
ଯୋଧପୁର,୧୫ା୧: ରାଜସ୍ଥାନ ହାଇକୋର୍ଟ ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅସୁସ୍ଥତାକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ଦୀନେଶ ମେହେଟ୍ଟା ଏବଂ ଜଷ୍ଟିସ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ତଳେ ଅନ୍ୟ ଏକ ବଳାତ୍କାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଆଶାରାମଙ୍କୁ ଜାମିନ ପ୍ରଦାନ କରିଥିଲେ।
ଶୁଣାଣି ବେଳେ ଉଚ୍ଚ ଅଦାଲତ କହିଛନ୍ତି, ହାଇକୋର୍ଟରେ ଆଶାରାମ ଦାଖଲ କରିଥିବା ଜାମିନ ଆବେଦନ ଅନ୍ୟ ଏକ ମାମଲାରେ ତାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ କରାଯାଇଥିବା ଜାମିନ ଆବେଦନ ସହ ଅନୁରୂପ ରହିଛି। ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ହାଇକୋର୍ଟ ମଧ୍ୟ ଆଶାରାମଙ୍କୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ଜାମିନ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ୨୦୧୩ରେ ଯୋଧପୁରସ୍ଥିତ ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଦୋଷରେ ଆଶାରାମ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।