ନୂଆଦିଲ୍ଲୀ,୨୦।୧୧(ପି.ଟି.): ଆଇଡିବିଆଇ ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ କାନାଡାର ‘ଫେୟାରଫାକ୍ସ ଫାଇନାନ୍ସିଆଲ ହୋଲ୍ଡିଂସ’କୁ ବିକ୍ରି କରିଦେବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଓ ସଂଘ ପକ୍ଷରୁ ବିରୋଧ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧକରି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ଆସନ୍ତା ଡିସେମ୍ବର ୩ରେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି।
ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ (ଏଆଇବିଇଏ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇବିଓଏ) ଏବଂ ବ୍ୟାଙ୍କ ଏମ୍ପ୍ଲଇଜ ଫେଡେରେଶନ ଅଫ୍ ଇଣ୍ଡିଆ (ବିଇଏଫ୍ଆଇ)ର ପ୍ରାୟ ୨.୫ ଲକ୍ଷ କର୍ମଚାରୀ ଓ ଅଧିକାରୀ ଏହି ଧର୍ମଘଟରେ ସାମିଲ ହେବେ ବୋଲି
ଗୁରୁବାର ଜାରି କରାଯାଇଥିବା ଏକ ମିଳିତ ବିବୃତିରେ କୁହାଯାଇଛି। ଅଲ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ଆସୋସିଏଶନ ଏବଂ ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏଶନକୁ ନେଇ ଗଠିତ ‘ୟୁନାଇଟେଡ୍ ଫୋରମ ଅଫ୍ ଆଇଡିବିଆଇ ଅଫିସର୍ସ ଆଣ୍ଡ ଏମ୍ପ୍ଲୋଇଜ’ ଦ୍ୱାରା ଧର୍ମଘଟ ଡାକରାକୁ ସମର୍ଥନ ଜଣାଇ ଏହି ପଦକ୍ଷେପ ନିଆଯାଇଛି।
ଉଲ୍ଲେଖଯୋଗ୍ୟ , ଗତ ମାସ ୧୪ରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଇଡିବିଆଇ ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ ଫେୟାରଫାକ୍ସକୁ ବିକ୍ରିକରିବା ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା। ବ୍ୟାଙ୍କରେ ଥିବା କେନ୍ଦ୍ର ସରକାରଙ୍କ ୩୦.୪୮% ଏବଂ ଭାରତୀୟ ଜୀବନ ବୀମା ନିଗମର ୩୦.୨୪% ଅଂଶଧନକୁ ମୋଟ ୫୨,୮୭୮ କୋଟି ଟଙ୍କାରେ ବିକ୍ରି କରିବାକୁ ଅନୁମୋଦନ ଦିଆଯାଇଥିଲା। ଫଳରେ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ କାନାଡୀୟ କମ୍ପାନୀ ଅଧୀନକୁ ଚାଲିଯିବାକୁ ବସିଛି।

