ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ): ବିକଶିତ ଭାରତ ଯୁବ ନେତୃତ୍ୱ ବିକାଶ ଯୋଜନା (ଭିବିୱାଇଏଲଡି) ଆନୁକୁଲ୍ୟରେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୫ ତାରିଖ ଗୁରୁବାର ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରରେ ଜିଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ’ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଜିଲା ସ୍ତରୀୟ ପ୍ରତିଯୋଗିତାରେ ୧୮ ରୁ ୨୫ ବର୍ଷ ବୟସର ଯୁବକଯୁବତୀମାନେ ଅଂଶଗ୍ରହଣ କରିପାରିବେ।
ଚଳିତ ବର୍ଷ ଯୁବ ସଂସଦ ପାଇଁ ‘ଏକ ଦେଶ, ଏକ ନିର୍ବଚନ” (One Nation, One Election) ବିଷୟବସ୍ତୁ ଧାର୍ଯ୍ୟ କରାଯାଇଛି।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ମଞ୍ଚରେ ୩ ମିନିଟ ପାଇଁ ନିଜର ବକ୍ତବ୍ୟ ଉପସ୍ଥାପନ କରିବେ। ଜିଲା ସ୍ତରରୁ ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟ ସ୍ତରରୁ ୩ ଜଣ ବିଜେତା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ, ଯାହା ଆସନ୍ତା ଜାନୁଆରୀ ୯ ଓ ୧୦ ତାରିଖରେ ନୂଆଦିଲ୍ଲୀର ସମ୍ବିଧାନ ସଦନ ସେଣ୍ଟ୍ରାଲ ହଲ୍ଠାରେ ଆୟୋଜିତ ହେବ।
ଏହି କାର୍ଯ୍ୟକ୍ରମ ସହିତ ଏକ ‘ଯୁବ ସମ୍ବାଦ’ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଥିରେ ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହା ସହିତ ସ୍ଥାନୀୟ ୟୁଥ ଆଇକନ ସୁହାନୀ ନାୟକଙ୍କ ଦ୍ୱାରା ନୂତନ ଏବଂ ଯୁବ ଭୋଟରମାନଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନିଜର ଭୋଟ ଅଧିକାର ବିଷୟରେ ସଚେତନ କରିବା ପାଇଁ “Know Your Vote” ଶୀର୍ଷକ ଏକ ସ୍ବତନ୍ତ୍ର ଉପସ୍ଥାପନା ପ୍ରଦର୍ଶିତ କରାଯିବ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳାହାଣ୍ଡି ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ କ୍ଲବ, କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ତଥା ଯୁବକଯୁବତୀମାନଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ କଳାହାଣ୍ଡି ମାଇ ଭାରତ ପକ୍ଷରୁ ନିବେଦନ କରାଯାଇଛି। ଏ ନେଇ ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମାଇ ଭାରତର ଯୁବ ଅଧିକାରୀ ବଂଶ ଶର୍ମା ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

