ଥୁଆମୂଳ ରାମପୁର,୨୬।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଜୀବନଯାପନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସୋମବାର ରାତିରେ ହୋଇଥିବା ମାତ୍ରାଧିକ ବର୍ଷା ଯୋଗୁଁ ସଦର ସ୍ଥିତ ତାଳବନ୍ଧପଡ଼ାର ହିମାଦ୍ରୀ ଦୁର୍ଗା ସ୍ବାମୀ- ଜଗତରାମ ଦୁର୍ଗାଙ୍କ ଘରର ପୁରା କାନ୍ଥ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣାରେ ପରିବାର ଲୋକେ ଅଳ୍ପକେ ବଞ୍ଚି ଯାଇଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।
ପୂର୍ବରୁ ଘରଟି ଆଂଶିକ ଭାଙ୍ଗିଥିବା ବେଳେ ଚଳିତ ବର୍ଷର ପ୍ରବଳ ବର୍ଷା ଯୋଗୁଁ ଏହା ସମ୍ପୂର୍ଣ୍ଣ ଧସିଯାଇଛି। ହିମାଦ୍ରୀ ପୂର୍ବରୁ ଜଣେ ଦକ୍ଷ ଓ ନିଷ୍ଠାପର ଆଶା କର୍ମୀ ଭାବେ ଦୀର୍ଘ ଦିନ ସେବା ଯୋଗାଇ ଗତ କିଛି ମାସେ ତଳେ ଅବସର ଗ୍ରହଣ କରିଥିଲେ ତାଙ୍କ ସ୍ୱାମୀ କିଟନି ରୋଗୀ। ସେ ବର୍ଷ ବର୍ଷ ଧରି ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିବା ବେଳେ, ଆଜି ନିଜର ଏହି ଦୁର୍ଦ୍ଦଶା ସମୟରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଘଟଣା ସମ୍ପର୍କରେ ହିମାଦ୍ରୀ ଦୁର୍ଗା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ମୁଁ ଦୀର୍ଘ ୧୬-୧୭ ବର୍ଷ ଧରି ଆଶା କର୍ମୀ ଭାବେ ନିଷ୍ଠାର ସହ ସେବା କରି ଗତ କିଛି ମାସ ତଳେ ଅବସର ନେଇଛି। ଗତ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଆମ ଘରର ସମସ୍ତ କାନ୍ଥ ଭୁଶୁଡ଼ି ସମ୍ପୂର୍ଣ୍ଣ ଧସିଯାଇଛି। ଭାଗ୍ୟବଶତଃ ଆମେ ବଞ୍ଚି ଯାଇଛୁ ସିନା, ହେଲେ ଆମର ସବୁକିଛି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଆମ ପାଖରେ ରହିବାକୁ କୌଣସି ସୁରକ୍ଷିତ ସ୍ଥାନ ନାହିଁ। ଏହି ସଙ୍କଟଜନକ ସ୍ଥିତି ଯୋଗୁଁ ମୋର ଛୋଟ ପୁଅ, ବୋହୂ ଓ ନାତିନାତୁଣୀ ଅନ୍ୟତ୍ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ସରକାର ଓ ପ୍ରଶାସନ ତୁରନ୍ତ ଆମକୁ ଆବାସ ଯୋଜନାରେ ଘରଟିଏ ଓ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ବୋଲି ।”
ଚଳିତ ବର୍ଷର ଲଗାଣ ବର୍ଷାରେ ଅଞ୍ଚଳର ଅନେକ ନିରୀହ ଓ ଗରିବ ଲୋକଙ୍କ ଘରଦ୍ୱାର ଭାଙ୍ଗି ବେସାହାରା ହୋଇପଡ଼ିଛନ୍ତି। ଗତବର୍ଷ ମଧ୍ୟ ଅନେକ ଲୋକଙ୍କ ଘର ଏହିପରି ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ କ୍ଷୟକ୍ଷତି ସହାୟତା ମିଳିନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସୁନୀଲ କୁମାର ପଟ୍ଟନାୟକଙ୍କ ସହ ଯୋଗାଯୋଗ ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ହେଁ କାର୍ଯ୍ୟାଳୟ ବନ୍ଦ ଥିଲା। ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନ ଥିଲେ। ପରେ ହ୍ୱାଟ୍ସଆପ୍ ମାଧ୍ୟମରେ ଆମ ପ୍ରତିନିଧି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ସେ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ପରିଚୟ ପତ୍ର ପଠାଇବାକୁ କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ଷେତ୍ର ପରିଦର୍ଶନ ପାଇଁ ଆସିନଥିବା ଜଣାପଡ଼ିଛି।
ପ୍ରଶାସନ, ସ୍ଥାନୀୟ ପଞ୍ଚାୟତ ତଥା ବ୍ଲକ୍ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଏହି ଅସହାୟ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

