ପାଟଣା, ୧୮।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମଣା ପଞ୍ଚାୟତ ଚିଲିଦା ଗ୍ରାମର ମେଧାବୀ ଛାତ୍ର ଆକାଶ ସବ୍ୟସାଚୀ ମହାନ୍ତ ଜାତୀୟସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (ୟୁଜି)-୨୦୨୬’ରେ ସଫଳତା ହାସଲ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୩୮୫୫ ରାଙ୍କ ଅଧିକାର କରି ଉତ୍ତୀର୍ଣ୍ଣ ହେବା ସହ ନିଜ ଅଞ୍ଚଳ ଓ ପରିବାର ପାଇଁ ସୁନାମ ବୃଦ୍ଧି କରିଛନ୍ତି। ଆକାଶ ହେଉଛନ୍ତି ଚିଲିଦା ଗ୍ରାମର ସଞ୍ଜୟ କୁମାର ମହାନ୍ତ ଓ ଅଞ୍ଜଳି ମହାନ୍ତଙ୍କ ସୁଯୋଗ୍ୟ ପୁତ୍ର। ତାଙ୍କ ପିତା ବଡ଼ବିଲ କଲେଜରେ ଇଂରାଜୀ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ବେଳେ ମାତା ଜଣେ ଗୃହିଣୀ ଅଟନ୍ତି।
ଆକାଶ ବଡ଼ବିଲ ସ୍ଥିତ ଜିନ୍ଦଲ ସ୍କୁଲରୁ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଯାଜପୁର ରୋଡ଼ର ପ୍ରୟାସ ସ୍କୁଲରେ ଯୁକ୍ତ ଦୁଇ ପଢ଼ିବା ସହ ନିଟ୍ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ପୂର୍ବରୁ ସେ ଦୁଇ ଥର ଏହି ପରୀକ୍ଷା ଦେଇ ବିଫଳ ହୋଇଥିଲେ ମଧ୍ୟ ହାର୍ ନମାନି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଏହି ତୃତୀୟ ପ୍ରୟାସରେ ଶୀର୍ଷ ସଫଳତା ସ୍ୱାଦ ଚାଖିଛନ୍ତି। ନିଜର ଏହି ସଫଳତା ପାଇଁ ସେ ବହୁତ ଖୁସି ଥିବା ବେଳେ ଆଗକୁ ଡାକ୍ତରୀ ପାଠପଢ଼ା ଶେଷ କରି ନିଜ ଅଞ୍ଚଳ ତଥା ସମଗ୍ର ଜିଲାବାସୀଙ୍କ ପାଇଁ ନିସ୍ୱାର୍ଥପର ଭାବେ ସେବା କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆକାଶଙ୍କ ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

