Posted inଜାତୀୟ

ଦିଦିଙ୍କ ପାଇଁ ବଡ଼ ଆହ୍ବାନ

କୋଲକାତା/ନୂଆଦିଲ୍ଲୀ,୧୪ା୧୧: ନଭେମ୍ବର ୧୦ ତାରିଖ। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦୁଇଟି ଅଶୁଭ ଖବର ଆସିଥିଲା। ଗୋଟିଏ ଥିଲା ଦଳ ଭିତରୁ ଓ ଅନ୍ୟଟି ଦଳ ବାହାରୁ। ବିହାର ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀକୁ ସତ ମାନି ଦିଦି ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ପରାଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଓଲଟା ଫଳାଫଳ ତାଙ୍କୁ ନିରାଶ କରିଥିଲା। ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବରିଷ୍ଠ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଦ୍ରୋହ ମମତାଙ୍କୁ ମର୍ମାହତ କରିଥିଲା। ବିହାର ପରିଣାମ ମମତାଙ୍କ ଲାଗି କେବଳ ଏକ ସତର୍କଘଣ୍ଟି ନୁହେଁ, ବରଂ ୨୦୨୧ ବିଧାନସଭା ନିର୍ବାଚନ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। କାରଣ ବିହାରର ୫ ସଂଖ୍ୟାଲଘୁ ବହୁଳ ନିର୍ବାଚନମଣ୍ଡଳୀରେ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ନେତୃତ୍ୱାଧୀନ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଇ-ଇତ୍ତେହାଦୁଲ୍‌ ମୁସ୍‌ଲମିନ୍‌ (ଏଆଇଏମ୍‌ଆଇଏମ୍‌)କୁ ସଫଳତା ମିଳିଛି।
ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭାର ୨୯୪ ଆସନରେ ନିର୍ବାଚନ ହେବ। ୨୦୧୬ରେ ଟିଏମ୍‌ସିକୁ ୨୧୧ ଆସନରେ ସଫଳତା ମିଳିଥିବାବେଳେ ବର୍ତ୍ତମାନ ଶାସକ ଦଳ ଦଖଲରେ ୨୨୪ ସିଟ୍‌ ରହିଛି। ଭାଜପାକୁ ସେତେବେଳେ ମାତ୍ର ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନରେ ୪୨ ଲୋକ ସଭା ଆସନ ମଧ୍ୟରୁ ଟିଏମ୍‌ସି ୨୨ ଆସନରେ ସଫଳତା ପାଇଥିବାବେଳେ ଭାଜପା ୧୮ ସିଟ୍‌ ଦଖଲ କରିବାରେ ସକ୍ଷମ ହୋଇଥିଲା। ଇତିମଧ୍ୟରେ ବିଧାନସଭାରେ ମଧ୍ୟ ଭାଜପାର ବଳ ବୃଦ୍ଧି ଘଟି ଆସନ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ଏବେ ବିହାର ବିଜୟ ପରେ ପଶ୍ଚିମବଙ୍ଗ ଉପରେ ଭାଜପାର ନଜର ରହିଛି। ନିକଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ଦିଦିଙ୍କୁ ତାଙ୍କ ଗଡ଼ରେ ଚ୍ୟାଲେଞ୍ଜ କରିଥିଲେ। ଶାହା କହିଥିଲେ, ପଶ୍ଚିମବଙ୍ଗର ସୀମା ସୁରକ୍ଷିତ ନ ଥିବା ଯୋଗୁ ଅନୁପ୍ରବେଶ ଜାରି ରହିଥିବାରୁ ରାଜ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହେବ। ମମତାଙ୍କ ୧୦ ବର୍ଷର ଶାସନରେ ରାଜ୍ୟରେ ଭାଜପା ନେତା ଓ କର୍ମୀଙ୍କୁ ହତ୍ୟା କରାଯାଉଛି। ତେଣୁ ପରିବର୍ତ୍ତନ ଆବଶ୍ୟକ। ଏହା ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ପଶ୍ଚିମବଙ୍ଗରେ କେନ୍ଦ୍ରର ସିଏଏ ଆଭିମୁଖ୍ୟକୁ ଦୋହରାଇଥିଲେ। ଭାଜପାର ପରବର୍ତ୍ତୀ ଟାର୍ଗେଟରେ ମମତା ବାନାର୍ଜୀ ଥିବା ଏଥିରୁ ସ୍ପଷ୍ଟ ହେଉଛି।
ବିହାର ବିଧାନସଭା ନିର୍ବାଚନରେ ସୀମାଞ୍ଚଳର ଆମୋର, ବାହାଦୁରଗଞ୍ଜ, କୋଚଧମନ, ବୈସି ଓ ଜୋକିହାଟ ଆସନରେ ଏଆଇଏମ୍‌ଆଇଏମ୍‌ ପ୍ରାର୍ଥୀ ବିଜୟୀ ହେବା ପରେ ଓଓ୍ବାଇସି ମଧ୍ୟ ପଶ୍ଚିମବଙ୍ଗ ମୁହଁା ହୋଇଛନ୍ତି। ସୀମାଞ୍ଚଳ ହେଉଛି ମୁସଲମାନ ବହୁଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ସଂଲଗ୍ନ ଅଞ୍ଚଳ। ଏହି ଅଞ୍ଚଳରେ ୩୩% ମୁସ୍‌ଲିମ ଭୋଟର ରହିଛନ୍ତି। ଏହାର ପଡ଼ୋଶୀ ଜିଲା ମୁର୍ଶିଦାବାଦରେ ୬୬%, ମାଲଦାରେ ୫୧%, ଉତ୍ତର ଦିନାଜପୁରରେ ୫୦%, ବୀରଭୂମରେ ୩୭%, ଦକ୍ଷିଣ ୨୪ ପ୍ରଗଣାରେ ୩୫% ସଂଖ୍ୟାଲଘୁ ଭୋଟର ଥିବାରୁ ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ହାଇଦ୍ରାବାଦ ଏମ୍‌ପି ସ୍ପଷ୍ଟ କରିଛନ୍ତି। ଫଳରେ ଟିଏମ୍‌ସିର ପାରମ୍ପରିକ ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଗତ ୧୦ ତାରିଖରେ ନନ୍ଦିଗ୍ରାମରେ ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨୦୦୭ରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଭୂମି ଉଚ୍ଛେଦ ପ୍ରତିରୋଧ କମିଟିର ଶହୀଦଙ୍କୁ ସମ୍ମାନ ଦେବା ପାଇଁ ଏକ ବଡ଼ ସଭାର ଆୟୋଜନ କରିଥିଲେ। ନନ୍ଦିଗ୍ରାମ ଦିବସର ତ୍ରୟୋଦଶ ବର୍ଷପୂର୍ତ୍ତି ଅବସରରେ ସେହି ମଞ୍ଚରୁ ସେ ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ କରିଥିଲେ। କହିଥିଲେ, ତୁମକୁ ଯୁଦ୍ଧଭୂମିରେ ଦେଖିନେବି। ତୁମ ସହ ଏକ ରାଜନୈତିକ ମଞ୍ଚରେ ମୁକାବିଲା ହେବ। ଏନେଇ ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମମତାଙ୍କ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ବିପକ୍ଷରେ ଯାଇ ଶୁଭେନ୍ଦୁ ଭାଜପାକୁ ସାହାଯ୍ୟ କରୁଛନ୍ତି। ତେବେ ଶାସକ ତୃଣମୂଳ କଂଗ୍ରେସର ଏହି ଅଭିଯୋଗ ସତ ହୋଇଥିଲେ ବାମପନ୍ଥୀଙ୍କ ୩୪ ବର୍ଷ ଶାସନର ଅନ୍ତ ଘଟାଇ କ୍ଷମତାସୀନ ହୋଇଥିବା ମମତା ଆଗକୁ କଡ଼ା ଆହ୍ବାନକୁ ସାମ୍ନା କରିପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?