ନୂଆଦିଲ୍ଲୀ,୧୫।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୨୦୩୫ ପର୍ଯ୍ୟନ୍ତ ଏହାର ପ୍ରମୁଖ ପୁରୁଷ ଇଭେଣ୍ଟ କାର୍ଯ୍ୟସୂଚୀକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିସହିତ ପରବର୍ତ୍ତୀ ୩ ବୃହତ୍ ଇଭେଣ୍ଟ ଯଥା ୨୦୨୭ ଦିନିକିଆ ବିଶ୍ୱକପ୍ ଓ ୨୦୨୮ ପୁରୁଷ ଓ ମହିଳା ଟି୨୦ ବିଶ୍ୱକପ୍ ଲାଗି କ୍ୱାଲିଫିକେଶନ ଫର୍ମାଟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଇଣ୍ଡୋନେସିଆର ବାଲିଠାରେ ବସିଥିବା ଆଇସିସି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୱାଲିଫିକେଶନ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ସହ ଉଭୟ ସମ୍ପୂର୍ଣ୍ଣ ଓ ଆସୋସିଏଟ୍ ସଦସ୍ୟଙ୍କ ଲାଗି ଅଧିକ ସୁଯୋଗ ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏଥିସହିତ ୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ ପ୍ରୋଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିବା କ୍ରିକେଟ ଇଭେଣ୍ଟ ଲାଗି ଚୂଡ଼ାନ୍ତ କ୍ୱାଲିଫିକେଶନ ପ୍ରତିଯୋଗିତା ଲାଗି ତାରିଖ ଓ ଆୟୋଜକ ସ୍ପଷ୍ଟ କରାଯାଇଛି। ପୁରୁଷ ଅଲିମ୍ପିକ୍ କ୍ୱାଲିଫାୟର ଆମେରିକାରେ ଫେବୃଆରୀ ୫ରୁ ୧୩ ପର୍ଯ୍ୟନ୍ତ ହେବ। ସେହିଭଳି ମହିଳାଙ୍କ କ୍ୱାଲିଫାୟର ବାଂଲାଦେଶରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ହେବ।
ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ୨୦୨୮ ପୁରୁଷ ଟି୨୦ ବିଶ୍ୱକପ୍ ପରଠାରୁ ୨୦୩୫ ପୁରୁଷ କ୍ରିକେଟ ବିଶ୍ୱକପ୍ ପର୍ଯ୍ୟନ୍ତ ସମସ୍ତ ଇଭେଣ୍ଟ ଲାଗି ଆଇସିସି ବୋର୍ଡ ତାରିଖ ଧାର୍ଯ୍ୟ କରିଛି। ଏହି କ୍ୟାଲେଣ୍ଡରରେ ୪ଟି ଟି୨୦ ପୁରୁଷ ବିଶ୍ୱକପ୍, ୨ଟି ଦିନିକିଆ ବିଶ୍ୱକପ୍ ଓ ୩ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଓ ଦୁଇଟି ଚାମ୍ପିୟନ୍ସ ଟ୍ରଫି ସାମିଲ ରହିଛି।
ପୁରୁଷ ଚାମ୍ପିୟନ୍ସ ଟ୍ରଫି ଭାରତରେ ଅକ୍ଟୋବର ୯ରୁ ୨୮ ପର୍ଯ୍ୟନ୍ତ ହେବ। ସେହିଭଳି ଭାରତ ଓ ବାଂଲାଦେଶ ମିଳିତ ଭାବେ ୨୦୩୧ ପୁରୁଷ ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୯ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଆୟୋଜନ କରିବେ। ଗତ ୩ ସଂସ୍କରଣ ଭଳି ୨୦୨୯ ଓ ୨୦୩୧ ଡବ୍ଲ୍ୟୁଟିସି ଫାଇନାଲ ଇଂଲଣ୍ଡରେ ଯଥାକ୍ରମେ ଜୁନ୍ ୮-୧୨ ଓ ଜୁନ୍ ୧୨-୧୬ ପର୍ଯ୍ୟନ୍ତ ହେବ। ୨୦୩୦ ପୁରୁଷ ଟି୨୦ ବିଶ୍ୱକପ୍ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟ୍ଲାଣ୍ଡରେ ଜୁଲାଇ ୪ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ହେବ। ୨୦୩୨ ଓ ୨୦୩୪ ସଂସ୍କରଣ ଯଥାକ୍ରମେ ଅକ୍ଟୋବର ୧୪ରୁ ନଭେମ୍ବର ୧୪ ଏବଂ ଜୁଲାଇ ୬ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ହେବ। ହେଲେ ଉଭୟ ସଂସ୍କରଣର ଆୟୋଜକ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହାନ୍ତି। ୨୦୩୩ ଚାମ୍ପିୟନ୍ସ ଟ୍ରଫି ଅକ୍ଟୋବର ୨ରୁ ୨୩ ପର୍ଯ୍ୟନ୍ତ, ୨୦୩୩ ଓ ୨୦୩୫ ଡବ୍ଲ୍ୟୁଟିସି ଫାଇନାଲ ଯଥାକ୍ରମେ ଜୁନ୍ ୯ରୁ ୧୩ ଓ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ହେବ। ଏହି ସମସ୍ତ ଇଭେଣ୍ଟର ଆୟୋଜକ ଦେଶର ନାମ ଘୋଷଣା କରାଯାଇନାହିଁ। ୨୦୩୫ ପୁରୁଷ ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୨ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ହେବ।
ଦିନିକିଆ ବିଶ୍ୱକପ୍ ଲାଗି ହେବାକୁଥିବା ଯୋଗ୍ୟତା ପର୍ଯ୍ୟାୟରେ ୧୦ ଦଳ ଭାଗ ନେବେ। ସେମାନଙ୍କ ମଧ୍ୟରୁ ୪ ଦଳ ମୁଖ୍ୟ ଇଭେଣ୍ଟକୁ ଯୋଗ୍ୟତା ହାସଲ କରିବେ। ଏହି ଇଭେଣ୍ଟ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ହେବ ଏବଂ ଏଥିରେ ୨୩ ମ୍ୟାଚ୍ ଖେଳାଯିବ। ୨୦୨୮ ଟି୨୦ ବିଶ୍ୱକପ୍ରେ ମୋଟ ୧୬ ଦଳ ଭାଗନେବେ ଓ ୩୧ଟି ମ୍ୟାଚ୍ ଖେଳାଯିବ।

