
ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍ ଷ୍ଟ୍ରିଟ୍ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।
ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଫିଲାଡେଲଫିଆ ପୋଲିସ ଇନସ୍ପେକ୍ଟର ଡିଏଫ୍ ପେସ୍ ସୂଚନା ପ୍ରଦାନ କରିଛନ୍ତି। ଗୁଳିକାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରୁ ୨ ଟି ବନ୍ଧୁକ ଜବତ ହୋଇଛି।
ଆହତମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ କୁହାଯାଇଛି।
ମୃତକଙ୍କ ମଧ୍ୟରେ ୨୫ ବର୍ଷ ବୟସ୍କା ମହିଳା ଏବଂ ୨୨ ବର୍ଷ ବୟସ୍କ ପୁରୁଷ ଥିବା ପୋଲିସ କହିଛି। ୭ ଜଣ ଆହତଙ୍କୁ ଥୋମାସ ଜେଫରଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ପାଞ୍ଚଜଣଙ୍କୁ ପେନସିଲଭାନିଆ ଡାକ୍ତରଖାନାକୁ ନିଆଯାଇଥିଲା। ଅନ୍ୟ ତିନି ଜଣ ଆହତଙ୍କୁ ପେନ ପ୍ରେସ୍ବେଟରିଆନ ମେଡିକାଲକୁ ନିଆଯାଇଛି ବୋଲି ପୋଲିସ କହିଛି।