ସୀମା ବିବାଦ: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୬ା୨(ବ୍ୟୁରୋ):ସୀମା ବିବାଦ ଓ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ପୁଣି ହଙ୍ଗାମା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟ ୧୯୬୮ ମସିହାରୁ କୋଟିଆ ସମସ୍ୟା ଦେଖାଦେଲାଣି। ମୁଖ୍ୟମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି। ରାଜ୍ୟରେ କ’ଣ ଘଟୁଛି ସରକାରଙ୍କ ଗୋଇନ୍ଦା ସଂସ୍ଥା ଜାଣିପାରୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଜଣାଉନାହାନ୍ତି। କୋଟିଆ ଅଞ୍ଚଳ ଏବେ ରାଜ୍ୟ ହାତରୁ ଚାଲିଗଲାଣି। ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କୁ ସେଠାକୁ ଯିବାକୁ ହେବ। ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ। ଚାଷୀ ପ୍ରସଙ୍ଗରେ ସମବାୟ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଭାଜପା ଖପ୍ପା ହୋଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଚାଷୀଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ କ୍ଷମାମାଗନ୍ତୁ ଦାବିରେ ଗୃହକୁ ଅଚଳ କରି ଦେଇଥିଲେ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ସମବାୟ ମନ୍ତ୍ରୀ କହୁଛନ୍ତି ଦଲାଲଙ୍କ ପାଇଁ ଆମେ କାମ କରୁଛୁ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ସଦସ୍ୟମାନେ ମଧ୍ୟ ଧାନ କିଣାକୁ
ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ସେମାନେ ଡରରେ କିଛି ପ୍ରକାଶ କରୁ ନ ଥିଲେ ମଧ୍ୟ ମଣ୍ଡିର ଅବ୍ୟବସ୍ଥାକୁ ନେଇ ସେମାନେ ମଧ୍ୟ ଚିନ୍ତିତ। ମଣ୍ଡିରେ ଏବେ ବି ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି। ଚାଷୀମାନଙ୍କୁ ଦଲାଲ କହିଥିବାରୁ ସମବାୟ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ଚାଷୀଙ୍କର ସବୁ ଧାନ ସରକାର ଉଠାନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆର.ଏନ. ସିଂଦେଓ ଥିବା ବେଳେ ୧୯୬୮ରୁ ସୀମା ବିବାଦ ରହି ଆସିଛି। ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ମନ୍ତ୍ରୀ ଉତ୍ତର ଦେଲେ ଫେବୃୟାରୀ ୨ ତାରିଖରେ ତହସିଲଦାର ଜିଲାପାଳଙ୍କୁ ଜଣାଇଲେ। ଜିଲାପାଳ ସରକାରଙ୍କୁ ୩ ତାରିଖରେ ଜଣାଇଲେ। ଏହା ପୂର୍ବରୁ ସରକାର ଜାଣିପାରୁ ନ ଥିଲେ। ଆଡ୍‌ଭୋକେଟ ଜେନେରାଲଙ୍କ ସହ ଏ ବିଷୟରେ ଆଲୋଚନା କରି ପଦକ୍ଷେପ ନେବାର ଆବଶ୍ୟକତା ଥିଲା। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ରାଜ୍ୟର ଗୋଟିଏ ଅଂଶ ଚାଲିଗଲାଣି। ରାଜ୍ୟରେ କ’ଣ ଘଟୁଛି ସେ ଖବର ଗୋଇନ୍ଦା ସଂସ୍ଥା ପାଖରେ ନାହିଁ। ଗୋଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ କ’ଣ କିଛି ଜଣାଉନାହାନ୍ତି। ପ୍ରତ୍ୟେକ ମାସରେ ଗୋଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଜଣାଇବା କଥା। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋଇନ୍ଦା ବିଭାଗ ପ୍ରତ୍ୟେକ ସପ୍ତାହରେ ରାଜ୍ୟ ବିଷୟରେ ଜଣାଉଥିଲେ। ୨୦୦୬ରେ ଯେତେବେଳେ ସୁପ୍ରିମକୋର୍ଟରେ ବୈଷୟିକ ମାମଲାରେ ସରକାର ହାରିଗଲେ ସେବେଠାରୁ କ’ଣ କରୁଥିଲେ। ସରକାର ଯେତେବେଳେ ଜାଣିଲେ ଆନ୍ଧ୍ର ସରକାର ସେଠାରେ ନିର୍ବାଚନ କରିବାକୁ ଯାଉଛନ୍ତି ସେ ସମୟରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ରଦ୍ଦ କରିବାକୁ କାହିଁକି ସୁପ୍ରିମକୋର୍ଟକୁ ଗଲେ ନାହିଁ। ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା କେସ୍‌ କଲେ। ଏଥିରେ କିଛି ଲାଭ ହେବ ନାହିଁ। କିଛି ଲୋକଙ୍କୁ ଦଣ୍ଡ ମିଳିପାରେ, ମାତ୍ର ଆନ୍ଧ୍ର ନେଇଥିବା ଜମି ଫେରି ପାଇବା ସମ୍ଭବ ହେବ ନାହିଁ। ରାଜ୍ୟ ଗଠନ ହେବା ବେଳେ ସୀମା ଚିହ୍ନଟ ହୋଇଥିଲା। ସୀମା ଚିହ୍ନଟ କରିବାକୁ ପୁଣି କି କମିଟି ଗଠନ କରାଯାଇଛି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବାର୍ଦ୍ଧକ୍ୟ ଭତ୍ତା ୨୨୫୦ ଟଙ୍କା ଦେଉଥିବା ବେଳେ ଓଡ଼ିଶା ସରକାର ମଧୁବାବୁ ପେନ୍‌ସନ ଯୋଜନାରେ ୫୦୦ ଟଙ୍କା ଦେଉଛନ୍ତି। ସେମାନେ କାହିଁକି ଓଡ଼ିଶା ପ୍ରତିି ଆକୃଷ୍ଟ ହେବେ। ବିଧାନସଭାରେ ଖାଲି ଆଲୋଚନା କରିଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତେ ସାଙ୍ଗହୋଇ ସେଠାକୁ ଯିବା। ଲୋକମାନଙ୍କୁ ବୁଝାଇବା ବୋଲି ନରସିଂହ କହିଥିଲେ। ଧାନ ସଂଗ୍ରହ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମଣ୍ଡିରେ ଚାଷୀ ଧାନ ନଷ୍ଟ ହେଉଛି। ସରକାର ଧାନ ନ କିଣିଲେ ଚାଷୀ ଆତ୍ମହତ୍ୟା ଆହୁରି ବଢ଼ିବ। ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରି ଚାଲିଗଲେ ସମସ୍ୟାର ସମାଧାନ ହେବ ନାହିଁ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଚାଷୀ ସୁରକ୍ଷା ଆମର ଦାବି…. ଆମର ଦାବି, କୋଟିଆ ସୁରକ୍ଷା ଆମର ଦାବି… ଚାଷୀ ଏକତା ଜିନ୍ଦାବାଦ କହି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସୁରେଶ କୁମାର ରାଉତରାୟ ଜଟଣୀର ୧୩ଟି ଗ୍ରାମର ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ହୋଇଯାଇଥିବା ପ୍ରସଙ୍ଗ ଉଠାଇ ସେ ସବୁ ଜମିକୁ ଫେରାଇ ଦେବାକୁ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂଗ୍ରେସ ସଭ୍ୟମାନେ ହଟ୍ଟଗୋଳ କରିବା ଯୋଗୁ ଉପବାଚସ୍ପତି ଗୃହକୁ ୧୧ଟା ୫୯ ମିନିଟ୍‌ରେ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୦ ମିନିଟ୍‌ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଂଗ୍ରେସ ସଦସ୍ୟମାନଙ୍କୁ ହଟ୍ଟଗୋଳରୁ କ୍ଷାନ୍ତ ରହିବାକୁ ଅନୁରୋଧ କରିଥିଲେ। ମୁଲତବୀ ଆଲୋଚନାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଥିବାରୁ ସହଯୋଗ କରିବାକୁ କହିଥିଲେ। ମାତ୍ର କଂଗ୍ରେସ ସଦସ୍ୟମାନେ ଶୁଣି ନ ଥିଲେ। ଗୃହକୁ ସ୍ବାଭାବିକ କରିବାକୁ ଉପବାଚସ୍ପତି କଂଗ୍ରେସ ଓ ଭାଜପାର ସଦସ୍ୟମାନଙ୍କୁ ଚାମ୍ବରକୁ ଡାକି ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନ ଥିଲା। ପୁଣି ହଟ୍ଟଗୋଳ ଆରମ୍ଭ ହୋଇଥିଲା। ବିରୋଧୀଙ୍କ ଉଦ୍‌ବେଗ ବାଚସ୍ପତିଙ୍କୁ ଜଣାଇ ଦିଆଯିବ ବୋଲି ଉପବାଚସ୍ପତି ବାରମ୍ବାର କହିଥିଲେ ମଧ୍ୟ ପରିସ୍ଥିତି ସ୍ବାଭାବିକ ହୋଇ ନ ଥିଲା। ଫଳରେ ଉପବାଚସ୍ପତି ବାଧ୍ୟ ହୋଇ ମୁଲତବୀ ପ୍ରସ୍ତାବ ଆଲୋଚନା ଶୁକ୍ରବାରକୁ ଘୁଞ୍ଚାଇ ଗୃହକୁ ମଧ୍ୟାହ୍ନ ୧୨ଟା ୩୮ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?