ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି l ମୃତ ଚାଳକ କୁଡକେଲକିଆ ଗାଁର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି l
ମିଳିଥିବା ସୂଚନା ମୁତାବକ, ବୀରେନ୍ଦ୍ର ଗାଁରୁ ବାଇକ୍ ଯୋଗେ ମେଲସିକିଆ ଗାଁକୁ ଯାଉଥିଲେ। ସେତିକିବେଳେ ଡାକା ଅଭିମୁଖେ ଯାଉଥିବା ଏକ ମୁଖ୍ୟମନ୍ତ୍ରୀ ବସ୍ କୁଡକେଲକିଆ ଘାଟି ବୁଲାଣିରେ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣାସ୍ଥଳରେ ବୀରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।
ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ ନ୍ୟାୟ ଏବଂ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ଏକରିକି ବସ୍କୁ ଅଟକ ରଖିଥିଲେ।
ବାଲିଗୁଡା ପୋଲିସ ଏବଂ ତହସିଲଦା ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ କ୍ଷତିପୂରଣ ଦେବାନେଇ ପ୍ରତିଶ୍ରୁତି ଦେବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ। ଅନ୍ୟପକ୍ଷେ ବସ୍ ଡ୍ରାଇଭର ଫେରାର ଥିବା ଜଣାପଡିଛି।

