ଛତ୍ରପୁର, ୧୬।୧୧ (ଦିଲୀପ ସାମଲ): ଜାତୀୟ ସ୍ତରୀୟ ଟାଇକୋଣ୍ଡା ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲା ପାଇଁ ଗୌରବ ଆଣିଛନ୍ତି ସିଦ୍ଧିକୃଷ୍ଣା ମଲ୍ଲ। ବ୍ରହ୍ମପୁରସ୍ଥିତ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଇନ୍ଡୋର ଷ୍ଟାଡିୟମ୍ଠାରେ ଟାଇକୋଣ୍ଡା ଏକାଡେମୀ, ବ୍ରହ୍ମପୁର ପକ୍ଷରୁ ଆୟୋଜିତ ଏହି ଜାତୀୟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାର ସିନିୟର ବିଭାଗରେ ସିଦ୍ଧିକୃଷ୍ଣା ଚମତ୍କାର ପ୍ରଦର୍ଶନ କରି ମୋଟ ୩ଟି ପଦକ ହାସଲ କରିଛନ୍ତି। ସେ ‘ଇଣ୍ଡିଭିଜୁଆଲ୍ ରେକଗ୍ନାଇଜ୍ଡ୍ ପୁମ୍ସେ’ ଏବଂ ‘ସ୍ପିଡ୍ କିକିଂ’ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ‘କ୍ୟୁରୋଗି’ ବିଭାଗରେ ରୌପ୍ୟ ପଦକ ହାସଲ କରି ନିଜର କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛନ୍ତି।
ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ନିଜର ଏହି କୃତିତ୍ୱର ଶ୍ରେୟ ସେ ନିଜ ପରିବାରବର୍ଗ ଓ ପ୍ରଶିକ୍ଷକ ରୋଶନ ସାର୍ଙ୍କୁ ଦେଇଛନ୍ତି। ସିଦ୍ଧିକୃଷ୍ଣାଙ୍କ ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ସାଜିବ।

