Posted inଫୁରସତ

ଇତିହାସ ରଚିବ ଚନ୍ଦ୍ରୟାନ-୩

ପରବର୍ତ୍ତୀ ଚନ୍ଦ୍ରୟାନ-୨ ଅଭିଯାନରେ ଏକ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଯାନକୁ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଧୀର ଅବତରଣ ଜରିଆରେ ଖସାଇ ଚନ୍ଦ୍ରମାଟିକୁ ଛୁଇଁବାର ଆଶା ରଖାଯାଇଥିଲା। ମାତ୍ର ଏହି ଅଭିଯାନ କ୍ଷେତ୍ରରେ ଭାରତକୁ ସମ୍ପୂର୍ଣ୍ଣ ସଫଳତା ମିଳି ନ ଥିଲା। ଏଥିରେ ଥିବା ‘ଅର୍ବିଟର୍‌’ ଯାନଟି ଯୋଜନା ମତେ ଚନ୍ଦ୍ରକୁ ସଫଳତାର ସହିତ ପରିକ୍ରମା କରି ଚନ୍ଦ୍ରପୃଷ୍ଠର ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲାବେଳେ ଏଥିରୁ ବିଚ୍ଛିନ୍ନ ହୋଇ ଏକ ଅବତରକ ଯାନ ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିଥିଲା। ବିକ୍ରମ ଅବତରକ ଯାନଟିରେ ଏକ ଚକଲଗା ଗାଡି ବା ରୋଭର୍‌ (ନାମ: ପ୍ରଜ୍ଞାନ) ମଧ୍ୟ ସ୍ଥାନିତ ଥିଲା ଯାହା ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ମାତ୍ରେ ଅବତରକ ଯାନରୁ ବାହାରି ଚନ୍ଦ୍ରପୃଷ୍ଠ ଉପରେ ଗଡ଼ିଗଡ଼ି ବୈଜ୍ଞାନିକ ତଥ୍ୟାବଳୀ ସଂଗ୍ରହ କରିବା କଥା। ଦୁର୍ଭାଗ୍ୟକ୍ରମେ, ବିକ୍ରମ ଅବତରକ ଯାନଟି ସୁଚାରୁ ରୂପେ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ନ ପାରି ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବା ସହିତ ଭୂପୃଷ୍ଠ ସହିତ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଥିଲା। ଏହା ସହିତ ଭାରତର ଚନ୍ଦ୍ରମାଟିକୁ ଛୁଇଁବାର ସ୍ବପ୍ନ ଅଧୁରା ରହି ଯାଇଥିଲା।
ଚନ୍ଦ୍ରକୁ ଛୁଇଁବାର ଆଶା: ପୂର୍ବର ସଫଳତା ଓ ବିଫଳତାର ମିଶ୍ର ଅନୁଭୂତି ପରେ ଭାରତ ଏବେ ଚନ୍ଦ୍ରୟାନ-୩ ଅଭିଯାନ ଜରିଆରେ ପୂର୍ବର ତ୍ରୁଟିକୁ ସୁଧାରି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି। ଚନ୍ଦ୍ରଯାନ-୩ ର ସମୁଦାୟ ତିନୋଟି ଏକକ ବା ମଡ୍ୟୁଲ୍‌ ରହିଛି, ଯଥା: ପ୍ରପଲସନ୍‌ ମଡ୍ୟୁଲ ଯାହା ଯାନକୁ ଗତିଶୀଳତା ପ୍ରଦାନ କରିବ। ଦ୍ୱିତୀୟଟି ହେଲା ଅବତରକ ମଡ୍ୟୁଲ ଯାହା ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରି ଚନ୍ଦ୍ରମାଟିକୁ ଛୁଇଁବ। ତୃତୀୟଟି ହେଲା ରୋଭର୍‌ ମଡ୍ୟୁଲ ଯାହା ଏକ ଚକଲଗା ଗାଡ଼ି ସଦୃଶ ଚନ୍ଦ୍ରପୃଷ୍ଠରେ ଗଡ଼ିଗଡ଼ି ବିଭିନ୍ନ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ। ଚନ୍ଦ୍ରୟାନ-୨ ଅଭିଯାନରେ ଥିବା ଅର୍ବିଟର ମଡ୍ୟୁଲକୁ ଚଳିତ ଚନ୍ଦ୍ରୟାନ-୩ ଅଭିଯାନରେ ସ୍ଥାନିତ କରାଯାଇ ନାହିଁ। ଯେହେତୁ ଚନ୍ଦ୍ରୟାନ-୨ ଅଭିଯାନର ଅର୍ବିଟର୍‌ ମଡ୍ୟୁଲଟି ଏବେବି ଚନ୍ଦ୍ରକକ୍ଷରେ ସକ୍ରିୟ ଅଛି, ଚନ୍ଦ୍ରଯାନ-୩ ପୂର୍ବର ଏହି ବ୍ୟବସ୍ଥାକୁ ବ୍ୟବହାର କରି ଭୂପୃଷ୍ଠ ସହିତ ଯୋଗାଯୋଗ ଭଳି ନିଜର ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରି ପାରିବ। ସୁତରାଂ ଚନ୍ଦ୍ରୟାନ-୩ ଅଭିଯାନରେ ଜାଣିଶୁଣି ଅର୍ବିଟର୍‌ ମଡ୍ୟୁଲ୍‌କୁ ସ୍ଥାନିତ କରାଯାଇ ନାହିଁ।
ଚନ୍ଦ୍ରୟାନ-୩ ଅଭିଯାନର ପ୍ରମୁଖ ଲକ୍ଷ୍ୟ ହେବ ଚନ୍ଦ୍ରପୃଷ୍ଠରେ ନିରାପଦ ଭାବେ ‘ଧୀର ଅବତରଣ’ କରିବା। ଏହା ବାସ୍ତବ ପକ୍ଷରେ ଅତ୍ୟନ୍ତ କଠିନ ଓ ଜଟିଳ ପ୍ରକ୍ରିୟା ଏବଂ ଏଥିନିମନ୍ତେ ଅତି ଉଚ୍ଚକୋଟୀର ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ଅବତରକ ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ଦ୍ରୁତଗତିରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଛୁଟି ଯାଉଥିଲାବେଳେ ତୁରନ୍ତ ଏହାର ପ୍ରଚଣ୍ଡ ବେଗକୁ ଯଥେଷ୍ଟ ମାତ୍ରାରେ ହ୍ରାସକରି ଚନ୍ଦ୍ରମାଟିରେ ସୁରକ୍ଷିତ ଧୀର ଅବତରଣ କରାଇବାକୁ ପଡ଼େ। ନହେଲେ ଯାନଟି ଦ୍ରୁତଗତିରେ ଯାଇ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯାଏ। ମାତ୍ର ଏ କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ହେଉଛି, ଚନ୍ଦ୍ରର ପୃଥିବୀ ଭଳି ବାୟୁମଣ୍ଡଳ ନ ଥିବାରୁ ଏଠାରେ ଯାନର ଦୂରନ୍ତ ଅଗ୍ରଗାମୀ ଗତିକୁ ପ୍ରତିହତ କରିବା ପାଇଁ ପାରମ୍ପରିକ ଆକାଶଛତା ବା ପାରାସ୍ୟୁଟ୍‌ ବ୍ୟବସ୍ଥା କାର୍ଯ୍ୟ କରେ ନାହିଁ। ତେଣୁ ଯାନର ବେଗକୁ ଯଥେଷ୍ଟ ହ୍ରାସ କରିବା ପାଇଁ ଯାନ ସହିତ କିଛି ‘ରେଟ୍ରୋ ରକେଟ୍‌’ ଖଞ୍ଜା ଯାଇଥାଏ, ଯାହାର ଇଞ୍ଜିନକୁ ଯାନର ଅଗ୍ରଗାମୀ ଗତିର ବିପରୀତ ଦିଗରେ କ୍ରମାନ୍ବୟରେ ଚାଳନା କରି ଯାନର ବେଗକୁ ଏକ ସୁରକ୍ଷିତ ଅବତରଣ ନିମନ୍ତେ ମନ୍ଦିତ କରାଯାଏ। ଠିକ୍‌ ସମୟରେ ଠିକ୍‌ ଇଞ୍ଜିନକୁ କାର୍ଯ୍ୟକ୍ଷମ କରି ଯାନର ବେଗକୁ ନିୟନ୍ତ୍ରିତ କରିପାରିଲେ ଯାଇ ଏହି ଦୁର୍ବାର ଲକ୍ଷ୍ୟ ହାସଲ କରାଯାଇ ଯାନକୁ ଚନ୍ଦ୍ରମାଟିରେ ଧୀର ଅବତରଣ କରାଯାଇ ପାରିବ; ନଚେତ ଯାନଟି ଦ୍ରୁତଗତିରେ ଚନ୍ଦ୍ର ପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ। ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ହିଁ ବିଶ୍ୱର ମାତ୍ର ତିନୋଟି ରାଷ୍ଟ୍ର ଏପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ନିଜ ଯାନକୁ ସଫଳତାର ସହ ନିରାପଦ ରୂପେ ଅବତରଣ କରାଇବାରେ ସକ୍ଷମ ହୋଇଛନ୍ତି ଏବଂ ଏ କ୍ଷେତ୍ରରେ ମାତ୍ର ଏକ-ତୃତୀୟାଂଶ ପ୍ରୟାସକୁ ସଫଳତା ମିଳିଛି। ଏହି ପ୍ରଯୁକ୍ତିଗତ ବିଫଳତା ପାଇଁ ହିଁ ପୂର୍ବର ଚନ୍ଦ୍ରୟାନ -୨ ଅଭିଯାନ ବିଫଳ ହୋଇଗଲା।
ଚନ୍ଦ୍ରୟାନ-୩ ଅଭିଯାନର ପ୍ରକଳ୍ପ ଖର୍ଚ୍ଚ ହେବ ସମୁଦାୟ ୬୧୫ କୋଟି ଟଙ୍କା। ପୂର୍ବରୁ ଚନ୍ଦ୍ରକୁ ସଫଳ ଅଭିଯାନ ପ୍ରେରଣ କରିଥିବା ବିଭିନ୍ନ ଦେଶ ନିଜ ଯାନକୁ ଚନ୍ଦ୍ରର ବିଷୁବରେଖା ନିକଟରେ ଅବତରଣ କରାଇଥିଲାବେଳେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ନିଜର ଯାନକୁ ଏହାର ଦକ୍ଷିଣ ମେରୁ ନିକଟରେ ଅବତରଣ କରାଇବାକୁ ଯାଉଛି। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଏପରି କିଛି ଗଭୀର ଗହ୍ବର ଅଛି, ଯାହାର ତଳ ସ୍ଥାୟୀ ରୂପେ ଅନ୍ଧକାରରେ ରହେ, ଅର୍ଥାତ ସୂର୍ଯ୍ୟାଲୋକ ସେଠାରେ ଏବେ ସୁଦ୍ଧା ପହଞ୍ଚତ୍ ପାରିନାହିଁ। ସୁତରାଂ ଅତ୍ୟଧିକ ଶୀତଳତା ହେତୁ ସେଠାରେ ଜଳ ସମେତ କିଛି ଦୁର୍ଲଭ ରାସାୟନିକ ଉପାଦାନ ଜମାଟ ବାନ୍ଧି କଠିନ ଅବସ୍ଥାରେ ବିଦ୍ୟମାନ ଥିଲାବେଳେ ପରମାଣବିକ ସ୍ତରରେ ପରିବର୍ତ୍ତିତ ନହୋଇ ସୃଷ୍ଟି ସମୟର ଆଦିମ ଅବସ୍ଥାରେ ଅଟକି ରହି ଥିବାର ଅନୁମାନ କରାଯାଏ। ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଏହି ସ୍ଥାନରେ ପହଞ୍ଚି ଏଭଳି ବିରଳ ଓ ବିଚିତ୍ର ପଦାର୍ଥର ଅନୁଧ୍ୟାନ ପୂର୍ବକ ସୌରଜଗତ ତଥା ଆମ ବିଶ୍ୱ ସଷ୍ଟି ସମ୍ପର୍କରେ ବହୁ ଅଜଣା ଓ ଅସମାହିତ ରହସ୍ୟକୁ ଉନ୍ମୋଚନ କରିବ ବୋଲି ଅଶା କରାଯାଏ। ଚନ୍ଦ୍ରଯାନ-୩ ଅଭିଯାନ ଜରିଆରେ ଆମ ଦେଶ ଚନ୍ଦ୍ରମାଟିକୁ ଛୁଇଁବାରେ ସଫଳ ହୋଇ ପାରିଲେ ଯେ ଏହା ସମଗ୍ର ଦେଶ ତଥା ଆମ ବୈଜ୍ଞାନିକମାନଙ୍କ ପାଇଁ ଏକ ବିରାଟ ଉପଲବ୍ଧି ହେବ, ଏଥିରେ ସନ୍ଦେହ ନାହିଁ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?