Advertisement

ନୀଳବର୍ଣ୍ଣ ଓଡ଼ିଆଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଏକଥାଟି ଯେଉଁମାନଙ୍କ ସମ୍ପର୍କରେ କୁହାଯାଇଛି, ସେମାନଙ୍କ ପାଖରେ ଏହା ପହଞ୍ଚତ୍ବ ବୋଲି ଆଦୌ ବିଶ୍ୱାସ ନାହିଁ। ଆଧୁନିକତା ଓ ମିଥ୍ୟା ସଂଭ୍ରାନ୍ତପଣର ଆବାହନ ମଧ୍ୟରେ ଓଡ଼ିଆ ଖବରକାଗଜ ପଢ଼ିବାକୁ ଯେଉଁମାନେ ମାନମର୍ଯ୍ୟାଦା, ପାଣ୍ଡିତ୍ୟ ଓ ପ୍ରତିଷ୍ଠାର ପରିପନ୍ଥୀ ବୋଲି ବିଚାରନ୍ତି, ନିଜ ବୈଠକଖାନାର ଟେବୁଲ ଉପରେ ଖଣ୍ଡିଏ ଓଡ଼ିଆ ଖବରକାଗଜ ପଡ଼ି ରହିବାକୁ ନିଜ ସଂଭ୍ରାନ୍ତ ସ୍ବରୂପ ପ୍ରତି ଚରମ ଅସମ୍ମାନ ବୋଲି ମନେକରନ୍ତି, ସେମାନଙ୍କ ଦୃଷ୍ଟିରେ ଏଇ ନିବନ୍ଧଟି ପଢ଼ିବାର ସାମାନ୍ୟ ସମ୍ଭାବନା ନ ଥାଇ ମଧ୍ୟ କଥାଟି କୁହାଯାଇଛି। କଥା ତ ନୁହେଁ, ମରମ ତଳର ଏକ ବ୍ୟଥା, ଯାହାକୁ ଏ ସ୍ତମ୍ଭର ସମଦର୍ଶୀ ପାଠିକାପାଠକଙ୍କ ସହ ବାଣ୍ଟି ବେଦନା ଲାଘବ କରିବାର ଆଶାଟିଏ ରହିଛି। ନିଜ ଆଚରଣରେ ଗୋଟିଏ ଜାତି ଓ ତାହାର ଭାଷାକୁ ଆହତ କରୁଥିବା ଲୋକେ କେହି ନ ଶୁଣନ୍ତୁ ପଛେ, ଆହା ବୋଲି କହି ସାହା ହେବା ପାଇଁ ଅନ୍ୟ କେହି ଆଗେଇ ନ ଆସନ୍ତୁ ପଛେ; ‘ଦୁଃଖ ବାଣ୍ଟିଲେ ସରେ’ ନ୍ୟାୟରେ ଏହି ପ୍ରସଙ୍ଗଟିର ଅବତାରଣା।
ଏଇ ଚାରିଦିନ ତଳେ ଭାଷାଭିତ୍ତିରେ ଗଢ଼ା ହୋଇଥିବା ଆମ ପ୍ରିୟ ଜନ୍ମଭୂମି ଓଡ଼ିଶାକୁ ପୂରିଲା ପଞ୍ଚାଅଶୀ ବର୍ଷ। ଏହି ପଞ୍ଚାଅଶୀ ବର୍ଷର ଗୌରବୋଦୀପ୍ତ ଅତୀତ ମଧ୍ୟରେ ଆମେ ଆମ ମାଟି ଓ ଭାଷାର ଉତ୍ତରଣକୁ ନେଇ ବହୁବାର ଗର୍ବ କରିଛୁ। ଗର୍ବ କରିଛୁ ଜଗନ୍ନାଥ ଦେଶର ଲୋକ ଭାବେ ପରିଚିତ ହୋଇ, ଗର୍ବ କରିଛୁ ଏଇ ମାଟିର ମହାନ୍‌ ସଂସ୍କାର, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ପଖାଳକୁ ନେଇ, ପୁଣି ଗର୍ବ କରିଛୁ ‘ଓଡ଼ିଆ ଏକ୍‌ଟା ସ୍ବତନ୍ତ୍ର ଭାଷା ନୟ’ କହି ଅତୀତରେ ଆମ ଛାତିରେ ହାତୁଡ଼ି ପିଟିଥିବା ବଙ୍ଗାଳୀ ବଡ଼ପଣ୍ଡାମାନଙ୍କୁ ପଛକୁ ଠେଲି ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ହାସଲ କରି। ଏତେ ସବୁ ଗର୍ବ ଓ ଗୌରବବୋଧ ମଧ୍ୟରେ ଉତ୍କଳୀୟ ସାଂସ୍କୃତିକ ଚେତନାର ପ୍ରବାହ ପୁଣି ବେଳେବେଳେ ଦାରୁଣ ଧକ୍କାର ସମ୍ମୁଖୀନ ହେଉଛି, ଯେତେବେଳେ ଆଖିରେ ପଡ଼ୁଛି କେଇଜଣ ଆଧୁନିକ ବୋଲାଉଥିବା ଓଡ଼ିଆଙ୍କ ଚେହେରା, ଯେଉଁମାନେ ନୀଳବର୍ଣ୍ଣ ଶୃଗାଳଟି ପରି ଆପଣାର ନୂଆ ରଙ୍ଗରୂପକୁ ନେଇ ନିଜ ଜାତିର ସ୍ବରୂପ ଓ ସ୍ବଭାବ ପ୍ରତି ନାସିକା କୁଞ୍ଚନ କରନ୍ତି! ନିଜ ମାତୃଭାଷା ହେୟ ହତାଦର କରି ପ୍ରତିବେଶୀ ବା ବିଦେଶୀ ଭାଷାର ସ୍ତୁତିଗାନ କରନ୍ତି!
ଏବେ ଯେକୌଣସି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପରିସରରେ ଘେରାଏ ବୁଲି ଆସିଲେ ସ୍କୁଲ ବା କଲେଜର ବିଦ୍ୟାର୍ଥୀମାନେ ପରସ୍ପର ମଧ୍ୟରେ ଯେଉଁ ଭାଷାରେ କଥା ହେଉଥିବା ନଜରକୁ ଆସିବ, ସେଇ ଭାଷା ହିନ୍ଦୀ ବା ଇଂଲିଶ୍‌ ହୋଇଥିବ ସିନା ଓଡ଼ିଆ ହୋଇ ନ ଥିବ! ଅଥଚ ସ୍କୁଲ ବା କଲେଜଟି ଓଡ଼ିଶା ମାଟିରେ ଛିଡ଼ା ହୋଇଥିବ, ସେଠାରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ସବୁ ଦୃଷ୍ଟିରୁ ଓଡ଼ିଆ ପରିବାରର ଦାୟାଦ ଥିବେ, ଓଡ଼ିଶାର ପାଣି ପବନ ଓ ପଖାଳର ବିଶୁଦ୍ଧ ବାସ୍ନାରେ ସୁରଭିତ ହୋଇଥିବ ସେମାନଙ୍କ ସୁକୁମାର ଶୈଶବ। ଓଡ଼ିଆ ପରିବାରର ପୁଅ ଝିଅମାନେ ବଡ଼ ହୋଇ ବେଶି ପାଠ ପଢ଼ିଲେ, ଆଧୁନିକ ବୋଲାଇଲେ କ’ଣ ନିଜର ମୂଳ ସଂସ୍କାର ନିର୍ବାସନରେ ଚାଲିଯାଏ? ଶ୍ରେଣୀକକ୍ଷ ବାହାରେ ଦୁଇ ଜଣ ଓଡ଼ିଆ ପୁଅ ବା ପୁଅଝିଅ ପରସ୍ପର ସହ ନିଜ ମାତୃଭାଷା ଓଡ଼ିଆରେ କଥା ହେଲେ କ’ଣ ‘ବ୍ୟାକ୍‌ଓ୍ବାର୍ଡ’ ଭଳି ଏକ ବିଶେଷଣର ଶିକାର ହେବାକୁ ପଡ଼େ? କେଜାଣି!
ନବ୍ୟ ଆଧୁନିକତାର ଭବ୍ୟ ଆକର୍ଷଣରେ ଯୁବାବର୍ଗ ହୁଏତ ନିଜ ସଂସ୍କାରକୁ ବିସ୍ମରି ଯାଇ ମାତୃଭାଷାର ଆକର୍ଷଣକୁ ମୁହଁମୋଡ଼ି ଚାଲିଯାଇପାରନ୍ତି। ମାତ୍ର ବରିଷ୍ଠ ବର୍ଗ, ଯେଉଁମାନେ ଶୈଶବଠାରୁ ବାର୍ଦ୍ଧକ୍ୟଯାଏ ସବୁମତେ ଓଡ଼ିଆ, ସେମାନେ କେମିତି ନିଜ ଅସ୍ମିତାଠୁ ଦୂରେଇ ଯାଇପାରନ୍ତି! କେମିତି ବାଟ ଭାଙ୍ଗି ଚାଲିଯାଇ ପାରନ୍ତି ଓଡ଼ିଆତ୍ୱର ଅବବୋଧ ଭଳି ଏକ ଦିବ୍ୟ ଆକର୍ଷଣରୁ।
ରାଜଧାନୀର ସାରସ୍ବତ ମହୋତ୍ସବ କୁହାଯାଉଥିବା ଏକ ପୁସ୍ତକମେଳାରେ ଓଡ଼ିଆ ଭାଷାରେ କିଛି କିଛି ଲେଖୁଥିବା ଜଣେ ବିଦ୍ୱାନ୍‌ଙ୍କ ସହ ଭେଟ ହୋଇଗଲା। ସମଧର୍ମା ଜଣେ ସାହିତି୍ୟକ ବନ୍ଧୁଙ୍କ ସହ ଆଳାପ କରୁଥିଲା ବେଳେ ବନ୍ଧୁ ପଚାରିଦେଲେ, ”କି କି ବହିସବୁ କିଣିଲେ?’ ଯାହା ଉତ୍ତର ମିଳିଲା, ତାହା ମଧ୍ୟରେ ପ୍ରତିଫଳିତ ହେଉଥିଲା ନିଜ ମାତୃଭାଷା ଓ ସେଇ ମାତୃଭାଷାରେ ଲିଖିତ ସାହିତ୍ୟ ପ୍ରତି ଚରମ ଅବଜ୍ଞାଭାବ। ମହାଶୟ କହିଲେ, ଓଡ଼ିଆ ଭାଷାରେ କି ଭଲ ବହି ଅଛି ଯେ କିଣିବା। କେଇଖଣ୍ଡ ଇଂଲିଶ୍‌ ଓ ବଙ୍ଗଳା ବହି କିଣି ଫେରିଲି। ତାଙ୍କ କଥାରୁ ଜଣାପଡୁଥିଲା, ସେ ଯେମିତି ଏଯାବତ୍‌ ଓଡ଼ିଆ ଭାଷାରେ ପ୍ରକାଶିତ ସବୁ ବହିକୁ ଚର୍ବିତ ଚର୍ବଣ କରି ଦେଇଛନ୍ତି ଓ ତାଙ୍କ ବିଜ୍ଞ ପାଠକୀୟତାର ସଶ୍ରଦ୍ଧ ସ୍ବୀକୃତି ଲାଭ କରିବାକୁ ଖଣ୍ଡିଏ ବି ବହି ସମର୍ଥ ହୋଇପାରିନାହିଁ। ଭୁଲିଗଲେ ଚଳିବ ନାହିଁ ଯେ, ମହାଶୟ କେହି ସାଧାରଣ ଓଡ଼ିଆ ନ ଥିଲେ। ସେ ଥିଲେ ନିଜେ ଜଣେ ଲେଖକ ଓ ତାଙ୍କ ଭାଷାରେ ଭାଷା ସାହିତ୍ୟ ମଧ୍ୟରେ ଉବୁଟୁବୁ ହେଉଥିବା ଜଣେ ସମର୍ପିତ ସାରସ୍ବତ ସାଧକ। ସୁତରାଂ, ତାଙ୍କ ଭଳି ପାଠକଙ୍କ ପଢ଼ିବା ପାଇଁ ଯଦି ଭଲ ଖଣ୍ଡିଏ ଓଡ଼ିଆ ବହି ନାହିଁ, ତେବେ ଧନ୍ୟ କହିବା ଆମ ସାଧାରଣ ପାଠକଙ୍କୁ, ଯେଉଁମାନେ ଆପଣାର ଉଦାରତା ନେଇ ଏକ ଅପାଠ୍ୟ ଓଡ଼ିଆ ସାହିତ୍ୟର ପୃଷ୍ଠା ପରେ ପୃଷ୍ଠା ପଢ଼ି ଚାଲିଛନ୍ତି, ଯାହା ଫଳରେ ଏଯାଏ ବି ଓଡ଼ିଆ ପ୍ରକାଶକଙ୍କ ପ୍ରକାଶନ ସଂସ୍ଥା ବନ୍ଦ ହୋଇ ଯାଇନାହିଁ କି ଓଡ଼ିଆରେ ଲେଖୁଥିବା ଲେଖକଙ୍କ କଲମରୁ କାଳି ଶୁଖି ଯାଇନାହିଁ !
କୁହାଯାଏ କି ମାତୃଭାଷା ହେଉଛି ଆଖି ଓ ଅନ୍ୟ ସବୁ ପ୍ରତିବେଶୀ ବା ବିଦେଶୀ ଭାଷା ହେଉଛି ଚଷମା। ତେବେ ଆଖି ଥିଲେ ସିନା ଚଷମା! ଅଥଚ ବିଡ଼ମ୍ବନାର ବିଷୟ ମିଥ୍ୟା ଆଧୁନିକତାର ମୋହରେ କେତେ ଜଣ ଓଡ଼ିଆ ସେମାନଙ୍କ ପିଲାମାନଙ୍କୁ ବିନା ଆଖିରେ ବି ଚଷମା ପିନ୍ଧାଇ ଆହ୍ଲାଦିତ ହେଉଛନ୍ତି। ଶିଶୁଟି କଥା କହିବା ଆରମ୍ଭ କରିବା ମାତ୍ରେ ତାକୁ ପାରମ୍ପରିକ ‘ବାପା’, ‘ବୋଉ’ ଶିଖାଇବା ପରିବର୍ତ୍ତେ ‘ଡାଡି’, ‘ମମି’ ରେ ବୁଡ଼ାଇ ରଖୁଛନ୍ତି। ତା’ ଆଖି ଆଗରେ ଆସୁଥିବା ଯେ କୌଣସି ବସ୍ତୁକୁ ଇଂଲିଶ ଶବ୍ଦରେ ଚିହ୍ନାଇ ଦେଉଛନ୍ତି। ଆଉ ପିଲାଟି ଯେତେବେଳେ ପ୍ରଶିକ୍ଷଣ ଅନୁଯାୟୀ ସେମାନଙ୍କୁ ଡାଡି, ମମି ଡାକୁଛି, ଦୁଧକୁ ‘ମିଲ୍‌କ’ କହୁଛି ବା ରଙ୍ଗକୁ ‘କଲର’ କହି ଚିହ୍ନାଉଛି, ସେତେବେଳେ ଏକ ଅପୂର୍ବ ଆତ୍ମତୃପ୍ତିରେ ଝଲସି ଉଠୁଛି ସେମାନଙ୍କ ପିତୃତ୍ୱ ଓ ମାତୃତ୍ୱ। କେବଳ ସହରର ଶିକ୍ଷିତ ବଡ଼ବଡ଼ିଆ ନୁହେଁ, ଗାଁରୁ ଆସି ସହରରେ ବସା ବାନ୍ଧୁଥିବା ଅଶିକ୍ଷିତ ଲୋକଟି ମଧ୍ୟ ଏ କଥା ବୁଝି ଯାଉଛି ଯେ ଇଂଲିଶ ନ କହିଲେ ଭବିଷ୍ୟତ ଉନ୍ନତ ନୁହେଁ।
କେଇବର୍ଷ ତଳେ ଦିଲ୍ଲୀରେ ଏକ ଉଚ୍ଚ ପଦବୀରେ ଅଧିଷ୍ଠିତ ଥିବା ଜଣେ ଓଡ଼ିଆ ବାବୁଙ୍କ ସହ ଆଳାପ କରୁଥିଲା ବେଳେ ଖ୍ୟାତନାମା ଲେଖକ ମନୋଜ ଦାସଙ୍କ ଏକ ନିର୍ଦ୍ଦିଷ୍ଟ ବହି ପଢ଼ିଛନ୍ତି କି ନାହିଁ ବୋଲି ଏ ଲେଖକ ପଚାରି ଯେଉଁ ଉତ୍ତର ପାଇଥିଲା ତା’ ମଧ୍ୟରେ ପ୍ରତିଫଳିତ ହେଉଥିଲା ଓଡ଼ିଆ ଭାଷା ବିରୋଧରେ ଓଡ଼ିଆ ଲୋକଙ୍କର ବିଚିତ୍ର ହୀନମନ୍ୟତା। ସେ କହିଥିଲେ, ”ଥରେ ଇଂଲିଶ ନଭେଲ ବା ଷ୍ଟୋରିର ମାଦକତା ଉପଭୋଗ କଲା ପରେ ଯେ ଓଡ଼ିଆ ଆଉ ଭଲ ଲାଗୁନି। ଓଡ଼ିଆ ଲେଖକମାନେ ଇଂଲିଶ ଲେଖକଙ୍କ ଭଳି ଓଜନଦାର ଲେଖା ଲେଖିବାକୁ ଆହୁରି କେତେ ଯୁଗ ଦରକାର।“
ଦିଲ୍ଲୀର ସେଇ ବାବୁଜଣକ ଯେଉଁ ଭାଷାରେ ଏ କଥାକୁ କହିଗଲେ, ସେଇ ଭାଷାର ନାମ ଥିଲା ଓଡ଼ିଆ। ଗୋଟିଏ ଭାଷା ପ୍ରତି ନିଜର ବିଦ୍ୱେଷ ପ୍ରକଟ କରିବାକୁ ସେଇ ଭାଷାର ସାହାଯ୍ୟ ଲୋଡ଼ିବା ଠୁଁ ଆଉ ଅଧିକ କୃତଘ୍ନତା କ’ଣ ଥାଇପାରେ! ପ୍ରତ୍ୟେକ ମଣିଷର ମାଆଟିଏ ଥାଏ, ମାତୃଭାଷାଟିଏ ବି ଥାଏ। ଜଣଙ୍କ କୋଳରେ ସେ ଜନ୍ମ ନେଇଥାଏ ଓ ଆଉ ଜଣଙ୍କୁ କଣ୍ଠସ୍ଥ କରି ସେ ଜୀବନ ସଡ଼କରେ ମୃତ୍ୟୁ ପର୍ଯ୍ୟନ୍ତ ଆଗେଇ ଚାଲେ। ଉଦାରତାରେ ଭରପୂର ଉଭୟଙ୍କ ହୃଦୟରୁ ସ୍ନେହଶ୍ରଦ୍ଧାର ଯେଉଁ ଅମୃତଧାରା ଅବିରତ ଝରି ଚାଲିଥାଏ, ତାହା କୌଣସି ସନ୍ତାନର ସମ୍ମାନ ଅସମ୍ମାନକୁ ଅପେକ୍ଷା ରଖେ ନାହିଁ। ମହୀୟସୀ ମାଆ ପରି ମହାନ୍‌ ମାତୃଭାଷାର ଏକ ମହନୀୟତାକୁ ସେଦିନ ସେ ଦିଲ୍ଲୀବାବୁ ବୁଝିଥାନ୍ତେ, ହେଲେ ଓଡ଼ିଆ ଆଉ ଭଲ ଲାଗୁନି ଭଳି ଏକ ଅକୃତଜ୍ଞ ମନ୍ତବ୍ୟ ଦେଇ ନିଜକୁ ଛୋଟ କରି ନ ଥାନ୍ତେ। ତାଙ୍କ ସନ୍ତାନ କେହି ଦିଲ୍ଲୀର କୌଣସି ପବ୍ଲିକ ସ୍କୁଲରେ ପଢ଼ୁଥାଇ ପାରନ୍ତି। ଇଂଲିଶରେ ‘ଡାଡି ମମି’ କହି ନିଜ ବାପା ମା’ଙ୍କୁ ସମ୍ବୋଧନ କରୁଥାଇ ପାରନ୍ତି। ତେବେ ସେହି ପିଲାଟିର ବା ପିଲାମାନଙ୍କର ପରିଚୟ କ’ଣ? ତାଙ୍କୁ ଓଡ଼ିଆ ଘରର ପୁଅଝିଅ ବୋଲି କହି ହେବ ତ? ଘରେ ଡାଡି ମମିର ଆଓ୍ବାଜ, ବିଦ୍ୟାଳୟରେ ହାଏ ହାଲୋର କୋଳାହଳ। ପୁସ୍ତକ ମେଳାରୁ ଇଂଲିଶ କମିକ ବହି କିଣା। ଓଡ଼ିଆତ୍ୱର ଏହି ବିପର୍ଯ୍ୟୟ ମଧ୍ୟରେ ଲାଳିତ ହେଉଥିବା ଓଡ଼ିଆ ଘରର ସେଇ ପିଲାଙ୍କୁ କ’ଣ ଓଡ଼ିଆ କହିହେବ?
ରଜକର ନୀଳକୁଣ୍ଡରେ ପଡ଼ିଯାଇ ବାରବୁଲା ଶୃଗାଳଟି ଯେତେବେଳେ ନିଜ ଚେହେରାକୁ ଦେଖିଲା ସେତେବେଳେ ତା’ର ଏ ଦୁର୍ଦ୍ଦଶାରେ ଦୁଃଖିତ ହେବା ପରିବର୍ତ୍ତେ ପୁଲକିତ ହୋଇ ଉଠିଲା। ନିଜ ଶରୀର ବିଚିତ୍ର ବର୍ଣ୍ଣ ମଧ୍ୟରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ନିଜ ସ୍ବରୂପ ସହିତ ସ୍ବଭାବରେ ମଧ୍ୟ ଭିନ୍ନ ରଙ୍ଗ ଦେଇ ଅନ୍ୟମାନଙ୍କ ଦୃଷ୍ଟିରେ ଏକ ସଂଭ୍ରାନ୍ତ ଶ୍ୱାପଦ ଭାବେ ପରିଚିତ ହୋଇଥିଲେ ହେଁ ନିଜ ପାଖରେ ନିଜକୁ ଗୋପନ ରଖି ପାରି ନ ଥିଲା। ଦିନ ରାତିରେ ଯେତେବେଳେ ସେ ସ୍ବଜାତୀୟ ଶୃଗାଳମାନଙ୍କ ‘ହୁକେ ହୋ’ର ଉଚ୍ଚ ନାଦ ଶୁଣିପାରିଲା, ବଡ଼ ଅସ୍ଥିର ହୋଇ ଉଠିଲା ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ। ନିଜ ମଧୁର ମାତୃଭାଷାର ମାଦକତାରେ ମୋହିତ ହୋଇ ସେ ତା’ ମିଥ୍ୟା ପରିଚୟର ବୃଥା ଆଭିଜାତ୍ୟ ଭୁଲି ଯାଇଥିଲା। ବହୁଦିନ ଧରି ପିନ୍ଧି ଆସୁଥିବା ଶଠତା ଓ ପ୍ରବଞ୍ଚନାର ପରିଧାନ ପରିତ୍ୟାଗ କରି ମାତୃଭାଷାର ମାଧୁର୍ଯ୍ୟରେ ମତୁଆଲା। ସେଇ ନୀଳବର୍ଣ୍ଣ ଶୃଗାଳଟି ସେଦିନ ମନଭରି ଜବାବ ଦେଇଥିଲା ନିଜ ପରିଜନଙ୍କ ସ୍ବର ସହିତ ସ୍ବର ମିଳାଇ। କି ଅଦ୍ଭୁତ ନିଜ ମାତୃଭାଷାର ଆକର୍ଷଣ! କି ଅମୃତମୟ ଏହାର ଆବେଦନ।
ସେଇ ପଥହୁଡ଼ା ନୀଳବର୍ଣ୍ଣ ଶୃଗାଳଟି ପରି ଯେଉଁ ଓଡ଼ିଆମାନେ ସଂସ୍କାର ଓ ସଂକଳ୍ପର ପଥ ହୁଡ଼ି ଆଧୁନିକତାର ନୀଳକୁଣ୍ଡରେ ଖସିପଡ଼ି ନିଜ ଚେହେରାକୁ ନୀଳବର୍ଣ୍ଣରେ ରଞ୍ଜିତ କରି ଚାଲିଛନ୍ତି, ଆପଣା ଓଡ଼ିଆ ଚେହେରା ବଦଳରେ ଭିନ୍ନ ଚେହେରାରେ ପରିଚିତ ହେବାକୁ ଗୌରବ ମନେ କରିଛନ୍ତି, ସେମାନଙ୍କ କାନ ଦୁଇଟିକୁ କେବେ କ’ଣ ସ୍ପର୍ଶ କରିନାହିଁ ନିଜ ମାତୃଭାଷାର ମାଦକଭରା ମାଧୁର୍ଯ୍ୟ? ନିଜ ପାଖରେ ନିଜକୁ ଓଡ଼ିଆ ବୋଲି ପରିଚିତ କରିବାରେ କାର୍ପଣ୍ୟ ପ୍ରକାଶ କରୁଥିବା ଏହି ନୀଳବର୍ଣ୍ଣ ଓଡ଼ିଆମାନେ ପ୍ରଥମେ ତ ଜଣେ ଜଣେ ମଣିଷ! ସାମାନ୍ୟ ପଶୁଟିଏ ହୋଇ ମଧ୍ୟ ସେଦିନ ସେଇ ନୀଳବର୍ଣ୍ଣ ଶୃଗାଳ ନିଜ ମାତୃଭାଷାର ଆମତ୍ିକ ଆହ୍ବାନରେ ଆହ୍ଲାଦିତ ହୋଇ ପ୍ରମାଣ କରିଦେଇଥିଲା ଯେ ନିଜ ଜାତିର ଭାଷା ଆଗରେ କେତେ ତୁଚ୍ଛ ଯେତେ ସବୁ ମିଥ୍ୟା ପ୍ରତିଷ୍ଠା ଓ ପରିଚୟ। ଏ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ କ’ଣ ସାମାନ୍ୟ ଶୃଗାଳଠାରୁ ଆହୁରି ହୀନ! ଆହୁରି ଇତର!!
ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଅଣସରରେ ଜନତା

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ସର୍ବଶ୍ରେଷ୍ଠ ଚତୁର,ବୁଦ୍ଧିମାନ ଓ ସାମାଜିକ ପ୍ରାଣୀ। ଈଶ୍ୱର ସୃଷ୍ଟି ସମୟରେ ମଣିଷକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କେବଳ ଉପଭୋଗ କରିବା...

ଏଇ ଭାରତରେ

ବହୁ ସମୟରେ ବନ୍ୟପ୍ରାଣୀଙ୍କ ଜୀବନ ନିଜ ଜୀବିକାଠାରୁ ଅଧିକ ହୋଇଯାଏ, ଯାହାର ପ୍ରମାଣ ମିଳିଛି ଛତିଶଗଡ଼ ଏମ୍‌.ସୂରଜଙ୍କ କାର୍ଯ୍ୟରୁ। ଚାକିରି ଛାଡି ସୂରଜ ବାଘ ଜୀବନ...

ଦେଶର ଊର୍ଦ୍ଧ୍ୱରେ ପାର୍ଟି

ସହଦେବ ସାହୁ ସର୍ଭିସ୍‌ ଏବଭ୍‌ ସେଲ୍ଫ୍‌’ କେବଳ ଏକ ନୀତିବାକ୍ୟ ନୁହେଁ, ପୃଥିବୀର ଚାରିଆଡ଼େ ଏ ଏକ ଆଚରଣ ବିଧି ରୂପେ ଗଣାଯାଉଛି।ସେବାରେ ବ୍ୟକ୍ତି ନିଜକୁ...

କୋଟିଆ କାହାର

ଡ. ପ୍ରଫୁଲ୍ଲ କୁମାର ସାହୁ ଦୀର୍ଘ ସାତ ଦଶନ୍ଧିଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଲାଗିରହିଛି ସୀମା ବିବାଦ। ଓଡ଼ିଶା ପ୍ରଶାସନିକ...

Dillip Cherian

ଭିଆଇପି ସଂସ୍କୃତିକୁ ବିରୋଧ

ସାଧାରଣ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଥିତ୍ବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଆଇପି ସଂସ୍କୃତିକୁ ତୀବ୍ର ବିରୋଧ କରିଛନ୍ତି। ସହରରେ ଲୋକମାନଙ୍କ ମଧ୍ୟରେ...

ଏଇ ଭାରତରେ

ପାଣି ନଷ୍ଟ କଲେ ଦେବାକୁ ପଡିବ ଜରିମାନା। ଗୁଜରାଟର ଗାନ୍ଧୀନଗର ନିକଟବର୍ତ୍ତୀ ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫୦୦ ଟଙ୍କା...

ଏଇ ଭାରତରେ

କେରଳର କୋଲାମ ନିବାସୀ ବିଜୁ ବଲାନ। ବୟସ ୪୪। ପେସାରେ ଜଣେ ସ୍ଥପତି। ସେ କଂକ୍ରିଟ ମୁକ୍ତ ଘର ନିର୍ମାଣ କରିଛନ୍ତି । ସେ କୋଝିକୋଡର...

ବନାଗ୍ନି

ବ୍ରାଜିଲର ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସ୍‌ପୁସ୍‌ କୁହାଯାଇଥାଏ। ବିଡ଼ମ୍ବନାର ବିଷୟ ଯେ, ଆମାଜନରେ ଭୟଙ୍କର ନିଆଁ ଦୁଇ ବର୍ଷ ହେଲା ଲଗାତର ଜଳିଆସୁଛି। ଏହା ସେଠାକାର...

Advertisement
Archives

Model This Week