ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି ୱେଲିଂଟନ୍ର ପାଣିପାଗ। ଘରୋଇ ଦଳର ଖେଳାଳିଙ୍କ ସହ ଏବେ ପ୍ରବଳ ପବନ ଓ ବର୍ଷା ଭାରତୀୟ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ୱେଲିଂଟନ ଅଭ୍ୟାସ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଖେଳାଳିମାନେ ପ୍ରବଳ ପବନର ସାମ୍ନା କରିଥିଲେ। ପବନର ବେଗ ଘଣ୍ଟାପ୍ରତି ୬୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପରିସ୍ଥିତି ଏପରି ଥିଲା ଯେ, ଖେଳାଳିଙ୍କ ପାଇଁ ସିଧା ଠିଆ ହେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ପବନରେ ଟୋପି ଉଡ଼ିଯିବା ସହ ଅଭ୍ୟାସ ସାମଗ୍ରୀ ମଧ୍ୟ ତଳେ ପଡ଼ିଯାଇଥିଲା।
ୱେଲିଂଟନ୍ରେ ପାଣିପାଗ ଭାରତୀୟ ଖେଳାଳିଙ୍କ ପାଇଁ ଆଦୌ ସହଜ ହେବ ନାହିଁ। ପ୍ରବଳ ପବନ ଯୋଗୁ ଦ୍ରୁତ ବୋଲରମାନଙ୍କୁ ରନଅପ୍ରେ ସମସ୍ୟା ହୋଇପାରେ। ଅନ୍ୟପଟେ ବ୍ୟାଟରମାନଙ୍କୁ ବଲ୍ର ସ୍ବିଙ୍ଗ୍ର ସାମ୍ନା କରିବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ଖେଳାଳିଙ୍କ ସନ୍ତୁଳନ ଓ ନିୟନ୍ତ୍ରଣ ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ହେବ।
ନ୍ୟୁଜିଲାଣ୍ଡର ଅଲ୍ରାଉଣ୍ଡର ମାଇକେଲ ବ୍ରେସୱେଲ ମଧ୍ୟ ୱେଲିଂଟନ୍ର ପରିସ୍ଥିତିକୁ ନେଇ ସତର୍କ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏଠାରେ ପବନ ମଧ୍ୟରେ ଶରୀରର ସନ୍ତୁଳନ ବଜାୟ ରଖିବା ଏକ ବଡ଼ ଆହୱାନ। ପବନ ଯୋଗୁ ବଲ୍ର ସ୍ବିଙ୍ଗରେ ପରିବର୍ତ୍ତନ ହୋଇପାରେ। ଏହା ସହ ଷ୍ଟାଡିୟମରେ ଖୋଲା ପରିବେଶ ପବନକୁ ଖେଳର ଏକ ପ୍ରମୁଖ କାରକ କରିପାରେ।
ୱେଲିଂଟନ୍ର ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ପବନ ନେଇ ସତର୍କ ସୂଚନା ଜାରି ହୋଇଛି। ସୋମବାର ରାତିରେ ପବନର ବେଗ ଆହୁରି ବଢ଼ିବା ସହ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବା ଆଶଙ୍କା ରହିଛି। ଏହାଦ୍ୱାରା ଗଛ ଉପୁଡ଼ିବା, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ଏବଂ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ତେବେ ମଙ୍ଗଳବାର ସନ୍ଧ୍ୟା ଆଡ଼କୁ ପବନର ବେଗ କମିପାରେ। କିନ୍ତୁ ବର୍ଷାର ଆଶଙ୍କା ରହିଥିବାରୁ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦ ମ୍ୟାଚ୍ରେ ପାଣିପାଗ ବାଧକ ସାଜିପାରେ।
ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ୍ରେ ଆଗୁଆ ଥିବା ଭାରତୀୟ ଦଳ ତୃତୀୟ ମ୍ୟାଚ୍ରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। ହେଲେ ୱେଲିଂଟନ୍ର ପ୍ରବଳ ପବନ ଓ ସମ୍ଭାବ୍ୟ ବର୍ଷା ଏହି ଲକ୍ଷ୍ୟରେ ବାଧା ସୃଷ୍ଟି କରିପାରେ।
Dharitri – Odisha’s No.1 Odia Daily

