ମୁଣ୍ଡ ପିଟିବା

ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ କୌଣସି ଏକ ସ୍ଥାନର ପ୍ରଦୂଷଣକୁ ମପା ଯାଇଥାଏ। ଶୂନରୁ ୫୦ ଯାଏ ‘ଉତ୍ତମ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’ ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ଅସମ୍ଭାଳ’ ଭଳି ବାୟୁ ପ୍ରଦୂଷଣକୁ ବର୍ଗୀକରଣ କରାଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ଭାରତର ରାଜଧାନୀ ଦିଲ୍ଲୀ ଅସମ୍ଭାଳ ସ୍ତରରେ ପହଞ୍ଚିଛି। ୧୫ ନଭେମ୍ବରରେ ଏହା ୪୬୯ ସ୍ତରରେ ରହିଥିଲା। ଏଥିରୁ ଅନୁମାନଯୋଗ୍ୟ ଯେ ସେଠାକାର ବାସିନ୍ଦା କେଉଁଭଳି ଅବସ୍ଥାରେ ବଞ୍ଚୁଥିବେ। ଚଳିତ ବର୍ଷ ଦୀପାବଳି ସମୟରେ ଆତସବାଜି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ସତ୍ତ୍ୱେ କାଁଭାଁ ବାଣ ଫୁଟିବାରୁ ଦିଲ୍ଲୀ ଓ ଏହାର ଆଖପାଖ ବାୟୁମଣ୍ଡଳ ପ୍ରଦୂଷିତ ହୋଇଯାଇଛି। ନଭେମ୍ବର ଆସିଲେ ଭାରତରେ ବିଶେଷକରି ବାୟୁ ପ୍ରଦୂଷଣ ପ୍ରସଙ୍ଗ ଜୋରଦାର ଉଠେ। ଏହାର ଦୁଇ ମାସ ପରେ ଅର୍ଥାତ୍‌ ଫେବୃୟାରୀ ଆଡ଼କୁ ଏହି କଥା ଯେମିତି କାହାର ମନେପଡ଼େ ନାହିଁ। ଦେଖିବାକୁ ଗଲେ ଦୀପାଳବି ବର୍ଷକୁ ଥରେ ଆସେ। ତାହାଠାରୁ କାହିଁ କେତେ ଗୁଣରେ ପଞ୍ଜାବ, ହରିୟାଣା ଆଦି ଦିଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳରୁ ଖେତରେ ନଡ଼ାକୁ ପୋଡ଼ି ଦିଆଯିବା ପରେ ବାହାରୁଥିବା ଧୂଆଁ ଦ୍ୱାରା ସମଗ୍ର ବାୟୁମଣ୍ଡଳ ଆଚ୍ଛାଦିତ ହୋଇଯାଏ। ଏହି ଶୀତ ଦିନେ ସେହି ଧୂଆଁ ସହ କାକର ମିଶିଗଲେ ପ୍ରାତଃ ସମୟରେ ଲୋକେ ୧୦ ମିଟର ଭିତରେ ଦେଖିପାରି ନ ଥାଆନ୍ତି। କେତେକେ ନଡ଼ା ଧୂଆଁକୁ ଋତୁକାଳୀନ କହି ଏଡ଼ାଇ ଦେଉଛନ୍ତି। କିନ୍ତୁ ଏହାର କୁପ୍ରଭାବ ଲୋକଙ୍କ ଶ୍ୱାସପ୍ରକ୍ରିୟା ଉପରେ ଯଥେଷ୍ଟ ପଡ଼ୁଛି। ଏଥିସହିତ ଗ୍ରାମାଞ୍ଚଳରୁ ସହର ଯାଏ ଅନେକ ସ୍ଥାନରେ ରନ୍ଧନ ଗ୍ୟାସ୍‌ ସମସ୍ତଙ୍କୁ ଉପଲବ୍‌ଧ ହେଉ ନ ଥିବାରୁ ଗୋବର ଘଷି ଜାଳି ଲୋକେ ରୋଷେଇ କରିଥାଆନ୍ତି। ସବୁଠାରୁ ସାଂଘାତିକ ବିପଦ ସୃଷ୍ଟି କରୁଛି କୋଇଲା ପ୍ଲାଣ୍ଟଗୁଡ଼ିକ। ସେଥିରୁ ନିର୍ଗତ ବାଷ୍ପ ଓ ଗୁଣ୍ଡ ବାୟୁମଣ୍ଡଳକୁ ଅତ୍ୟଧିକ ଖରାପ କରିଦେଉଛି। ଏଭଳି ଶିଳ୍ପ ଓଡ଼ିଶାଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି। କେବଳ ବିକାଶର ଦ୍ୱାହି ଦିଆଯାଇ ସେଗୁଡ଼ିକୁ ଚାଲୁ ରଖାଯାଉଥିବାରୁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ପୁଣି ଗାଡ଼ିମୋଟରରୁ ନିର୍ଗତ ଧୂଆଁ ପ୍ରଦୂଷଣ ମାତ୍ରାକୁ ଢେର ବୃଦ୍ଧି କରିଚାଲିଛି। ଏ ବିଷୟ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଲୋକେ ସଚେତନ ହେଉନାହାନ୍ତି।
କୃଷିପ୍ରଧାନ ଦେଶ ଭାରତରେ ଯେବେଠାରୁ ଶିଳ୍ପକୁ ବହୁଳ ମାତ୍ରାରେ ଗୁରୁତ୍ୱ ଦିଆଗଲା ସେବେଠାରୁ ପ୍ରଦୂଷଣ ବଢ଼ିଚାଲିଛି। ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ଦରକାର। କିନ୍ତୁ ଜନବସତିଠାରୁ ଦୂରରେ ତଥା ଅନୁପଯୁକ୍ତ ଜମିରେ ସେଗୁଡ଼ିକ ସ୍ଥାପନ ହେବା ଦରକାର। କିନ୍ତୁ ଯୋଗାଯୋଗ ଓ ଗମନାଗମନକୁ ଆଳ ଦେଖାଇ ଶିଳ୍ପଗୁଡ଼ିକୁ ସହର ନିକଟରେ ପ୍ରତିଷ୍ଠା କରାଯାଉଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ୁଛି। ବିଶେଷକରି କୋଇଲାଚାଳିତ ଓ ରାସାୟନିକ କାରଖାନାରୁ ବହୁ ପରିମାଣର ଦୂଷିତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏଠାରେ ଭୋପାଳ ଗ୍ୟାସ୍‌ ବସ୍ଫୋରଣ କଥା ମନେପକାଇ ଦିଆଯାଇପାରେ। ବିସ୍ଫୋରଣ ଯୋଗୁ ସେଠାରେ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। କିନ୍ତୁ ତା’ଠାରୁ ଆହୁରି ମାରାତ୍ମକ ହୋଇଗଲାଣି ସେହିଭଳି କାରଖାନାଗୁଡ଼ିକୁ ସହର ମଧ୍ୟରେ ସ୍ଥାପନ କରିବା ଲାଗି ଅନୁମତି ଦିଆଯିବା। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଯାଏ ବାହାବା ନିଆଯାଉଛି କିଏ କେତେ ଶିଳ୍ପ ସ୍ଥାପନ ଲାଗି ବୁଝାମଣାପତ୍ରରେ ସ୍ବାକ୍ଷର କରୁଛନ୍ତି। କେହି କେବେ ପ୍ରଶ୍ନ କରୁନାହାନ୍ତି ଯେ ବଡ଼ ଓ ବିପଦପୂର୍ଣ୍ଣ କାରଖାନାଗୁଡ଼ିକୁ ଜନଗହଳି ଅଞ୍ଚଳରେ ସ୍ଥାପନ କରାଗଲେ କେତେ କ୍ଷତି ସହିବାକୁ ପଡ଼ିବ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ଆଧାରିତ ଶିଳ୍ପ ଗଢ଼ାଗଲେ ତାହାର କୁପ୍ରଭାବ ଲୋକଙ୍କ ଉପରେ ସେଭଳି ପଡ଼ି ନ ଥାଏ।
ଗୋଟେ ସମୟ ଥିଲା ପାଶ୍ଚାତ୍ୟ ଅର୍ଥନୀତି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଭାରତରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଇଥିଲା। ତାହାଦ୍ୱାରା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସହ ଅନେକାଂଶରେ ଆର୍ଥିକ ଦୃଷ୍ଟିରୁ ଲାଭ ମିଳିଛି। କିନ୍ତୁ ଏବେ ସମୟ ଆସିଲାଣି ପରିବେଶକୁ ଯଥାସମ୍ଭବ ପ୍ରଦୂଷଣମୁକ୍ତ ରଖି ବଞ୍ଚିବାକୁ ହେବ। ଶିଳ୍ପରେ ପୁଞ୍ଜି ନିବେଶଠାରୁ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ମୌଳିକ ଭିତ୍ତିଭୂମି ବା ସାମାଜିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଅଧିକ ଗୁରୁତ୍ୱ ବହନ କଲାଣି। ତାହା ହେଲେ ଯାଇ ପରିବେଶକୁ ନିର୍ମଳ ରଖିବା ଦିଗରେ ଏକ ପାଦ ଆଗକୁ ଯାଇପାରିବା। ନ ହେଲେ କେବଳ ମୁଣ୍ଡ ପିଟିବା ସାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ...

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ: ଆଦିବାସୀଙ୍କ ଅଧିକାର କେତେ ସୁରକ୍ଷିତ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି।...

ଏଇ ଭାରତରେ

ଲାଭ ଆଶାରେ ନୁହେଁ ବରଂ ଘରଗୁଡିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ଲାଗିଛନ୍ତି ହାଇଦ୍ରାବାଦ୍‌ର ଚାରିଜଣ ଉଚ୍ଚଶିକ୍ଷିତ ଯୁବକ। ବର୍ଜ୍ୟବସ୍ତୁକୁ ସେମାନେ...

ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ...

ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ କ୍ୟାଟେରିନା ସାକେଲାରୋପୋଲୋଉ ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୧୩ ମାର୍ଚ୍ଚ,୨୦୨୦ରେ ଶପଥ ନେଇଛନ୍ତି। ସେ ୫ ବର୍ଷ ପାଇଁ ଏହି...

ବଢ଼ୁଛି ଦୁର୍ନୀତିର ଦୈର୍ଘ୍ୟ-ପ୍ରସ୍ଥ

ଡ. ପ୍ରଫୁଲ୍ଲ କୁମାର ସାହୁ ସ୍ବାଧୀନତା ପରେ ଏକ ଦୁର୍ନୀତିମୁକ୍ତ ଆଦର୍ଶ ଭାରତ ଗଢ଼ିବା ଥିଲା ଗାନ୍ଧିଜୀଙ୍କର ସ୍ବପ୍ନ। ଅଥଚ ଆଜି ଦୁର୍ନୀତିର ପାହାଡ଼ ଉପରେ...

ଭାଷଣ ଓ ଭୋଟ

ଆକାର ପଟେଲ କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା...

ପ୍ରତିପାଳନ ଯତ୍ନ ଓ ଶିଶୁ

ଶୁଭନାରାୟଣ ଶତପଥୀ ପୌରାଣିକ କଥାବସ୍ତୁରୁ ଆମେ ଜାଣୁ ଯେ, ଦ୍ୱାପର ଯୁଗରେ ଦେବକୀନନ୍ଦନ ଶ୍ରୀକୃଷ୍ଣଙ୍କୁ ପ୍ରତିପାଳିତ କରୁଥିଲେ ମାଆ ଯଶୋଦା। ମାତା କୁନ୍ତୀ ତାଙ୍କ ମାନସ...

Advertisement
Archives

Model This Week