ବସନ୍ତ ପଞ୍ଚମୀ

ସୁଧିରାଜ ରାଉତ

ବ୍ରହ୍ମଦେବ ସୃଷ୍ଟି ସର୍ଜନା ସାରି ନିଜ ସୃଷ୍ଟିକୁ ଯେବେ ନିରେଖି ଦେଖିଲେ, ତାଙ୍କୁ ଲାଗିଲା ସବୁ ଗଢ଼ା ପରେ ବି ସବୁଠି ଭରି ରହିଛି ଉଦାସ ଆଉ ଉଦାସ, ସୃଷ୍ଟି ସତେଅବା ଉଦାସର ଏକ ଉପତ୍ୟକା। ଉଦିତ ସୂର୍ଯ୍ୟର ଆଭାରେ ଉଦାସ, ଚନ୍ଦ୍ରର ଜ୍ୟୋତ୍ସ୍ନାରେ ଉଦାସ। ପବନକୁ ପ୍ରବାହ ଆସୁନି, ପକ୍ଷୀଙ୍କୁ ଗୀତ ଆସୁନି, ମୟୂରକୁ ନୃତ୍ୟ ଆସୁନି, ଜୀବନକୁ ହସ ଆସୁନି, ଜଳ ଆଙ୍କିପାରୁନି ଇନ୍ଦ୍ରଧନୁ, ଫୁଲ ଆଙ୍କିପାରୁନି ସୁନ୍ଦରତା, ପ୍ରଜାପତି ଉଡ଼ି ଶିଖିନି, ବୃକ୍ଷ ପତ୍ରଝଡ଼ା ଶିଖିନି, ନଦୀ ଗତି ଶିଖିନି, ସମୁଦ୍ର ଲଂଘି ଶିଖିନି। ଲାଗୁଛି ନିଜେ ତମସ୍‌ ଉଦାସର ଉପତ୍ୟକାରେ ଗଢ଼ିଚାଲିଛି ରତିହୀନ ରାତି, ଋତୁହୀନ ରବି, ରଙ୍ଗହୀନ ରୂପ। ନିଜ ସୃଷ୍ଟିକୁ ଦେଖି ନିଜେ ଉଦାସ ହୋଇ ଉଠିଲେ ବ୍ରହ୍ମଦେବ। ଉପାୟ କ’ଣ ଉଦାସଙ୍କୁ ଅନ୍ତକରି ଉଲ୍ଲାସ ଆଣିବାକୁ? ବିଷ୍ଣୁ, ମହେଶଙ୍କ ସହ କଲେ ଚିନ୍ତନ ମନନ। ତ୍ରିଦେବ ପ୍ରାର୍ଥନା ମୁଦ୍ରାରେ ହେଲେ ଧ୍ୟାନମଗ୍ନ।
ଆବିର୍ଭୂତ ହେଲେ ଦେବୀ, ଅପସରିଗଲା ଉଦାସର ଅନ୍ଧାର, ସୂର୍ଯ୍ୟ ଶୁଭ୍ର ଦିଶିଲେ, ଚନ୍ଦ୍ର ତାରା ମେଳେ ଚମକିଲେ, ଦେବୀଙ୍କ ବୀଣାର ବିନ୍ଦୁଏ ମୂର୍ଚ୍ଛନାରେ ବେଦ ଶବ୍ଦ ରୂପ ନେଲା, ବାଣୀ ଓଁକାର ପାଇଲା, ପବନ ପ୍ରବହମାନ ହେଲା, ପକ୍ଷୀ ଗୀତ ଗାଇଲା, ମୟୂର ନୃତ୍ୟମନସ୍କ ହେଲା, ଜୀବନକୁ ଏବେ ହସ ଆସିଲା, ଜଳ ଆଙ୍କିଲା ଇନ୍ଦ୍ରଧନୁ, ଫୁଲ ଆଙ୍କିଲା ସୁନ୍ଦରତା, ପ୍ରଜାପତି ଉଡ଼ି ଶିଖିଲା, ବୃକ୍ଷରେ ନବପତ୍ର ପଲ୍ଲବିତ ହେଲା, ନଦୀ ଗତି ଶିଖିଲା, ସମୁଦ୍ର ଲଂଘି ଶିଖିଲା। ଏବେ ସବୁଠି ସତ୍ତ୍ୱର ଶୁଭ୍ରତା, ସୃଜନର ସଙ୍ଗୀତ, ରାତି ରତିମନସ୍କ ହେଲା, ଋତୁ ଏବେ ରବି ସହ ରାସ ରଚିଲା, ରଙ୍ଗସବୁ ରୂପ ଆଙ୍କିଲେ। ତିନି ଦେବ ପ୍ରଣାମ କଲେ ମା’ଙ୍କୁ। ଆଜି ବସନ୍ତ ପଞ୍ଚମୀ ସେଇ ପ୍ରଣାମର ଦିନ। ଏଇ ପ୍ରଣାମର ଦିନରେ ହେ ମଣିଷ!
ମା’ ଆମକୁ ସହାସ୍ୟରେ ଚାହିଁଛନ୍ତି, ସତେ ଅବା କହୁଛନ୍ତି କୁହ କ’ଣ ନେବ? ଆମ ନୀରବତାକୁ ମା’କରୁଣାର ଆଖିରେ ଚାହିଁଛନ୍ତି। ସେ ତ ଆଜି ଯାଏ ଆମ ଘରର ଇଷ୍ଟ ହୋଇନାହାନ୍ତି କିମ୍ବା ଆମ ହୃଦୟରେ ଆରାଧ୍ୟା ହୋଇନାହାନ୍ତି, ସେଥିପାଇଁ ମା’ଙ୍କର ସାମାନ୍ୟ କ୍ଷୋଭନାହିଁ ବରଂ କ୍ଷୋଭ ସବୁ ମା’ଙ୍କ ସତ୍ତ୍ୱ ଶୁଭ୍ରତାରୁ ରଙ୍ଗଆଣି କ୍ଷମାର ଛବି ଆଙ୍କୁଛନ୍ତି। ସେଇ ତୁଷାର ରଙ୍ଗର ଦେବୀ ହାତରେ ଧରିଛନ୍ତି ପୁସ୍ତକ, ଏହା କହୁଛି ଆମକୁ ଅଜ୍ଞାନରୁ ଅନ୍ଧାରରୁ ନେଇଯିବ ଜ୍ଞାନର ଆଲୋକ ଆଡ଼କୁ, ସ୍ପଟିକ ମାଳା କହୁଛି ତମସ୍‌କୁ ଭାଙ୍ଗିଦେଇ ଭରିଦେବ ଆମ ମଧ୍ୟେ ତପସ୍ୟାର ବଳ। ତାଙ୍କ ହାତର ବୀଣା କହୁଛି ବାଣୀରେ ଆଣିଦେବ ଆମ ସତ୍ୟ ପ୍ରକାଶର ସାମର୍ଥ୍ୟ ଆଉ ମଧୁରତାର ଛନ୍ଦ ଆଉ ଜୀବନ ସିଲଟରେ ଆଙ୍କିଦେବ ନବ ସୃଜନର ଚିତ୍ର। ଆଉ ଅନ୍ୟ ହସ୍ତେ ଧରିଥିବା ସେଇ କମଣ୍ଡଳୁର ପବିତ୍ର ଜଳ କହୁଛି – ଆସ ପୁତ୍ର ସବୁ କାଳିମାକୁ ଧୋଇ ଦେଇ କରିଦେବି କାଳିଦାସ, କରିଦେବି ଶୁଦ୍ଧ, ବୁଦ୍ଧ। ଏସବୁର ଆମକୁ ଏବେଯାଏ ଆବଶ୍ୟକ ଅନୁଭବ ହୋଇନି, ସେଥିପାଇଁ ସେ ଆମ କାହାର ଇଷ୍ଟ ନୁହନ୍ତି ତଥାପି ବସନ୍ତ ପଞ୍ଚମୀ ଏହା କହୁଛି – ମୁଁ ଅପେକ୍ଷା କରିଛି ପୁତ୍ର ତୋ ଆସିବାର ଶୁଭ ଲଗ୍ନକୁ।
ଏଇ ଶୁଦ୍ଧ ପବିତ୍ର ବସନ୍ତ ପଞ୍ଚମୀ ଆମ ଅଜାଣତରେ ଆହୁରି ଅନେକ କଥାକୁ ଲୁଚେଇ ରଖିଛି। ମା’ଙ୍କ ଆବିର୍ଭାବରେ ସୃଷ୍ଟି ଯେବେ ସୃଜନର ସଙ୍ଗୀତ ଗାଇଲା ବୈରାଗୀ ଶିବଶଙ୍କରଙ୍କ ମଧ୍ୟେ ସୃଜନର ସ୍ରୋତ ବି ବହିଲା। ପୁରାଣ କହେ ଏହିଦିନ ସଦାଶିବ ସୃଷ୍ଟିର ମଙ୍ଗଳ ପାଇଁ ବିବାହ ଲାଗି ହଁ କହିଲେ। ଏଇଦିନ ତାଙ୍କର ହଳଦୀ, ଚନ୍ଦନରେ ମଙ୍ଗଳନ ହୋଇଥିଲା ଆଉ ବିବାହ ଶିବରାତ୍ରି ଦିନ। ବସନ୍ତ ପଞ୍ଚମୀ ଏହା ବି କହେ- ଏଇଦିନ ଜୀବନ ମଧ୍ୟରେ ଜୀବନର ଚିତ୍ର ଆଙ୍କୁଥିବା କାମଦେବ ଆଉ ରତିଦେବୀଙ୍କ ମିଳନ ହୋଇଥିଲା, ଆଉ ଏହା ବି ମାନ୍ୟତା ଅଛି ଏଇ ଦୁଇ ଦୀପ୍ତିମୟ ସତ୍ତାଙ୍କୁ ଏହିଦିନ ଆରାଧନା କଲେ ଅପଡ଼ ପତି-ପତ୍ନୀଙ୍କ ସମ୍ପର୍କରେ ବସନ୍ତ ଫେରେ। କୁନ୍ଦର ମହକ, ବଉଳର ବାସ୍ନା, କୋଇଲିର ଗୀତ ଭରେ। ବସନ୍ତ ପଞ୍ଚମୀ ଆହୁରି ଅନେକ କଥା କହେ- ଏଇ ଦିନ ଫ୍ରାନ୍ସରେ ଶ୍ରୀମା ଜନ୍ମ ହୋଇଥିଲେ, ଯିଏ ଦିନେ ରାଜକୀୟ ଐଶ୍ୱର୍ଯ୍ୟ ଜୀବନକୁ ଛାଡ଼ି, ପ୍ୟାରିସ୍‌ର ପଟାନ୍ତର ଆକର୍ଷଣକୁ ଆଡ଼ି, ନିଜ ସମସ୍ତ ଆତ୍ମୀୟଙ୍କୁ ଅତିକ୍ରମ କରି ନୂଆ ସୃଜନର, ନୂଆ ଚେତନାର, ଅତିମାନବର ଚିତ୍ର ଆଙ୍କିବାକୁ ଭାରତର ପଣ୍ଡିଚେରୀକୁ ଚାଲି ଆସିଥିଲେ। ମା’ ଆସିଲେ ଶ୍ରୀଅରବିନ୍ଦ ଆଶ୍ରମ ଗଢ଼ାଗଲା, ପୃଥିବୀରେ ଅତିମାନବ ଆସିବାର ଶିଳାନ୍ୟାସ ହେଲା। ଏମିତି ଏହିଦିନ ଅନେକ କଥା କହେ- କିନ୍ତୁ ଯେଉଁ କଥାକୁ ନେଇ କଜିଆ କରିଛି ନିଜ ସହ, ଅନ୍ୟମାନଙ୍କ ସହ। କାଳିଦାସ କାହିଁକି ମା’ଙ୍କ ରୂପକୁ ଆଙ୍କୁ ଆଙ୍କୁ ରତିମଗ୍ନା ହେଲେ? କାହିଁକି ହୁସେନ୍‌ ମା’ଙ୍କ ଅଙ୍ଗରେ ଆତୁରତା, ଉଲଗ୍ନତାର ରଙ୍ଗ ମାଖିଲେ? ମା’ ସୃଜନର, କଳାର ଓ କାବ୍ୟର ମହାଦେବୀ। ମା’ଶୁଦ୍ଧର, ବୁଦ୍ଧିର, ବୋଧିର ମହାଦେବୀ କିନ୍ତୁ ମଣିଷର ସୃଜନର ଉଚ୍ଚତା ବା କେତେ? କାମନାର କାନଭାସ୍‌ରେ, ଆତୁରତାର ରଙ୍ଗରେ, ତୃଷ୍ଣାର ଶବ୍ଦରେ ସେ କିଭଳି ଆଙ୍କିପାରିବ ସତ୍ତ୍ୱର ଅଧିଷ୍ଠାତ୍ରୀ ମହାମାୟାଙ୍କୁ, ସୃଜନର ସବିତାଙ୍କୁ, ବୀଣାର ମନ୍ତ୍ର ନାଦକୁ? ଥରେ ଆଖି ଖୋଲି ଦେଖ ମା’ଙ୍କ ଆଗମନରେ ପର୍ବତ ଆଙ୍କେ କୁନ୍ଦର ଚିତ୍ର, ଶ୍ମଶାନ ଆଙ୍କେ ପଳାଶର ଚିତ୍ର, ପୁଷ୍କରିଣୀ ଆଙ୍କେ ପଦ୍ମର ଚିତ୍ର। କିନ୍ତୁ ମଣିଷ ? ମା’ଜାଣନ୍ତି ମଣିଷର ଅସାମର୍ଥ୍ୟକୁ, ତେଣୁ ତ ସେ କ୍ଷମାମୟୀ, ଅସୀମ ଧୈର୍ଯ୍ୟମୟୀ। ଦିନେ ମଣିଷ ଫେରିବ ଆଉ କହିବ – ମା’ ଆସ ! ପ୍ରକାଶ ହୁଅ ମୋ ମଧ୍ୟରେ ମୋ ଚିନ୍ତା ଚେତନାରେ, ମୋ ଜୀବନର ପ୍ରତିଛନ୍ଦରେ। ଋଷି ଶ୍ରୀଅରବିନ୍ଦ କହନ୍ତି ”ପୂର୍ଣ୍ଣାଙ୍ଗ ପୂର୍ଣ୍ଣତାରୁ କମ୍‌ କିଛି ତାଙ୍କୁ ତୃପ୍ତି ଦେଇପାରେ ନାହିଁ। ସୃଷ୍ଟିକୁ ସର୍ବାଙ୍ଗସୁନ୍ଦର କରିବାକୁ ଯଦି ଅନନ୍ତକାଳ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପ୍ରୟୋଜନ ହୁଏ ତାହା ସକାଶେ ସେ ପ୍ରସ୍ତୁତ।“ ଦିନେ ଏମିତି ଋଷିମାନେ ସରସ୍ବତୀ ନଦୀ କୂଳରେ ମା’ଙ୍କୁ ଆବାହନ କରୁଥିଲେ। ଏଇ ସରସ୍ବତୀ ନଦୀ ଆଜି ଲୁପ୍ତ। ଆମ ଅନ୍ତଃଚେତନାରେ ମଧ୍ୟ ଏ ବେଗବତୀ ସରସ୍ବତୀ ଲୁପ୍ତ। ଦିନେ ଆମ ଅନ୍ତରରେ ବହୁଥିବା ସରସ୍ବତୀ ବିଶ୍ୱାତୀତରୁ ବହି ଆଣୁଥିଲେ ବିଶ୍ୱ ମଧ୍ୟକୁ ସୃଜନର ସମ୍ଭାର, ଶୁଦ୍ଧତାର ସମୃଦ୍ଧି, ଶୁଭତ୍ୱର ସବିତା। ଆସ ! ଆଜି ଏଇ ଶୁଭ ଲଗ୍ନରେ ବସନ୍ତ ପଞ୍ଚମୀର ସବୁ ମୁହୂର୍ତ୍ତ ଦେବ ମୁହୂର୍ତ୍ତ। ଏଇ ଦେବ ମୁହୂର୍ତ୍ତରେ ମହେନ୍ଦ୍ର ବେଳାରେ ମହାମାୟା ମହାସରସ୍ବତୀଙ୍କୁ କହିବା ଆସ ମା ! ଆସ ! ଆମ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ।
ଇନ୍ଦ୍ରାବତୀ, ନବରଙ୍ଗପୁର
ମୋ – ୯୮୬୧୯୬୯୬୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri