କହୁଛନ୍ତି ନିୟନ୍ତ୍ରଣ ନାହିଁ, ଅଟକିଛି କେମିତି?

ଭୁବନେଶ୍ୱର/ନୂଆଦିଲ୍ଲୀ, ୯।୩(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ପକେଟ ଖାଲି କରିବାରେ ଲାଗିଛି। ଅନେକ ରାଜ୍ୟରେ ପୋଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ଏହି ମୂଲ୍ୟ ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ୁଛି। ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦରଦାମ ମଧ୍ୟ ଆକାଶ ଛୁଉଁଛି। ତେବେ ଲଗାତର ବଢ଼ି ବଢ଼ି ଚାଲିଥିବା ତେଲ ଦରରେ ସପ୍ତାହେ ହେଲା ହଠାତ୍‌ ବ୍ରେକ୍‌ ଲାଗିଯାଇଛି। ଫେବୃୟାରୀ ୯ରୁ ୨୦ ପର୍ଯ୍ୟନ୍ତ କ୍ରମାଗତ ୧୨ ଦିନ ଧରି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ରେକର୍ଡ ସୃଷ୍ଟି କରିଥିଲା। ଫେବୃୟାରୀ ୨୭ରେ ପେଟ୍ରୋଲ ଲିଟର ପିଛା ୨୪ ଓ ଡିଜେଲ ଉପରେ ୧୬ ପଇସା ବୃଦ୍ଧି ଘଟିଥିଲା। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୧.୯୦ ଟଙ୍କା ଓ ଡିଜେଲ ୮୮.୭୮ ଟଙ୍କାରେ ପହଞ୍ଚତ୍ଲା। ସେବେଠୁ ସପ୍ତାହେ ହେଲା ତେଲ ଦର ଅପରିବର୍ତ୍ତିତ ରହିଛି। ଆଗକୁ ବଢ଼ୁନି କି ପଛକୁ ଘୁଞ୍ଚୁନାହିଁ। ଫେବୃୟାରୀ ୨୬ରେ ଭାରତର ନିର୍ବାଚନ କମିଶନ (ଇସିଆଇ)
୪ ରାଜ୍ୟ ପଶ୍ଚିମବଙ୍ଗ,ତାମିଲନାଡୁ, ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ସମ୍ଭବତଃ ଏଇଥିପାଇଁ ତେଲ ଦର ବଢ଼ୁନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଲ ଉପରେ ଆମ ନିୟନ୍ତ୍ରଣ ନାହିଁ ବୋଲି କେନ୍ଦ୍ର ସରକାର ଯେତେ ସଫେଇ ଦେଲେ ମଧ୍ୟ ତାହା ବିଶ୍ୱାସଯୋଗ୍ୟ ନ ହେବା ପଛରେ ଥିବା କାରଣଟି ଏହିପରି। ୨୦୨୦ ବିହାର ବିଧାନସଭା ନିର୍ବାଚନ ବେଳେ ସେପ୍ଟେମ୍ବର ୨୨ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ତେଲ ଦର ବଢ଼ି ନ ଥିଲା। ୨୦୨୦ ଦିଲ୍ଲୀ ବିଧାନସଭା ଭୋଟ ସମୟରେ ଜାନୁୟାରୀ ୧ରେ ପେଟ୍ରୋଲ ଲିଟର ୭୫.୧୪ ଟଙ୍କା ଥିଲା, ଯାହାକି ୧୧ ତାରିଖରେ ୭୧.୯୪ ଟଙ୍କାକୁ ଖସିଯାଇଥିଲା। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ନଭେମ୍ବର ୩୦ରେ ପେଟ୍ରୋଲ ଲିଟର ପିଛା ୭୪.୮୬ ଟଙ୍କାରେ ବିକ୍ରି ହେଉଥିଲା। ଡିସେମ୍ବର ୨୫ ବେଳକୁ ଏହା ୭୪.୬୩ ଟଙ୍କାକୁ ହ୍ରାସ ପାଇଥିଲା। ସେହିବର୍ଷ ଅକ୍ଟୋବର ୨ରୁ ୨୫ ତାରିଖ ମଧ୍ୟରେ ପେଟ୍ରୋଲ ୭୪.୬୧ ଟଙ୍କାରୁ ୭୩.୦୬ ଟଙ୍କାକୁ ହ୍ରାସ ପାଇବା ପଛରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନକୁ କାରଣ ଭାବେ ଦେଖାଯାଇଥିଲା। ୨୦୧୯ରେ ସାଧାରଣ ନିର୍ବାଚନ ହୋଇଥିଲା। ସେହି ସମୟରେ ଏପ୍ରିଲ ୬ ତାରିଖରେ ପେଟ୍ରୋଲ ଲିଟର ୭୨.୯୧ ଟଙ୍କା ଥିବାବେଳେ ମେ’ ୨୨ ବେଳକୁ ଏହା ୭୧.୧୭ ଟଙ୍କାକୁ ଖସିଯାଇଥିଲା। ତେଣୁ ନିର୍ବାଚନ ବେଳେ ତେଲ ଦର ନ ବଢ଼ିବା ଆକସ୍ମିକ ସଂଯୋଗ ନା କେନ୍ଦ୍ର ସରକାର ଭାଜପାକୁ ଫାଇଦା ଦେବା ପାଇଁ ଜାଣିଶୁଣି ଏପରି କରାଉଛନ୍ତି ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।
୨୦୨୧ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ବେଳେ ଦିଲ୍ଲୀ ସୀମାରେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀମାନଙ୍କୁ ଖୁସି କରିବାକୁ ଯାଇ କୃଷି ଭିତ୍ତିଭୂମି ଓ ବିକାଶ ସେସ୍‌ (ଏଆଇଡିସି) ଘୋଷଣା କରିଥିଲେ। ପେଟ୍ରୋଲ ଉପରେ ୨.୫ ଟଙ୍କା ଓ ଡିଜେଲ ଉପରେ ୪ ଟଙ୍କା ଲାଗୁ କରି ସରକାର ଯୁକ୍ତି ବାଢ଼ିଥିଲେ ଯେ ଉପଭୋକ୍ତାଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ତୈଳ ବିପଣନ କମ୍ପାନୀଗୁଡ଼ିକ ସହ କଥା ହୋଇ ଆମେ ତା’ର ବ୍ୟବସ୍ଥା କରିବୁ। ସେତେବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୬.୩୦ ଓ ଡିଜେଲ ୭୬.୪୮ ଟଙ୍କା ଥିଲା, ଯାହାକି ବର୍ତ୍ତମାନ ଯଥାକ୍ରମେ ୯୧.୧୭ ଏବଂ ୮୧.୪୭ ଛୁଇଁଛି। ମୁମ୍ବାଇରେ ଉଭୟ ଇନ୍ଧନ ୯୭.୫୭ ଏବଂ ୮୮.୬୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ଏପ୍ରିଲ ୨୯ରେ ବିଧାନସଭା ନିର୍ବାଚନ ଶେଷ ହେଉଥିବାରୁ ଏହି ସମୟ ମଧ୍ୟରେ ତେଲ ଦର ବୃଦ୍ଧି ଘଟି ନ ପାରେ ବୋଲି ସମୀକ୍ଷକମାନେ କହୁଛନ୍ତି।
ଅନ୍ୟପକ୍ଷେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍‌ ଅଏଲ୍‌ ବା ଅଶୋଧିତ ତେଲର ମୂଲ୍ୟ ସାମ୍ପ୍ରତି ବଢ଼ୁଥିବାରୁ ପେଟ୍ରୋଲ ଓ ଡିଜେଲ ଆଗକୁ ଆହୁରି ମହଙ୍ଗା ହୋଇପାରେ। ଆକାଶଛୁଆଁ ତେଲ ଦରକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଅତିରିକ୍ତ ଟିକସ ତୁରନ୍ତ ହଟାନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ଫଳରେ ମୋଦି ସରକାର ଉପରେ ଏକ୍ସାଇଜ୍‌ ଡ୍ୟୁଟି ବା ଉପତ୍ାଦ ଶୁଳ୍କ ପ୍ରତ୍ୟାହାର ଚାପ ବଢ଼ିବାରେ ଲାଗିଛି। ତେବେ ଅର୍ଥ ଓ ତୈଳ ମନ୍ତ୍ରଣାଳୟ ମଧ୍ୟରେ ଏନେଇ ଚାଲିଥିବା ବିଚାରବିମର୍ଶ ଉପରେ ସହମତି ପ୍ରକାଶ ପାଇପାରି ନାହିଁ। ଫଳରେ ଭାରତୀୟ ଉପଭୋକ୍ତାଙ୍କୁ ଏତେଶୀଘ୍ର ଆଶ୍ୱସ୍ତି ମିଳି ନ ପାରେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦.୪୪ ଡଲାର ରହିଛି। ଏହା ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସରକାରଙ୍କ ମତରେ ରାଜସ୍ବ ସଂଗ୍ରହ ୧୪.୫% ହ୍ରାସ ପାଇଥିବାବେଳେ ଖର୍ଚ୍ଚ ୩୪.୫% ବଢ଼ିଛି। ଭାରତର ଋଣ-ମୋଟ ଘରୋଇ ଉପତ୍ାଦ(ଜିଡିପି) ଅନୁପାତ ୮୭%ରେ ଥିବାବେଳେ କେନ୍ଦ୍ର ଏକୁଟିଆ ଆଶ୍ୱସ୍ତି ଦେଇପାରିବ ନାହିଁ। ତେଣୁ ରାଜ୍ୟ ସରକାରମାନେ ଟିକସ ହ୍ରାସ କରିବା ଉଚିତ ବୋଲି କେନ୍ଦ୍ର କହୁଛି। ସେପଟେ ରାଜ୍ୟ ସରକାରମାନଙ୍କ ହାତ ମଧ୍ୟ ବାନ୍ଧି ହୋଇଯାଇଛି। ପ୍ରତି ୧୦୦ ଟଙ୍କା ତେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ ଡିଲର କମିଶନ ଯୋଡ଼ିଲେ ୬୫ ଟଙ୍କା ହେଉଛି। ଏଥିରୁ ୩୭ ଟଙ୍କା କେନ୍ଦ୍ର ପାଉଛି ଓ ୨୩ ଟଙ୍କା ଉପରେ ରାଜ୍ୟର ଅଧିକାର ରହିଛି। କରୋନା ଲକ୍‌ଡାଉନ୍‌ ସମୟରେ ଅନ୍ତର୍ଜାତୀୟ ବଜାରରେ ତେଲର ବେସିକ୍‌ ପ୍ରାଇସ୍‌ ଅତି ତଳକୁ (୨ ଦଶନ୍ଧିରେ ସର୍ବନିମ୍ନ) ଖସି ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚତ୍ଥିଲା। ସେତେବେଳେ ଲୋକେ ତେଲ ଦର କମିବ ବୋଲି ଆଶା କରିଥିଲେ। କିନ୍ତୁ ୨୦୨୦ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ କେନ୍ଦ୍ର ସରକାର ୨ଟି କସ୍ତିରେ ପେଟ୍ରୋଲ ଉପରେ ୧୩ ଓ ଡିଜେଲ ଲିଟର ପିଛା ୧୬ ଟଙ୍କା ଉପତ୍ାଦ ଶୁଳ୍କ ବଢ଼ାଇଥିଲେ। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଶସ୍ତା ଥାଇ ମଧ୍ୟ ଭାରତରେ ବଢ଼ି ବଢ଼ି ଚାଲିଥିଲା। ଏବେ ମୂଳ ମୂଲ୍ୟରେ ୮୦% ବୃଦ୍ଧି ଘଟି ବ୍ୟାରେଲ ପ୍ରତି ୬୭ ଡଲାର ଉପରେ ଥିବାରୁ ତେଲ ମହଙ୍ଗା ହୋଇଛି।
କିପରି ଶସ୍ତା ହୋଇପାରିବ
ପେଟ୍ରୋଲ, ଡିଜେଲ ମୂଲ୍ୟ ବୋଝ ହ୍ରାସ କରିବା ପାଇଁ ବିଶେଷଜ୍ଞମାନେ କେତେକ ଉପାୟ ବତାଇଛନ୍ତି। ପ୍ରଥମତଃ ତେଲ ଉପରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଉପତ୍ାଦ ଶୁଳ୍କ ହ୍ରାସ କରିବାକୁ ପଡ଼ିବ। ଦ୍ୱିତୀୟରେ ଏଲ୍‌ପିଜି ଭଳି ପେଟ୍ରୋଲ ଓ ଜିଜେଲରେ ସବ୍‌ସିଡି ଦିଆଯାଉ। ଅବଶ୍ୟ ଏଲପିଜି ଉପରେ ଦିଆଯାଉଥିବା ସବ୍‌ସିଡି ଅତି ନଗଣ୍ୟ ରହିଛି। ତୃତୀୟ ବିକଳ୍ପ ହେଉଛି ତେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନକୁ ଅଣାଯାଉ। କିନ୍ତୁ ଏହା ଏକ ରାଜନୈତିକ ପ୍ରସଙ୍ଗ। କାରଣ ରାଜ୍ୟ ସରକାରମାନେ ଗୋଟିଏ ସର୍ତ୍ତରେ ଜିଏସ୍‌ଟି ବିଲ୍‌ ଉପରେ ରାଜି ହୋଇଥିଲେ। ତାହା ହେଉଛି ମଦ ଓ ତେଲକୁ ଜିଏସ୍‌ଟି ପରିସର ବାହାରେ ରଖାଯିବ। ୨୦୧୭ ଜୁଲାଇ ୧ରୁ ପ୍ରଚଳିତ ଜିଏସ୍‌ଟିର ୪ ସ୍ଲାବ୍‌ ମଧ୍ୟରୁ ସବୁଠୁ ଉଚ୍ଚ ହାର ହେଉଛି ୨୮%। ଏସ୍‌ବିଆଇ ଅର୍ଥନୀତିଜ୍ଞମାନଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ କର ପ୍ରତ୍ୟାହାର କରି ତେଲ ଉପରେ ଜିଏସ୍‌ଟି ଲାଗୁ କରିବା ଉଚିତ। ଏପରି କରାଗଲେ ସାରା ଦେଶରେ ଇନ୍ଧନର ମୂଲ୍ୟ ସମାନ ରହିବ। ପେଟ୍ରୋଲ ୭୫ ଓ ଡିଜେଲ ୬୮ ଟଙ୍କାରେ ମିଳିପାରିବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ କେବଳ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାନି ହେବ, ଯାହାକି ଜିଡିପିର ୦.୪% ।
ଇତିମଧ୍ୟରେ ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ଓ ମେଘାଳୟ ତେଲ ଉପରୁ ମୂଲ୍ୟ ଯୁକ୍ତ ଟିକସ (ଭାଟ୍‌) କମାଇ ଲୋକଙ୍କୁ କିଛି କିଛି ଆଶ୍ୱସ୍ତି ଦେଇଛନ୍ତି। ରାଜସ୍ଥାନ ଜାନୁୟାରୀ ୨୯ରେ ଭାଟ୍‌କୁ ୩୮% ରୁ ୩୬% କରିଛି। ଆସାମ ଫେବୃୟାରୀ ୧୨ରେ ୫ ଟଙ୍କା ଟିକସ କମ୍‌ କରିଥିବାବେଳେ ମେଘାଳୟ ସବୁଠୁ ବେଶି ସୁବିଧା ଦେଇଛି। ସେଠାକାର ସରକାର ପେଟ୍ରୋଲ ଉପରେ ୭.୪୦ ଓ ଡିଜେଲ ଉପରେ ୭.୧୦ ଟଙ୍କା କମ୍‌ କରିଛନ୍ତି। ସଂଗୃହୀତ ଟିକସ ଅର୍ଥରୁ ବିକାଶ କାର୍ଯ୍ୟ କରାଯାଉଥିବାରୁ କେନ୍ଦ୍ର କିମ୍ବା ସବୁ ରାଜ୍ୟ ଏହାକୁ ହଟାଇ ପାରୁନାହାନ୍ତି। କେତେଜଣ ବିଶେଷଜ୍ଞଙ୍କ ମତ ହେଉଛି, ଭାରତ ତେଲ ପାଇଁ ନିଜସ୍ବ ଷ୍ଟ୍ରାଟେଜିକ୍‌ ରିଜର୍ଭ ଭଣ୍ଡାର ବଢ଼ାଇବା ଉଚିତ। ବର୍ତ୍ତମାନ ଦେଶରେ ସମ୍ପୂର୍ଣ୍ଣ ଭାବେ ତେଲ ଆମଦାନୀ ବନ୍ଦ ହୋଇଗଲେ ନିଜସ୍ବ ଭଣ୍ଡାରେ ଥିବା ତେଲ ମାତ୍ର ୧୦ ଦିନ ମଧ୍ୟରେ ଶେଷ ହୋଇଯିବ। ତେଣୁ ସରକାର ଏହି ଅବଧିକୁ ଅନୂ୍ୟନ ୯୦ ଦିନକୁ ବଢ଼ାଇବା ପାଇଁଁ ଉଦ୍ୟମ ଆରମ୍ଭ କରିଛନ୍ତି। ଷ୍ଟ୍ରାଟେଜିକ୍‌ ରିଜର୍ଭ ଜରୁରୀ ପରିସ୍ଥିତି ପାଇଁ ଉଦ୍ଦିଷ୍ଟ। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ବିଭ୍ରାଟ କିମ୍ବା ଯୁଦ୍ଧ କାରଣରୁ ତେଲ ଦରରେ ନିଆଁ ଲାଗିଲେ ଭଣ୍ଡାରରେ ଗଚ୍ଛିତ ତେଲକୁ ବ୍ୟବହାର କରାଯାଇ ପାରିବ। ବିଶ୍ୱରେ ସବୁଠୁ ବଡ଼ ଭଣ୍ଡାର ଆମେରିକା ପାଖରେ ରହିଛି। ଆମେରିକା ଓ ଚାଇନା ପରେ ଭାରତ ହେଉଛି ତୃତୀୟ ବୃହତ୍‌ ତେଲ ଆମଦାନିକାରୀ ଦେଶ। ଭାରତରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଆବଶ୍ୟକତାଠାରୁ ବହୁତ କମ୍‌ ଅଛି। ଏଥିପାଇଁ ଗତ ବର୍ଷ ଭାରତକୁ ୮୫% ପେଟ୍ରୋଲିୟମ ଉପତ୍ାଦ ବିଦେଶରୁ ଆମଦାନୀ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?