ବେଜିଂ,୧୬।୧୧: ଆମେରିକାକୁ ପଛରେ ପକାଇ ଚାଇନା ପୃଥିବୀର ସବୁଠୁ ଧନୀ ଦେଶ ପାଲଟିଛି। ଏହି ଲକ୍ଷ୍ୟ ହାସଲ କରିବାକୁ ଚାଇନାକୁ ୨୦ ବର୍ଷ ଲାଗିଛି। ମ୍ୟାନେଜମେଣ୍ଟ କନସଲଟାଣ୍ଟ ମୈକିନ୍ସ୍ ଆଣ୍ଡ କମ୍ପାନୀର ଅନୁସନ୍ଧାନ ଶାଖା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ଫଳରେ ଧନ ଦୃଷ୍ଟିରୁ ଚାଇନା ବର୍ତ୍ତମାନ ପୃଥିବୀର ଏକ ନମ୍ବର ଦେଶରେ ପରିଣତ ହୋଇଛି। ଧନ ସମ୍ପତ୍ତିରେ ଶୀର୍ଷ ସ୍ଥାନକୁ ଚାଇନା ଉନ୍ନୀତ ହୋଇ ଆମେରିକାକୁ ପଛରେ ପକାଇ ଦେଇଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଚାଇନାର ନେତୃତ୍ୱରେ ପୃଥିବୀର ଧନ ସମ୍ପତ୍ତି ତିନି ଗୁଣା ବୃଦ୍ଧି ପାଇଛି। ମ୍ୟାନେଜମେଣ୍ଟ କନସଲଟାଣ୍ଟ କମ୍ପାନୀ ପକ୍ଷରୁ ପୃଥିବୀର ଆୟର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୦ଟି ଦେଶର ଜାତୀୟ ବାଲାନ୍ସ ସିଟ ଯାଞ୍ଚ କରାଯାଇଥାଏ।
ପୃଥିବୀ ପୂର୍ବାପେକ୍ଷା ଅଧିକ ଧନୀ ହୋଇ ସାରିଛି ବୋଲି ଜୁରିଚର ମୈକିନ୍ସ୍ ଗ୍ଲୋବାଲ ଇନଷ୍ଟିଚ୍ୟୁର ଅଂଶୀଦାର ଜାନ ମିଶକେ ଏକ ସାକ୍ଷାତକାରରେ କହିଛନ୍ତି। ଅଧ୍ୟୟନ ଅନୁଯାୟୀ, ପୃଥିବୀର ମୋଟ ସମ୍ପତ୍ତି ୨୦୦୦ରେ ୧୫୬ ଟ୍ରିଲିୟନ ଡଲାର ଥିଲା। ତେବେ ୨୦୨୧ରେ ଏହି ପରିମାଣ ୫୧୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଚାଇନା ନିଜର ସମ୍ପତ୍ତି ବୃଦ୍ଧି କରି ପୃଥିବୀର ମୋଟ ସମ୍ପତ୍ତିର ଏକ ତୃତୀୟାଂଶ ହାସଲ କରିଛି। ବିଶ୍ୱ ବାଣିଜି୍ୟକ ସଂଗଠନ(ଡବ୍ଲ୍ୟୁଟିଓ)ରେ ଯୋଗଦେବାର ଏକ ବର୍ଷ ପୂର୍ବରୁ ୨୦୦୦ରେ ଏହାର ସମ୍ପତ୍ତି କେବଳ ୭ ଟ୍ରିଲିୟନ ଡଲାର ଥିଲା। ଏହା ବର୍ତ୍ତମାନ ୧୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି୍। ଯାହାଦ୍ୱାରା ଚୀନର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ ହୋଇଛି। ୨୦ ବର୍ଷ ମଧ୍ୟରେ ଚାଇନା ପୃଥିବୀର ଏକ ତୃତୀୟାଂଶ ସମ୍ପତ୍ତି ହାସଲ କରିପାରିଛି।
ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ସମ୍ପତ୍ତି ପୂର୍ବାପେକ୍ଷା ବୃଦ୍ଧି ପାଇ ଦ୍ୱିଗୁଣିତ ହୋଇଛି। ୨୦୦୦ରେ ଆମେରିକାର ସମ୍ପତ୍ତି ୯୦ ଟ୍ରିଲିୟନ ଡଲାର ଥିଲା। ରିପୋର୍ଟରେ କୁହାଯାଇଛି ଯେ ଏଠାରେ ସମ୍ପତ୍ତି ମୂଲ୍ୟରେ ଅଧିକ ବୃଦ୍ଧି ନ ହେବା ଯୋଗୁ ଆମେରିକାର ଧନ ଚାଇନା ତୁଳନାରେ କମ ରହିଛି ଏବଂ ଏହା ଏକ ନମ୍ବର ସ୍ଥାନ ହରାଇଛି।