Posted inUncategorized

ନାମ୍‌ ମେଁ କ୍ୟା ରଖା ହୈ

କଥାରେ ଅଛି ‘ନାଁ’ ଦେବେ ଓଡ଼ିଆ, ଡାକିବେ ବଙ୍ଗାଳି । ଜନ୍ମବେଳେ ବାଛି ବାଛି ପିଲାର ଯେଉଁ ସୁନ୍ଦର ନାଁଟି ରଖିଥିବେ ପ୍ରଥମେ ନିଜ ଲୋକ ତାକୁ ଅତି ସ୍ନେହରେ ଏମିତି ଡାକିବେ ଯେ ପିଲାଟି ବଡ଼ ହେଲା ପରେ ସାଙ୍ଗସାଥୀମାନଙ୍କ ଗହଣରେ ହାସ୍ୟାସ୍ପଦ ହୁଏ । ଥରେ ଗୋଟେ ଖବରକାଗଜରେ ଏକ ଖବର ବାହାରିଥିଲା । ପିଲାର ପ୍ରକୃତ ନାଁ ଥିଲା ଗନ୍ଧର୍ବ । ମାଆ ତାକୁ ସ୍ନେହରେ ଗନ୍ଧିଆ ଡାକୁଥିଲା । ପିଲାଟି ବଡ଼ ହେଲା ପରେ ସାଙ୍ଗସାଥୀଙ୍କ ପାଖରେ ନିଜ ଡାକ ନାଁକୁ ନେଇ ବଡ଼ ଲଜ୍ଜିତ ହେଲା । କାଳକ୍ରମେ ଗନ୍ଧର୍ବର ବିବାହ ହୁଏ । ଗନ୍ଧର୍ବ ଭାବିଲା ଏହି ଡାକ ନାଁ ଯୋଗୁ ସ୍ତ୍ରୀ, ପିଲା, ସାଙ୍ଗସାଥୀ ବଜାର ଘାଟରେ ନିଇତି ଅପମାନିତ ହେଉଛି । ଏ ସବୁର ମୂଳ ହେଲା ତା’ ମାଆ । ଏଥିପାଇଁ ସେ ଜୀବନ ବ୍ୟାପୀ କେବେ ତା’ ମାଆକୁ କ୍ଷମା କଲାନାହିଁ । ଘଟଣାକ୍ରମେ ଏବେ ତା’ ଜନ୍ମ କଲା ମାଆ ବୃଦ୍ଧାଶ୍ରମରେ ।

କହିଥିଲେ, ନାଁରେ କ’ଣ ଅଛି । ସେ ବୋଧେ ଜାଣି ନ ଥିଲେ ନାଁରେ ହିଁ ସବୁ ଅଛି । ଗୋଟିଏ ରକ୍ତ ମାଂସରେ ଗଢ଼ା ମଣିଷ କେବଳ ନାଁ ଯୋଗୁ ହିନ୍ଦୁ କି ମୁସଲମାନ ଜାଣି ହେଉଛି । ନିଜର ପଛେ କିଛି ନ ଥାଉ ହେଲେ ବାପ ଅଜାଙ୍କ ନାଁ ନେଇ ଅନେକ ଲୋକ ଗୁଡ଼ାଏ ସୁବିଧା ହାତେଇ ନେଉଛନ୍ତି । ଏମିତି ଉଦାହରଣ ଦେଉଥିଲେ ରାତି ପାଇଯିବ, କଥା ସରିବନି ।
ସ୍ବର୍ଗରେ ଦେବତାମାନେ ମନଦୁଃଖରେ ରାଜା ଇନ୍ଦ୍ରଙ୍କ ପାଖରେ ଅଭିଯୋଗ କଲେ। ଦେବଭୂମି ଭାରତରେ ସମସ୍ତେ ସେମାନଙ୍କ ପିଲାଙ୍କ ନାମକରଣ ବେଳେ ହାତଗଣତି ଦେବଦେବୀଙ୍କ ନାମ ଅନୁସାରେ ନାମ ରଖୁଛନ୍ତି । ଆଶା ଥିଲା ନୂଆ ସରକାର ଆସିଲେ ଅଲୋଡ଼ା ହୋଇଯାଇଥିବା ଦେବଦେବୀଙ୍କୁ ଉଚିତ ସମ୍ମାନ ମିଳିବ । ନିତି ଦେଶର ଭବନ, ଉଦ୍ୟାନ, ଯୋଜନା ଫୋଜନା, ରାସ୍ତାଘାଟ ସବୁର ନାଁ ବଦଳା ଯାଉଛି। ହେଲେ କ’ଣ ହେବ ସେମାନେ ଯେଉଁ ଅବହେଳିତକୁ ସେଇ ଅବହେଳିତ। ତେଲିଆ ମୁଣ୍ଡରେ ତେଲ ଢାଳିଲା ଭଳି ବହୁଳ ପ୍ରସାରିତ ଦେବଦେବୀଙ୍କ ନାଁ ହିଁ ରଖାଯାଉଛି । ଦେବଭୂମିର ଭବିଷ୍ୟତ ବଂଶଧରମାନଙ୍କ ସ୍ମୃତିରେ ସେମାନଙ୍କ ଅସ୍ତିତ୍ୱ ନାହିଁ କି ଆଗକୁ ରହିବନି ।

ଇନ୍ଦ୍ର ବୁଝେଇଲେ, ଏବେ ଦେବଭୂମିରେ ଦେଶ ନାଁ ବଦଳା କାମରେ ସରକାର ବ୍ୟସ୍ତ ଅଛନ୍ତି । ଦେଶ ଝମେଲା ସରିଲେ ମୁଁ ନିଜେ ସେଠିକା ମୁଖ୍ୟଙ୍କ ସହ ଶିଖର ବାର୍ତ୍ତା କରି ବହୁଳ ବ୍ୟବହୃତ ଦେବଦେବୀଙ୍କ ନାମ ଉପରେ ପ୍ରତିବନ୍ଧକ ଲଗେଇବା ସହ ସରକାରୀ ନାମକରଣ ହେଉ କି କୌଣସି ପିଲା ଜନ୍ମ ହେଉ ବାକି ତେତିଶ କୋଟି ଦେବ ଦେବୀଙ୍କ ନାମ ମଧ୍ୟରୁ ନିଜ ପସନ୍ଦ ଅନୁଯାୟୀ ନାମ ରଖିବାକୁ ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତାବ ରଖିବି । କିନ୍ତୁ ତା’ ପୂର୍ବରୁ ଆପଣମାନଙ୍କ ଆଧାର କାର୍ଡ ତିଆରି ସହ ଅକ୍ଷର କ୍ରମ ଅନୁଯାୟୀ ତେତିଶ କୋଟି ଦେବତାଙ୍କ ଡାଟା ପ୍ରସ୍ତୁତ କରିବାକୁ ହେବ ।

ଦିନେ ରାସ୍ତାରେ ଦୁଇଜଣ ଝଗଡ଼ା କରୁଥିଲାବେଳେ ଜଣେ ରାଗିକି କହିଲା, ମୁଁ ଯଦି ମିଛୁଆ ପ୍ରମାଣିତ ହୁଏ ତେବେ ମୋ ନାଁରେ କୁକୁର ପାଳିବୁ । ମୋତେ ପଚାରିବାକୁ ଇଚ୍ଛା ହେଉଥିଲା, ଆଜ୍ଞା କହିବା ପୂର୍ବରୁ କୁକୁରକୁ ହେଲେ ଟିକେ ପଚାରିଥାନ୍ତେ ଆପଣଙ୍କ ନାଁ, ତା’ର ପସନ୍ଦ କି ନୁହେଁ। ଏବେ କୁକୁରଙ୍କ ନାଁ ଶୁଣିଲେ ତାକୁ କୁକୁର ବୋଲି କହିବାକୁ ସଂକୋଚ ଲାଗୁଛି। କୁକୁରଙ୍କ ଇଂଲିଶ ନାଁ ଶୁଣିଲେ ଦେଶୀ ଛୁଆ ଲାଜେଇ ଯାଉଛନ୍ତି । ତେଣୁ ଭବିଷ୍ୟତରେ ‘ମୋ ନାଁରେ କୁକୁର ପାଳିବୁ’ କହିବା ପୂର୍ବରୁ ନିଜ ନାଁ ବଦଳେଇ କୁକୁରଙ୍କ ନାମ ଭଳି ସୁନ୍ଦରିଆ ଇଂଲିଶ ନାଁ ରଖ, ନଚେତ୍‌ କୁକୁରଙ୍କ ଦ୍ୱାରା ଆପଣଙ୍କ ନାମ ପ୍ରତ୍ୟାଖ୍ୟାତ ହୋଇ ବେଇଜ୍ଜତ ହେବା ଥୟ ।

ଗୋଟେ ପିଲାକୁ ତା’ ନାଁ ପଚାରିଲି । ସେ ଯେଉଁ ନାଁ କହିଲା ସେମିତି ନାଁ ମୁଁ କେବେ ଶୁଣି ନ ଥିଲି । ଆଗ୍ରହରେ ପଚାରିଲି ଏ ନାଁର ଅର୍ଥ କ’ଣ । ପିଲାଟି କହିଲା, କେବଳ ଦକ୍ଷିଣ ଭାରତର ପାହାଡ଼ିଆ ଅଞ୍ଚଳରେ ହଜାରେ ବର୍ଷରେ ଥରେ ଫୁଟୁଥିବା ଗୋଟେ ଫୁଲର ନାଁ । ଇଚ୍ଛା ହେଉଥିଲା ସେ ପିଲାର ବାପା ମା’ଙ୍କ ଚରଣ ସ୍ପର୍ଶ କରିବାକୁ । ଗାନ୍ଧୀଙ୍କଠାରୁ ନେଇ ବଡ଼ ବଡ଼ ଭାଷାବିତ୍‌ମାନଙ୍କ ଜୀବନ ଚାଲିଗଲା ପଛେ ଦେଶର ଉତ୍ତର-ଦକ୍ଷିଣ ଭାଷାର ଏକତା ହୋଇପାରିଲା ନାହିଁ। ଯାହା ଦେଶର ସରକାର କରିପାରିନାହାନ୍ତି ତାହା ଏ ମାତା ପିତା କରି ଦେଖେଇଦେଲେ । ଏହାକୁ ଅନ୍ୟମାନେ ଅନୁକରଣ କରିବା ଉଚିତ । ଯଦି ଓଡ଼ିଆମାନେ ସେମାନଙ୍କ ପିଲାଙ୍କ ନାମ ମିଜୋରାମ ଭାଷାରେ, କଶ୍ମୀର ଛୁଆର ନାମ କେରଳ ଭାଷାରେ ଭଳି ଦେଶର ଗୋଟିଏ ରାଜ୍ୟର ପିଲାଙ୍କ ନାମ ଅନ୍ୟ ରାଜ୍ୟର ଭାଷା ଅନୁସାରେ ରଖାଯାଏ, ତେବେ ଦେଶର ଏକତା ହେଉ କି ନ ହେଉ ଭାଷା ଏକତା ହେବା ନିଶ୍ଚିତ ।

ଆଉ ଥରେ ଗୋଟେ ପିଲାର କିମ୍ଭୁତକିମାକାର ନାଁ ଶୁଣି ମୁଁ ତିନିଟା ଅଭିଧାନ ଖୋଜିଲା ପରେ ବି ନିରାଶ ହେଲି । ପରେ ସେ ପିଲାର ବାପାଙ୍କୁ ପଚାରିବାରୁ ସେ କହିଲେ, ଏ ନାଁର କିଛି ଅର୍ଥ ନାହିଁ କିମ୍ବା ଯଦି ବି ଥାଏ ତେବେ ମୋତେ ଜଣାନାହିଁ । କାନକୁ ଭଲ ଶୁଣାଗଲା, ଅକ୍ଷରକୁ ଅକ୍ଷର ମିଶିଲା, ତେଣୁ ରଖିଦେଲି । ମୁଁ କହିଲି, ଭାଇରେ ତୋ ଗୋଡ଼ ଧରୁଛି, ବେକରେ ଆଇ କାର୍ଡ ଝୁଲେଇଲା ଭଳି ଗୋଟେ କାଗଜରେ ଏତକ ଲେଖି ତୋ ଛୁଆ ବେକରେ ଶୀଘ୍ର ଝୁଲା । ନଚେତ୍‌ ପ୍ରତିଦିନ ମୋ ଭଳି କେତେଲୋକ ଝାଳ ନାଳ ହୋଇ ଅଭିଧାନ ଖୋଜୁଥିବେ ।

ନାଁର ଅର୍ଥ ପାଇଁ କାହାକୁ ଭାଷାକୋଷ ଅଣ୍ଡାଳିବାକୁ ପଡୁ ନ ଥିଲା । ସୀତା, ଗୀତା, ମିତା ଓ ରାମ, ହରି, ଶ୍ୟାମ ଭଳି ସହଜିଆ ନାଁରେ ଗାଁର ଅଧା ଲୋକ ପରିଚିତ ଥିଲେ । କିନ୍ତୁ ଡିଜିଟାଲ ଯୁଗରେ ଲୋକଙ୍କ ଅଭ୍ୟାସ ବି ବଦଳି ଗଲାଣି । ଏବେ ଛୁଆ ଜନ୍ମ ହେବା ପୂର୍ବରୁ ଲୋକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପିଲାର ନାଁ ବାଛିବାକୁ ବନ୍ଧୁମାନଙ୍କୁ ଆଗୁଆ ପଚାରୁଛନ୍ତି । ବନ୍ଧୁମାନେ ମଧ୍ୟ ଅ ରୁ କ୍ଷ ପର୍ଯ୍ୟନ୍ତ ଅକ୍ଷର ଅନୁଯାୟୀ ନାଁର ପ୍ରସ୍ତାବ ରଖୁଛନ୍ତି । କେହି କେହି ଏପରି ନାଁର ପ୍ରସ୍ତାବ ରଖୁଛନ୍ତି, ଦେଖିଲେ ଲାଗିବ ଯେମିତି ଏହି ଲୋକ ଭାଷା ବିଜ୍ଞାନରେ ପିଏଚ.ଡି. ସାରି ସମ୍ପ୍ରତି ‘ନାମ ଅନୁସନ୍ଧାନ କେନ୍ଦ୍ର’ର ନିର୍ଦ୍ଦେଶକ ଅଛନ୍ତି । ପିଲା ପେଟରେ ତିନି ମାସର ହେଉଣୁ ନାଁ ଖୋଜିବା ପାଇଁ ମାତାପିତାଙ୍କ ବ୍ୟସ୍ତତା ଦେଖିଲେ ମୁଁ ଭାବେ ଯଦି ପିଲାର ନାଁ ପାଇଁ ଏତେ କଷ୍ଟ କରୁଛନ୍ତି ତେବେ ପିଲା ହେବା ପାଇଁ ସ୍ବାମୀ ସ୍ତ୍ରୀଙ୍କୁ କେତେ ପରିଶ୍ରମ କରିବାକୁ ପଡି ନ ଥିବ!

ଭାରତରେ ନାଁରୁ ତାଙ୍କ ବଂଶାବଳୀ ଜଣାପଡ଼େ । ପଞ୍ଜାବୀଙ୍କୁ ନାମ ପାଇଁ ବେଶି କଷ୍ଟ କରିବାକୁ ପଡ଼େ ନାହିଁ । ସନ୍ତୋଷ ସିଂ ପୁଲିଙ୍ଗ ସନ୍ତୋଷ କୌର ସ୍ତ୍ରୀ ଲିଙ୍ଗ । ଓଡ଼ିଆମାନଙ୍କ ଆହୁରି ସହଜ । ନାଁ ଶେଷରେ ଖାଲି ଦୀର୍ଘଈଟିଏ ଯୋଡ଼ିଦେଲେ ସନ୍ତୋଷ ପୁରୁଷରୁ ସ୍ତ୍ରୀ ହୋଇଯାଏ ।

ଲୋକଙ୍କ ବିଶ୍ୱାସ ସେମାନଙ୍କ ନାଁ ସହ ଆଉ କିଛି ଅକ୍ଷର ଯୋଡ଼ିଲେ କି କାଟି ଛୋଟ କରିଦେଲେ ସେମାନଙ୍କ ଭାଗ୍ୟ ବଦଳିଯିବ। ଏବେ ଦେଶର ନାଁ ବଦଳିବା ପାଇଁ ଚେଷ୍ଟା ଚାଲିଛି । ଦେଖାଯାଉ ଯଦି ଏହାଦ୍ୱାରା ଦେଶର ଭାଗ୍ୟ ବଦଳିଯାଏ, ବିଶ୍ୱ ଅର୍ଥନୀତିରେ ମାନ୍ଦା ଅବସ୍ଥା ଅବ୍ୟାହତ ଥିଲା ବେଳେ, ଦେଶର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ନିଜର ଅନିଶ୍ଚିତ ଭବିଷ୍ୟତ ନେଇ ସନ୍ଦିହାନ ଥିଲାବେଳେ, ଦରଦାମ୍‌ ବୃଦ୍ଧିରେ ଜନସାଧାରଣ ସିଝୁଥିଲା ବେଳେ, ତିରିଶ ଭାଗ ଲୋକ ଦିନକୁ ଦୁଇଗଣ୍ଡା ଖାଇବାକୁ ପାଉ ନ ଥିଲା ବେଳେ, ବାହ୍ୟଋଣରେ ଅର୍ଥନୀତି ଭାରଗ୍ରସ୍ତ ଥିଲା ସମୟରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ହଠାତ୍‌ ଦେଶର ନାଁ ବଦଳେଇବା କ’ଣ ଏମିତି ଜରୁରୀ ଆବଶ୍ୟକ ହେଲା ଜଣାପଡୁନି । ଯଦି ଦେଶର ନାଁ ବଦଳିଗଲେ ଏ ସବୁ ସମସ୍ୟା ବଦଳିଯିବ ତେବେ ବଦଳିବା ନିଶ୍ଚିତ ସ୍ବାଗତଯୋଗ୍ୟ। ନଚେତ୍‌ ଏ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ‘ସେଇ ଜିନିଷ ସେଇ କାମ, ଏବେ କିନ୍ତୁ ନୂଆ ନାମ’ ନାରାରେ ସୀମିତ ରହିଯିବ । ବଡ଼ ବିଷମ ପରିସ୍ଥିତି ଏବେ ଦେଶରେ। ଇଣ୍ଡିଆକୁ ଭାରତ ପସନ୍ଦ ନୁହେଁ , ଭାରତକୁ ଇଣ୍ଡିଆ ପସନ୍ଦ ନାହିଁ ।

ଗନ୍ଧର୍ବ ଓରଫ ଗନ୍ଧିଆକୁ ଦେଖିଲି । ଦେଶ ନାଁ ବଦଳ ସପକ୍ଷରେ ଆୟୋଜିତ ଏକ ରାଲି ଆଗରେ ସ୍ଲୋଗାନ ଦେଇ ଯାଉଥିଲା ।
ପାଖକୁ ଡାକି ପଚାରିଲି ”ତୁ ନେତା ହେଲୁଣି । ଖାସ୍‌ ସେଇ ନାଁ ଯୋଗୁ ମାଆ ଉପରେ ରାଗି ତାକୁ ବୃଦ୍ଧାଶ୍ରମରେ ଛାଡ଼ିଲୁ । ଏବେ ତ ନିଜ ନାଁଟା ବଦଳେଇ ଦେ।“ ଗନ୍ଧର୍ବ କହିଲା ”କ’ଣ କହିବି ଭାଇ, ଲୋକଙ୍କୁ ବୁଝେଇ ବୁଝେଇ ଥକି ଗଲିଣି । ଆଗରୁ ଗନ୍ଧର୍ବରୁ ଗନ୍ଧିଆ ଥିଲି, ଏବେ କିଛି ଲୋକ ଗନ୍ଧିଆ ଛାଡ଼ି ଗାଣ୍ଡୁ୍ବବାବୁ ଡାକିଲେଣି । ଲାଗୁଛି ମଲା ପର୍ଯ୍ୟନ୍ତ ମୋ ନାଁ ଆଉ ବଦଳିବ ନାହିଁ।“ ତା’ କଥା ଶୁଣି ମୁଁ କହିଲି ଯଦି ତୋ ନିଜ ନାଁ ବଦଳେଇବାକୁ ତୋର ତାକତ ପାଉନି ତେବେ ଦେଶ ନାଁ କ’ଣ ବଦଳେଇବୁ? ସେ ବିରକ୍ତ ହୋଇ କହିଲା ”ଦେଖିବ ଭାଇ ତୁମର ଏଇ ଚୂନ ମରା କଥା ପାଇଁ ଦିନେନା ଦିନେ ତୁମେ ଭଲ କି ନାମ ନେବ ।“

-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?