
ଗଞ୍ଜାମ,୫।୭(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ବାହୁଡା ଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ତ୍ରିବେଣୀ ମଠ ଛକ ମାଉସୀ ମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇ ରଥ ଟଣା ହୋଇ ବଡ଼ ବଜାର ଜଗନ୍ନାଥ ମନ୍ଦିର ନିକଟକୁ ନିଆଯାଇଥିଲା। ପାରମ୍ପରିକ ବାଦ୍ୟ ବାଜଣା ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଫଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ରଥ ଟଣା ପରେ ଶ୍ରଦ୍ଧାଳୁ ମାନେ ତିନି ଦିଅଁ ଙ୍କୁ ଦର୍ଶନ କରିବା ସହ ଦୀପ ଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ପୁରୁଣା ଜଗନ୍ନାଥ ମନ୍ଦିର, ଧର୍ମଶାଳା ଜଗନ୍ନାଥ ମନ୍ଦିର ଓ ଚୌଧୁରୀ ସାହିରେ ମଧ୍ୟ ବାହୁଡା ଯାତ୍ରା ପାଳିତ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଲା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।