କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମହିଳା ସୁପରଭାଇଜର ନିୟମିତ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଏବଂ କେନ୍ଦ୍ରଗୁଡ଼ିକର କାର୍ଯ୍ୟ ତଦାରଖରେ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି। ଏହାର ପ୍ରଭାବ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସେବା ଉପରେ ପଡ଼ୁଥିବା ଆଶଙ୍କା ପ୍ରକାଶ ପାଇଛି।
ତୁଣ୍ଡଳା ସେକ୍ଟର ଅଧୀନରେ ମୋଟ ୩୬ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକରେ ସରକାରୀ ଯୋଜନା ଅନୁଯାୟୀ କାର୍ଯ୍ୟ ହେଉଛି କି ନାହିଁ, ଶିଶୁ ଓ ମହିଳାଙ୍କୁ ନିର୍ଦ୍ଧାରିତ ସେବା ମିଳୁଛି କି ନାହିଁ, ତାହା ତଦାରଖ କରିବା ପାଇଁ ଜଣେ ମହିଳା ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। କିନ୍ତୁ, ଗତ ଏକ ବର୍ଷ ମଧ୍ୟରେ ସୁପରଭାଇଜର ମାତ୍ର ଗୋଟିଏ ଦିନ କେନ୍ଦ୍ର ପରିଦର୍ଶନ କରିଥିବା କେତେକ ଅଙ୍ଗନବାଡ଼ି କର୍ମୀ ଅଭିଯୋଗ କରିଛନ୍ତି। ନିୟମିତ ମାସିକ ପରିଦର୍ଶନ କରିବା ପରିବର୍ତ୍ତେ ସେ କେସିଙ୍ଗାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରହି କର୍ମୀମାନଙ୍କୁ ଡାକୁଥିବା ଏବଂ ମାସିକ ସେକ୍ଟର ବୈଠକରୁ ରିପୋର୍ଟ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ସୁପରଭାଇଜର ତୁଣ୍ଡଳା ସେକ୍ଟରରେ ନରହି କେସିଙ୍ଗାରେ ରହୁଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିୟମିତ ତଦାରଖ ହୋଇପାରୁନାହିଁ। କେତେକ କେନ୍ଦ୍ର ନିୟମିତ ଭାବେ ଖୋଲୁଛି କି ନାହିଁ, ଶିଶୁଙ୍କୁ ରନ୍ଧା ଖାଦ୍ୟ ଓ ଅଣ୍ଡା ସହିତ ଭାତ ଦିଆଯାଉଛି କି ନାହିଁ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି। ସେହିପରି ଗର୍ଭବତୀ ଓ ପ୍ରସୂତି ମହିଳା ତଥା କିଶୋରୀ ବାଳିକାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ, ଚଣା, ମୁଢ଼ି, ରାଶି ଲଡ଼ୁ, ବାଦାମ ଓ ଖଜୁରି ଆଦି ପୁଷ୍ଟିକର ଖାଦ୍ୟ ଠିକ ଭାବେ ବଣ୍ଟନ ହେଉଛି କି ନାହିଁ, ତାହାର ଯାଞ୍ଚ ହେଉ ନ ଥିବା କୁହାଯାଉଛି। ଏପରିକି ପରିଦର୍ଶନ ପୁସ୍ତିକାରେ ଆବଶ୍ୟକ ମନ୍ତବ୍ୟ ଲେଖାଯାଉନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ମାସିକ ଏସଏନ୍ପି (ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ ପ୍ରୋଗ୍ରାମ) ବିଲ୍ରେ ମିଥ୍ୟା ବିଲ ଓ ଭାଉଚର୍ ପ୍ରସ୍ତୁତ କରି ଅର୍ଥ ଆତ୍ମସାତ୍ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ସୁପରଭାଇଜରଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ସରକାରୀ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସ୍ଥାନୀୟ ଜନସାଧାରଣ ଏହି ଘଟଣାର ତଦନ୍ତ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା, ଖାଦ୍ୟ ବଣ୍ଟନ ଓ ଆର୍ଥିକ କାରବାରର ଯାଞ୍ଚ କରିବାକୁ ଦାବି କରିଛନ୍ତି।
ଏହି ସମସ୍ୟାକୁ ନେଇ ଜିଲ୍ଲାପାଳ ଓ କେସିଙ୍ଗା ସିଡିପିଓ ହସ୍ତକ୍ଷେପ କରିବା ସହ ତୁଣ୍ଡଳା ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ପରିଦର୍ଶନ କରିବା ପାଇଁ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେବାକୁ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ କେସିଙ୍ଗା ସିଡିପିଓ ସୁଷମା କୁମାରୀ ମିଶ୍ରଙ୍କୁ ପଚାରିବାରୁ, ମୁଁ ଏହାର ତଦନ୍ତ କରିବି ବୋଲି ସେ କହିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

