ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ ଥିବା ଦୁର୍ଗମ ଗ୍ରାମଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଶ୍ରୟ କେନ୍ଦ୍ର ପ୍ରସ୍ତୁତ ରଖାଯିବା ସହ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ କରାଯାଇଛି।
ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାରର ଉପରମୁଣ୍ଡରେ ଥିବା ଏଲଗଲ, ବେହେରାପୁଟୁ ଓ ଶିରିଶିଗଣ୍ଡ ଭଳି ଗ୍ରାମଗୁଡ଼ିକରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି । ଏହି ଅଞ୍ଚଳରେ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ବିପଦ ଆଶଙ୍କା ଥିବାରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଆସିବାକୁ ପରାମର୍ଶ ଦିଆଯାଇଛି । ବୁଧବାର ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ଆଙ୍କୁଲି ପଞ୍ଚାୟତର ଲାଉସାହି, ତାଡ଼କାସାହି ଓ ମଶାଣିବାଡ଼ ଆଶ୍ରୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିଥିଲେ । ଆଶ୍ରୟ କେନ୍ଦ୍ରରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଦୁର୍ଗମ ଅଞ୍ଚଳରେ କେହି ଯେପରି ରହି ନଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ଅଧିକାରୀଙ୍କୁ କହିଥିଲେ। ଅନ୍ୟପକ୍ଷରେ ବାଘଲଟି ଜଳଭଣ୍ଡାର ପାର୍ଶ୍ୱବର୍ତ୍ତୀ ଲୁହାଗୁଡ଼ି ଗ୍ରାମରେ ଓଡ୍ରାଫ୍ ଟିମ୍ ପହଞ୍ଚି ପାୱାର ବୋଟ୍ ସହାୟତାରେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ନେଇଥିଲା।
ସେହିପରି ବୁରାତାଲ ପଞ୍ଚାୟତର ବାତରାସାହି ସମେତ ଅନ୍ୟ ଦୁର୍ଗମ ଗ୍ରାମଗୁଡ଼ିକରେ ମଧ୍ୟ ୧୩ ଜଣିଆ ଓଡ୍ରାଫ ଟିମ ସହାୟତାରେ ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଛି। ପରିସ୍ଥିତିର ଗୁରୁତ୍ୱକୁ ଦେଖି ଓଡ୍ରାଫ୍ ଟିମ୍ ଓ ସ୍ଥାନୀୟ ପ୍ରଶାସନ ସମନ୍ୱୟ ରଖି ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଜାରି ରଖିଛନ୍ତି। ବାତ୍ୟାର ଗତିପଥ ବଦଳିବା ପରେ ବି ନୂଆଗାଁ ଅଂଚଳରେ ବର୍ଷା ହୋଇଥିବା ବେଳେ ସନ୍ଧ୍ୟାରେ ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ବର୍ଷା ସହ ପଵନ ହେଉଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ଅର୍ଣ୍ଣବ ପରେ ବାକି ଥିବା ଫସଲ ମାଟିରେ ଶୋଇବାକୁ ବସିଲାଣି । ଭୂସ୍ଫଳନ ଭୟରେ ପ୍ରଶାସନ ପାହାଡ଼ ଉପରେ ଥିବା ଗ୍ରାମର ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ବିଡିଓ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ କୁମାର ପଟ୍ଟନାୟକ, ମିଶନ ଶକ୍ତି ଡିପିଏମ୍ ସନ୍ତୋଷ କୁମାର ରଥ, ଡିପିସି ଜୟକୃଷ୍ଣ ମହାପାତ୍ର, ବିପିସି ରଜତ କୁମାର ବେହେରା ପ୍ରମୁଖ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ବ୍ଲକରେ ସ୍ଥାନାନ୍ତରଣ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି ।

