କାଉକଟାଳ, ମାଛି ଓ ମଳ

ରଞ୍ଜନ କୁମାର ଦାସ

 

ଏ ସଂସାରରେ କାଉ ଓ ମାଛି ସର୍ବତ୍ର ବିଦ୍ୟମାନ। ଏମାନେ ଅମର ବୋଲି ମନେ କରାଯାଏ। ଭାରତୀୟ ସଂସ୍କୃତିରେ କାଉ ଏକ କର୍କଶ ପକ୍ଷୀ, କୋଳାହଳ ଓ କଳହର ପ୍ରତୀକ। ଯେଉଁଠି ଯୁଦ୍ଧ, ଯେଉଁଠି ବିଭୀଷିକା, ଯେଉଁଠି ମୃତ୍ୟୁ, ଶବାଧାର ସେଠି କାଉର ଆବିର୍ଭାବ ହୁଏ। ସ୍ଥାନ ବିଶେଷରେ ଏମାନଙ୍କୁ ଅଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ। ଏମାନେ ପଚାଶଢ଼ା ଜିନିଷ, ମୃତଜୀବର ମାଂସ ଆଦି ଭକ୍ଷଣ କରିଥାନ୍ତି। କାଉର କର୍କଶ ରାବ ଆମର ଏକାଗ୍ରତା ନଷ୍ଟ କରିଥାଏ। ୟୁରୋପୀୟ ଲୋକକଥାରେ ଏମାନଙ୍କୁ ମୃତ୍ୟୁର ଦୂତ ବା ବାର୍ତ୍ତାବହ ବୋଲି ମନେକରାଯାଏ। ଏମାନେ କୁଆଡ଼େ ଆସନ୍ନ ମୃତ୍ୟୁ, ବିଭୀଷିକା ଓ ବିପଦର ବାସ୍ନା ବାରିପାରନ୍ତି । ରାତ୍ରିକାଳରେ କାଉ ବୋବେଇବା ମଧ୍ୟ ଅତ୍ୟନ୍ତ ଅଶୁଭ ବୋଲି ଲୋକେ ମନେକରନ୍ତି। କିଛି କିଛି ସ୍ଥାନରେ କାଉକୁ ଏକ ଚତୁର ପ୍ରାଣୀ ରୂପେ ବିବେଚନା କରାଯାଏ। ଏହା କେବେ ପୋଷା ମାନେନା। କୌଣସି କୌଣସି ଜାଗାରେ ଏହା ଶନିଦେବଙ୍କର ବାହନ ରୂପେ ମଧ୍ୟ ଚିତ୍ରିତ। ଏ ସବୁକୁ ମିଶେଇଲେ କାଉ ବିଷୟରେ ଏକ ନକାରାତ୍ମକ ଚିତ୍ର ମନକୁ ଆସେ। ସେ ଚତୁର ହେଲେ ବି ଚୋର। କାକ ଭୂଷଣ୍ଡ ରୂପ ଧାରଣ କଲେ ବି ମୃତ୍ୟୁ ଓ ବିଭୀଷିକାର ପୟଗମ୍ବର। ଦେବଦୂତ ହେଲେ ବି ସବୁ ଅଶୁଭ କାର୍ଯ୍ୟରେ ଲିପ୍ତ ଓ ଅଶୁଭ କ୍ଷେତ୍ରରେ ବିଦ୍ୟମାନ। କାଉ କେବଳ ଏକ ପ୍ରତୀକ ମାତ୍ର। ଆମ ସମାଜରେ କାଉ ଭଳି ଅନେକ ଲୋକ ଥାଆନ୍ତି। ସେମାନେ ଦିନସାରା ରାଉ ରାଉ ନ ହେଲେ, କଳିତକରାଳରେ ଲିପ୍ତ ନ ରହିଲେ ତାଙ୍କୁ ଭଲ ଲାଗେନା। ସମସ୍ତଙ୍କୁ ଖୁମ୍ପିବା ତାଙ୍କର କାମ। ମା’ ସୀତାଙ୍କୁ ବି କାଉ ଖୁମ୍ପିବାକୁ ପଛଘୁଞ୍ଚା ଦେଇ ନ ଥିଲା। ଅନ୍ୟର ଘରେ ପଶି ଶୁଖା ହୋଇଥିବା ଅରୁଆଚାଉଳ ବଡ଼ି ଖାଇଯିବା ତାଙ୍କ ଉଦ୍ଦେଶ୍ୟ। ସେମାନଙ୍କୁ ବିଭ୍ରାଟର ଅଗ୍ରଦୂତ ବୋଲି ମନେକରାଯାଏ। କାଉ ଭଳି ଏ ଲୋକମାନଙ୍କୁ ଯେତେ ଭଲ ଚର୍ଚ୍ଚା କଲେ ମଧ୍ୟ ସେମାନେ ବୋଲ ମାନିବା ଲୋକ ନୁହନ୍ତି। ଯେଉଁଠି ସେମାନେ ପହଞ୍ଚିଯାଆନ୍ତି କୋଳାହଳ ଆରମ୍ଭ ହୋଇଯାଏ।
କାଉ ଭଳି ମାଛି ମଧ୍ୟ ପୃଥିବୀର ସବୁଆଡେ ଦେଖାଯାଇଥାନ୍ତି। ମାଛିଗୁଡ଼ିକ ମଳ ଖୋଜନ୍ତି। ଯୋଉଠି ମଳ ଥିବ ଦୁର୍ଗନ୍ଧ ଅଳିଆ ଆବର୍ଜନା ଥିବ ସେମାନେ ସେଠି ବିଚରଣ କରିବାକୁ ଭଲ ପାଆନ୍ତି। ଯାବତୀୟ ପ୍ରକାର ରୋଗର ଜୀବାଣୁ ବହି ଆଣନ୍ତି। ମାଛି ମଧ୍ୟ କାଉ ପରି ରୋଗ ଯନ୍ତ୍ରଣା, ପୀଡ଼ା ଓ ମୃତ୍ୟୁର ବାର୍ତ୍ତାବହ। ଏମାନେ କୌଣସି ଦୃଷ୍ଟିରୁ ସମାଜର ହିତକାରୀ ଜୀବ ନୁହନ୍ତି। କାଉ ଭଳି ମାଛି ମଧ୍ୟ ଏକ ପ୍ରତୀକ ରୂପେ ବ୍ୟବହୃତ ହୁଏ। ଯେଉଁ ଲୋକ ମାଛି ପରି ଅଳିଆ ଆବର୍ଜନା ଓ ମଳ ସନ୍ଧାନରେ ଦିନରାତି ଲିପ୍ତ ଥାଏ ଏବଂ ଦୁର୍ଗନ୍ଧର ଅନୁଧାବକ ସେମାନେ ଇତର ଶ୍ରେଣୀୟ ବିବେଚିତ ହୋଇଥାନ୍ତି। ତାଙ୍କୁ କେହି ପାଖରେ ପୂରାନ୍ତି ନାହିଁ। ଦେଖିଲା ମାତ୍ରେ ଛେଇ ଛେଇ କରି ଘଉଡ଼ାନ୍ତି। ମାଛି ନ ଆସିବା ପାଇଁ ଯେମିତି ଘର ସଫାସୁତୁରା କରାଯାଏ, ଫିନାଇଲ ବ୍ଲିଚିଙ୍ଗ ପାଉଡ଼ର ପକାଯାଏ ସେମିତି ଏଇ ଶ୍ରେଣୀୟ ଲୋକମାନେ ଆମ ପାଖକୁ ନ ଆସିବା ପାଇଁ ଆମେ ଯାବତୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥାଉ।
ସାମଗ୍ରୀକ ଭାବେ କହିବାକୁ ଗଲେ କାଉ ଓ ମାଛି ଏକ ଅପସଂସ୍କୃତିର ପ୍ରତିନିଧି। ମନ୍ଦିର ଅପେକ୍ଷା ମଶାଣିରେ, ଡ୍ରଇଁରୁମ ଅପେକ୍ଷା ପାଇଖାନାରେ ଏମାନଙ୍କର ଆତଯାତ ବେଶି। ଫଳ ଅପେକ୍ଷା ମଳ ଏମାନଙ୍କର ପ୍ରିୟ। ଆଲୋଚନା ଅପେକ୍ଷା କୋଳାହଳ ଏମାନଙ୍କର ଲକ୍ଷ୍ୟ। ସଂହତି ଅପେକ୍ଷା ଦୁର୍ଗତି ଏମାନଙ୍କର କାମ୍ୟ। ସଂରକ୍ଷଣ ଅପେକ୍ଷା ବିଘଟନରେ ଏମାନଙ୍କର ବେଶି ଆଗ୍ରହ। ସୁଗନ୍ଧ ଅପେକ୍ଷା ଦୁର୍ଗନ୍ଧର ସନ୍ଧାନ ଏମାନଙ୍କର ବ୍ରତ। କାହାକୁ ଜୀବନ୍ୟାସ ଦେବା ଅପେକ୍ଷା କାହାର ମୃତ୍ୟୁ କାମନା କରିବା ଏମାନର ପରମ ଧର୍ମ। ଖୁସି ବାଣ୍ଟିବା ଅପେକ୍ଷା ଦୁଃଖ ବାଣ୍ଟିବାରେ ଏମାନେ ସିଦ୍ଧହସ୍ତ।
ଅନେକ ସମୟରେ ଈଶ୍ୱରଙ୍କୁ ପ୍ରଶ୍ନ କରିବାକୁ ଇଚ୍ଛାହୁଏ, ଏମାନଙ୍କୁ ସୃଷ୍ଟି କରିବାର କାରଣ କ’ଣ? ଈଶ୍ୱରଙ୍କର କେଉଁ ଇଚ୍ଛାଟିକୁ ପୂରଣ କରିବାକୁ ଏମାନେ ଧରାପୃଷ୍ଠକୁ ଅବତରଣ କରିଛନ୍ତି? ଥରେ ଜଣେ ସଦ୍‌ଗୁରୁଙ୍କୁ ଏଇ କଥା ପଚାରିଲି। ସେ କହିଲେ ସୃଷ୍ଟିରେ ସଇତାନ ନ ଥିଲେ ଲୋକେ ଭଗବାନଙ୍କର ଶରଣାଗତ ହୁଅନ୍ତେ ନାହିଁ। ଅନ୍ଧାର ନ ଥିଲେ ଆଲୁଅର ମୂଲ୍ୟ ଲୋକେ ବୁଝନ୍ତେ ନାହିଁ। ମୃତ୍ୟୁ ନ ଥିଲେ ଜୀବନର ମହାର୍ଘତା ବୁଝି ହୁଅନ୍ତା ନାହିଁ। ଦୁର୍ଗନ୍ଧ ନ ଥିଲେ ସୁଗନ୍ଧର ଆରାଧନା ହୁଅନ୍ତା ନାହିଁ। ଆପେକ୍ଷିକ ତତ୍ତ୍ୱର ପ୍ରତିପାଦନ ପାଇଁ ଏମାନଙ୍କର ଉପସ୍ଥିତି ଅବଶ୍ୟମ୍ଭାବୀ।
ସତରେ ଏ ସୃଷ୍ଟିରେ କାଉ ଓ ମାଛି ସହ ଭଗବାନ କୋଇଲି ଏବଂ ମହୁମାଛିର ସୃଷ୍ଟି କରିଛନ୍ତି। କାଉ ଭଳି କଳା ଦିଶିଲେ ମଧ୍ୟ କୋଇଲିର କୁହୁତାନରେ ବିଭୋର ହୋଇଉଠେ ମଣିଷ। ପ୍ରେମର ସଂରଚନା କରେ କୋଇଲିର କୁହୁତାନ। କୋଇଲିର କୁହୁତାନ ବସନ୍ତର ଆଗମନୀ ବୋଲି ମନେ କରାଯାଏ। ଏହା କାମଦେବଙ୍କର ଅଗ୍ରଦୂତ ବୋଲି କେହି କେହି କହନ୍ତି। ଗ୍ରୀକ୍‌ ପୁରାଣରେ ପ୍ରେମ ଓ ବିବାହର ସଙ୍କେତ ଦିଏ କୋଇଲି। ଡେନ୍‌ମାର୍କରେ ଯେତେବେଳେ କୋଇଲିର ଶବ୍ଦ ଶୁଭେ, ଅବିବାହିତା ଝିଅମାନେ ପଚାରନ୍ତି ମୋର ବିବାହ କେବେ ହେବ। ଯେତେଥର ସେ ବୋବେଇବ ସେତେ ବର୍ଷ ପରେ ହେବ ବୋଲି ସେମାନେ ବିଶ୍ୱାସ କରନ୍ତି। ସେମିତି ନରୱେରେ ବିଶ୍ୱାସ କରାଯାଏ ଯେ କୋଇଲିର ଶବ୍ଦ ଯଦି ପଶ୍ଚିମ ଦିଗରୁ ଆସେ ତେବେ ମନସ୍କାମନା ପୂର୍ଣ୍ଣ ହେବ। କୋଇଲି ପରି ମହୁମାଛି ମଧ୍ୟ ସୃଷ୍ଟିର ଏକ ଦିବ୍ୟ ସଂରଚନା। ମାଛି ପ୍ରଜାତିର ହେଲେ ବି ଏମାନେ ମଳ ସନ୍ଧାନରେ ନ ଯାଇ ମଧୁ ସନ୍ଧାନରେ ଯାଇଥାନ୍ତି। ଫୁଲରୁ ଫୁଲକୁ ଉଡ଼ିବୁଲି ଏମାନେ ମଧୁସଂଗ୍ରହ କରିବା ସହିତ ପରାଗ ସଙ୍ଗମରେ ମଧ୍ୟ ସାହାଯ୍ୟ କରିଥାନ୍ତି। ପରାଗ ସଙ୍ଗମ ଫଳରେ ବୃକ୍ଷମାନେ ଅଧିକ ପୁଷ୍ପବତୀ, ଫଳବତୀ ହୋଇଥାନ୍ତି ଓ ବୃକ୍ଷମାନଙ୍କର ବଂଶବିସ୍ତାର ହୋଇଥାଏ।
କାଉ ଓ ମାଛିଙ୍କ ପରି କୋଇଲି ଓ ମହୁମାଛଗୁଡ଼ିକ ମଧ୍ୟ ଗୋଟେ ଗୋଟେ ପ୍ରତୀକ ବୋଲି କୁହାଯାଇପାରେ। କୋଇଲି ଭଳି କିଛି ଲୋକ ଥାଆନ୍ତି ଯେଉଁମାନେ ନିଜ ମିଠା କଥାରେ, କୋମଳ ବ୍ୟବହାରରେ ଅନ୍ୟମାନଙ୍କୁ ମୁଗ୍ଧ କରିଥାନ୍ତି। ଏମାନେ କୌଣସି ପରିସରରେ ପହଞ୍ଚତ୍ଲେ ବସନ୍ତ ଆସିଗଲା ଭଳି ଲାଗେ। ସେମାନଙ୍କ ଶାନ୍ତ ଶୀତଳ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆହ୍ଲାଦିତ କରିଥାଏ। ମହୁମାଛି ଚରିତ୍ରର ଲୋକମାନେ ସବୁବେଳେ ମଧୁ ସନ୍ଧାନରେ ବ୍ୟସ୍ତ ଥାଆନ୍ତି। ସେମାନେ ଲେଖାପଢ଼ା, ବୌଦ୍ଧିକ, ଆଧ୍ୟାତ୍ମିକ ସଂସର୍ଗରେ ସମୟ ଅତିବାହିତ କରିଥାନ୍ତି ଏବଂ ସେଥିରୁ ସଂଗୃହୀତ ଜ୍ଞାନ ଓ ଅନୁଭୂତି ଅନ୍ୟକୁ ବିତରଣ କରି ଖୁସି ପାଇଥାନ୍ତି।
ଏ ସୃଷ୍ଟି ଏମିତି ଅନେକ ବିରୋଧାଭାସର ସମାହାର। କାଉଙ୍କ କର୍କଶ ରାବ ପୃଥିବୀକୁ ଯେତେ ଆକ୍ରାନ୍ତ କଲେ ବି କୋଇଲିର କୁହୁତାନ ସମଭାବରେ ପୃଥିବୀକୁ ମଧୁମୟ କରିବ। ମାଛିର ଗଣଗଣ ଯେତେ ବିରକ୍ତି ଭାବ ସୃଷ୍ଟି କଲେ ବି ମହୁମାଛିର ଗୁଣୁଗୁଣୁ ସୃଷ୍ଟିକୁ ପ୍ରେମମୟ, ସମ୍ଭାବନାମୟ କରିବ। କାଉ ଓ ମାଛି ରୂପୀ ମଣିଷମାନଙ୍କ ପ୍ରାଦୁର୍ଭାବ ଯେତେ ନିର୍ଯାତନା ଦେଲେ ମଧ୍ୟ ଆମକୁ ମନେରଖିବାକୁ ହେବ ଏବଂ ନିଜକୁ ଆଶ୍ୱାସନା ଦେବାକୁ ହେବ ଯେ କୋଇଲିର କୁହୁ ନିଶ୍ଚେ ଶୁଭିବ, ବସନ୍ତ ନିଶ୍ଚେ ଆସିବ, ଫୁଲ ଫଳରେ ମଣ୍ଡିତ ହେବ ପୃଥିବୀ, ଉଦ୍ୟାନରେ ଘୂରି ବୁଲିବେ ପ୍ରଜାପତି ଓ ମହୁମାଛି, ସେମାନଙ୍କ ଗୁଣୁଗୁଣୁ ଗୀତରେ, କୁହୁକୁହୁ ତାନରେ ପୃଥିବୀରେ ଖେଳିବ ପୁଣି ଉନ୍ମାଦନା। ଧ୍ୱଂସର ଭୈରବ ଭିତରେ ବି ଶୁଭିବ ପ୍ରେମର ପୂରବୀ!!
ମୋ-୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?