Posted inଫୁରସତ

ଖରାର ସାଥୀ ଅର୍କି

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ଅର୍କି। ପର୍ଯ୍ୟଟକ ଏଠାରେ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ ତଥା ବହୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ଦେଖିପାରିବେ। ତା’ଛଡ଼ା ଏଠାକାର ଶୀତଳ ଜଳବାୟୁ ଖରାଛୁଟି କଟାଇବା ପାଇଁ ବେଶ୍‌ ଅନୁକୂଳ ହୋଇଥିବାରୁ ଅନେକେ ଅର୍କିକୁ ଖରାର ସାଥୀ ବୋଲି ବି କହିଥାନ୍ତି …

ହୀମାଚଳ ପ୍ରଦେଶର ସୋଲାନ୍‌ ଜିଲା ଅନ୍ତର୍ଗତ ଏକ ଛୋଟ ସହର ହେଉଛି ଅର୍କି। ଏହା ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା। କାରଣ ଏଠାରେ ଦେଖିବାକୁ ମିଳିଥାଏ ଅନେକ ଐତିହାସିକ ସ୍ମାରକୀ, ଧାର୍ମିକ ପୀଠ, ଦୁର୍ଗ ଇତ୍ୟାଦି। ତେବେ କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ, ଏଠାକାର ଶୀତଳ ଜଳବାୟୁ ବି ଆଗନ୍ତୁକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। କାରଣ ଅର୍କିଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଶିମ୍‌ଲା, ଯାହାକୁ ଦିନେ ବ୍ରିଟିଶ ରାଜ୍ୟର ଗ୍ରୀଷ୍ଣକାଳୀନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା। ସେଥିପାଇଁ ଶିମ୍‌ଲା ଓ ଅର୍କିର ଜଳବାୟୁ ପ୍ରାୟତଃ ସମାନ ରହିଥାଏ। ବିଶେଷକରି ଖରାଦିନେ ଏଠାକାର ପାଣିପାଗ ବେଶ୍‌ ଆରାମଦାୟକ ରହୁଥିବାରୁ ପର୍ଯ୍ୟଟକଙ୍କର ଏଠାରେ ଖୁବ୍‌ ଭିଡ଼ ଜମେ।

କେବେ ଯିବେ
ବର୍ଷତମାମ୍‌ ଅର୍କିର ଜଳବାୟୁ ବେଶ୍‌ ଅନୁକୂଳ ରହିଥାଏ। ମାର୍ଚ୍ଚରୁ ଜୁନ୍‌ ଏଠାରେ ଗ୍ରୀଷ୍ମଋତୁ ଚାଲିଥିବାବେଳେ ଜୁଲାଇରୁ ଅଗଷ୍ଟ ବର୍ଷା ଏବଂ ନଭେମ୍ବରରୁ ଫେବୃୟାରୀ ଶୀତ ଅନୁଭୂତ ହୋଇଥାଏ। ଖରା ଓ ବର୍ଷା ତୁଳନାରେ ଏଠାରେ ଶୀତ ଟିକେ ଅଧିକ ଜଣାପଡେ। ଏହି ସମୟରେ ଏଠାକାର ସର୍ବାଧିକ ତାପମାତ୍ରା ୮ ଡିଗ୍ରୀ ରହୁଥିବାବେଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଥାଏ। ସେହିପରି ଖରାଦିନେ ମଧ୍ୟ ଏଠାରେ ସେତେ ଗରମ ଅନୁଭୂତ ହୁଏ ନାହିଁ। ଶୀତଳ ପବନ ସାଙ୍ଗକୁ ସ୍ବଚ୍ଛ ପରିବେଶ ଏଠାକାର ପାଣିପାଗକୁ ଖରାଦିନେ ବି ବେଶ୍‌ ମନୋଲୋଭା କରି ଦେଇଥାଏ। ସେଥିପାଇଁ ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ।

କେମିତି ଯିବେ
ଅର୍କିଠାରୁ ପ୍ରାୟ ୩୮ କି.ମି ଦୂରରେ ଥିବା ଶିମ୍‌ଲାକୁ ଦେଶର ବିଭିନ୍ନ ସ୍ଥାନରୁ ବସ୍‌, ଟ୍ରେନ୍‌ ତଥା ବିମାନ ଚଳାଚଳ କରିଥାଏ। ତେବେ ପ୍ରାୟ ୭୨ କି.ମି. ଦୂରରେ ଥିବା କାଲ୍‌କା ରେଲଓ୍ବେ ଷ୍ଟେଶନ ହେଉଛି ଅର୍କିର ନିକଟତମ ତଥା ପ୍ରମୁଖ ରେଳଷ୍ଟେଶନ, ଯେଉଁଠାକୁ ଦେଶର ବଡ଼ ବଡ଼ ସହରରୁ ଟ୍ରେନ୍‌ ଚଳାଚଳ କରିଥାଏ। ସେହିପରି ଶିମ୍‌ଲା ଏୟାରପୋର୍ଟ ହେଉଛି ଅର୍କିର ନିକଟବର୍ତ୍ତୀ ବିମାନବନ୍ଦର, ଯେଉଁଠାରୁ ଅର୍କିକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ସୁବିଧାରେ ଟ୍ୟାକ୍ସି ବି ମିଳିଯାଏ।

କ’ଣ ଦେଖିବେ
ଅର୍କି ଦୁର୍ଗ ଓ ଅର୍କି ପ୍ରାସାଦ: ଏହା ହେଉଛି ଅର୍କିର ଦୁଇ ପ୍ରମୁଖ ଐତିହାସିକ ସ୍ମାରକୀ। ସୂଚନାନୁଯାୟୀ, ରାଣା ପୃଥିବୀ ସିଂହଙ୍କ ଦ୍ୱାରା ୧୬୯୫ରୁ ୧୭୦୦ ଖ୍ରୀଷ୍ଟାଦ୍ଧ ମଧ୍ୟରେ ଅର୍କି ଦୁର୍ଗଟି ନିର୍ମିତ ହୋଇଥିଲା। ଏହି ଦୁର୍ଗଟିର ନିର୍ମାଣଶୈଳୀ ଉଭୟ ରାଜ୍‌ପୁତ୍‌ ଓ ମୋଗଲମାନଙ୍କ କାରୁକାର୍ଯ୍ୟକୁ ଅନୁକରଣ କରି କରାଯାଇଥିଲା। ବିଶେଷକରି ଏହି ଦୁର୍ଗରେ ହୋଇଥିବା ପହରି ଶୈଳୀର ଓ୍ବାଲ୍‌ ପେଣ୍ଟିଂ ବେଶ୍‌ ଆକର୍ଷକ ଲାଗୁଥିଲା; ଯେଉଁଥିରେ ମୁଖ୍ୟତଃ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଜୀବନଶୈଳୀକୁ ପେଣ୍ଟିଂ ମାଧ୍ୟମରେ ଦର୍ଶାଇବାକୁ ପ୍ରୟାସ କରାଯାଇଥିଲା। ଏତେ ବର୍ଷ ପରେ ମଧ୍ୟ ଏହି ପେଣ୍ଟିଂର କିଛି କିଛି ଛାପ ଏବେ ବି ଦେଖିବାକୁ ମିଳେ। ସେହିପରି ରାଣା ପୃଥିବୀ ସିଂହଙ୍କର ଅନ୍ୟ ଏକ ଅବଦାନ ଥିଲା ଅର୍କି ପ୍ରାସାଦକୁ ନିର୍ମାଣ କରିବାରେ। ଏହି ପ୍ରାସାଦର ମଧ୍ୟ ଅନେକ ବିଶେଷତ୍ୱ ରହିଛି। ବିଶେଷକରି ଏହାର କାନ୍ଥଗୁଡ଼ିକରେ ଅଙ୍କିତ ହୋଇଥିବା ବିଭିନ୍ନ ପ୍ରକାରର ନୀତିଶିକ୍ଷା ସମ୍ବଳିତ ଚିତ୍ରସବୁ ଏବେ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।

ଦେବଦେବୀ ମନ୍ଦିର: ଅର୍କିରେ ଅନେକ ଧାର୍ମିକ ପୀଠମାନ ଦେଖିବାକୁ ମିଳିଥାଏ। ବିଶେଷକରି ଲୁଟ୍‌ରୁ ମହାଦେବ ମନ୍ଦିର, ଭଦ୍ରକାଳୀ ମନ୍ଦିର, ବନଦୁର୍ଗା ମନ୍ଦିର, ମଟ୍‌ରୁ ମହାଦେବ ମନ୍ଦିର, ସଖନୀ ମନ୍ଦିର ତଥା ଲକ୍ଷ୍ମୀନାରାୟଣ ମନ୍ଦିର ଆଦି ହେଉଛି ଅର୍କିର କେତେକ ପ୍ରମୁଖ ଦେବଦେବୀସ୍ଥଳୀ। ଅର୍କିଠାରୁ ମାତ୍ର ୪ କି.ମି ଦୂରରେ ଥିବା ଲୁଟ୍‌ରୁ ମହାଦେବ ମନ୍ଦିରଟି ଦେବଦେବ ମହାଦେବଙ୍କୁ ସମର୍ପିତ। ଏଠାରେ ମହାଶିବରାତ୍ରୀ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେହିପରି ଦୁର୍ଗା ମନ୍ଦିରଟିର ନିର୍ମାଣଶୈଳୀ ଶିଖର ଷ୍ଟାଇଲ୍‌ରେ ହୋଇଥିବାରୁ ଏହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ଅନ୍ୟପକ୍ଷେ ସଖନୀ ମନ୍ଦିରଟି ଟିକେ ଉଚ୍ଚ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ଏଠାକୁ ପର୍ଯ୍ୟଟକ ବୁଲିଗଲେ ଚତୁଃପାର୍ଶ୍ୱର ଆକର୍ଷଣୀୟ ଦୃଶ୍ୟ ଦେଖି ବେଶ୍‌ ବିମୋହିତ ହୋଇଯାଇଥାନ୍ତି।

କେବଳ ଏତିକି ନୁହେଁ, ଅର୍କିର ନିକଟବର୍ତ୍ତୀ ଅଞ୍ଚଳରେ ଧୁନ୍‌ଦାନ୍‌, ବଖଲାଗ୍‌, ଶିବ ଗୁମ୍ଫା, ମଞ୍ଝୁ ଖଡ୍‌, ଦର୍ଲାଘାଟ, କୂନି ଖାଡ୍‌ ନାମରେ ଅନ୍ୟ କେତେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା ହୋଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?