Posted inଫୁରସତ

ପଥିକ ଯେହ୍ନେ ବୃକ୍ଷ ମୂଳେ..

ପରମାତ୍ମା ନିଜ ଦ୍ୱାରା ସୃଷ୍ଟ ସର୍ବଶ୍ରେଷ୍ଠ ଜୀବ ମଣିଷକୁ ଏ ଧରାଧାମକୁ ପଠାଇଛନ୍ତି। ଏଠାରେ ତା’ର ରହିବା, ଖାଇବା, ମଉଜମଜ୍‌ଲିସ ଆଦି ସବୁ କାର୍ଯ୍ୟ ପାଇଁଁ ବହୁବିଧ ସୁବ୍ୟବସ୍ଥା ମଧ୍ୟ କରିଛନ୍ତି । ଏହା ବାଦ କାଳେ ସେ ମାୟାରେ ପଡ଼ି ଏଠି ସବୁଦିନ ରହିବା ପାଇଁ ଭାବି ବସିବ, ସେଥିପାଇଁ ବହୁ ସାଧୁସନ୍ଥ, ବୈରାଗୀ ଆଦିଙ୍କୁ ତା’ ଚତୁଃପାର୍ଶ୍ୱରେ ଖଞ୍ଜି ରଖିବା ସହ ଗୀତା, ଭାଗବତ, ମାନସ, ବେଦ ବେଦାନ୍ତ ଓ ଶାସ୍ତ୍ର ପୁରାଣ ଆଦିର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

କିନ୍ତୁ ମଣିଷର ଦୁର୍ଭାଗ୍ୟ ଯେ ସେ ସବୁ ଜାଣେ ଆଉ ବୁଝେ, ଅନୁଭବ ବି କରେ, କିନ୍ତୁ ଏହାର ସ୍ଥାୟିତ୍ୱଟି କ୍ଷଣିକ ଥାଏ । ଅର୍ଥାତ ଏ କ୍ଷଣକୁ ଅଛି ତ ପର କ୍ଷଣକୁ ନାହିଁ। ଶ୍ମଶାନ ଦେଇ ଅତିକ୍ରମ କଲାବେଳେ ହେଉ କିମ୍ବା ଶବ ପୋଡ଼ିବା ପାଇଁ ଆତ୍ମୀୟସ୍ବଜନଙ୍କ ସହ ଶ୍ମଶାନକୁ ଯିବାବେଳେ ହେଉ, ସେତେବେଳେ ତା’ ମନରେ ଏକ ଧାରଣା ଆସେ – କ’ଣ ଅଛି ଏ ସଂସାରରେ! ସବୁକିଛି ଏଠି ରହିଯିବ l ପ୍ରାଣପକ୍ଷୀ ଉଡ଼ିଗଲେ ସବୁ ସମ୍ପର୍କ ଶେଷ । ଆସିଛ ଏକା ଯିବ ବି ଏକା । ଆସିଥିଲ ଦିନେ, ଯିବ ବି ଦିନେ l ମଝିରେ ରହିଲା ମାତ୍ର ଅଧା ଦିନ l ସେଥିପାଇଁ ମହାତ୍ମାମାନେ କହିଛନ୍ତି, ଏ ହେଉଛି ଅଢ଼େଇ ଦିନର ସଂସାର । ହେଇ, ଏ ଲୋକଟା ଚାଲିଗଲା l କ’ଣ ନେଇଗଲା ଏ ସଂସାରରୁ? ମରଣ ସାଥିରେ କେହି ଯିବେନି । ଜୀବନ ସାରା ଯେତିକି ପୁଣ୍ୟ ଅର୍ଜନ କରିଥିବ ତାହା ହି ମଣିଷ ସହିତ ଯିବ । ନା, ଆଜିଠୁ ମୁଁ ମାୟା ମୋହ ତ୍ୟାଗ କରି ଈଶ୍ବରଙ୍କ ସାଧନ ଭଜନ କରିବି l ସଂସାରରେ ବେଶି ଆଉ ମାତିବି ନାହିଁ – ଏମିତି କେତେ କ’ଣ ମଣିଷ ଭାବନା କରେ କିନ୍ତୁ ଶ୍ମଶାନ କାର୍ଯ୍ୟ ସାରି ଘରେ ପହଞ୍ଚିବା ପରେ ପୁଣି ମୋ ପୁଅ, ମୋ ଝିଅ, ମୋ ସ୍ତ୍ରୀ, ମୋ ଜମି, ମୋ ଘର, ମୋ ଧନ ସମ୍ପତ୍ତି ବୋଲି ଭାବନା କରେ l

ଗୋଟେ ଗୋଟେ ମଣିଷ ତା’ ଜୀବନ କାଳରେ କେତେ ଥର ଶ୍ମଶାନକୁ ଯାଇଥିବେ, କେତେଥର ସଡ଼କ ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିଥିବାର ଦେଖିଥିବେ, ଡାକ୍ତରଖାନା ଯିବା ରାସ୍ତାରେ ପଡ଼ିରହି ରୋଗବ୍ୟାଧିରେ ଜର୍ଜରିତ ହେଉଥିବାର କେତେ ଲୋକଙ୍କୁ ବି ଏ ଆଖି ଦେଖିଥିବ କିନ୍ତୁ ଏ ସବୁ ଦେଖିବା ପରେ ବି ବୈରାଗ୍ୟ ଘରର ଚାବି ଆଦୌ ଖୋଲେନା l ଘୁଷୁରି ପରି ସେ ପଙ୍କରେ ସେମିତି ଲୋଟିହୋଇ ଆନନ୍ଦ ପାଉଥାଏ ସିନା ସେଥିରୁ ବାହାରି ଆସିବାର ନାଁ ଗନ୍ଧ ଧରେନା l

ଏ ଧରଣର ବଦ୍ଧ ଜୀବମାନଙ୍କର ଚେତନାକୁ ଟିକେ ଉଖୁରାଇ ଦେବା ପାଇଁ ଭକ୍ତକବି ଜଗନ୍ନାଥ ଦାସ ‘ଶ୍ରୀମଦ୍‌ ଭାଗବତ’ରେ ଏକ ସୁନ୍ଦର ଉଦାହରଣ ଦେବାକୁ ଯାଇ କହିଲେ –
”ଏ ପୁତ୍ର ଦ୍ୱାରା ବନ୍ଧୁସଙ୍ଗ, ଯେସନେ ସମୁଦ୍ର ତରଙ୍ଗ l
ପଥିକ ଯେହ୍ନେ ବୃକ୍ଷମୂଳେ, ଶ୍ରମେ ବସନ୍ତି ଏକ ମେଳେ,
ଶ୍ରମ ସରିଲେ ଯେଝା ମତେ , ଚଳନ୍ତି ବୃକ୍ଷ ଛାଡ଼ି ପଥେ ।
ଏହି କାରଣେ ଗୃହ ବାସ, ନ କର ଏଥିରେ ବିଶ୍ୱାସ
(୧୧ ସ୍କନ୍ଦ,୧୮ମ ଅଧ୍ୟାୟ)

ଜଗନ୍ନାଥ ଦାସ ଏଠାରେ ବୃକ୍ଷ ତଳେ ଥକ୍କା ମେଣ୍ଟାଉଥିବା ବାଟୋଇମାନଙ୍କ ଉଦାହରଣ ଦେଇଛନ୍ତି । ପ୍ରବଳ ଖରା ହେଉଥିବ l ବହୁଦୂର ମଧ୍ୟ ଯିବାକୁ ଥିବ l ଖରାରେ ଚାଲି ଚାଲି ହାଲିଆ ହୋଇସାରିଲା ବେଳକୁ ପଥ ପାର୍ଶ୍ୱରେ ଥିବ ଏକ ଝଙ୍କାଳିଆ ବରଗଛ। ସୁଲୁସୁଲୁ ବାଆ ମଧ୍ୟ ବହୁଥିବ l ମନ ଆଉ ଆଗକୁ ଯିବାକୁ ଚାହିଁବନି l ମନ କହିବ ଏଠି ଟିକେ ବିଶ୍ରାମ ନେଇଯାନ୍ତେ। ଖରା ଟିକେ କମିଲେ ପୁଣି ଯାତ୍ରା ଆରମ୍ଭ କରିବା l ବୃକ୍ଷ ମୂଳକୁ ଜଣେ ଯିବ। ତା’ ଦେଖାଦେଖି ଆଉ ଚାରି ପାଞ୍ଚ ପଥିକ ବି ହାବୁଡିଯିବେ ସେଠି। କିଛି ସମୟ ପରେ ସେମାନଙ୍କ ଭିତରେ ପଚରାପଚରି ଆରମ୍ଭ ହୋଇଯିବ । ଜଣେ ଅନ୍ୟକୁ – କହିବ ତୁମ ଘର କୋଉଠା l କ’ଣ କାମ କର, ପୁଅ ଝିଅ କେତୋଟି, କ’ଣ ସେମାନେ କରୁଛନ୍ତି, ବାହା ହେଲେଣି ନା ନାହିଁ । ଏମିତି କଥା ହେଉ ହେଉ ନିଜ ଅଲକ୍ଷ୍ୟରେ ପରସ୍ପର ମଧ୍ୟରେ ଆତ୍ମୀୟତା ସୃଷ୍ଟି ହୋଇଯାଇଥିବ l ଏଣେ ବେଳ ମଧ୍ୟ ବୁଡ଼ିବାକୁ ଆରମ୍ଭ ହୋଇଯାଇଥିବ। ଥକ୍କା ବି ମେଣ୍ଟି ଯାଇଥିବ । ଏବେ ପରସ୍ପରଠାରୁ ବିଦାୟ ନେଇ ପୁଣି ଯାତ୍ରା ଆରମ୍ଭ । କିଛି ସମୟ ପୂର୍ବରୁ ଗହଳି ଚହଳିରେ ମୁଖରିତ ହୋଇଥିବା ବୃକ୍ଷମୂଳଟି ଏବେ କିନ୍ତୁ ଶୂନ୍‌ଶାନ୍‌, ଫାଙ୍କା l

ଆମ୍ଭ ଘର ବା ପରିବାର ହେଉଛି ଏକ ବୃକ୍ଷ l ପୁଅ,ଝିଅ, ସ୍ତ୍ରୀ, ବାପା, ବୋଉ, ନାତି ନାତୁଣୀ ଏମାନେ ସବୁ ହେଉଛନ୍ତି ପଥିକ l ଜନ୍ମ ହେବା ପୂର୍ବରୁ କେହି କାହାକୁ ଚିହ୍ନି ନ ଥିଲେ। ସମସ୍ତେ ଏକାଠି ହେଲେ l ସୁଖ ଦୁଃଖର ସଂସାର ଗଢ଼ିଲେ । ଯେେତେବେଳେ ଯାହାର ପାଳି ପଡ଼ିଲା ସେ ସେଠାରୁ ବିଦାୟ ନେଇ ଗଲା l ତୁମେ ବି ଦିନେ ଯିବ l ପିଢ଼ି ପରେ ପିଢ଼ି ଏମିତି କେତେ ଗଲେଣି, କିନ୍ତୁ ସେଇ ଘର ଅଛି l ସେଇ ଜାଗା ଅଛି l ବାପା କହୁଥିଲେ ଏ ଜାଗା ମୋର, ପୁଅ କହିଲା ମୋର, ପୁଅର ପୁଅ ନାତି ବି କହିଲା ମୋ ଘର, ମୋ ଜାଗା l ଟିକେ ଭାବି ଦେଖିଲେ, ଜାଗା ଓ ଘର କାହାର ନୁହେଁ l ତାହା ଯେମିତି ଥିଲା ସେମିତି ଅଛି l ଆମେମାନେ ଖାଲି ମିଛଟାରେ ‘ମୋର’ ‘ମୋର’ କହି ବିଦାୟ ନେଉଛୁ ଯାହା l

ପାଠକେ ଟିକେ ଗହୀରେଇ ଚିନ୍ତା କଲେ, ଆମେ ‘ଧନ’କୁ ମୋର ମୋର ବୋଲି କହୁଛୁ l ସେ କେବେ ଆମକୁ ତା’ ନିଜର ବୋଲି କହିଲାଣି କି? ସେ କାହାର ନୁହେଁ l ଆଜି ତୁମ ପାଖରେ ଅଛି, କାଲି ଆଉ କାହା ପାଖକୁ ଚାଲିଯିବ । ଘର ଜମିବାଡ଼ିର ଅବସ୍ଥା ବି ସେଇୟା l ସିଏ ଯଦି ଆମର ହୋଇଥାନ୍ତା ସେ ସବୁଦିନ ପାଇଁ ଆମ ପାଖରେ ରୁହନ୍ତା l ଆମେ ଏଠୁ ଗଲା ପରେ ବି ଆମ ସାଙ୍ଗରେ ଯାଆନ୍ତା l
ତଥାପି ମଣିଷର ମୋହ ତୁଟେନି l ଜୀବନ ସାରା ମୋର ମୋରର ମନ୍ତ୍ର ଜପ କରି ଚାଲିଥାଏ । ‘ମୋର’ ବୋଲି ଦାବି କରୁଥିବା ପଦାର୍ଥଗୁଡ଼ିକ ପ୍ରତି ମୁହୂର୍ତ୍ତରେ ମଣିଷର ହାତ ଛିଞ୍ଚାଡ଼ି ଦେଉଥିଲେ ବି ଏ ମଣିଷ ଏକପାଖିଆ ପ୍ରେମ (ୱାନ୍‌ ସାଇଡେଡ୍‌ ଲଭ୍‌) କରିବସେ। ଶରୀର କାହାର ? ନା ମୋର l ଆଚ୍ଛା, ତୁମ ଶରୀର ଉପରେ ତୁମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି ? ହଁ ଅଛି । ତେବେ ତୁମ ଅନିଚ୍ଛା ସତ୍ତ୍ୱେ ତୁମ ସୁନ୍ଦର ଶରୀରଟା ବୃଦ୍ଧ ହୋଇଯାଇଛି କିପରି? ଏବେ ପାଟି ଚୁପ୍‌ । ଏଇଠି ଧରାପଡ଼ିଲା ଯେ ଶରୀରଟା ତୁମର ନୁହେଁ ।

ମଣିଷର ମୋହକୁ ଭାଙ୍ଗିବା ପାଇଁ ସେ ମଲା ପରେ ଈଶ୍ୱର ତା’ର ତିନୋଟି ଜିନିଷକୁ ତୁରନ୍ତ ବଦଳେଇ ଦିଅନ୍ତି l ପ୍ରଥମ- ଶରୀରକୁ ଶବରେ ପରିଣତ କରିଦିଅନ୍ତି l କାରଣ ଶରୀରକୁ ସେ ସର୍ବାପେକ୍ଷା ଅଧିକ ଭଲପାଇ ବସିଥାଏ l ଦିତୀୟ- ପଦପଦବୀ ବା କ୍ଷମତା l ମନ୍ତ୍ରୀ, ନେତା, ଅଫିସର୍‌, କୋଟିପତି ଆଦି ଅନେକ ପଦବୀ ଧାରଣ କରିଥିବା ମଣିଷ ମରିବା ପରେ ତା’ର ଏ ପଦବୀଗୁଡ଼ିକୁ ଈଶ୍ୱର ହଟେଇ ଦିଅନ୍ତି । ସମସ୍ତଙ୍କ ପାଇଁ ଗୋଟିଏ ପଦବୀ ଲଗାନ୍ତି -ସ୍ବର୍ଗତ । କାରଣ ପଦପଦବୀକୁ ନେଇ ମଣିଷର ଅହଂକାର ଢେର୍‌ ଥାଏ ।

ତୃତୀୟଟି ହେଉଛି -ଠିକଣା l ମୋର କଟକରେ ଘର, ପୁରୀରେ ଘର, ଭୁବନେଶ୍ୱରରେ ଘର, ଦିଲ୍ଲୀରେ ଘର, ଆମେରିକାରେ ଘର। କମ୍‌ ଅହଂକାର! ମୃତ୍ୟୁପରେ ମଣିଷର ଏ ଠିକଣାକୁ ସଙ୍ଗେ ସଙ୍ଗେ ବଦଳେଇ ଦେଇ ଈଶ୍ୱର କୁହନ୍ତି- ବାବୁରେ ! ତୋର ଏବେକାର ଠିକଣା ହେଲା ମଶାଣି।

ତେବେ କାହିଁପାଇଁ ଏତେ ମୋହ, ଗର୍ବ, ସଂକୀର୍ଣ୍ଣତା, ମାର୍‌ପିଟ, ଦୁର୍ନୀତି, ଟାଉଟରି, ଅନ୍ୟାୟ ଆଉ ଅନୀତି? ବିଧିଯୁକ୍ତ କର୍ମ କରି ବିନା ମୋହ ଆଉ ଅହଂକାରରେ ସମାଜରେ କ’ଣ ରହିହେବନି ? ଦୁର୍ନୀତି, ଟାଉଟରି, ଠକାଠକି ନ କଲେ କ’ଣ ତୁମ ବା ପରିବାରର ପେଟ ଅପୋଷା ରହିଯିବ? ଯଦି ଏହା ‘ହଁ’ ବୋଲି ତୁମେ ଏବେ ବି କହୁଥାଅ, ତେବେ ଦୁଃଖର କଥା ତୁମକୁ ଆହୁରି ଦଣ୍ଡ ଭୋଗିବାକୁ ବାକି ଅଛି । ଯଦି ଉତ୍ତର ‘ନା’ – ତେବେ ଆଜିଠୁ ତୁମର ଈଶ୍ବରଙ୍କ ଦରବାର ଆଡ଼କୁ ପଡ଼ିଥିବା ସ୍ଫଟିକ ରାସ୍ତାରେ ତୁମର ଯାତ୍ରା ଆରମ୍ଭ ହେଲା ବା ହୋଇସାରିଛି ବୋଲି ଜାଣ l
-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ
ରାମନଗର, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?