ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ କରି ଅସନ୍ତୋଷ ପ୍ରକାଶ କରିଥିଲେ। ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଯୋଗୁ ଡାକ୍ତର ୨ଟି ଓପିଡିରେ ବସିବା, ଏକ୍ସରେ ମେସିନ ଚାଲୁ କରିବା, ଡାକ୍ତରଖାନାରେ ୧୦ଜଣ ଡାକ୍ତର ଥିବା ସତ୍ତ୍ବେ ସବୁଦିନ ୨ ଜଣ ଡାକ୍ତର ରହୁଥିବା, ବିଶେଷଜ୍ଞ ଡାକ୍ତର ପଦ ଖାଲି ଥିବା, ଫିଜୋଥୋରାପି ଗୃହକୁ ବଡ କରିବା ଆଦି କେତେକ ପ୍ରମୁଖ ସମସ୍ୟାକୁ ନେଇ ଦାବି, ଅଭିଯୋଗ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଜିଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଓ ବରିଷ୍ଠ ନାଗରିକ ପିତବାସ ପଣ୍ଡା ଏ ବିଷୟରେ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଗୁରୁବାର ସମସ୍ୟା ଉପରେ ଦୃଷ୍ଟି ଦେବାକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।
ଶୁକ୍ରବାର ପୂର୍ବାହ୍ନରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ସୁରେଶ ଚନ୍ଦ୍ର ମାହାନ୍ତି ପୂର୍ବରୁ ସୂଚନା ନ ଦେଇ ବଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ କରିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିପାରିଥିଲେ। ସମସ୍ୟା ଉପରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।
ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଡିପିଏମ୍ ବିଶମ୍ବର ବେହେରା, ବଡ଼ଗାଁ ସ୍ବାସ୍ଥ୍ୟ ଅଧିକାରୀ ଡ. ସାରଦା ପ୍ରସନ୍ନ ଜେନା ଉପସ୍ଥିତ ଥିଲେ। ରୋଗୀଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଥିବା ଯୋଗୁ ୨ଟି ଓପିଡି କରିବାକୁ ଜିଲା ସ୍ବାସ୍ଥ୍ୟ ଅଧିକାରୀ ତତ୍କ୍ଷଣାତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟକାରୀ ନ ହେଲେ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବିଶେଷଜ୍ଞ ଡାକ୍ତର ଅଭାବ ରହିଥିବା କହିବା ସହ ଜିଲାକୁ ବିଶେଷଜ୍ଞ ଡାକ୍ତର ଆସିଲେ ପ୍ରଥମେ ବଡ଼ଗାଁ ଡାକ୍ତରଖାନାକୁ ଦିଆଯିବ ବୋଲି କହିଛନ୍ତି। ପର୍ଯ୍ୟାୟକ୍ରମେ ଦାବି ଗୁଡ଼ିକୁପୁରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

