ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ):କରୋନା ମୃତକଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ନିୟୋଜିତ ଥିବା ୨୦ଜଣ ଶ୍ମଶାନ କର୍ମଚାରୀଙ୍କୁ ବୁଧବାର ଜୟ ଓଡ଼ିଶା ପକ୍ଷରୁ ‘କରୋନା ଯୋଦ୍ଧା’ ଭାବେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ଏମାନେ ୬ମାସ ଧରି କରୋନା ସଂକ୍ରମିତ ମୃତକଙ୍କ ସମେତ ଅନ୍ୟ ମୃତଦେହଗୁଡ଼ିକୁ ଅହୋରାତ୍ର ଅନ୍ତିମ ସତ୍କାର କରି ଆସୁଛନ୍ତି। ନିଜ ସ୍ବାସ୍ଥ୍ୟାବସ୍ଥାକୁ ପଛରେ ପକାଇ ସେମାନେ ମୃତକଙ୍କ ପାଇଁ ନିରନ୍ତର ସେବା ଯୋଗାଇ ଆସୁଥିବାରୁ ଜୟ ଓଡ଼ିଶା ତରଫରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବା ସହ ସମସ୍ତଙ୍କୁ ଟି ଶାର୍ଟ, ସାନିଟାଇଜର, ମାସ୍କ ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ୬ଟି ବଡ଼ ଛତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ଓ କେତେଜଣ ସାମାଜିକ କର୍ମୀଙ୍କ ସମେତ ବିଏମ୍ସିର ଡେପୁଟି କମିଶନର ପୁରନ୍ଦର ନନ୍ଦ, ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ, ଡେପୁଟି କମଶନର (ଜିଏସ୍ଟି) ଦେବାଶିଷ ସାହୁ ଓ ଏକ୍ଜିକ୍ୟୁଟିଭ୍ ଅଫିସର କଟକ ଚଣ୍ଡୀ ମନ୍ଦିରର ସ୍ବରୂପ ନନ୍ଦନ ବେହେରା ଉପସ୍ଥିତ ରହି ସମସ୍ତ ଶ୍ମଶାନ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ।