୂକ୍ଷ୍ମ ବୁଦ୍ଧି ଏମାନଙ୍କୁ ଦେଲା ।
-ଓଁ ଅଭିଜ୍ଞାନ ସାହୁ
ବନମାଳୀ ଭବନ,ଖାନନଗର, କଟକ
ମୋ-୯୪୩୭୦୧୦୭୫୮

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?