ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନାନୁଯାୟୀ, ପାଲିଆ ଆଶ୍ରମ ବିଦ୍ୟାଳୟରେ ଗତ ଗୁରୁବାର ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମୋବାଇଲ ହେଲ୍ଥ ୟୁନିଟ କର୍ମଚାରୀ ପହଞ୍ଚି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ବିଦ୍ୟାଳୟର ଦିତୀୟ ଶ୍ରେଣୀ ଛାତ୍ର ଶଙ୍କର ସାନ୍ତା ଏବଂ ତୃତୀୟ ଶ୍ରେଣୀ ଛାତ୍ର ରାଜେଶ ସାନ୍ତାଙ୍କୁ ଝାଡ଼ା ଓ ଜ୍ୱର ହେଉଥିବା ଯୋଗୁ ଔଷଧ ଦେଇଥିଲେ। ତେବେ ଶୁକ୍ରବାର ସକାଳୁ ଔଷଧ ଖାଇବା ପରେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି। ପରେ ବିଦ୍ୟାଳୟର କର୍ମଚାରୀ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ସ୍ଥାନାନ୍ତର କରିଥିବା ନେଇ ପ୍ରଧାନଶିକ୍ଷକ ନୃସିଂହ ଚରଣ ପତି ସୂଚନା ଦେଇଛନ୍ତି।

