ଲୁହ ଲହୁର ବନ୍ଧନ

ଶୁଭେନ୍ଦୁ ମହାନ୍ତି

ପବିତ୍ର ରକ୍ଷାବନ୍ଧନର ପର୍ବ, ରାଖୀପୂର୍ଣ୍ଣମୀ ଆଜି। ଆଦରର ଭଉଣୀ ପାଇଁ ସମସ୍ତ ସୁରକ୍ଷାର ପ୍ରତିଶ୍ରୁତିବଦ୍ଧତା ଦେଉଥିବା ଭାଇ ପୁଣି ଥରେ ଦୋହରାଇବ ସେଇ ସର୍ତ୍ତହୀନ ଭଲ ପାଇବାର ପ୍ରତୀକ, ଭଉଣୀର ରଙ୍ଗବେରଙ୍ଗ ରାଖୀ ମାଧ୍ୟମରେ। ଅବଶ୍ୟ କରୋନା ମହାମାରୀର କରାଳ ଛାୟା ଏ ପର୍ବକୁ କରିଦେଇଛି ଅନେକ ମାତ୍ରାରେ ରଙ୍ଗହୀନ ଆଉ ଫିକା, ତଥାପି ଭାଇ-ଭଉଣୀ ସମ୍ପର୍କର ଡୋରିକୁ କରିପାରିନି ଦୁର୍ବଳ । ପର୍ବ ପାଳନର ପଦ୍ଧତି ହୁଏତ ବଦଳିଯାଇଛି। ମୋବାଇଲ୍‌ ଓ ନେଟ୍‌ ଯୁଗରେ ଭାବ ଆଦାନପ୍ରଦାନର ରୂପରେଖରେ ଆସିଛି କେତେ କେତେ ପରିବର୍ତ୍ତନ। ଏସବୁ ପ୍ରକାରର ପରିବର୍ତ୍ତନ ଓ ପରିବର୍ଦ୍ଧନ ମଧ୍ୟରେ ରକ୍ଷାବନ୍ଧନ ପର୍ବ ବଜାୟ ରଖିଛି ତା’ର ପାରମ୍ପରିକ ମହତ୍ତ୍ୱ ଓ ମହକ। ସେଥିପାଇଁ ତ ୧୩୦ କୋଟି ଦେଶବାସୀ, କୌଣସି ନା କୌଣସି ଭାବରେ ଆଜି ପୁଣିଥରେ ସଂଜୀବିତ କରୁଛନ୍ତି ରାଖୀପୂର୍ଣ୍ଣମୀର ମହନୀୟ ପରମ୍ପରାକୁ। ଭାରତୀୟ ସଂସ୍କୃତିର ଅସୀମ, ଅନନ୍ତ ସମ୍ପର୍କର ସେତୁ କେଉଁ ଅନାଦି କାଳରୁ ନାରୀ ସମାଜର ସୁରକ୍ଷା ପାଇଁ, ସର୍ବବିଧ ପ୍ରଗତି ତଥା ଉନ୍ମେଷ ଲାଗି ଏପରି ଏକ ଅଲିଖିତ, ସ୍ବର୍ଗୀୟ ତଥା ଅପୂର୍ବ ଭାବର ବଳୟ ସୃଷ୍ଟି କରିଛି; ଯାହା ବର୍ଣ୍ଣନାର ବିଷୟ ନୁହେଁ, କେବଳ ଅନୁଭବର କଥା।
ମାତ୍ର, ସମାଜର ସାମ୍ପ୍ରତିକ ଚିତ୍ର ତଥା ଘଟଣାବଳୀ ପରିପ୍ରେକ୍ଷୀରେ, ରକ୍ଷାବନ୍ଧନର ତାତ୍ପର୍ଯ୍ୟ ତଥା ଭୂମିକା ସମ୍ପର୍କରେ ମନରେ ନାନାଦି ପ୍ରଶ୍ନ ଉଙ୍କିମାରେ। ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ, ବୟସର ଭିନ୍ନ ଭିନ୍ନ ପାହାଚରେ, ଜାତି, ଧର୍ମ, ବର୍ଣ୍ଣର ସଂକୀର୍ଣ୍ଣ ନିଗଡ଼ ମଧ୍ୟରେ ‘ଭଗିନୀ’ମାନେ କେତେଦୂର ସୁରକ୍ଷିତ? ଆନନ୍ଦର କଥା, ଏବେ ପ୍ରଶାସନିକ କଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ, ପ୍ରତିରକ୍ଷା ବିଭାଗ, ଶିକ୍ଷା, ସ୍ବାସ୍ଥ୍ୟ, ଗଣମାଧ୍ୟମରେ ସେମାନଙ୍କ ଦକ୍ଷତା ତଥା ପ୍ରତିଭା ଏକବିଂଶ ଶତାବ୍ଦୀରେ ଆମ ସମସ୍ତଙ୍କ ପାଇଁ ଗର୍ବ ତଥା ଗୌରବର ଟିକା। କେଉଁଠି ପାଇଲଟ୍‌ ଭାବେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା, ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଙ୍କୃତ କରିବା, ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ କରିବା ତ ଆଉ କେଉଁଠି କ୍ରୀଡ଼ାନୈପୁଣ୍ୟ ମାଧ୍ୟମରେ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ଆଣିବାରେ ନାରୀ ବା ଭଗିନୀ ଆଜି ପ୍ରତିପାଦିତ କରିପାରିଛି ଯେ ପୁରୁଷ ବା ଭାଇମାନଙ୍କ ତୁଳନାରେ ସେ କିଛି କମ୍‌ ନୁହେଁ। ଯୁଗେ ଯୁଗେ ଯୁଗାନ୍ତକାରୀ ପରିବର୍ତ୍ତନର ସେ ବାର୍ତ୍ତାବହ, ବିପ୍ଳବାତ୍ମକ ସଂସ୍କାରର ପ୍ରବର୍ତ୍ତକ, ପୁଣି ସମସ୍ତଙ୍କ ମନ, ପ୍ରାଣ, ହୃଦୟରେ ପ୍ରେମର ଫଲ୍‌ଗୁ ସୃଷ୍ଟି କରି ମାନବଜାତିର ସର୍ବବିଧ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଦେବାର ମମତାମୟୀ ଝରଣାଟିଏ ସେ। ମନରେ ସ୍ବତଃ ପ୍ରଶ୍ନ ଆସେ, ଏପରି ଅମୃତର ନିର୍ଝର ଆଜି କାହିଁକି ନିଜର ମଧୁର ମୂର୍ଚ୍ଛନା ହରାଇ ଦେଇଛି? ଅଗଣିତ ଭଗିନୀଙ୍କର ଆର୍ତ୍ତନାଦ! ଆଖିର ଅସହାୟ ଭାବ, ଭୟାତୁର ଚାହାଣି, ବିକଳ କ୍ରନ୍ଦନ, ନୀରବୀ ଯାଇଥିବା ସୁର କାହିଁକି ଆଜି ସୃଷ୍ଟି କରିଛି ଏକ ବିକଟ ଚିତ୍ର? ବିଡ଼ମ୍ବନାର ବିଷୟ , ପ୍ରତିଦିନ ଗଣମାଧ୍ୟମର ପୃଷ୍ଠା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ‘ଭଗିନୀ’ମାନଙ୍କର ଅସହାୟତାର ଚିତ୍ର ଆମ ସାମାଜିକ ବିଧିବ୍ୟବସ୍ଥା ସମ୍ପର୍କରେ ସୃଷ୍ଟି କରୁଛି ଅସଂଖ୍ୟ ପ୍ରଶ୍ନବାଚୀ। ଗଣବଳାତ୍କାର, ପ୍ରତାରଣା, ପ୍ରବଞ୍ଚନା, ଅତ୍ୟାଚାର, ନିର୍ଯାତନା, ଆମ ଜନଜୀବନର ପ୍ରମୁଖ ଅଙ୍ଗ ଭାବେ ବିବେଚିତ ହେଲାଣି। ‘ଭଗିନୀ’ମାନଙ୍କର ଅସହାୟତାର ସୁଯୋଗ ନେଇ ନାନାଦି ଅକଥନୀୟ ଅତ୍ୟାଚାର କରିବା ଏକ ସାଧାରଣ ଘଟଣା ହୋଇଗଲାଣି। ଶାସନ ଗାଦିରେ ଥିବା ରାଜନେତା, ଅଧିକାରୀମାନଙ୍କ ଛତ୍ରଛାୟା ତଳେ ରହି ଏପରି ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସୁରକ୍ଷା ମିଳିବା ଦୁର୍ଭାଗ୍ୟଜନକ ବିଷୟ। ଏ ସମ୍ପର୍କିତ ଖବର, ସୂଚନା ବା ନଜିରର ଅଭାବ ନାହିଁ। ବିଳମ୍ବିତ ବିଚାର ବ୍ୟବସ୍ଥା, ଦଣ୍ଡବିଧି ବ୍ୟବସ୍ଥା ପରିସ୍ଥିତିକୁ ଦିନକୁ ଦିନ ଜଟିଳ କରିବାରେ ଲାଗିଛି।
୨୦୧୨ ଡିସେମ୍ବର ୧୬ର ନିର୍ଭୟା ଗଣବଳାତ୍କାର, ସ୍ବାଧୀନ ଭାରତର ସବୁ ପ୍ରକାର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହା ଆମ ଦେଶ ପାଇଁ କଳଙ୍କିତ ଅଧ୍ୟାୟ। ସେ ସମୟରେ ଲୋକ ସଭା ଅଧିବେଶନରେ ପ୍ରାୟ ସମସ୍ତ ରାଜନୈତିକ ଦଳର ତୁଙ୍ଗ ନେତା ଏହାକୁ ନିନ୍ଦା କରିଥିଲେ। ସମଗ୍ର ଦେଶରେ ପ୍ରତିବାଦର ସ୍ବର, ଶାସନକଳର ଦକ୍ଷତା ପ୍ରତି ଉତ୍‌ଥାପନ କରିଥିଲା ଅନେକ ଅସମାହିତ ପ୍ରଶ୍ନ। ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ଭୟାର ଅତୃପ୍ତ, ଅଶାନ୍ତ ଆତ୍ମା, ଅସହାୟ ଭାବେ କେବଳ ଦୀର୍ଘଶ୍ୱାସରେ ହିଁ କିଛି ଶେଷକଥା କହିବାକୁ ଚେଷ୍ଟା କରିଥିଲା। ମାତ୍ର ପରିତାପ ତଥା ଲଜ୍ଜାର ବିଷୟ ଯେ ଏପରି ଅମାନବୀୟ ଘଟଣାର ବିଚାର ପାଇଁ ଲାଗିଗଲା ପ୍ରାୟ ୮ ବର୍ଷ। ବିଚିତ୍ର ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ବିଚାର ପ୍ରକ୍ରିୟା ବାରମ୍ବାର ବିଳମ୍ବିତ ହୋଇଥିଲା। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପରାଧୀମାନଙ୍କୁ ଫାଶୀଦଣ୍ଡରୁ ମୁକୁଳାଇବା ପାଇଁ ପକ୍ଷଭୁକ୍ତ ଆଇନଜୀବୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଚାର ବ୍ୟବସ୍ଥାକୁ ପ୍ରକାରାନ୍ତରେ ତାଚ୍ଛଲ୍ୟ କରିବାକୁ ହିଁ ନିଜର ଦକ୍ଷତା ଭାବି ପ୍ରତିପାଦନ କରିଚାଲିଥିଲେ। ଶେଷରେ ବହୁ ବିଳମ୍ବରେ ଅପରାଧୀମାନଙ୍କୁ ଫାଶୀ ଦିଅଗଲା ଓ ଅନେକେ ନ୍ୟାୟ ମିଳିବାର ଆତ୍ମସନ୍ତୋଷ ଲାଭ କଲେ। ପ୍ରଶ୍ନ ଉଠେ, ପ୍ରକୃତ ନ୍ୟାୟ ମିଳିଲା କି? କଥାରେ ଅଛି ”Justice Delayed, is Justice Denied“ ଏ ପ୍ରକାର ବ୍ୟବସ୍ଥାରେ କେଉଁ ‘ଭଗିନୀ’ ସୁରକ୍ଷିତ? ଅନେକ ‘ନିର୍ଭୟା’ ମାମଲା, ଲୋକଲୋଚନକୁ ଆସିପାରୁନାହିଁ। ଅତ୍ୟାଚାରୀମାନଙ୍କ ଭୟରେ ସେଗୁଡ଼ିକୁ ଚପାଇ ଦିଆଯାଉଛି। କେତେକ କ୍ଷେତ୍ରରେ ଏ ସମ୍ପର୍କିତ ମୂଳ ଏତଲାକୁ ଗ୍ରହଣ କରା ନ ଯିବା ଫଳରେ – କିଛି ‘ଭଗିନୀ’ ଆତ୍ମହତ୍ୟା କରୁଛନ୍ତି ବା ଲୋକଲଜ୍ଜା ଭୟରେ ନୀରବ ରହୁଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭକରି ଅନେକ ମନୀଷୀ, ‘ଭଗିନୀ’ ବା ନାରୀମାନଙ୍କର ଉତ୍‌ଥାନ ଓ ସୁରକ୍ଷା ପାଇଁ ସଂଖ୍ୟାହୀନ ଅଭିଯାନ କରିଆସିଛନ୍ତି। ମାତ୍ର ସମାଜର ବାସ୍ତବ ଚିତ୍ର ସମୟକ୍ରମେ ଅତି ବୀଭତ୍ସ ହେବାରେ ଲାଗିଛି। ପରିଶେଷରେ ପୁଣି ଏକ ପ୍ରଶ୍ନ ଉଙ୍କିମାରେ ‘ରାଖୀ ପୂର୍ଣ୍ଣମୀ’ର ପବିତ୍ର ତିଥିରେ ରାଖୀକୁ ‘ଭଗିନୀ’ମାନଙ୍କର ଲୁହ ଲହୁରେ ଭିଜାଇବା ନା ସେମାନଙ୍କର ଅନ୍ତରର କୋହକୁ ପୈଶାଚିକ ପରିହାସରେ ଉଡ଼ାଇଦେବା। ଯେଉଁ ଦେଶ ବା ରାଷ୍ଟ୍ର ‘ଭଗିନୀ’ ବା ନାରୀମାନଙ୍କୁ ଉପଯୁକ୍ତ ସୁରକ୍ଷା, ସମ୍ମାନ ତଥା ମର୍ଯ୍ୟାଦା ଦେଇପାରେ ନାହିଁ ସେ ଦେଶର ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
‘ଭଗିନୀ’ମାନଙ୍କର ଦାୟିତ୍ୱ ଆମ ସମସ୍ତଙ୍କର, ସେମାନଙ୍କର ଅନ୍ତରର ବ୍ୟଥାକୁ ‘ଅମୃତତ୍ୱ’ର ଆନନ୍ଦରେ ରୂପାନ୍ତର କରିବା ପାଇଁ ସାମ୍ପ୍ରତିକ ଅଚଳ ବିଧିବ୍ୟବସ୍ଥାରେ ଲୋଡ଼ା ଯୁଗାନ୍ତକାରୀ ରୂପାନ୍ତର। ଏ ମାଟିର କାଳଜୟୀ କଲ୍ୟାଣକାରୀ ପରମ୍ପରାରେ ରହିଛି ସେଇ ମହାମନ୍ତ୍ରର ଭାବ- ”ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ତତ୍ର ରମନ୍ତି ଦେବତା“ ରାଖୀ ପୂର୍ଣ୍ଣିମାରେ ଏହା ହିଁ ହେଉ ଆମ ଜୀବନ ଯାତ୍ରାର ମାର୍ଗଦର୍ଶିକା।

ସି/୧୨୨୨, ସେକ୍ଟର-୬, ସିଡିଏ,
ମର୍କତ ନଗର, କଟକ
ମୋ: ୯୨୩୮୫୨୬୦୩୦


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?