ଜାପାନୀ ଭାଷାରେ ଅଛି-‘ଟାଟ୍ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ କିଛି ପଛକୁ ଛାଡ଼ି ଯାଉନାହିଁ’। ଏଥିରୁ ବୁଝିବାକୁ ହେବ ଯେ, ଆପଣଙ୍କୁ ବ୍ୟବହାର କରିବା ଲାଗି ଯେଭଳି ପରିବେଶ ମିଳିଥିଲା, ସେହି ଭାବରେ ଆପଣ ଅନ୍ୟ ଜଣଙ୍କ ପାଇଁ ତାହା ଛାଡ଼ିଯିବା ଦରକାର। ଏହି ନାଗରିକବୋଧ ପ୍ରଦର୍ଶନ କରିବାରେ ସମଗ୍ର ପୃଥିବୀରେ ଜାପାନବାସୀଙ୍କଠାରେ ବେଶି ଲକ୍ଷ୍ୟ କରାଯାଏ। ୨୦୨୬ ବିଶ୍ୱକପ୍ ଫୁଟବଲ ଚାଲିଛି। ଜାପାନ ଆଗକୁ ବଢ଼ି ନ ପାରି ପ୍ରତିଦ୍ୱନ୍ଦ୍ୱିତାରୁ ବିଦାୟ ନେଲାଣି। ତଥାପି ଜାପାନୀ ପ୍ରଶଂସକମାନେ ଷ୍ଟାଡିୟମ ସଫା କରିବା ପାଇଁ ଖେଳ ଶେଷ ପର୍ଯ୍ୟନ୍ତ ରହିବା ଦେଖାଯାଇଥିଲା। ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ବ୍ୟବହାର ଦେଖାଇ ଆସିଛନ୍ତି। ସେମାନଙ୍କର ଏଭଳି ସାଂସ୍କୃତିକ ପରମ୍ପରା ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଜାପାନବାସୀଙ୍କ ଏପରି ବ୍ୟବହାରକୁ ଅନୁକରଣ କରି ବ୍ରାଜିଲ ଓ ପର୍ତ୍ତୁଗାଲର ପ୍ରଶଂସକମାନେ ସଫେଇ କରିବାର ଯେଉଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି, ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମା ମାଡ଼ ଯୋଗୁ ଧ୍ୱଂସର ସର୍ବାଧିକ କ୍ଷତି ସହିଥିବା ଦେଶ ଜାପାନ। କିନ୍ତୁ ଯୁଦ୍ଧ ପୂର୍ବରୁ ଅତ୍ୟନ୍ତ ନୃଶଂସ ଓ ଅତ୍ୟାଚାରୀ ଜାତି ଭାବେ ଜାପାନ ପରିଚିତ ଥିଲା। ଯୁଦ୍ଧରେ ପରାଜୟ ସେଠାକାର ଲୋକଙ୍କ ଚରିତ୍ରରେ ଆମୂଳଚୂଳ ଚରିତ୍ରରେ ପରିବର୍ତ୍ତନ କରାଇଥିଲା। ସେଠାକାର ପରିଷ୍କାର ପରିଚ୍ଛନ୍ନତା ଓ କାର୍ଯ୍ୟଶୈଳୀର ସଂସ୍କୃତି ସର୍ବଦା ଅନ୍ୟ ଦେଶ ପାଇଁ ଉଦାହରଣ ରହିଆସିଛି। ସ୍କୁଲରେ ପିଲାମାନଙ୍କୁ କୋଠରି ସଫା କରିବା ଲାଗି ଶିକ୍ଷା ଦିଆଯାଇଥାଏ। ପରବର୍ତ୍ତୀ ସମୟରେ ତାହା ସେମାନଙ୍କ କିଶୋର ବୟସରେ ପ୍ରତିଫଳିତ ହେବା ସହ ସେମାନଙ୍କ ଜୀବନରେ ଏକ ଅଭ୍ୟାସ ହୋଇ ରହିଯାଏ। ଏଭଳି ପ୍ରଚ୍ଛଦପଟରେ ଭାରତକୁ ଦେଖିଲେ ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫିଙ୍ଗିବା ସଂସ୍କୃତି ବେଶ୍ ଦୃଷ୍ଟିଗୋଚର ହୋଇଥାଏ। ଜାପାନୀ ଦର୍ଶନ କହେ, କେହି କଦାପି ଅଳିଆ ଆବର୍ଜନା ଛାଡ଼ିଯିବା ଉଚିତ ନୁହେଁ, ଯାହା ଅନ୍ୟମାନଙ୍କୁ କିମ୍ବା ଷ୍ଟାଡିୟମ ସଫା କରୁଥିବା କର୍ମଚାରୀଙ୍କୁ ଅସୁବିଧାରେ ପକାଇବ। ଅନ୍ୟପକ୍ଷରେ ଭାରତରେ ପ୍ରାୟତଃ ଏକ ମାନସିକତା ରହିଛି ଯେ, ସର୍ବସାଧାରଣ ସ୍ଥାନ ସଫା ରଖିବା ଦାୟିତ୍ୱ ଅନ୍ୟ କାହାର। ସେହି ଅନ୍ୟ ଭାବେ ପଡ଼ୋଶୀ, ସଫେଇ କର୍ମଚାରୀ କିମ୍ବା ବିଧାୟକ ବା ସାଂସଦ ସେଥିପାଇଁ ଦାୟିତ୍ୱ ନେଇଥାଆନ୍ତି। ପିଲାମାନଙ୍କୁ ମାତାପିତାମାନେ ଖୋଲାରେ ପରିସ୍ରା ବା ମଳତ୍ୟାଗ କରିବାକୁ ଉତ୍ସାହିତ କରିଥାନ୍ତି। ଅଧିକାଂଶ ସମୟରେ ପିଲାଦିନରୁ ଶିଖି ଆସିଥିବା ବ୍ୟକ୍ତି ବଡ଼ ହୋଇ ମଧ୍ୟ ରେଳଗାଡ଼ିଠାରୁ ଅନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନରେ ଥିବା ପରିସ୍ରାଗାରକୁ ପ୍ରବେଶ କରିବା ପରିବର୍ତ୍ତେ ଦୁଆରମୁହଁରେ ଠିଆ ହୋଇ ସବୁକିଛି କରନ୍ତି। ସୁନ୍ଦର ଉଦାହରଣ ଭାବେ ମହୀଶୂର ସହରକୁ ନିଆଯାଇପାରେ। କର୍ନାଟକର ଏହି ଐତିହାସିକ ସହରରେ ସେଠାକାର ପୌର ସଂସ୍ଥା ଅନେକ ସ୍ଥାନରେ ବିଶେଷକରି ରାସ୍ତାକଡ଼ରେ ଦର୍ପଣ ଲଗାଇଛନ୍ତି। ସେଥିପାଇଁ କେତେକାଂଶରେ ରାସ୍ତାକଡ଼ରେ ପରିସ୍ରା କରିବାରୁ ଜନସାଧାରଣ ନିବୃତ୍ତ ହୋଇଛନ୍ତି। କିନ୍ତୁ ଏଭଳିଆ ଖର୍ଚ୍ଚବହୁଳ ପଦ୍ଧତିରେ ଅମାନିଆ ଜାତିକୁ ଭଦ୍ର କରିବା ସମ୍ଭବପର ମନେହୁଏ ନାହିଁ।
ମହାତ୍ମା ଗାନ୍ଧୀଙ୍କ କହିବା ଅନୁଯାୟୀ ‘ଭଗବାନଙ୍କ ପରେ ପରିଚ୍ଛନ୍ନତା ଦ୍ୱିତୀୟ ସ୍ଥାନରେ ରହିଛି। ୨ ଅକ୍ଟୋବର ୨୦୧୪ରେ ‘ସ୍ବଚ୍ଛ ଭାରତ ମିଶନ’ ଆରମ୍ଭ ହୋଇଥିଲା। ସେହିଦିନଠାରୁ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଟିକସ ବା ସେସ୍ ପ୍ରାୟ ସବୁ ଦୈନନ୍ଦିନ କିଣାବିକା ଉପରେ ପକାଉଛନ୍ତି। ସେତେବେଳେ ଲୋକଦେଖାଣିଆ ଭାବେ ଝାଡ଼ୁ ଧରି ରାଜନେତା ଓ ସରକାରୀ କର୍ମଚାରୀ ଫଟୋ ଉଠାଇ ଗଣମାଧ୍ୟମକୁ ପଠାଉଥିଲେ। ଏହିମାନଙ୍କର ସ୍ବଚ୍ଛତା କାର୍ଯ୍ୟରେ ଆନ୍ତରିକତାର ଘୋର ଅଭାବ ଥିଲା ବୋଲି ଅକୁହା ଭାବେ ଜନସାଧାରଣ ବୁଝିଲେ। ସେଥିପାଇଁ ଗତ ୧୨ ବର୍ଷ ଭିତରେ କ୍ୱଚିତ୍ ସହର ବା ଗ୍ରାମାଞ୍ଚଳ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ହୋଇଛି ବୋଲି କେହି କହିପାରିବେ ନାହିଁ। ସ୍ବଚ୍ଛତା ଅଭିଯାନରେ ସେତେବେଳେ କେତେକ ଅସଙ୍ଗତି ଲକ୍ଷ୍ୟ କରାଯାଇଥିଲା। କିଛି ସ୍ଥାନରେ ଅଳିଆ ପକାଯାଇ ତାହାକୁ ଖରକା ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି ହୋଇଥିଲା। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏକ ଗଭୀର ସାମାଜିକ ଅଭ୍ୟାସ ହେବା ପରିବର୍ତ୍ତେ ଏବେ ମଧ୍ୟ ଏହା ଏକ ସରକାରୀ ପରିଚାଳିତ ନିର୍ଦ୍ଦେଶନାମା ହୋଇରହିଛି। ‘ଏହା ମୋର କାମ ନୁହେଁ’ ମାନସିକତାରୁ ‘ଏହା ଆମର ସାମୂହିକ ଦାୟିତ୍ୱ’ ମାନସିକତାକୁ ବଦଳାଇବା ପାଇଁ ତାହା ଅଭ୍ୟାସ ପାଲଟିବା ଦରକାର। ବିଗତ ବର୍ଷଗୁଡ଼ିକରେ ବିଦେଶରେ ପ୍ରବାସୀ ଭାରତୀୟମାନେ ଦୀପାବଳି ସମୟରେ ବାଣ ଫୁଟାଇବା ପରେ ସେହି ସ୍ଥାନକୁ ଅପରିଷ୍କାର ଛାଡ଼ି ଦେଇ ଆସିବା ଯୋଗୁ ଭାରତୀୟଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଭାରତସାରା ଅଳିଆ ଆବର୍ଜନା ସବୁଆଡ଼େ ଦିଶୁଥିବା ହେତୁ ତାହା ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ପୂର୍ବରୁ ସ୍କୁଲଗୁଡ଼ିକରେ ସ୍ବଚ୍ଛତା ଓ ନାଗରିକ ଦାୟିତ୍ୱବୋଧ ଦୁଇଟି ପୃଥକ୍ ବିଷୟ ଭାବେ ପଢ଼ାଯାଉଥିଲା। ମୋରାଲ ସାଇନ୍ସ ଓ ସିଭିକ୍ସ ଭାବେ ନାମିତ ଏହି ଦୁଇଟି ବିଷୟରେ ପିଲାଙ୍କୁ ସଚେତନ କରାଯାଉଥିଲା ଓ ଘରକୁ ଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ମାଷ୍ଟରମାନେ ପ୍ରବର୍ତ୍ତାଉଥିଲେ। ଏବେ ସେହିସବୁ ବିଷୟ ଶିଖେଇବା ପରିବର୍ତ୍ତେ ଅସତ୍ୟ ଉପରେ ଆଧାରିତ ଦେଶପ୍ରେମ ଓ ଅବାଞ୍ଛିତ ଧାର୍ମିକ ପଦ୍ଧତିକୁ ପାଠ୍ୟକ୍ରମରେ ସଂଲଗ୍ନ କରାଯାଉଛି। ବାରମ୍ବାର ଆମକୁ ଭାରତୀୟ ସଭ୍ୟତା ଓ ସଂସ୍କୃତି ବିଷୟରେ ଶୁଣିବାକୁ ମିଳିଥାଏ। ସଂସ୍କୃତି ଓ ସଭ୍ୟତା ଦୁଇଟିଯାକର ଜୀବନ ଅଛି। ଏହାକୁ ଦୈନନ୍ଦିନ କାର୍ଯ୍ୟରେ ଫୁଟିକି ଦିଶିବା କଥା। ସଂସ୍କୃତି କେବଳ ନାଚ, ଗୀତ ବା କାରୁକାର୍ଯ୍ୟରେ ସୀମିତ ରଖିଦେଲେ ତାହା ଅତୀତ ହୋଇ ମରିଯିବ। ଅନ୍ୟ ବ୍ୟକ୍ତିର ସୁବିଧା ସମ୍ପର୍କରେ ସଚେତନ ରହିବା, ପଡ଼ୋଶୀଙ୍କୁ ହଇରାଣ କରିବାରୁ ନିବୃତ୍ତ ହେବା ଏବଂ ସର୍ବସାଧାରଣ ସ୍ଥାନକୁ ସମ୍ମାନ ଦେଇ ସ୍ବଚ୍ଛ ରଖିପାରୁଥିବା ଜାତି ସଭ୍ୟ ବୋଲି ପରିଗଣିତ ହୋଇଥାଏ। ଏହିଭଳି ଚରିତ୍ର ଆଉ ଭାରତୀୟଙ୍କ ଭିତରେ ଦେଖିବାକୁ ମିଳୁନାହିଁ। ସମସ୍ତେ ବେଖାତିର ମନୋଭାବ ପୋଷଣ କରୁଥିବା ହେତୁ ଭାରତର ସୌନ୍ଦର୍ଯ୍ୟ ସବୁବେଳ ପାଇଁ ଧ୍ୱଂସ ପାଇଚାଲିଛି।

