ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ। ଏହି ପରିପ୍ରେକ୍ଷୀରେ ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର ଗ୍ରାମବାସୀଙ୍କ ସାମୂହିକ ଦସ୍ତଖତ ସଲଗ୍ନ ଥିବା ଏକ ଅନୁରୋଧ ପତ୍ର ଗୁରୁବାର ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନ ଚିଚୈଗୁଡା ପଞ୍ଚାୟତରେ ୧୩ ୱାର୍ଡ ରହିଥିବା ବେଳେ ଶାନ୍ତିପୁର ରାଜସ୍ବ ଗ୍ରାମଟି ୧୧ ନମ୍ବର ୱାର୍ଡର ଅଂଶବିଶେଷ ହୋଇ ରହିଛି। ପ୍ରାୟ ୩୫୦ ଭୋଟର ଥିବା ଏହି ଗ୍ରାମର କୌଣସି ସ୍ବତନ୍ତ୍ର ୱାର୍ଡ ନାହିଁ। ଆଗାମୀ ଦିନରେ ହେବାକୁ ଥିବା ୱାର୍ଡ ପରିସୀମା ନିର୍ଦ୍ଧାରଣ ସମୟରେ ଏହି ଗ୍ରାମଟି ନିଜର ପ୍ରତିନିଧିତ୍ୱ ହରାଇବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ସୁବିଧା ପାଇଁ ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦେବାକୁ ଜିଲା ପରିଷଦ ଉପାଧ୍ୟକ୍ଷା ମେହେର ଓ ସ୍ଥାନୀୟ ଲୋକେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

