ଅଶ୍ୱତ୍‌ଥମା ହତଃ

ଡ. ନିରଞ୍ଜନ ମିଶ୍ର

ଗାଲୁଆଙ୍କ ବାରବାଟି ଚାଷ’- ଏମିତି ଏକ କଥା ଓଡ଼ିଆରେ ଅଛି। ମହାଭାରତରେ ବାସୁଦେବ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ‘ଅଶ୍ୱତ୍‌ଥମା ହତଃ’ ଉଚ୍ଚସ୍ବରରେ ଓ ‘ନରେ ବା କୁଞ୍ଜରେ’ କ୍ଷୀଣ ସ୍ବରରେ କହିବାକୁ ବାଧ୍ୟ କରିଥିଲେ। ସଦାବେଳେ ସତ କହୁଥିବା ଯୁଧିଷ୍ଠିରଙ୍କ କଥାରୁ ଦ୍ରୋଣାଚାର୍ଯ୍ୟ ନିଶ୍ଚିତ ହୋଇଗଲେ ଯେ, ତାଙ୍କ ପୁଅ ଅଶ୍ୱତ୍‌ଥମାର ମୃତ୍ୟୁ ଘଟିଛି। ତେଣୁ ସେ ଭାଙ୍ଗି ପଡ଼ିଲେ। କିନ୍ତୁ ପ୍ରକୃତରେ ସେହି ନାମଧାରୀ ଏକ ହାତୀ ମରିଥିଲା। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ନିଧନ କରିବା ପାଇଁ ଏଭଳି ଏକ ଅର୍ଦ୍ଧସତ୍ୟ ବା ଗାଲୁଆମି କରିବାର ଆବଶ୍ୟକତା ଥିଲା ବୋଲି ବ୍ୟାସଦେବ ବର୍ଣ୍ଣନା କରିଛନ୍ତି। ମହାଭାରତ ଯୁଦ୍ଧକୁ ଆମେ ଧର୍ମଯୁଦ୍ଧ ବୋଲି କହୁ। କିନ୍ତୁ ଯାବତୀୟ ବେନିୟମ କାମ ଏଠି ଦେଖିବାକୁ ମିଳେ। ସୁଦର୍ଶନ ଚକ୍ରକୁ ବ୍ୟବହାର ନ କରିବା ପାଇଁ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନ ଓ ଅର୍ଜୁନଙ୍କୁ କଥା ଦେଇଥିଲେ। କିନ୍ତୁ ଆମେ ଶୁଣିଛୁ ଯେ, ପ୍ରଥମେ ସୁଦର୍ଶନ ଚକ୍ରରେ ସେ ବେଲାଳସେନର ମୁଣ୍ଡକୁ କାଟିଲେ। ସର୍ବଶେଷରେ ବେଲାଳସେନ କହିଛି ଯେ, ଏକ ଚକ୍ର ସମସ୍ତଙ୍କୁ ମାରିଛି। ସ୍ତମ୍ଭରେ ଥାଇ ସେ ଅଠର ଦିନ ଏସବୁ ଦେଖିଛି। ଏବେ ତ ଅସଲ ମହାଯୁଦ୍ଧ ଚାଲିଛି ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ। ଏ ଆଲେଖ୍ୟ ଲେଖା ହେଲା ବେଳକୁ ଅଶୀଦିନ ବିତିଗଲାଣି। ୟୁକ୍ରେନ୍‌ର ନିରୀହ ଲୋକମାନେ ରକ୍ତନଦୀ ସନ୍ତରଣ କରୁଛନ୍ତି। ଫିନ୍‌ଲାଣ୍ଡକୁ ମାତ୍ର ଦଶ ସେକେଣ୍ଡରେ ଓ ଇଂଲଣ୍ଡକୁ ତିନି ମିନିଟ୍‌ରେ ଉଡ଼େଇଦେବେ ବୋଲି ପୁଟିନ୍‌ ଦମ୍ଭୋକ୍ତି କରୁଛନ୍ତି। ସଦ୍ଦାମ ହୁସେନ ରୁଷିଆରୁ ସ୍କଡ୍‌ ମିସାଇଲ କିଣି ବ୍ୟବହାର କରୁଥିଲେ। ତାକୁ ଆମେରିକା ପାଟ୍ରିୟଟ ମିସାଇଲରେ ଆକାଶରେ ଧ୍ୱଂସ କରି ଦେଇଥିଲା। ଏକଥା ପୁଟିନ୍‌ ଭୁଲିଗଲେ କି? ଉଭୟ ଜେଲେନ୍‌ସ୍କି ଓ ପୁଟିନ୍‌ଙ୍କ ଗାଲୁଆମି ଏ ଯୁଦ୍ଧ ସମୟରେ ଶୁଣି ଶୁଣି ଆମ କାନ ବଧିରା ହୋଇଗଲାଣି।
କିଛି ନ ଜାଣି ସବୁ ଜାଣିଲା ପରି କହିବା ଓ ସବୁ ଜାଣି କିଛି ନ ଜାଣିଲା ପରି ରହିବା- ଉଭୟ ଅବସ୍ଥାକୁ ‘ଗାଲୁଆମି’ କୁହାଯାଇପାରିବ। ଏ ପ୍ରସଙ୍ଗରେ ଏକ ସୁନ୍ଦର ଗପ ଅଛି। ଥରେ ଜଣେ ଗୁରୁ ଓ ଶିଷ୍ୟ ଶଗଡ଼ରେ ଯାଉଥିଲେ। ଗୁରୁ କହିଲେ, ସେ କ୍ଳାନ୍ତ ଓ ତାଙ୍କ ଜିନିଷ ଦେଖିବାକୁ କହି ଘୁମେଇଲେ। କିଛି ବାଟ ଗଲାପରେ ଠନ୍‌ କରି ଏକ ଶବ୍ଦ ହେବାରୁ ସେ କହିଲେ, ‘କଣ ହେଲା।’ ଶିଷ୍ୟଟି କହିଲା, ”ଆପଣଙ୍କ କମଣ୍ଡଳୁଟି ପଡ଼ିଗଲା ଓ ମୁଁ ଦେଖୁଚି।“ ତା’ପରେ ଗୁରୁ ସବୁ ଜିନିଷ ଗୋଟେଇ ଦେବାକୁ ପରାମର୍ଶ ଦେଲେ। ବଦହଜମି ଯୋଗୁ ବଳଦମାନଙ୍କ ଛେରା ଫିଟିଲା ଓ ଶିଷ୍ୟଟି ତରଳ ଗୋବରକୁ ଆଞ୍ଜୁଳା ଆଞ୍ଜୁଳା କରି ଶଗଡ଼ ଉପରକୁ ଫିଙ୍ଗିଲା। ଗୁରୁଙ୍କ ଦେହ ଅସନା ହେଲା। ତେଣୁ କ’ଣ ଜିନିଷ ସେ ଗୋଟେଇବ ତା’ର ଏକ ଲିଷ୍ଟ ସେ କଲେ। ଗଡ଼ାଣିରେ ଶଗଡ଼ ଗତି ବଢ଼ିଲା ଓ ଅଙ୍କାବଙ୍କା ରାସ୍ତାରେ ଗୁରୁ ଖସିପଡ଼ିଲେ ଓ ଚିତ୍କାର କଲେ, ”ଆରେ ମୁଁ ପଡ଼ିଗଲିରେ! ଶଗଡ଼ ରଖ୍‌୍‌। ମୁଁ ବୁଢ଼ା ଲୋକ, କୁଆଡ଼େ ଯିବି?“ ଶିଷ୍ୟଟି ପାଟି କରି କହିଲା, ”ଆଜ୍ଞା, ଆପଣଙ୍କ ନଁା ଲିଷ୍ଟରେ ନାହିଁ।“
ଏଥର ଆମର ଗଣତନ୍ତ୍ର ବିଷୟରେ ଆଖି ପକାଇବା। ଟି.ଏନ୍‌. ଶେସାନ୍‌ଙ୍କ ବେଳୁ ଆମ ଗଣତନ୍ତ୍ରରେ ନିର୍ବାଚନ ଟିକିଏ ଭଲରେ ହୋଇ ଆସୁଛି। ଆମ ନିର୍ବାଚିତ ଲୋକମାନେ ଆମର ସରକାର ଗଢ଼ୁଛନ୍ତି। କିନ୍ତୁ ‘ସୁଶାସନ’ ଏମାନଙ୍କ ଲିଷ୍ଟରେ ନାହିଁ। କଳେବଳେ କୌଶଳେ ଚୌକିରେ ବସିବା ଓ ପର ନିର୍ବାଚନରେ କେମିତି ଜିତିବେ ତା’ର ବ୍ୟବସ୍ଥା କରିବା ସେମାନଙ୍କ ଏକମାତ୍ର ଲକ୍ଷ୍ୟ। ଏବର ରାଜନୀତି ମୁଖ୍ୟତଃ ଏକ ବ୍ୟବସାୟ। ପିସି କାରବାର ଓ ଦୁର୍ନୀତି ସୀମା ଟପିଗଲାଣି। ଓ-ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ନ୍ୟୁଜ୍‌ଫୁଜ୍‌’ରେ ଏକ ଘଟଣା ଦେଖିବାକୁ ମିଳିଲା। ଛଅ କୋଟି ଟଙ୍କା ଖର୍ଚ୍ଚ ହୋଇ ଏକ ରାସ୍ତା ନିର୍ମାଣ ହେଲା। ଛଅ ମାସ ପରେ ଏଥିରେ ଚାଲିହେଉନି କି ସାଇକେଲରେ ଯାଇହେଉନି। ଚାରିଚକିଆ ଯାନମାନଙ୍କ ଗତିକୁ ଦେଖିଲେ ଆମ ମହାପ୍ରଭୁଙ୍କ ପହଣ୍ଡି ବିଜେ ମନେପଡ଼େ। ରାଜୀବ ଗାନ୍ଧୀ ଥରେ କହିଥିଲେ ଯେ, ପ୍ରତି ଟଙ୍କାରେ ପଞ୍ଚାଅଶୀ ପଇସା ବାଟମାରଣା ହେଉଛି। ଯଦି ଛଅ କୋଟି ଟଙ୍କାରେ ଏଭଳି ଦୁର୍ନୀତି ହେଉଛି ଶହ ଶହ କୋଟି ଟଙ୍କା ଯେଉଁ ଯୋଜନାରେ ଖର୍ଚ୍ଚ ହେଉଛି ସେଠି ନିଶ୍ଚୟ ଅନେକ ଲୋକ ମାଲାମାଲ ହେଉଥିବେ। ଏବେ ତ ପ୍ରତି ସପ୍ତାହରେ ଏକ ଏକ ନୂଆ ଯୋଜନା ହେଉଛି, ସରକାରଙ୍କ ଏମାନଙ୍କ ନାଁ ମନେଥିବ କି ନାହିଁ ସନ୍ଦେହ। ସରକାର କା ମାଲ ଦରିଆ ମେ ଡାଲ। ସରକାରରେ ଯେଉଁମାନେ ଅଛନ୍ତି, ସେମାନେ ସବୁ ଜାଣି ବି ଚୁପ୍‌ ରହନ୍ତି ଓ ବଞ୍ଚେଇଲା ପରି କଥା କହନ୍ତି। ଏହା ତ ଗାଲୁଆମିର ଲକ୍ଷଣ।
ଆମେ ଓଡ଼ିଆମାନେ ଟିକିଏ କଥାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରୁ। ଏକସ୍ତରି ମସିହାରେ ପୁରୀର ନମ୍ବର ଓ୍ବାନ୍‌ ହଷ୍ଟେଲରେ ଥିଲା ବେଳେ ଦିନେ ମୁଁ ସକାଳୁ ଏକ ଗୀତ ଶୁଣିଲି, ”ଜଗା କାଳିଆକୁ କାହିଁକି ଡାକ/ ସେ ତ ନୁହେଁ ତୁମ ଆପଣା ଲୋକ।“ ପରେ ଆମେ ଶୁଣିଲୁ ଶ୍ରୀମନ୍ଦିର ପ୍ରାତଃକାଳରେ କବାଟ ଫିଟା ପରେ ପ୍ରଥମ ସଙ୍ଗୀତଟି ବାଣୀକଣ୍ଠ ନିମେଇ ହରିଚନ୍ଦନ ଗାଇବେ ବୋଲି ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା। ଆମ ଓଡ଼ିଆ କବିମାନେ ମହାପ୍ରଭୁଙ୍କ ଗାଲୁଆମିକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। କବି ଲେଖିଛନ୍ତି- ”ଦୀନବନ୍ଧୁ ହୋ…. ତୁମେ ଡାକିଲେ ନ ଶୁଣ କାହିଁକି? କୃପାସିନ୍ଧୁ ହୋ…. ତୁମେ ଡାକିଲେ ନ ଶୁଣ କାହିଁକି?“….. ହଟିଆ ଠାକୁର ତୁମେ କେତେ ନାଟ ଦେଖିବ? ତାଙ୍କର ପାରିବାରିକ ଅଶାନ୍ତି ଯୋଗୁ ମହାପ୍ରଭୁ ଶ୍ରୀମନ୍ଦିରରେ ଦାରୁବ୍ରହ୍ମରୂପେ ବସିଛନ୍ତି: ”ସ୍ମାରଂ ସ୍ମାରଂ ସ୍ବଗୃହଚରିିତଂ ଦାରୁଭୂତୋ ମୁରାରି।“ ଜଗତର ନାଥଙ୍କ ଏହା ଏକ ପ୍ରକାର ‘ଗାଲୁଆମି’ ନୁହେଁ କି ? ସେ କରୁଣାର ସାଗର ଓ ଆମର ଏକମାତ୍ର ଆଶ୍ରୟ।
ସୁତରାଂ ଗାଲୁଆମିକୁ ଆମେ ଏକ ଖରାପ ଗୁଣ ବୋଲି କହିପାରିବା କି? ଏ ଗୁଣଟିକୁ ଆଶ୍ରୟ କରି ଅନେକ ରାଜନେତା ଓ ସାଧାରଣ ମଣିଷ ଅତ୍ୟନ୍ତ ସମ୍ମାନଜନକ ଜୀବନ ବିତାଇଛନ୍ତି। ବିଷୟଟି ସାରିବା ଆଗରୁ ଜଣେ ଗୃହସ୍ବାମୀ କେମିତି ଏ ମହରଗ ଯୁଗରେ ଚଳିବେ, ସେ ବିଷୟ ଚିନ୍ତା କରିବା କେତେକ ପ୍ରସଙ୍ଗ ଉଚ୍ଚସ୍ବରରେ ଓ ଆଉ କେତେକ ପ୍ରସଙ୍ଗରେ ମୌନ ଅବଲମ୍ବନ କରିବାକୁ ହେବ। ‘କେଜାଣି’, ‘ହେଇଥିବ’, ‘ଦେଖିବା’, ଇତ୍ୟାଦି ଶବ୍ଦ ସବୁ ଅର୍ଦ୍ଧସତ୍ୟ ବା ଗାଲୁଆମି ହୋଇପାରେ। କିନ୍ତୁ ଏଗୁଡ଼ିକ ବ୍ୟବହାର କରୁଥିବା ଲୋକଟି ପରିବାର ସୁରୁଖୁରୁରେ ଚଳାଇଦେବ। ପରିବାରଗୁଡ଼ିକରେ ଶାନ୍ତି ବିରାଜମାନ କଲେ ଏ ବିଶ୍ୱ ନିଶ୍ଚୟ ମଧୁମୟ ହେବ, ଏଥିରେ ସନ୍ଦେହ ନାହିଁ।
– ୫୬, ଭିଆଇପି ଏରିଆ, ଆଇଆରସି ଭିଲେଜ, ଭୁବନେଶ୍ୱର-୧୫,
ମୋ-୯୪୩୭୨୫୮୯୩୬


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri