ପ୍ରଶାସନକୁ ସମ୍ଭାଳିବ ଏମିତି

ଯାଜପୁର ଅଫିସ,୨୯ା୭: ଓଡ଼ିଶାରେ ପ୍ରଶାସନକୁ ସମ୍ଭାଳିବାର ଅଭିନବ ଢଙ୍ଗ ଏବେ ପଦାକୁ ଆସିଛି। ବେଦାନ୍ତ କମ୍ପାନୀର ଆଭ୍ୟନ୍ତରୀଣ ଇ-ମେଲ୍‌ ଯୋଗାଯୋଗରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ରାଜ୍ୟବ୍ୟାପୀ ଏହି ପଦ୍ଧତିରେ ଘରୋଇ କମ୍ପାନୀମାନେ ବିଭିନ୍ନ ସରକାରୀ ବିଭାଗକୁ ହାତରେ ରଖି ଜନସାଧାରଣଙ୍କୁ ଦମନ କରିପାରୁଛନ୍ତି। ପୂର୍ବରୁ ଶୁଣିବାକୁ ମିଳୁଥିଲା ‘ପୈସା କ୍ୟା ନା କରେ କାମ୍‌’, ଏବେ ଏହି ଢଗର ସତ୍ୟାସତ୍ୟ ପ୍ରମାଣିତ ହୋଇଛି।
ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ପରିଚାଳିତ ଫେକର ଓସ୍ତପାଳ ଖଣିର ଇ-ମେଲ୍‌ ଯୋଗାଯୋଗରୁ ଏକ ଭିତିରି ତଥ୍ୟ ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଯଥା କାଳିଆପାଣି ଥାନାଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଡେପୁଟି ଡାଇରେକ୍ଟର୍‌ ଅଫ୍‌ ମାଇନ୍ସ କାର୍ଯ୍ୟାଳୟ ପ୍ରମୁଖ ବେଦାନ୍ତଠାରୁ ମାସିକ ଅର୍ଥରାଶି ପାଉଥିବା ଉକ୍ତ ଇ-ମେଲ୍‌ ଦର୍ଶାଉଛି। ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର ପି.ଜି. ସୁରେଶ କୁମାରଙ୍କୁ ୧୩ା୧୧ା୨୦୨୦ ଅପରାହ୍ନ ୧ଟା ୫୩ ମିନିଟ ୨୩ ସେକେଣ୍ଡରେ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ର ପଠାଇଛନ୍ତି ଉକ୍ତ ଇ-ମେଲ୍‌। ବେଦାନ୍ତ ଖଣିରେ ଆଇନଶୃଙ୍ଖଳା ପରିସ୍ଥିତି, ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ମୂଲ୍ୟବାନ କ୍ରୋମାଇଟ ଖଣି ଉତ୍ତୋଳନ ପ୍ରକ୍ରିୟାକୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ଏମିତି ସମ୍ଭାଳୁଥିବାରୁ ସାଧାରଣ ଲୋକେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏନେଇ ୧୩ା୭ା୨୦୨୧ରେ ଅଭିଯୋଗକାରୀ ଆର୍‌.କେ. ସିଂ ଇ-ମେଲ୍‌୍‌ ଯୋଗେ ଡିଜିପି ଅଭୟ, ରାଜ୍ୟ ଭିଜିଲାନ୍ସ ଡାଇରେକ୍ଟର ଯଶୱନ୍ତ ଜେଠୱା, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ରାହୁଲ ପି.ଆର.ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଓ ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସରଙ୍କ ଇ-ମେଲ୍‌ ସମେତ ଉପରୋକ୍ତ ସରକାରୀ ଅଧିକାରୀଙ୍କ ଟେଲିଫୋନ କଲ୍‌ ରେକର୍ଡ ଯାଞ୍ଚ କରାଗଲେ ଏହିସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ସିଂ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଗତ ନଭେମ୍ବରରୁ ଜାନୁୟାରୀ, ୩ ମାସ ମଧ୍ୟରେ ଓସ୍ତପାଳ ଖଣିରୁ ୧୫ ଲକ୍ଷ ଘନମିଟର ବର୍ଜ୍ୟପାଣି ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌) ବାହାରେ ସିଧାସଳଖ ଡମଶାଳା ନାଳାରେ ଛାଡ଼ିଥିବା ନେଇ ସିଂ କେନ୍ଦ୍ର ସରକାରଙ୍କ ଓ୍ବେବ୍‌ପୋର୍ଟାଲ୍‌ ‘ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ୍‌ ଗ୍ରିଭାନ୍ସ ରିଡ୍ରେସ୍‌ ଆଣ୍ଡ୍‌ ମନିଟରିଂ ସିଷ୍ଟମ୍‌’ରେ ଅଭିଯୋଗ କରିଥିଲେ। କିନ୍ତୁ ମାସିକ ଅନୁକମ୍ପା ଯୋଗୁ ଏସ୍‌ପିସିବିର ତଦନ୍ତ ରିପୋର୍ଟ କମ୍ପାନୀ ସପକ୍ଷରେ ଯାଇଥିବା ସିଂ ଅଭିଯୋଗ କରିଛନ୍ତି।
ଫେରୋ ଆଲଏଜ୍‌ କର୍ପୋରେଶନ ଲିମିଟେଡ୍‌ (ଫାକର) ନାମରେ ଥିବା ଓସ୍ତପାଳ ଏବଂ କଳରଙ୍ଗିଅଟା କ୍ରୋମାଇଟ ଖଣି ଉତ୍ତୋଳନ କାର୍ଯ୍ୟ ବେଦାନ୍ତ କମ୍ପାନୀ ଦ୍ୱାରା ୨୦୨୦ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହାପରେ ଖଣି ଗର୍ତ୍ତଠାରୁ ପ୍ରାୟ ୨୦ ମିଟର ଦୂରରେ ଥିବା ବିପଜ୍ଜନକ ଡମ୍ପ୍‌ ଏବଂ ଦୀର୍ଘମାସ ଧରି ଖଣି ଭିତରେ ଥିବା ବର୍ଜ୍ୟଜଳ ପରିଚାଳନାକୁ ନେଇ ବେଦାନ୍ତ ଅଡୁଆରେ ପଡ଼ିଥିଲା। ଏଥିଯୋଗୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବାକୁ ଯାଇ କାଳିଆପାଣି ଥାନାଧିକାରୀ, ପ୍ରଦୂଷଣ ସମସ୍ୟାରୁ ମୁକୁଳିବାକୁ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଏବଂ ଖଣି ଉତ୍ତୋଳନରେ ବ୍ୟାପକ ତୋସରପାତ କରିବା ନିମନ୍ତେ ଖଣି ବିଭାଗ ସହ ଅନୈତିକ ସମ୍ପର୍କ କରାଯାଇଥିବା ଉକ୍ତ ଇ-ମେଲ୍‌୍‌ରୁ ସ୍ପଷ୍ଟ ହେଉଛି। ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସରଙ୍କୁ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲ୍‌ରେ ଆହୁରି ଦର୍ଶାଇଛନ୍ତି ଯେ, ଗତ ନଭେମ୍ବର ୯ ତାରିଖର ଇ-ମେଲ୍‌ରେ ସେ ତାଙ୍କର ଅସୁବିଧା ସମ୍ପର୍କରେ ଜଣାଇଥିଲେ। କିଛି ଦିନ ହେଲା ନିର୍ଦ୍ଦିଷ୍ଟ ଅର୍ଥ ପାଇ ନ ଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମାସିକ ଆବଶ୍ୟକତାକୁ ପୂରଣ କରାଯାଇ ପାରିନାହିଁ। ତେଣୁ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଅର୍ଥ ଦେଇଯିବାକୁ ଫୋନ କରି କହୁଛନ୍ତି। ଏହାକୁ ବିଳମ୍ବ କରାଗଲେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ବେଦାନ୍ତର ୨ ଖଣି ଉପରେ ବୈଧାନିକ ସମସ୍ୟା ଛିଡ଼ା କରିପାରନ୍ତି। ତେଣୁ ସରକାରୀ ଅଧିକାରୀଙ୍କ ସହ ଏଭଳି କାରବାର କରିବାକୁ ବେଦାନ୍ତର ଅନ୍ୟ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇପାରେ ବୋଲି ପାତ୍ର ତାଙ୍କ ଇ-ମେଲ୍‌ରେ ଦର୍ଶାଇଥିଲେ। ଏ ସଂକ୍ରାନ୍ତରେ ଫେକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଦୈନିକ ଶତାଧିକ ଇ-ମେଲ୍‌ ହେଉଛି। ତେଣୁ ସେଭଳି ଇ-ମେଲ୍‌ ସମ୍ପର୍କରେ ତାଙ୍କର କିଛି ମନେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri