ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆଦିକନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ନାରାୟଣ ଗୈାଡଙ୍କ ଘରେ କାଠ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଜଣେ କାଠ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମ ଉପର ସାହିର ନାରାୟଣ ମହାରଣା (୫୮) ।
କାଠ ମିସ୍ତ୍ରୀ ଜଣକ ଆଦିକନ୍ଦପୁର ଗ୍ରାମର ନାରାୟଣଙ୍କ ଘରେ କାଠ କାମ କରୁଥିଲେ । ମଧ୍ୟାହ୍ନ ପାୟ ସାଢେ ୧୧ ଟାରେ ସେ ବିଦ୍ୟୁତ ଚାଳିତ ଡ୍ରିଲ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିଛି ଦୂରକୁ ଛିଟିକି ପଡ଼ିଥିଲେ । ଘର ମାଲିକ ଓ କିଛି ଗ୍ରାମବାସୀ କାଠ ମିସ୍ତ୍ରୀ ନାରାୟଣଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ୍. ସନ୍ତୋଷ ଦିଗପହଣ୍ଡି ଥାନାକୁ ଏନେଇ ସୂଚନା ଦେବାପରେ ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ ।
ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିବା ଜଣାପଡିଛି । ନାରାୟଣ ମହାରଣାଙ୍କ ଦୁଇଟି ଝିଅ ଅଛନ୍ତି । ସେ ଜଣେ ଅସହାୟ ଓ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

