ଦିଗପହଣ୍ଡି,୧୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ପଶି ଏସ୍ଆଇ ରାଜ କିଶୋର ପାତ୍ର ଏବଂ ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ଏସ୍ଆଇ କୃଷ୍ଣମୟୀ ବରାଳ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଅଭିଯୁକ୍ତ ଜଣକ ହେଲେ ଜରଡା ଥାନା ପୋଲରାଜପୁର ଗ୍ରାମର ଦାଶରଥି ପ୍ରଧାନ(୩୫)। ଏନେଇ ଥାନାରେ ଏକ ମାମଲା (ନଂ.୪୭୮/୨୬) ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଜାମିନ ଖାରଜ ହେବାରୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, ଥାନା ମାମଲା ନଂ.୪୨୫/୨୬ ଏକ ହତ୍ୟା ଉଦ୍ୟମ ଘଟଣାର ମୁଖ୍ୟ ଅଭିଯୁକ୍ତ କୁନା ପ୍ରଧାନ ଫେରାର ଥିବା ବେଳେ ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ରାଜକିଶୋର ପାତ୍ର ଫୋନ କରି ଦାଶରଥି ନାମକ ଜଣେ ବ୍ୟକ୍ତିଙ୍କୁ ପାନ କାର୍ଡ ଧରି ଥାନାକୁ ଆସିବାକୁ କହିଥିଲେ। ରବିବାର ସାରେ ଦାଶରଥି ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀ ଟୁନିଙ୍କୁ ଧରି ଥାନାରେ ପହଞ୍ଚି ଥିଲେ। କନେଷ୍ଟବଳ ମିନି ସେଠୀ ଥାନାରେ ସେଣ୍ଟ୍ରି ଦାୟିତ୍ୱରେ ଥିବାବେଳେ ଏସଆଇ ରାଜକିଶୋର ପାତ୍ର ଡାଏରୀ ଚାର୍ଜ ଅଫିସର(ଡିସିଓ) ଦାୟିତ୍ୱରେ ଥିଲେ। ଦାଶରଥି ଥାନା ଭିତରେ ପହଞ୍ଚି ଏସ୍ଆଇଙ୍କୁ ଗାଳି ଗୁଜଳ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ହୋମଗାର୍ଡ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିବାଦ କରିବାରୁ ତାଙ୍କ ବେକକୁ ଧରି ସେ ମାଡ଼ି ବସିଥିଲେ। ଉପସ୍ଥିତ ଏଏସ୍ଆଇ କହ୍ନେଇ ର୍ମିଦ୍ଧା ଏବଂ ଅନ୍ୟ ସହକର୍ମୀମାନେ ଦାଶରଥିଙ୍କ କବଳରୁ ହୋମଗାର୍ଡଙ୍କୁ ଉଦ୍ଧାର କରିଥିଲେ। ପରେ ଦାଶରଥି ଏବଂ ତାଙ୍କ ସ୍ତ୍ରୀ ଟୁନି ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ପୋଲିସ କର୍ମଚାରୀ ଦାଶରଥିଙ୍କୁ କୌଶଳ କ୍ରମେ କାବୁ କରି ଥାନାରେ ଅଟକ ରଖିଥିଲେ। ଏନେଇ ଏଏସଆଇ କହ୍ନେଇ ର୍ମିଦ୍ଧା ଏତଲା ଦେବାପରେ ଆଇଆଇସି ଅଭିଯୁକ୍ତ ସ୍ତ୍ରୀ, ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ଟୁନିଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତରେ ଛଡାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

