କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ ମୃତଦେହ ଠାବ ହୋଇଛି। ବ୍ୟକ୍ତିଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଏବଂ ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗୁରୁବାର ଚାଷ ଜମିରେ ଏକ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋକସରା ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି। ମୃତଦେହର ଶରୀରରେ ଏକାଧିକ ଧାରୁଆ ଅସ୍ତ୍ରର କଟା ଦାଗ ରହିଥିବା ବେଳେ ମୁଣ୍ଡ ନଥିବା ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି।
ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ପଛରେ କେଉଁମାନଙ୍କର ହାତ ରହିଛି ଏବଂ କେଉଁ ଶତ୍ରୁତା କାରଣରୁ ଏହା ଘଟିଛି, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ସୂକ୍ଷ୍ମ ତଦନ୍ତ ଜାରି ରହିଥିବା ବେଳେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ପରଦାଫାଶ ହେବ ବୋଲି ପୋଲିସ ସୂଚନା ଦେଇଛି।

