ଚଟୁ ଆଇଁଷ, ବେଣ୍ଟ ନିରାମିଷ

ଉତ୍ତର ପ୍ରଦେଶର ମୋରଦାବାଦଠାରେ ଦୁଇ ସପ୍ତାହ ତଳେ ରଶିଦ୍‌ ଅଲି ଓ ତାଙ୍କ ଭାଇ ସଲିମ୍‌ ଅଲିଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଡିସେମ୍ବର ୫ରେ ପିଙ୍କିଙ୍କ ସହ ବିବାହ ପଞ୍ଜୀକରଣ କରିବା ଲାଗି ରଶିଦ୍‌ ତାଙ୍କ ଭାଇଙ୍କ ସହ ଯାଉଥିବାବେଳେ ବଜରଙ୍ଗ ଦଳର କର୍ମୀମାନେ ସେମାନଙ୍କୁ ଅଟକାଇ ଘଟଣାକୁ ‘ଲଭ୍‌ ଜେହାଦ’ ଆଖ୍ୟା ଦେଇଥିଲେ। ପରେ ରଶିଦ୍‌ ଓ ସଲିମ୍‌ଙ୍କୁ ପୋଲିସ ଷ୍ଟେଶନ ପଠାଇ ଦିଆଯାଇଥିବା ବେଳେ ପିଙ୍କିଙ୍କୁ ଏକ ଆଶ୍ରୟ ଗୃହରେ ରଖାଯାଇଥିଲା। ତେବେ ପିଙ୍କି ଧର୍ମ ପରିବର୍ତ୍ତନ ନୁହେଁ, ନିଜ ଇଚ୍ଛାରେ ରଶିଦ୍‌ଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି ପ୍ରମାଣ ଦେବା ପରେ ସେହି ଦୁଇଭାଇଙ୍କୁ ୧୯ ଡିସେମ୍ବରରେ ଜେଲରୁ ମୁକ୍ତି ମିଳିଛି। ଲଭ୍‌ ଜେହାଦକୁ ନେଇ ଦେଶବ୍ୟାପୀ ଚାଲିଥିବା ଚର୍ଚ୍ଚା ଓ କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ମୋରଦାବାଦ ଘଟଣା ସଦ୍ୟ ଉଦାହରଣ ଭାବେ ଛିଡ଼ାହୋଇଛି। ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୁ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ମୁସଲମାନ ଯୁବକମାନେ ବିବାହ କରିବା ସହ ସେମାନଙ୍କ ଧର୍ମ ପରିବର୍ତ୍ତନ କରିବା ଚିନ୍ତାଧାରାକୁ ‘ଲଭ୍‌ ଜେହାଦ’ କୁହାଯାଉଛି। ଏଠାରେ ଲଭ୍‌ ଜେହାଦ ନିରୋଧୀ ଆଇନ ମାଧ୍ୟମରେ ମୁସଲମାନ ଯୁବକଙ୍କୁ ଅତ୍ୟାଚାର କରାଯାଉଥିବା ସତ୍ୟ। ଅପରପକ୍ଷରେ ସ୍ବୀକାର କରିବାକୁ ହେବ ଯେ, ନିଜ ଇଚ୍ଛାରେ ଭଲପାଇ ବିବାହ କରିବାକୁ ଚାହୁଁଥିବା ହିନ୍ଦୁ ଯୁବତୀ ମଧ୍ୟ ଏହା ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି। ଏହି ଆଇନକୁ ସମର୍ଥନ କରୁଥିବା ବ୍ୟକ୍ତିମାନେ ହିନ୍ଦୁ ମହିଳାଙ୍କୁ ସମାନତା ଓ ସମ୍ମାନ ଦେବା ପାଇଁ ଅନିଚ୍ଛୁକ ଥିବା ଭଳି ମନେହୁଏ।
ନିକଟରେ ଉତ୍ତର ପ୍ରଦେଶ ସରକାର ଧର୍ମାନ୍ତରୀକରଣ ବିରୋଧୀ ବା ତଥାକଥିତ ଲଭ୍‌ ଜେହାଦ ଅଧ୍ୟାଦେଶ ଆଣିଛନ୍ତି। ଜୋର୍‌ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଥିବା ସଂକ୍ରାନ୍ତ ଘଟଣା ରାଜ୍ୟରେ ବଢ଼ୁଥିବାରୁ ତାହାକୁ ଲକ୍ଷ୍ୟ କରାଯାଇ ଏଭଳି ଅଧ୍ୟାଦେଶ ଅଣାଯାଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। ଦେଖିବାକୁ ଗଲେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ମନରେ ‘ଲଭ୍‌ ଜେହାଦ’ ବସା ବାନ୍ଧିଥିଲା। ଘଟଣାର ମୂଳକୁ ଗଲେ ଜଣାପଡ଼େ ଯେ, ‘ହିନ୍ଦୁ ଯୁବ ବାହିନୀ’ ନାମକ ଏକ ସଙ୍ଗଠନ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଧର୍ମ ପରିବର୍ତ୍ତନ ନେଇ ହେଉଥିବା ଅଭିଯୋଗକୁ ଭିତ୍ତିକରି ଏହାର ମୁକାବିଲା ପାଇଁ ଅତ୍ୟନ୍ତ ସକ୍ରିୟ ଥିଲା। ଏବେ ଏହା ମଳିନ ପଡ଼ିଯାଇଛି। ତେବେ ଅଜୟ ମୋହନ ବିଷ୍ଟ୍‌, ଯେ କି ପରବର୍ତ୍ତୀ ସମୟରେ ନିଜ ନାମ ପରିବର୍ତ୍ତନ କରି ଯୋଗୀ ଆଦିତ୍ୟନାଥ ଭାବେ ସୁପରିଚିତ; ସେ ୨୦୧୭ରେ କେରଳଠାରେ ଏକ ରାଲିରେ ଲଭ୍‌ ଜେହାଦ ବିଷୟ ଉଲ୍ଲେଖ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ତାଙ୍କ ଅଫିସରମାନଙ୍କୁ ଲଭ୍‌ ଜେହାଦ ଭଳି ଘଟଣାକୁ ନିୟନ୍ତ୍ରଣ କରିବା ଲାଗି ଏକ ଆଇନ ଆଣିବାକୁ ଚଳିତ ବର୍ଷ ଅଗଷ୍ଟରେ ନିର୍ଦ୍ଦେଶ ଦେଇଥିଲେ। ଆଜି ସେ ସଂକ୍ରାନ୍ତ ଅଧ୍ୟାଦେଶ ଆସିଯାଇଥିବାରୁ ତାହାକୁ କାର୍ଯ୍ୟକାରୀ କରିବାରେ ଉତ୍ତର ପ୍ରଦେଶ ସରକାରୀ ବ୍ୟବସ୍ଥା ଲାଗିପଡ଼ିଛିି। ଏବେ ପିଙ୍କି ନିଜ ଇଚ୍ଛାରେ ରଶିଦ୍‌ଙ୍କୁ ବିବାହ କରିବାକୁ ଚାହୁଁଥିବା ବିଷୟ ଦର୍ଶାଇବା ପରେ ବାସ୍ତବ ଘଟଣା ପଦାକୁ ଆସିଗଲା।
ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକ କଲ୍ୟାଣକାରୀ ଚିନ୍ତାଧାରା ପୋଷଣ କରିବା ଗଣତାନ୍ତ୍ରିକ ସରକାରର ଧ୍ୟେୟ ହେବା କଥା। କିଏ କ’ଣ ଖାଇଲା, ପିନ୍ଧିଲା, କାହାକୁ ପସନ୍ଦ କଲା, କେଉଁ ଭାଷା ବ୍ୟବହାର କଲା, କେଉଁ ଧର୍ମ ଓ ବିଚାରକୁ ନେଇ ଜିଇଲା ଆଦି ବିଷୟକୁ ତନ୍ନତନ୍ନ କରି ତର୍ଜମା କରିବାର ମାନେ ବୁଝିବାକୁ ହେବ ଯେ, ସରକାର ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଭବିଷ୍ୟତରେ ଏଭଳି ଆଇନ ଭାରତୀୟ ନାଗରିକଙ୍କ ସକାଶେ ମାରାତ୍ମକ ହୋଇପାରେ। କାରଣ ସମସ୍ତଙ୍କୁ ମନେରଖିବାକୁ ହେବ ଯେ, ଏହିସବୁ ଅବାଞ୍ଛିତ ଆଇନ କାର୍ଯ୍ୟକାରିତାର ଦାୟିତ୍ୱ ପୋଲିସ ଓ ସରକାରୀ କଳ ଉପରେ ନ୍ୟସ୍ତ ହେବ। ଏହି ଆଇନକୁ ବ୍ୟବହାର କରି ଅର୍ଥ ଆଦାୟ ଭଳି ଅନେକ ଦୁର୍ନୀତି ଓ ଅବିଚାର ବୃଦ୍ଧି ପାଇଲା ବେଳକୁ ସେଥିରେ ହିନ୍ଦୁ-ମୁସଲମାନର ତଫାତ୍‌ ଜଣାପଡ଼ିବା କଷ୍ଟକର ହୋଇପଡ଼ିବ।
ଇତିହାସକୁ ମନେପକାଇଲେ ହିନ୍ଦୁଧର୍ମରେ ଅସ୍ପୃଶ୍ୟତା ଯୋଗୁ ସମ୍ବିଧାନର ପ୍ରମୁଖ ପ୍ରଣେତା ବି.ଆର୍‌. ଆମ୍ବେଡକର ତାଙ୍କ ଅନୁଗାମୀଙ୍କୁ ନେଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଦଳିତମାନଙ୍କୁ ସେ କହିଥିଲେ, ଯେଉଁ ଭଗବାନ ତୁମ୍ଭକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ତାଙ୍କୁ ପୂଜା କରିବା ଉଚିତ ନୁହେଁ। ଆଜି ସେହି ଉତ୍ତର ପ୍ରଦେଶକୁ ଦେଖିଲେ ହାଥରସ୍‌ ଭଳି ଅସଂଖ୍ୟ ଘଟଣା ଘଟିଚାଲିଛି। ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଏହି ଦଳିତମାନଙ୍କୁ ଶାରୀରିକ ଏବଂ ଯୌନ ନିର୍ଯାତନା ଦେବାବେଳେ ଉଚ୍ଚବର୍ଗ କେବେ ଭାବି ନାହିଁ ସେମାନଙ୍କୁ ଛୁଇଁଲେ ଜାତି ନଷ୍ଟ ହେବ ବୋଲି। ନିଜ ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କୁ ଇତର ପ୍ରାଣୀ ଭଳି ବ୍ୟବହାର କରୁଥିବା ବର୍ଗ ‘ଲଭ୍‌ ଜେହାଦ’କୁ ଆଳ କରି ହିନ୍ଦୁ-ମୁସଲମାନ ମଧ୍ୟରେ ବିଭେଦ ସୃଷ୍ଟି କରିବା ସମସ୍ତଙ୍କ ପାଇଁ ଅତି ବିପଜ୍ଜନକ ହେବ। ନିଜ ଘର ନ ସଜାଡ଼ି ପର ଘରର ଲୋକ କାହିଁକି ବାରଣ୍ଡା ଉପରକୁ ପ୍ରବେଶ କଲା କହିବା ନିଜର ଦୁର୍ବଳତାକୁ ପଦାରେ ପକାଇଦେଉଛି।
ଏବେ ଆଉ ଏକ ଘଟଣା ଉପରେ ନଜର ପକାଯାଇପାରେ। ଭାଜପାଶାସିତ ଗୋଆରେ ଏବେ ଗୋମାଂସ ସଙ୍କଟ ଦେଖାଦେଇଛି। କର୍ନାଟକରୁ ଗୋମାଂସ ଗୋଆକୁ ରପ୍ତାନି ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, କର୍ନାଟକ, ଗୋଆ, କେରଳ ଭଳି ଅନେକ ରାଜ୍ୟରେ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଗୋମାଂସ ହେଉଛି ଏକମାତ୍ର ପୁଷ୍ଟିକର ଖାଦ୍ୟ। ଏହା ମଧ୍ୟ ଶସ୍ତାରେ ମିଳେ। ଏବେ ସେହି ମାଂସର ଅଭାବ ଯୋଗୁ ଗୋଆରେ ସ୍ଥିତି ଗମ୍ଭୀର ହେଉଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ତୁରନ୍ତ ସଙ୍କଟ ଟାଳିବା ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି। ପ୍ରସଙ୍ଗ ହେଉଛି, ଭାଜପାଶାସିତ ରାଜ୍ୟରେ ଗୋଚାଲାଣ ଓ ଗୋମାଂସ ରପ୍ତାନି ଉପରେ ରୋକୋ ଲଗାଯାଇଛି, ଯାହାଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୌତୂହଳର ବିଷୟ ଯେ, ଗୋଆରେ ଷଣ୍ଢ ଓ ମଇଁଷି କାଟିବା ଲାଗି କେତେକ ପଞ୍ଜୀକୃତ କଂସେଇଖାନାକୁ ଅନୁମତି ଦିଆଯାଇଛି। ଏଠି ଓଡ଼ିଆର ଏକ ଢଗ ମନେପଡ଼େ-‘ଚଟୁ ଆଇଁଷ, ବେଣ୍ଟ ନିରାମିଷ’। ଗାଈ, ଷଣ୍ଢ ଓ ମଇଁଷିି ଏକା ରକମର ହୋଇଥିଲେ ମଧ୍ୟ ଗାଈକୁ କେବଳ ପବିତ୍ର ଧରାଯାଉଛି। ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ଶିବଙ୍କ ବାହନ ବୃଷଭ ବା ଷଣ୍ଢ। ଷଣ୍ଢ ହଣା ହେବାର ଯୋଗ୍ୟତା ମୁସଲମାନଙ୍କଠାରୁ ପାଇନାହିଁ। ସେହି ଯୋଗ୍ୟତା ଭାଜପା ନେତା ଗୋଆ ମୁଖ୍ୟମନ୍ତ୍ରୀ ସାଓ୍ବନ୍ତ ସରକାରଙ୍କଠାରୁ ମିଳିଛି। ଆଗରୁ ଶୁଣିବାକୁ ମିଳୁଥିଲା ‘ବର୍ଷା ଯୁଆଡ଼େ, ଛତା ସିଆଡ଼େ’। ଏବେ ଭାଜପା ସରକାର ତାହାର ପରିବର୍ତ୍ତନ କରିଦେଇଛି-‘ଛତା ଯୁଆଡ଼େ, ବର୍ଷା ସିଆଡ଼େ’।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?