ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ। ପ୍ରାୟ ୪୦ ମିନିଟ ଧରି ଚାଲିଥିବା ଏହି ବୈଠକରେ ସଂସଦର ଆଗାମୀ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଛି। ସୂତ୍ର ଅନୁସାରେ, ବୈଠକରେ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଥିବା ବେଳେ ମହିଳା ସଂରକ୍ଷଣ ସମ୍ପର୍କିତ ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି। ଆଗାମୀ ନଭେମ୍ବର ୩୦ ତାରିଖରେ ଲୋକସଭା ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟ ସଭାର ବୈଠକ ବସିବାକୁ ଯାଉଛି। ଡିସେମ୍ବର ୩ରେ ଅଧିବେଶନ ଶେଷ ହେବାର ସମ୍ଭାବନା ରହିଛି।
ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍କୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସୂତ୍ର ଅନୁସାରେ, ଏହି ବିଲ ପାରିତ କରିବା ପାଇଁ ସରକାର ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିସାରିଛି। ସରକାରଙ୍କ ପାଖରେ ପ୍ରାୟ ୩୫୫ ଜଣ ସାଂସଦଙ୍କ ସମର୍ଥନ ଥିବା ଦାବି କରାଯାଉଛି। ସଂସଦର ଅଧିବେଶନ ଡାକିବା ପାଇଁ ସରକାର ଲୋକସଭା ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି।
ଅନ୍ୟପଟେ, ସରକାରଙ୍କ ଏହି ପଦକ୍ଷେପକୁ ଅସାମ୍ବିଧାନିକ କହି ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି, ବିଲ ସମ୍ପର୍କରେ ସେମାନଙ୍କୁ ପୂର୍ବରୁ ଅବଗତ କରାଯାଇନାହିଁ କିମ୍ବା ବିଲ୍ର କପି ମଧ୍ୟ ଦିଆଯାଇନାହିଁ। ମାତ୍ର ଚାରି ଦିନର ନୋଟିସ୍ରେ ସଂସଦ ଅଧିବେଶନ ଡକାଯାଇଥିବା ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ରାଜନୈତିକ ଲଢ଼େଇ ମଧ୍ୟରେ ବିରୋଧୀ ଶିବିରର କିଛି ଦଳଙ୍କ ଆଭିମୁଖ୍ୟ ବଦଳୁଥିବା ଚର୍ଚ୍ଚା ହେଉଛି। ସୂତ୍ର ଅନୁସାରେ, ଏନସିପି (ଶରଦ ଚନ୍ଦ୍ର ପାୱାର)ର ୮ ଜଣ ସାଂସଦ ବିଲ ସପକ୍ଷରେ ଭୋଟ ଦେଇପାରନ୍ତି। ସେହିପରି ଡିଏମକେର ୨୨ ଜଣ ସାଂସଦ ମଧ୍ୟ ସରକାରଙ୍କ ସମର୍ଥନରେ ଆସିଥିବା କୁହାଯାଉଛି। ଏହାଦ୍ୱାରା ବିଲ ପାରିତ କରିବା ପାଇଁ ସରକାରଙ୍କ ସ୍ଥିତି ମଜଭୁତ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ସମର୍ଥନ ନେଇ ଆନୁଷ୍ଠାନିକ ସ୍ପଷ୍ଟୀକରଣ ଆସିବା ବାକି ରହିଛି।
ସେପଟେ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ, ପରିସୀମନ ଭାଜପାର ପାଇଁ ସବୁଠାରୁ ବଡ଼ ଭୁଲ ସାବ୍ୟସ୍ତ ହେବ। ତେବେ ଏହି ବିଲ୍କୁ ନେଇ ସଂସଦରେ କେଉଁ ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଆଗାମୀ ଅଧିବେଶନରେ ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily

