Posted inଫୁରସତ

ଝଡ଼ର ଇଗଲ

ବେଳେବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ଇତିହାସ ସୃଷ୍ଟି କରନ୍ତି, ଇତିହାସକୁ ବଦଳାଇ ଦିଅନ୍ତି ଏବଂ ଇତିହାସ ନିର୍ମାଣ ପାଇଁ ଉତ୍ତର ପୁରୁଷଙ୍କ ଆଖିରେ ଭରିଦିଅନ୍ତି ଅସରନ୍ତି ସ୍ବପ୍ନ। ସେମାନଙ୍କ କୀର୍ତ୍ତିକୁ ଧାରଣା କରି ଧନ୍ୟ ହୁଏ ଇତିହାସ। ସେହିଭଳି ଜଣେ ବଳିଷ୍ଠ ଓ ଗରିଷ୍ଠ ଜାତିପ୍ରାଣ ବ୍ୟକ୍ତିତ୍ୱ ଥିଲେ କଳିଙ୍ଗବୀର ବିଜୁ ପଟ୍ଟନାୟକ। ତାଙ୍କ ନାମ ଉଚ୍ଚାରଣ ମାତ୍ରକେ ଓଡ଼ିଆଙ୍କ ଆଖି ଆଗରେ ନାଚିଯାଏ ଶିଖର ଛୁଇଁଥିବା ଜଣେ ଉତ୍ତୁଙ୍ଗ ମଣିଷର ଛବି। ପଡ଼ିଆରେ ଫୁଟବଲ ଖେଳିବାଠାରୁ ଆକାଶରେ ବିମାନ ଉଡ଼ାଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ସାହସୀ, ଧୁରନ୍ଧର ଓ ଦୁର୍ଦ୍ଧର୍ଷ। ନିଜର ଘଟଣାବହୁଳ ଜୀବନରେ ସେ ପିଲାଟିବେଳୁ ଏମିତି କିଛି କାମ କରି ଯାଇଛନ୍ତି, ଯାହା କେବଳ ତାଙ୍କରି ଦ୍ବାରା ସମ୍ଭବ ଏବଂ ସେହି କାରଣରୁ ତାଙ୍କ ଦୁଃସାହସ, ନିର୍ଭୀକତା ଓ ଦେଶପ୍ରେମକୁ କେନ୍ଦ୍ର କରି ଗଢ଼ିଉଠିଛି ଅନେକ କାହାଣୀ ଓ କିମ୍ବଦନ୍ତୀ। ୧୯୨୩ ମସିହା ଘଟଣା। ସେତେବେଳେ ସେ ସାତ ବର୍ଷ ବୟସର ଚପଳ ବାଳକ। କେଇଦିନ ଧରି ପେଟର ଅନୁଭବ କଲେ ଯନ୍ତ୍ରଣା। କ୍ରମଶଃ ଯନ୍ତ୍ରଣା ବଢ଼ିବାକୁ ଲାଗିଲା ଏବଂ ତାହା ଅସହ୍ୟ ହେବାରୁ ବ୍ୟସ୍ତବିବ୍ରତ ହୋଇ ପଡ଼ିଲେ ମାତା ଆଶାଲତା ଦେବୀ ଓ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ପୁଅକୁ ଡାକ୍ତରଖାନା ନେବାରୁ ଜଣାପଡ଼ିଲା ଆପେଣ୍ଡିସାଇଡ୍‌ ଫାଟିଯାଇଛି, ଯାହା ତୁରନ୍ତ ଅପରେଶନ ହେବା ଦରକାର। ମାତ୍ର ସେଠାରେ ତତ୍କାଳ ନିଶ୍ଚେତକ ବ୍ୟବସ୍ଥା ଉପଲବ୍ଧ ହୋଇ ନ ପାରିବା କାରଣରୁ ଚିନ୍ତିତ ହୋଇପଡ଼ିଲେ କର୍ତ୍ତବ୍ୟରତ ଡାକ୍ତର। ବିନା ନିଶ୍ଚେତକରେ ଅପରେଶନ କଲେ ପିଲା କଷ୍ଟ ସହିପାରିବ କି ନାହିଁ ତାହାହିଁ ଥିଲା ତାଙ୍କ ପାଇଁ ଚିନ୍ତାର କାରଣ। ବାଳକ ବିଜୁ ଅବସ୍ଥାର ଗୁରୁତ୍ୱ ଉପଲବ୍ଧି କରିନେଇଥିଲେ ଏବଂ ଖୁବ୍‌ ନିର୍ଭୀକତାର ସହିତ ଡାକ୍ତରଙ୍କୁ କହିଥିଲେ, ଆପଣ ଅପରେଶନ କରନ୍ତୁ, ମୁଁ ପ୍ରସ୍ତୁତ। ପିଲାଟିର ଏଭଳି ସାହସ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅପରେଶନ ପରେ କହିଥିଲେ ବ୍ରେଭ ଆଣ୍ଡ ଡେୟାରିଂ ବୟ।
୧୯୨୬ ମସିହା କଥା। ମହାତ୍ମା ଗାନ୍ଧୀଙ୍କୁ ଦେଖିବା ପାଇଁ ସେ ପହଞ୍ଚତ୍ଗଲେ କଟକ ସ୍ବରାଜ ଆଶ୍ରମରେ। ଭିଡ଼ ଠେଲି ଆଗକୁ ଯିବାବେଳେ ତାଙ୍କ ପିଠିରେ ବାଜିଲା ଫିରିଙ୍ଗୀ ପୋଲିସର ଲାଠି ପ୍ରହାର। ପୋଲିସର ଏଭଳି ନିର୍ମମ ଆଚରଣ ସେଦିନ ତାଙ୍କ ପ୍ରାଣକୁ ଏମିତି ଆଘାତ ଦେଲା ଯେ, ସେ ଖୋଜି ବସିଲେ ପ୍ରତିବାଦର ଉପାୟ। ମନେମନେ ପ୍ରତିଜ୍ଞା କଲେ ବଡ଼ ହେଲେ ସେ ଏମିତି ଦୁର୍ଦ୍ଧର୍ଷ ହେବେ, ଯା’ଦେଖି ପୋଲିସ ତାଙ୍କ ଉପରେ ଅଜାଡ଼ି ଦେବ ପ୍ରଶଂସା। ସତକୁ ସତ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନୀ ସୈନ୍ୟଙ୍କ କବଳରୁ ଗୋରା ପରିବାରକୁ ଦକ୍ଷତାର ସହିତ ଉଦ୍ଧାର କରିବା କ୍ଷେତ୍ରରେ ସେ ଯେଉଁ ସାହସିକତା ପ୍ରଦର୍ଶନ କଲେ, ସେଥିରେ ଅଭିଭୂତ ହୋଇ ତାଙ୍କୁ ମେଡାଲ ପିନ୍ଧେଇ ସମ୍ବର୍ଦ୍ଧିତ କଲେ ତତ୍କାଳୀନ ଭାଇସ୍‌ରାୟଙ୍କ ପତ୍ନୀ। ଏକଦା ଡଙ୍ଗାରେ ରିଲିଫ୍‌ ସାମଗ୍ରୀ ନେଇ କନିକା ବନ୍ୟାଞ୍ଚଳକୁ ଯାଉଥିଲେ ଉତ୍କଳମଣି ଗୋପବନ୍ଧୁ ଦାଶ। ସାଥିରେ ଥିଲେ ୧୨ ବର୍ଷର ବାଳକ ବିଜୁ ପଟ୍ଟନାୟକ ଓ ଅନ୍ୟ କେତେ ଜଣ ସ୍ବେଚ୍ଛାସେବୀ। ନଈ ମଝିରେ ଗୋପବନ୍ଧୁ ଧରିଥିବା ଛତାଟି ଡଙ୍ଗାରୁ ପାଣି ଭିତରକୁ ଖସିପଡ଼ିଲା ଅସାବଧାନତାବଶତଃ। ଭଉଁରି କାଟୁଥିବା ନଈ ଭିତରକୁ ସହସା ଲମ୍ଫଦେଇ ଛତାଟିକୁ ଉଠାଇ ଆଣିଲେ ବାଳକ ବିଜୁ। ଚକିତ ହୋଇ ନଈକୁ ଚାହିଁଥା’ନ୍ତି ପଣ୍ଡିତ ଗୋପବନ୍ଧୁ ଓ ଅନ୍ୟମାନେ। ସେମାନଙ୍କ ଉଦ୍‌ବେଗକୁ ଲକ୍ଷ୍ୟ କରି କହିଲେ- ଏ ଛତା ସାଧାରଣ ଛତା ନୁହେଁ, ଦାସେ ଆପଣେଙ୍କ ଛତା। ଏହି ଛତା ସହିତ ଯୋଡ଼ି ହୋଇ ରହିଛି ଓଡ଼ିଆଙ୍କ ସେବା ଓ ତ୍ୟାଗର ସଂସ୍କୃତି। ତେଣୁ ମୋ ଆଖି ଆଗରେ ସେ ଛତା ଭାସିଯିବ, ମୁଁ ନିରବରେ ଦେଖିଥାଆନ୍ତି କେମିତି?
କିଲା ପଡ଼ିଆରେ ଅବତରଣ କରୁଥିବା ବିମାନକୁ ଛୁଇଁବାକୁ ଯାଇ ଯେଉଁଦିନ ସେ ଗୋରା ସାହେବଠାରୁ ମାଡ଼ ଖାଇଥିଲେ, ସେଦିନ ତାଙ୍କ ମନକୁ ଘାରିଲା ନିଜେ ଉଡ଼ାଜାହାଜ ଉଡ଼େଇବାର ନିଶା। ତେଣୁ ଏକ ପ୍ରତିଜ୍ଞାବଦ୍ଧ ପ୍ରୟାସ ନେଇ ସେ ଇରୋନେଟିକ୍‌ ଇଞ୍ଜିନିୟରିଂ ପଢ଼ିଲେ ଏବଂ ଜଣେ ଦୁର୍ଦ୍ଧର୍ଷ ବୈମାନିକ ଭାବରେ ବିମାନ ଚାଳନା କରି ସୃଷ୍ଟିକଲେ ଗୋଟିଏ ପରେ ଗୋଟିଏ ଇତିହାସ। ୧୯୪୨ ମସିହା ଜୁଲାଇ ୨୩ ତାରିଖ ବର୍ଷାଭିଜା ସକାଳ। କଲିକତା ଏୟାର୍‌ପୋର୍ଟରୁ ଉଡ଼ିବାକୁ ପ୍ରସ୍ତୁତ ହେଉଥାଏ ତାଙ୍କ ଡାକୋଟା ବିମାନ। ଆକାଶରେ ଚାଲିଥାଏ ମାଳମାଳ ଭସା ବାଦଲର ଲୁଚକାଳି ଖେଳ। ଧୀରେ ଧୀରେ ବଢ଼ୁଥାଏ ପବନର ବେଗ। ପାଇଲଟ୍‌କୁ ସତର୍କ କରାଇଦେବା ଉଦ୍ଦେଶ୍ୟରେ ଜଣେ କେହି କହିଲେ ଖୁବ୍‌ ପ୍ରବଳ ବେଗରେ ମାଡ଼ିଆସୁଛି ଝଡ଼। ଉଡ଼ାଣ ଭରିବା ଆଗରୁ ସୂଚନାଦାତାଙ୍କ ଉଦ୍ଦେଶ୍ୟରେ ତାଙ୍କ ପାଟିରୁ ସ୍ବତଃ ବାହାରି ପଡ଼ିଲା ବିଜୁର ବିମାନ ଉଡ଼େ ଝଡ଼ର ଉପରେ। ତା’ପରେ ବିମାନ ନେଇ ସେ ଉଡ଼ିଗଲେ ଆକାଶର ମଥାନ ଉପରକୁ। ସାଧାରଣତଃ ପକ୍ଷୀମାନେ ଝଡ଼ର ସୂଚନା ପାଇଲେ ଉଡ଼ିଯାଆନ୍ତି ନିରାପଦ ସ୍ଥାନକୁ। ମାତ୍ର ଝଡ଼ ଆସୁଛି ବୋଲି ଜାଣି ସୁଦ୍ଧା ଇଗଲ୍‌ କେବଳ ଆକାଶରେ ଉଡ଼ିପାରେ ନିର୍ଭୀକ ଭାବରେ। ଝଡ଼ର ବେଗ ଯେତିକି ବଢ଼େ, ସେତିକି ଉପରକୁ ଉଠେ ଇଗଲ୍‌। ସେଦିନ ଠିକ୍‌ ସେମିତି ଝଡ଼ ବତାସକୁ ଫୁତ୍‌କାରରେ ଉଡ଼ାଇ ଦେଇ କଲିକତାରୁ ଜାଭାରେ ପହଞ୍ଚତ୍ ଯାଇଥିଲା ତାଙ୍କ ଡାକୋଟା ବିମାନ। ସେଠାରେ ଡଚ୍‌ ସେନା ଆଖିରେ ଆଙ୍ଗୁଠି କେଞ୍ଚତ୍ ଇଣ୍ଡୋନେସିଆର ଦୁଇ ତୁଙ୍ଗ ନେତା ସନତ ସହରିନ ଓ ମହମ୍ମଦ ହାଟ୍ଟାଙ୍କୁ ଉଡ଼ାଇ ଆଣିଥିଲେ ନୂଆଦିଲ୍ଲୀ। ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ମିଳିଥିଲା ଇଣ୍ଡୋନେସିଆର ସର୍ବୋଚ୍ଚ ପୁରସ୍କାର ‘ଭୂମିପୁତ୍ର’ ଉପାଧି। ସେ ହିଁ ଥିଲେ ପ୍ରଥମ ଭାରତୀୟ, ଯିଏ ଅଶାନ୍ତ କଶ୍ମୀର ଉପତ୍ୟକାରେ ଯୁଦ୍ଧ ବିମାନ ଅବତରଣ କରାଇ ଦୂର କରିଥିଲେ ପ୍ରଧାନମନ୍ତ୍ରୀ ପଣ୍ତିତ ନେହେରୁଙ୍କ ଚିନ୍ତା।
ବିଜୁବାବୁ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ। ତାଙ୍କର ଅଭିଳଷିତ ସ୍ବପ୍ନ ଥିଲା ଓଡ଼ିଶାର ବିକାଶ। ତା’ର ରୂପରେଖ ଆଙ୍କିବାକୁ ଯାଇ ସେ କହୁଥିଲେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ଉପରେ ଖଣ୍ଡିଏ ଭଲ ଛାତ, ସବୁ ପରିବାରକୁ ପିଇବା ପାଣି, ସବୁ ପିଲାଙ୍କ ପାଇଁ ଭଲ ସ୍କୁଲ ଓ ସମସ୍ତଙ୍କ ପାଇଁ ମାଗଣାରେ ଭଲ ସ୍ବାସ୍ଥ୍ୟସେବା ଇତ୍ୟାଦି ଯୋଗାଇବା ଥିଲା ତାଙ୍କର ଲକ୍ଷ୍ୟ। ଏଥିସହ ଚାହୁଁଥିଲେ ଓଡ଼ିଆ ଜାତି ତା’ର ନିଜର କୃତିତ୍ୱକୁ ନେଇ ବିଶ୍ବ ଦରବାରରେ ସୃଷ୍ଟି କରୁ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା। ଏଭଳି ବଡ଼ ବଡ଼ ସ୍ବପ୍ନ ଦେଖିବାର ଭରପୂର ଲକ୍ଷ୍ୟ ନେଇ ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଉକ୍ତିକୁ ଉଦ୍ଧାର କରି କହନ୍ତି- ”ଯେତେବେଳେ ବି ସ୍ବପ୍ନ ଦେଖିବ ବଡ଼ବଡ଼ ସ୍ବପ୍ନ ଦେଖ। କେବଳ ବଡ଼ବଡ଼ ସ୍ବପ୍ନ ଦେଖିଲେ ବଡ଼ବଡ଼ କାର୍ଯ୍ୟ କରିହେବ।“
ରାଜନୀତିରେ ବିଜୁବାବୁ ଥିଲେ ଜଣେ ଭିନ୍ନ ବ୍ୟକ୍ତିତ୍ୱ। ଓଡ଼ିଶାର ପ୍ରାୟ ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ପଡ଼ିନାହିଁ ତାଙ୍କ ପାଦ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବା କେନ୍ଦ୍ରମନ୍ତ୍ରୀ ଭାବରେ ବିଜୁ ପଟ୍ଟନାୟକ ଦୀର୍ଘକାଳ ଧରି କ୍ଷମତାସୀନ ନ ଥିଲେ ସତ, ମାତ୍ର ଜଣେ ମହାନ୍‌ ଜନନାୟକ ଭାବରେ ଲୋକଙ୍କ ହୃଦୟ ଭିତରେ ସେ ଅଛନ୍ତି ଓ ରହିବେ କାଳ କାଳ ପାଇଁ।
-ଡ. ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?