
ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ ସାଟେଲାଇଟ୍(ଗୁପ୍ତଚର ଉପଗ୍ରହ) ଉତକ୍ଷେପଣ ପାଇଁ କିମ୍ ପ୍ରସ୍ତୁତି ଜାରି ରଖିଛନ୍ତି।
ଏହା ଅନ୍ତର୍ଗତ ଏକ ସପ୍ତାହ ମଧ୍ୟରେ ସେ ଦ୍ୱିତୀୟ ଥର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତଚର ଉପଗ୍ରହ ପ୍ରଣାଳୀ(ସ୍ପାଏ ସାଟେଲାଇଟ୍ ସିଷ୍ଟମ୍)ର ପରୀକ୍ଷା କରିଛି। ଏହା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।
ଉତ୍ତର କୋରିଆ କହିଛି ଯେ ଏହା ଅନୁସନ୍ଧାନ ଉପଗ୍ରହ ପ୍ରଣାଳୀ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରିଛି।
ଷ୍ଟେଟ୍ ନ୍ୟୁଜ ଏଜେନ୍ସି କେସିଏନ୍ଏ ପକ୍ଷରୁ ରବିବାର ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଗୋଟିଏ ଦିନ ପରେ ଏହି ପରୀକ୍ଷା କରିଥିବାରୁ ବହୁ ଦେଶ ଏହାକୁ ସମାଲୋଚନା କରିଛନ୍ତି।
ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସରକାର ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଗୁପ୍ତଚର ଉପଗ୍ରହ ଉତକ୍ଷେପଣର ନିନ୍ଦା କରିଛନ୍ତି। ଏହି ଦେଶଗୁଡିକ କହିଛନ୍ତି ଯେ ଉତ୍ତର କୋରିଆ ଆସନ୍ତା ମାସରେ ପୁଣି ପ୍ରମୁଖ ଅସ୍ତ୍ରଶସ୍ତ୍ର ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ ସତ୍ତ୍ୱେ ଉତ୍ତର କୋରିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଆଣବିକ ଅସ୍ତ୍ର ପରୀକ୍ଷା ଜାରି ରଖିଛି।
ଉତ୍ତର କୋରିଆର ଷ୍ଟେଟ୍ ନ୍ୟୁଜ ଏଜେନ୍ସି କେସିଏନ୍ଏ ରିପୋର୍ଟ କରିଛି ଯେ ଜାତୀୟ ଏରୋସ୍ପେସ ଡେଭଲପମେଣ୍ଟ ଆଡମିନିଷ୍ଟ୍ରେସନ (ଏନଏଡ଼ିଏ) ଏବଂ ଏକାଡେମୀ ଅଫ ଡିଫେନ୍ସ ସାଇନ୍ସ ପକ୍ଷରୁ ଏକ ଅନୁସନ୍ଧାନ ଉପଗ୍ରହର ବିକାଶ ଯୋଜନା ଅନ୍ତର୍ଗତ ଏହି ଉତକ୍ଷେପଣ କରାଯାଇଛି।
ପରୀକ୍ଷଣ ମାଧ୍ୟମରେ, ଏନଏଡିଏ ସାଟେଲାଇଟ ଡାଟା ଟ୍ରାନ୍ସମିସନ ଏବଂ ରିସେପ୍ସନ ସିଷ୍ଟମ, ଏହାର କଣ୍ଟ୍ରୋଲ କମାଣ୍ଡ ସିଷ୍ଟମ ଏବଂ ବିଭିନ୍ନ ଗ୍ରାଉଣ୍ଡ-ଆଧାରିତ କଣ୍ଟ୍ରୋଲ ସିଷ୍ଟମର ନିର୍ଭରଯୋଗ୍ୟତା ଯାଞ୍ଚ କରାଯାଇଛି ବୋଲି କେସିଏନ୍ଏ କହିଛି।