ବିଜେଡି: ବିରୋଧୀ ପରିବର୍ତ୍ତେ ଡର

ଭୁବନେଶ୍ୱର,୧୭।୬(ସୁନିତ୍‌ ମିଶ୍ର): ୨୦୦୦ ମସିହାରୁ ୨୪ ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ଗଠନ କରିଆସୁଥିଲା। ହେଲେ ୨୦୨୪ ନିର୍ବାଚନରେ ଦଳ ପ୍ରଥମ ଥର ଲାଗି ମୋଟ୍‌ ୫୧ଟି ବିଧାନସଭା ଆସନରେ ଜିତି ଦୁଇ ନମ୍ବର ସ୍ଥାନକୁ ଖସିଆସିଛି। ଓଡ଼ିଶାରେ ପ୍ରଥମ ଥର ଲାଗି ଭାଜପା ସରକାର ଗଠନ କରିଥିବା ବେଳେ ବିଜେଡିକୁ ବିରୋଧୀ ଦଳ ଭୂମିକା ନେବାକୁ ପଡ଼ିଛି। ତେବେ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଆସୁଥିବା ବିଜେଡିକୁ କାହିଁକି ଲୋକମାନେ ଏଥର ପ୍ରତ୍ୟାଖ୍ୟାନ କଲେ ସେକଥା ନେଇ ବିଜେଡିର ଆଗଧାଡ଼ିର ନେତାମାନେ ଏଯାଏ ମୁହଁ ଖୋଲୁନାହାନ୍ତି। ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଦଳର ନେତାମାନେ ଦେଖା କରିପାରୁନାହାନ୍ତି ବୋଲି ପ୍ରତ୍ୟେକ ଦିନ ଆଲୋଚନାର ବିଷୟବସ୍ତୁ ପାଲଟୁଥିଲା। ଯେଉଁ ନେତାମାନେ ଦେଖାକରି କିଛି ନିଷ୍ପତ୍ତି ନେଉଥିଲେ ସେମାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ ମାନିବାକୁ ପଡୁଥିଲା। ହେଲେ ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ପ୍ରତ୍ୟେକ ଦିନ ନବୀନ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ନବୀନ ମଧ୍ୟ ଏହାରି ଭିତରେ ବହୁତ ଫୂର୍ତ୍ତି ହୋଇଯାଇଥିବା ଭଳି ଦେଖିବାକୁ ମିଳୁଛନ୍ତି ବୋଲି ତାଙ୍କ ଦଳର ଲୋକ କହୁଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ଦେଖିଲେ ଜଣାପଡୁଛି ନବୀନ ବହୁତ ପୂର୍ତ୍ତି ହୋଇପଡ଼ିଛନ୍ତି ଓ ତାଙ୍କ ହାତ ଥରୁନାହିଁ। ହେଲେ ଏଯାଏ ବିଜେଡି ବିରୋଧୀ ଦଳ ଭୂମିକା ନେଇ ନ ଥିବା ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ ଭାଜପା ସରକାର ବିରୋଧରେ ପଦୁଟିଏ ହେଲେ ଦଳ ମୁହଁ ଖୋଲି ନାହିଁ। ଏପରିକି ଜାତୀୟ ପ୍ରସଙ୍ଗ ପାଲଟିଥିବା ଏନ୍‌ଇଇଟି ପରୀକ୍ଷା ଫଳାଫଳ ପ୍ରସଙ୍ଗ ଉପରେ ମଧ୍ୟ ବିଜେଡିର କୌଣସି ନେତା ପଦୁଟିଏ ମୁହଁ ଖୋଲିନାହାନ୍ତି। ଭାଜପା ସରକାର ଶପଥ ନେବା ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାର କାର୍ଯ୍ୟ କରାସରିଛି। ଏହାପରେ କିଛି ଶ୍ରଦ୍ଧାଳୁଙ୍କ କହିବାନୁଯାୟୀ ୪ ଦ୍ୱାର ଖୋଲାଯିବା ପରେ ସମସ୍ୟା ସୃଷ୍ଟି ହେଉଥିବା କଥା ଲକ୍ଷ୍ୟ କରାଯାଉଛି। ତଥାପି ମଧ୍ୟ ବିଜେଡି ସରକାରରେ ଥିବାବେଳେ କାହିଁକି ୪ ଦ୍ୱାର ଖୋଲି ନ ଥିଲା କିମ୍ବା ଭାଜପା ସରକାରର ନିଷ୍ପତ୍ତିରେ ସମସ୍ୟା ସୃଷ୍ଟି ହେବା ସତ୍ତ୍ୱେ ସେକଥା ନେଇ ମଧ୍ୟ ବିଜୁ ଜନତା ଦଳର ନେତା କିଛି କହୁନାହାନ୍ତି। କୁହାଯାଉଛି, ବିଜେଡି ଏହିଭଳି ନୀରବ ରହି ଲୋକମାନେ କେତେବେଳେ ଭାଜପା ସରକାର ବିରୋଧରେ ପାଟି ଖୋଲୁଛନ୍ତି ସେଯାଏ ଅପେକ୍ଷା କରିବ। ତାପରେ ବିଜେଡି ନେତାମାନେ ଭାଜପା ସରକାର ବିରୋଧରେ ମୁହଁ ଖୋଲିବେ ବୋଲି ଶୁଣିବାକୁ ମିଳୁଛି।
ଅନ୍ୟପଟେ ବିଜେଡି ନେତାମାନଙ୍କୁ ଏବେ ଇଡି, ସିବିଆଇର ଡର ପଶିଯାଇଛି। ଭାଜପା ସରକାର ରାଜ୍ୟରେ ଇଡି, ସିବିଆଇର ବ୍ୟବହାର କରି ବହୁ ନେତାଙ୍କୁ ବାନ୍ଧିପାରେ ବୋଲି ଭାବି ବହୁ ବିଜେଡି ନେତା ବି ଚୁପ୍‌ ବସୁଛନ୍ତି। ଏପରି ସ୍ଥିତିରେ କିଛି ସମୟ ଗଡ଼ିଯିବା ପରେ ପୁଣିଥରେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଗୋଷ୍ଠୀ ଦଳ ଭିତରେ ସକ୍ରିୟ ହୋଇ ଆଗକୁ ନେତୃତ୍ୱ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଦଳୀୟ କର୍ମୀଙ୍କ ଭିତରେ ଆଲୋଚନା ହେଉଛି। ପୁରୀ ଜିଲାର ଅନେକ ବିଜେଡି ସମର୍ଥକ କହୁଛନ୍ତି, ପାଣ୍ଡିଆନ ଏବଂ ବବିଙ୍କ ପାଇଁ ଦଳ ବର୍ତ୍ତମାନ ରସାତଳଗାମୀ ହୋଇଛି। ତେଣୁ ଆଗକୁ ଯଦି ସେମାନଙ୍କ ଦ୍ୱାରା ଦଳ ପରିଚାଳନା କରାଯାଏ ତେବେ ଆମେ କଂଗ୍ରେସକୁ ଭୋଟ୍‌ ଦେବୁ ପଛେ ନବୀନଙ୍କୁ ଦେବୁ ନାହଁ।
ଅନ୍ୟପଟେ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି, ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ଲମ୍ବା ସମୟ ଧରି କ୍ଷମତାରେ ରହିବା ଯୋଗୁ ଲୋକମାନଙ୍କ ଆଶା ଆକାଂକ୍ଷା ବହୁମାତ୍ରାରେ ବଢ଼ିଗଲା। ଯାହାକୁ ଫଳପ୍ରଦ କରିବାରେ ବୋଧହୁଏ ଆମେ ସକ୍ଷମ ହୋଇପାରିଲୁ ନାହିଁ। ଦଳ ଭିତରେ ଗଣତନ୍ତ୍ରର ଅଭାବ ଏବଂ ଠିକ୍‌ ଭୁଲ୍‌ର ବିଚାର କରିବାର ମାନସିକତା ନ ରଖି ଷଷ୍ଠ ଥର ଲାଗି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନ୍ୟାରେଟିଭ ଯୋଗୁ ସରକାର କରିବାରେ ଦଳ ବିଫଳ ହେଲା। ସରକାର ଏବଂ ସଙ୍ଗଠନ ମଧ୍ୟରେ ମଧ୍ୟ ସମନ୍ବୟର ଅଭାବ ରହିଲା। ନେତୃତ୍ୱ ପ୍ରତି ସମ୍ମାନବୋଧ ଏକ ସଙ୍କଟଜନକ ସ୍ଥିତିକୁ ନେଇଯାଉଛି ଏକଥା ବୁଝିବା ବେଳକୁ ସବୁ ଶେଷ ହୋଇସାରିଥିଲା। ଦଳର ଶୀର୍ଷ ନେତୃତ୍ୱ ଓଡ଼ିଶାରେ ନବୀନ ଏବଂ ଭାରତ ବର୍ଷରେ ମୋଦି ସରକାର ହେବ ବୋଲି ଯେଉଁ ମନ୍ତବ୍ୟ ଦେଲେ ବିଜେଡିକୁ ସେଥିଲାଗି ବିଶେଷ କ୍ଷତି ସହିବାକୁ ପଡିଲା। ଯେହେତୁ ରାଜ୍ୟବାସୀ ଗୋଟିଏ ନୂଆ ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏଭଳି ସମୟରେ କୌଣସି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ହେଲେ ଭାଜପା ସରକାରକୁ ଆସିବା ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛି ତାକୁ ଶତପ୍ରତିଶତ ପୂରଣ କରୁ। ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସଞ୍ଜୟ କହିଛନ୍ତି।
ନୟାଗଡ଼ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଗଠନ କରାଯାଉଛି। ଉକ୍ତ କମିଟି ଦଳର ବିପର୍ଯ୍ୟୟର କାରଣ ସମ୍ପର୍କରେ ତର୍ଜମା କରିବା ପରେ ଖୁବଶୀଘ୍ର ରାଜ୍ୟର ଜନତାଙ୍କୁ ସବୁ ଜଣାଇ ଦିଆଯିବ। କିନ୍ତୁ ବ୍ୟକ୍ତିଗତ ଭାବେ କହିବାକୁ ଗଲେ ୩ଟି କାରଣ ପାଇଁ ଦଳର ବିଜୟ ଓ ପରାଜୟ ନିର୍ଭର କରେ। ଅରୁଣଙ୍କୁ ବିପର୍ଯ୍ୟୟର କାରଣ ଭାବେ ପାଣ୍ଡିଆନଙ୍କ ସମ୍ପର୍କରେ ପଚାରିବାରୁ କୌଣସି ମତାମତ ମିଳିଲା ନାହିଁ। ସେଥିପାଇଁ ୩ଟି କାରଣ କ’ଣ ସ୍ପଷ୍ଟ ବୁଝାପଡିଲା ନାହିଁ। ତେଣୁ ବିପର୍ଯ୍ୟୟର କାରଣ ତର୍ଜମା ପରେ ଯାହା କିଛି ନିଷ୍ପତ୍ତି ନିଆଯାଇପାରିବ କି, କେଉଁ କାରଣରୁ ଦଳର କ୍ଷତି ହେଲା ଏବଂ ଆଗକୁ କ’ଣ କରାଯିବ। ଦୀର୍ଘଦିନ ହେଲା ବିଜେଡି ଶାସନ କ୍ଷମତାରେ ରହିଥିଲା, ତେଣୁ ବିରୋଧୀ ଦଳକୁ ଆସି କେଉଁ ପଦକ୍ଷେପ ନେବାକୁ ପଡିବ ସେନେଇ ଅଭିଜ୍ଞତା ନାହିଁ। ତେଣୁ ପ୍ରଥମେ ଆମକୁ ଶିଖିବାକୁ ପଡିବ। ତାପରେ ଯାଇ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରାଯିବ ବୋଲି ଅରୁଣ କହିଛନ୍ତି।
ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡିର ବିପର୍ଯ୍ୟୟ ହୋଇନାହିଁ। ଶକ୍ତିଶାଳୀ ବିରୋଧୀ ଭାବେ ବିଜେଡିକୁ ଲୋକମାନେ ଦାୟିତ୍ୱ ଦେଇଛନ୍ତି। ୨୪ ବର୍ଷର ଶାସନକୁ ଲୋକମାନେ ପରିବର୍ତ୍ତନ କଲେ। ପାଣ୍ଡିଆନଙ୍କ ଯୋଗୁ କ୍ଷତି ହେଲା କି କଣ ତାହା ସମୀକ୍ଷା ବୈଠକ ପରେ ଜଣାପଡିବ। ଆସନ୍ତା ୧୯ରେ ଦଳର ବିଧାୟକ ଦଳ ବୈଠକ ହେବା ନେଇ ପ୍ରସନ୍ନ କହିଛନ୍ତି। ଦଳର ଯେଉଁ ନେତାମାନେ ନିର୍ବାଚନ ଜିତିଛନ୍ତି ସେମାନଙ୍କ ମଧ୍ୟରୁ ସମସ୍ତେ ବିରୋଧୀ ଦଳ ନେତା ହେବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହି ଚେଷ୍ଟାରେ ବିଫଳ ହେବାର ସମ୍ଭାବନା ଉପୁଜିବ ଯଦି ନବୀନ ନିଜେ ବିରୋଧୀ ଦଳ ନେତା ହେବେ। ସେଥିଲାଗି ଦ୍ୱିତୀୟ ଲକ୍ଷ୍ୟ ଭାବେ ଉପନେତା ପଦବୀ ପାଇଁ ଦୌଡ ଆରମ୍ଭ ହୋଇଛି। ତେଣୁ ସମୀକ୍ଷା ବୈଠକରେ କେହି ବାସ୍ତବ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ନାହିଁ ବୋଲି ଦଳର ଜଣେ ପରାଜିତ ବିଧାୟକ ପ୍ରାର୍ଥୀ ଧରିତ୍ରୀକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?