ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ

 

ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ ବିଚାର କରିବା ପାଇଁ ସରକାରକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ଶରୀରକୁ ଆହୁତି ଦିଆଯାଉଛି। ଆହୁତିର ଅନ୍ୟ ଅର୍ଥ ଆହ୍ବାନ।
ଆଗରୁ ଚାଷୀ ଆତ୍ମହତ୍ୟା ଏତେ ଘଟିଛି, ତାକୁ ଆତ୍ମାହୁତି କୁହାଯାଇନାହିଁ, କାରଣ ୨୦୧୮ ମେ ୨୯ ପୂର୍ବରୁ ୧୮୬୦ର ଭାରତୀୟ ପିଙ୍ଗଳ ସଂହିତାର ୩୦୯ ଧାରା ଆତ୍ମହତ୍ୟା ଉଦ୍ୟମକୁ ଏକ ଦଣ୍ଡନୀୟ ଅପରାଧ ଧରିଥିଲା। ମରିବାକୁ ଯାଉଥିବା ଲୋକକୁ କିଏ ମରଣମୁହଁରୁ ରୋକିଦେଲା ମାନେ ଲୋକଟିକୁ ବର୍ଷେଯାଏ ଜେଲ୍‌ ହୋଇପାରୁଥିଲା। ୨୦୧୭ରେ ମେଣ୍ଟାଲ୍‌ ହେଲ୍‌ଥ ଆକ୍ଟ ପାରିତ ହେଲା, ତାହା ପିଙ୍ଗଳ କୋଡ୍‌ର ୩୦୯ ଧାରାକୁ ଚୁପ୍‌ କରିଦେଲା। ଲେଖାହୋଇଗଲା ଯେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମଣିଷଟି ପ୍ରବଳ ମାନସିକ ଚାପରେ ଅଛି ବୋଲି ଧରିନିଆଯିବ ଏବଂ ତାହାର ଯଥାବିଧି ଚିକିତ୍ସା କରାଯିବ। ତେଣୁ ଅପରାଧ ନ ହୋଇ ଏକ ସ୍ବାସ୍ଥ୍ୟସମସ୍ୟା ହୋଇଗଲା। ଆତ୍ମହତ୍ୟା ଉଦ୍ୟମକୁ ଆତ୍ମାହୁତି କୁହାଯାଉଛି। ଯେତେବେଳେ ସରକାରୀ ଅବହେଳା ବଞ୍ଚତ୍ରହିବାକୁ ଅସହ୍ୟ କରିଦିଏ ସେତେବେଳେ ବ୍ୟକ୍ତିଟି ଭାବିନିଏ, ଶରୀରଟାକୁ ସରକାର-ସମ୍ମୁଖରେ ଆହୁତିରେ ପକାଇଦେବା ଭଲ ହେବ। ସରକାର ଠାକୁର ହେଲେ ବିଧାନସଭା ତ ତାଙ୍କ ମନ୍ଦିର। ଆଉ କେଉଁଠି ଆହୁତି ଦେଲେ କେହି ରୋକିବେ ନାହିଁ, ବରଂ ମୃତ୍ୟୁକୁ ଅନ୍‌ନାଚୁରାଲ୍‌ ଡେଥ୍‌ କହିବେ। ସରକାର ଯେ ଏ ପ୍ରକାରର ମୃତ୍ୟୁର ଆବେଟର୍‌ (ପ୍ରରୋଚକ) ତେଣୁ ଆଇପିସି ଅନୁଯାୟୀ ଦଣ୍ଡନୀୟ- ସେ କଥା ନ୍ୟାୟାଳୟମାନେ କହୁନାହାନ୍ତି ବୋଲି ସରକାରୀ ଅବହେଳା ବଢିଚାଲିଛି। ଯଦି ସରକାରୀ ଅଧିକାରୀ ନ ଶୁଣନ୍ତି ଏବଂ ପୀଡ଼ିତ ବ୍ୟକ୍ତି ଭୁବନେଶ୍ୱର ଆସିପାରୁନାହିଁ ସେ ଭାବିବ (ତା’ ଆଖିରେ) ସେ ଅଧିକାରୀଙ୍କ ଅଫିସ୍‌ଟା ରହି ଲାଭ କ’ଣ, ତାକୁ ଜାଳିଦେବା ଉଚିତ। ତାହା ହିଁ ରାଜୀବ କିଶାନ୍‌ ରେଙ୍ଗାଳି ତହସିଲ ଅଫିସକୁ ଜାଳି ଦେବାର କାରଣ ହୋଇଥିବ। ସମ୍ବଲପୁର ଜିଲାର ଠେଲକୁଲି ଥାନାର ଗୁମକର୍ମା ଗ୍ରାମର ୩୦ ବର୍ଷ ବୟସ୍କ ରାଜୀବ ବହୁବର୍ଷ ଧରି ବାର ବାର ଅଭିଯୋଗ କରିଆସୁଥିଲା ଯେ ତହସିଲ କର୍ମଚାରୀଙ୍କ ସାଜିସରେ ତାଙ୍କ ଜମିକୁ ଜାଲିଆତି ବିକ୍ରି କରିଦିଆଯାଇଛି, ତାହାର ସଂଶୋଧନ କରାଯାଉ। ତହସିଲଦାର ଚିରାଚରିତ କୈଫିୟତ ଦେଇଛନ୍ତି ତାଙ୍କୁ ସେ କେବେ ଦେଖା କରିନାହିଁ, ସେତକ କହିଲା ବେଳେ ସେ ମନେପକାଉ ନାହାନ୍ତି ଯେ ତାଙ୍କୁ ସାକ୍ଷାତ କରିବାକୁ କିପରି ତାଙ୍କ ପିଆଦା ସୁଯୋଗ ଦିଏ ନାହିଁ! ରେଙ୍ଗାଳି ତ କୌଣସି ମେଡିଅମ୍‌ (ମିଡିଆର ଏକ ବଚନ)ର ମୁଖ୍ୟାଳୟ ପାଖରେ ନାହିଁ, ତେଣୁ ନଭେମ୍ବର ୨୧ର ଅଫିସ୍‌ ପୋଡି ଖବର ପରେ ଭୁଲିଯିବାର ଏକ କ୍ଷଣିକ ପ୍ରକାଶନ ହୋଇଗଲା। ରାଜୀବକୁ ନିଶ୍ଚୟ ନ୍ୟାୟ ନ ମିଳି ଜେଲ ମିଳୁଥିବ। ଯଦି ସିଏ ବିଧାନସଭା ଆଗ ରାସ୍ତାକୁ ଆସି ଆତ୍ମାହୁତି ଦେବାର ଉଦ୍ୟମ କରିଥାନ୍ତା ତେବେ ଭୁବନେଶ୍ୱରର ଇଲେକ୍ଟ୍ରୋନିକ୍‌ ମିଡିଆ ଏବେ ବି ପାଟି କରୁଥାନ୍ତେ। ଆଠଗଡ଼ ସମବାୟ ଋଣ ସମିତି ଯଦି ମିଥ୍ୟା-ଋଣ-ଅଭିଯୋଗର ଶୁଣାଣି କରି ନ୍ୟାୟ ଦେଇଥାନ୍ତା, ତିନିଜଣ ଚାଷୀ ୨୭ ନଭେମ୍ବରରେ ବିଧାନସଭା ଆଗର ସଡ଼କକୁ ଆତ୍ମାହୁତି କରିବାକୁ ଆସି ନ ଥାନ୍ତେ।
ନୟାଗଡ଼ର ଯଦୁପୁର ଗାଁର ୫ ବର୍ଷର ‘ପରୀ’ ମୃତ୍ୟୁର ସନ୍ଦିଗ୍ଧ କାରଣ ରାଜନେତାମାନଙ୍କ ଛତ୍ରଛାୟା ତଳେ ଥିବା ଚକ୍ଷୁ ଓ ବୃକ୍‌କ ବିକ୍ରେତା ଭାବେ ଅଭିହିତ ବ୍ୟକ୍ତିଟିଏ ବୋଲି ଆସାମୀକୁ ପୋଲିସ୍‌ ଧରୁନାହିଁ- ତାହା ଦୁନିଆକୁ ଜଣାଇବା ପାଇଁ ପରୀର ମାଆବାପା ସୌଦାମିନୀ ଓ ଅଶୋକ ବିଧାନସଭା ଆଗର ସର୍ବସାଧାରଣ ରାସ୍ତାରେ ଆତ୍ମାହୁତି ଉଦ୍ୟମ କଲେ। ଆତ୍ମାହୁତି ଦେବା ଯୋଜନାରୁ ‘ରକ୍ଷା’ କରି ପାରିବା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସଫଳତା ବୋଲି ଉଚ୍ଚ ପୋଲିସ୍‌ ଅଧିକାରୀମାନେ ବାହାବା ନେଲେ ଏବଂ ମିଡିଆ ବି ପୋଲିସ୍‌କୁ ପ୍ରଶଂସା କଲେ। ସରକାର ଉତ୍ସାହିତ ହୋଇ ଦିନେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ପରିସରକୁ ଏଜି ଛକଠାରୁ ରବୀନ୍ଦ୍ର ଭବନ ଯାଏ ବ୍ୟାପ୍ତ କରିଦେଇପାରନ୍ତି ା ଏପରି ବି ହେଲା, ଆତ୍ମାହୁତି ପାଇଁ କୁଜଙ୍ଗର ସୁଲୋଚନା ଓ ତା’ ପୁଅ ସୁବ୍ରତକୁ ଇନ୍ଦିରା ଗାନ୍ଧୀପାର୍କ ପଛଆଡକୁ ଯିବାକୁ ପଡିଲା। ତଥାପି ପ୍ରପୀଡ଼ିତା ମିଡିଆର ନଜରକୁ ଆସିଗଲା। ତ୍ରି- ବା ଚତୁଃ- ସ୍ତରୀୟ ବ୍ୟବସ୍ଥା ଘୁଞ୍ଚତ୍ ଘୁଞ୍ଚତ୍ ଦିନେ ଭୁବନେଶ୍ୱର ରେଳ ଷ୍ଟେଶନ ପାଖକୁ ଚାଲିଯିବ, ସରକାରୀ ବ୍ୟବସ୍ଥା ବିରୋଧରେ ନାଗରିକର ଅଭିଯୋଗକୁ ସହଜରେ ଦଳି ଦେଇହେବ। ସରକାରୀ ଅବହେଳା ଏବଂ ନେତାମାନଙ୍କ ତଥା ସେମାନଙ୍କ ସମର୍ଥନରେ ଦାଦାମାନଙ୍କ ଜୁଲୁମ ଲୋକଲୋଚନକୁ ଆସିବ ନାହିଁ କାରଣ ତାହାର ସୁରାକ ମିଡିଆକୁ ମିଳିବ ନାହିଁ। ମିଡିଆ ପୋଲିସ୍‌ର କର୍ଡନକୁ ପ୍ରଶ୍ନ ନ କରି ଲୋକପ୍ରତିନିଧିମାନଙ୍କଠାରୁ ଲୋକଙ୍କୁ କାହିଁକି ଦୂରେଇ ରଖାଯାଉଛି ସେ ପ୍ରଶ୍ନ ଉଠାଇବା ଉଚିତ। ଏହାର ଗୂଢ ଅର୍ଥ ଟିକେ ବୁଝନ୍ତୁ। ଲୋକପ୍ରତିନିଧିମାନେ ବିଧାନସଭାରେ ସରକାର ବିରୋଧରେ ପାଟି କରିବାର ତାତ୍କାଳିକ କାରଣ ଆଉ ପାଇବେ ନାହିଁ।
ଅଧିକନ୍ତୁ ନିଜର ଦୁଃଖକୁ ସର୍ବସାଧାରଣଙ୍କୁ ଜଣାଇବାର ସୁବିଧା ଆଉ ମିଳିବ ନାହିଁ, ସରକାରୀ-ଅବହେଳାକୁ ପ୍ରଦର୍ଶନ କରିବାକୁ ଆସୁଥିବା ଲୋକକୁ ପୋଲିସ ତ ସମସ୍ତଙ୍କ ଅଜାଣତରେ କୁଆଡେ ଟେକି ନେଇଥିବ, ଟେକାହୋଇ ନିଆ ହୋଇଥିବା ଲୋକ କୁଆଡେ ଗଲା କେହି ଜାଣିବେ ନାହିଁ। ଏ ଗଣ-ତନ୍ତ୍ର ନା ଗଣ-ହତ୍ୟା। ସରକାରଙ୍କ ପ୍ରତି କେହି ଅସନ୍ତୁଷ୍ଟ ନୁହନ୍ତି ବୋଲି ପୋଲିସ୍‌ର ରେକର୍ଡ ଦେଖି ଜାତିସଂଘ ରାଜ୍ୟକୁ ପ୍ରଶଂସା ପତ୍ର ଦେବେ। ଯେମିତି ଅପରାଧୀକୁ ଏନ୍‌କାଉଣ୍ଟରରେ ମାରି (ମୂଳୁ ମାଇଲେ ଯିବ ସରି) ଶାସକ ଦଳର ନେତାଙ୍କ ସହଯୋଗକୁ ପୋଲିସ୍‌ ଘୋଡ଼ାଇପକାଏ, ଆମ ରାଜ୍ୟର ରାଜଧାନୀରେ ବହୁସ୍ତରୀୟ ପୋଲିସ୍‌ ଘେର (କର୍ଡନ) ସେହିଭଳି କାମ କରିବ। ସଭ୍ୟ ରାଷ୍ଟ୍ରର ନାଗରିକ କ’ଣ ଏଇୟା ଚାହେଁ? ଏପରି କି ଶାସକ ଦଳକୁ ସମର୍ଥନ କରୁଥିବା ବୁଦ୍ଧିଜୀବୀମାନେ କ’ଣ ଶାସକ ଦଳର ଏ ପ୍ରକାରର ପଦ- ବା ହସ୍ତ- କ୍ଷେପକୁ ପସନ୍ଦ କରିବେ?
ସୁନାରୁପା ଚୋରକୁ ଧରିବାରେ ପୋଲିସ୍‌ ଯେତିକି ମୁଣ୍ଡ ଖେଳାଉଛି ସେତିକି ମୁଣ୍ଡ ଲଗାଇଲେ ବୃକ୍‌କ ଓ ଚକ୍ଷୁ ଚୋର ବୋଲି ସନ୍ଦେହ କରାଯାଉଥିବା ଲୋକଟା ଏବଂ ଲୋକଲୋଚନ ଆଢ଼ୁଆଳରେ ରାତାରାତି କୋଟିପତି ହେଉଥିବା ଲୋକଟା ଏ ଯାବତ୍‌ ପୋଲିସ ଜାଲରେ ଧରାପଡି ନ ଥାନ୍ତା କିି? ସାହୁ ଦମ୍ପତିର ପଡ଼ିଶାମାନେ ମନ୍ତ୍ରୀଙ୍କ ପାଖଲୋକକୁ ଜାଣିଥିବେ, କିନ୍ତୁ ପୋଲିସ୍‌ ଜାଣି ନ ଥିବାର ଅଭିନୟ କରୁଛି। ଅଶୋକ-ସୌଦାମିନୀକୁ କେହି କୁଆଡ଼େ ଅପହରଣ କରିନେଇଯାଇଥିଲେ ଆମେ କେହି ଜାଣି ନ ଥାନ୍ତେ। ଅଣ୍ଡା ଫୋପଡ଼ାକୁ ମାରଣାସ୍ତ୍ର ରୂପ ଦେଇପାରୁଥିବା ପୋଲିସ୍‌ ଚାହିଁଥିଲେ ପରୀର ହତ୍ୟାକାଣ୍ଡର ଆସାମୀ ଗିରଫ ହୋଇସାରନ୍ତାଣି। ପୁଣି ଅପମୃତ୍ୟୁ ବୋଲି ମାନିବାକୁ ମୃତାର ମାଆବାପାଙ୍କୁ ତୃତୀୟପକ୍ଷ ଜରିଆରେ ଭୟ ଦେଖାଉଛନ୍ତି। ବିଚାରପତି ତ ଜନରବ ଉପରେ ରାୟ ଦେବେ ନାହିଁ, ପୋଲିସର ତଥ୍ୟ ଓ ପ୍ରମାଣ ସଂଗ୍ରହ ଉପରେ ବିଚାରପତି ତାଙ୍କ ରାୟ ଦେଇଥାନ୍ତି। ଯଦି ପୋଲିସ ଜାଣିଶୁଣି ବା କାହାର ପ୍ରଭାବରେ ତଥ୍ୟ ଓ ପ୍ରମାଣ ତେଡାମେଡା କରନ୍ତି ତେବେ ବିଚାରପତିଙ୍କ ରାୟରେ ନିଃସନ୍ଦେହ-ପ୍ରମାଣ-ଅଭାବରୁ ଦୋଷୀ ଖଲାସ ହୋଇଯିବ।
ଲୋକ ଆତ୍ମହତ୍ୟା ସ୍ତରକୁ ବା ସରକାରୀ ଅଫିସକୁ ଜାଳିଦେବା ସ୍ତରକୁ ଆସେ କାହିଁକି? ତାହାର ଅଭିଯୋଗ ଶୁଣାଯାଉ ନାହିଁ ବୋଲି ତ? ତାହାର ଜୀବନ ବା ଜୀବିକା ବା ଉଭୟ ବିପନ୍ନ ହୋଇଛି ବୋଲି ତ? ସେ ଆଇନ ଲାଗୁକରୁଥିବା (ଏନ୍‌ଫୋର୍ସମେଣ୍ଟ) ଅଧିକାରୀମାନଙ୍କଠାରୁ ନ୍ୟାୟ ପାଉନାହିଁ ବୋଲି ତ? କର୍ମଚାରୀମାନେ ଲାଞ୍ଚ ପାଇଁ ବା ମନ୍ତ୍ରୀଙ୍କ ପ୍ରଭାବରେ ନାଗରିକକୁ ଉପେକ୍ଷା କରିଥାଏ। ତାହା ନଥିର ବିଳମ୍ବ ହେବାରୁ ଜଣାପଡ଼େ। ଆଗେ ଓଡ଼ିଶା ରେକର୍ଡ ମାନୁଆଲରେ କିଏ କେତେ ଦିନ ଭିତରେ କାମ ସାରିବ ତାହାର ସମୟ ନିର୍ଘଣ୍ଟ ଥିଲା। ଡେରି ହେଲେ ନାଲି କାଳିରେ କିରାଣି ଲେଖୁଥିଲା। ଅଧୀକ୍ଷଣ (ସୁପରିଣ୍ଟେଣ୍ଡିଂ) ଅଧିକାରୀ ସେହି ଲେଖା ବଳରେ ବିଳମ୍ବ କରୁଥିବା କର୍ମଚାରୀଙ୍କ ଉପରେ ଦଣ୍ଡ ବିଧାନ କରିବାର ଥିଲା। ଏବେ ସେବା ଅଧିକାର ଆଇନ ପ୍ରତି କାମର ସମୟସୀମା ଧାଯର୍‌ୟ କରିଛି, ପୋଲିସ୍‌ର ବି ା କିନ୍ତୁ ବିଳମ୍ବ (ଲାଞ୍ଚ ପାଇଁ ତ ବିଳମ୍ବ କରାଯାଏ) କରୁଥିବା କର୍ମଚାରୀକୁ ଅଧୀକ୍ଷକ ଅଧିକାରୀ ବା ବିଳମ୍ବ କରୁଥିବା ମନ୍ତ୍ରୀଙ୍କୁ କେବେ ଦଣ୍ଡ ମିଳୁଛିି କି? ଏ ସବୁର କାରଣ କର୍ମଚାରୀମାନଙ୍କ କାମର ମନିଟରିଂ ହେଉ ନାହିଁ। ପଇସା ଦେଇପାରୁ ନ ଥିବା ମହିଳାକୁ ଦେହ ଦେ ବୋଲି ତ ସରପଞ୍ଚ କହିପାରୁଛନ୍ତି, କାରଣ ଉପଭୋକ୍ତାମାନେ କାହିଁକି ଘର ପାଉ ନାହାନ୍ତି ତାହାର ମନିଟରିଂ ହେଉନାହିଁ କି ବିଳମ୍ବ କରୁଥିବା ବିଡିଓଙ୍କ ଉପରେ ଦଣ୍ଡ ଦିଆଯାଉନାହିଁ ା
ଲାଞ୍ଚ ନ ମିଳିଲେ ଡାକ୍ତର କହିବେ ଭେଣ୍ଟିଲେଟର ଚଳାଇବାକୁ ଲୋକ ନାହିଁ, କିରାଣି କହିବେ ସର୍ଭର କାମ କରୁନାହିଁ ା କିରାଣି ତାଚ୍ଛଲ୍ୟ କରି କହନ୍ତିି – ସରକାର ପରା ଲାଞ୍ଚ ଏଡ଼ାଇବା ପାଇଁ ମଣିଷ ବଦଳରେ ମେଶିନ୍‌ କାମ କରିବ କହିଛନ୍ତି ା କିନ୍ତୁ ମେଶିନ୍‌ଟା ମଣିଷ ଚଳାଉଛି ବୋଲି ସରକାର ଭୁଲିଯାଉଛନ୍ତି ା
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri