ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଖଣ୍ଡୁଆଲ ମାଳିରେ ଖଣି ଖନନକୁ ବିରୋଧ କରି ଜନଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କର୍ଲାପାଟର ଭେଜିଗୁଡ଼ାଠାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ତୃତୀୟ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ଓ ବିଶାଳ ଆନ୍ଦୋଳନର ଆୟୋଜନ କରିଥିଲେ।
‘ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା ସମିତି’ର ସଭାପତି କାର୍ତ୍ତିକ ମାଝୀଙ୍କ ଆହ୍ୱାନ କ୍ରମେ ଏବଂ ଜଗତରାମ ନାଏକ, ରଞ୍ଜିତ ମାଝୀ, କରୁଣା ମାଝୀ ଓ ସତ୍ୟନାରାୟଣ ମାଝୀଙ୍କ ପ୍ରମୁଖ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ଲାପାଟ ସରପଞ୍ଚ ବିଶ୍ୱନାଥ ମାଝୀ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମାଝୀ, ଆଲିଙ୍ଗ ମାଝୀଙ୍କ ସମେତ ପୋଲିଂଗପଦର, ଭେଜିଗୁଡ଼ା, ନାକରୁଣ୍ଡି, ଆମଝୋଲା, ରଣପୁର, ଦାବରିଗୁଡ଼ା, ପେରମଞ୍ଜି, କୁଆଙ୍ଗ ଓ ଅମଠାଗୁଡ଼ା ଆଦି ବିଭିନ୍ନ ଗ୍ରାମର ଜନପ୍ରତିନିଧି, ସମାଜସେବୀ ଓ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ଏହି ଆନ୍ଦୋଳନର ଅନ୍ୟତମ ପ୍ରେରଣାଦାୟକ ଦିଗ ହେଉଛି, ସଭା ଓ ରାଲିରେ ସ୍କୁଲ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ନିଜ ଭବିଷ୍ୟତ ତଥା ମାଆ ମାଟିକୁ ବଞ୍ଚାଇବା ପାଇଁ କୁନି କୁନି ପିଲାମାନେ ହାତରେ ପ୍ଲାକାର୍ଡ ଧରି ଲଢ଼େଇ ମଇଦାନକୁ ଓହ୍ଲାଇଥିଲେ। “ଆମ ଗାଁରେ ଆମ ସରକାର, ବିଦେଶୀ କମ୍ପାନୀ ନାହିଁ ଦରକାର” ଭଳି ଗର୍ଜନମୟ ସ୍ଲୋଗାନ ଦେଇ ସମଗ୍ର ଅଞ୍ଚଳରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା।
ସଭା ଶେଷରେ ଖଣ୍ଡୁଆଲ ମାଳିର ସୁରକ୍ଷା ପାଇଁ ଏକତାବଦ୍ଧ ଭାବେ ଆନ୍ଦୋଳନକୁ ଆଗକୁ ନେବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ବିଜୟ ମାଝୀ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ସମାଜସେବୀ ଧୋବା ସାହୁ ଓ ସରୋଜ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ରାଲି ପରେ କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳରେ ଖଣି ବିରୋଧୀ ସ୍ୱର ଆହୁରି ସାଣିତ ହୋଇଛି।

