ମାଡ୍ରିଡ୍,୩ା୧୧: ସ୍ପାନିଶ ଫୁଟବଲରେ ମଙ୍ଗଳବାର ଶୋକର ଛାୟା ଖେଳିଯାଇଛି। ଏକ ଦ୍ୱିତୀୟ ଡିଭିଜନ ମ୍ୟାଚ୍ରେ ପ୍ରତିପକ୍ଷ ଗୋଲକିପରଙ୍କ ସହ ଧକ୍କା ପରେ ହୃଦଘାତ୍ର ସମ୍ମୁଖୀନ ହୋଇଥିବା ଟେନେରାଇଫ୍ ଷ୍ଟାଇକର ଜିସସ୍ ଡି ମିଗୁଏଲଙ୍କର ମୃତ୍ୟୁ ଘଟିଛି। ଏଫ୍ସି ଆଣ୍ଡୋରା ଗୋଲକିପର ଜିସସ ଓଓ୍ବନୋଙ୍କ ସହ ଧକ୍କା ହେବା ପରେ ୩୦ ବର୍ଷୀୟ ଡି ମିଗୁଏଲ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲା। ଏଥିଯୋଗୁ ଅତିରିକ୍ତ ସମୟର ସପ୍ତମ ମିନିଟ୍ରେ ସ୍କୋର ୨-୨ ଗୋଲରେ ବରାବର ଥିବା ବେଳେ ରେଫରି ମ୍ୟାଚ୍କୁ ସ୍ଥଗିତ କରିଥିଲେ। ଫିଲ୍ଡରେ ଚିକିତ୍ସା ପରେ ମିଗୁଏଲଙ୍କୁ ହସ୍ପିଟାଲ ପଠାଯାଇଥିଲା। କିନ୍ତୁ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଟେନେରାଇଫ୍ କ୍ଲବ ପକ୍ଷରୁ ଏକ ଭାବବିହ୍ବଳ ବାର୍ତ୍ତା ଜରିଆରେ ତାଙ୍କ ମୃତ୍ୟୁ ସୂଚନା ଦିଆଯାଇଛି।
ଅତିରିକ୍ତ ସମୟରେ ବିଜୟୀ ସୂଚକ ଗୋଲ ପାଇଁ କାଉଣ୍ଟର ଆଟାକିଂ ବେଳେ ହାଫଓ୍ବେ ଲାଇନରେ ବଲ ପାଇଥିଲେ ମିଗୁଏଲ। ହେଲେ ବଲକୁ କ୍ଲିଅର କରିବା ପାଇଁ ଗୋଲକିପର ଓଓ୍ବନୋ କିକ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ଆଣ୍ଠୁ ମିଗୁଏଲଙ୍କ ଛାତିରେ ବାଜିଥିଲା। ପ୍ରାରମ୍ଭିକ ଭାବେ ମିଗୁଏଲ ପଡ଼ିଆରେ ଯନ୍ତ୍ରଣାରେ ଗଡ଼ିଥିଲେ। ହେଲେ ପରେ ଚେତାଶୂନ୍ୟ ହୋଇଯାଇଥିଲେ। ମେଡିକାଲ ଷ୍ଟାଫ ତୁରନ୍ତ ଗ୍ରାଉଣ୍ଡରେ ପହଞ୍ଚି ପ୍ରାୟ ୫ ମିନିଟ୍ ଧରି ଚିକିତ୍ସା କରିବା ପରେ ତାଙ୍କୁ ହସ୍ପିଟାଲ ପଠାଇଥିଲେ।
କିଛି ସ୍ପାନିଶ ରିପୋର୍ଟ ମୁତାବକ, ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଥିବା ବେଳେ ମିଗୁଏଲ ହୃଦଘାତର ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ତାଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ସିପିଆର ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମିଗୁଏଲ ୨୦୨୫ରେ ଟେନେରାଇଫ୍ରେ ଯୋଗ ଦେବା ପରେ ୩୦ ମ୍ୟାଚ୍ରେ ୧୧ ଗୋଲ କରି କ୍ଲବକୁ ତୃତୀୟ ଡିଭିଜନରୁ ଦ୍ୱିତୀୟ ଡିଭିଜନରେ ପହଞ୍ଚାଇଥିଲେ।

