‘ସନାତନ’ ସ୍ରଷ୍ଟା

ଅସ୍ପୃଶ୍ୟତା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜରେ ଏକ କଳଙ୍କିତ ପ୍ରଥା ଭାବେ ରହିଆସିଛି। ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡ୍‌କର ଏହାକୁ ଦୂର କରିବା ଲାଗି ନେଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଅନେକାଂଶରେ ବାସ୍ତବ ରୂପ ନେଇଛି। ତଥାପି ଛୁଆଁଅଛୁଆଁ ଭେଦଭାବ ଦୁନିଆରୁ ଦୂର ହୋଇପାରୁ ନାହିଁ। ଆନ୍ତଃଜାତି ବିବାହକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଗଲାଣି। ହେଲେ ଦେଶର ଅନେକ ଭାଗରେ ଉଚ୍ଚବର୍ଗର ବ୍ୟକ୍ତିମାନେ ଦଳିତମାନଙ୍କୁ ଅତି ତୁଚ୍ଛ ମନେ କରୁଛନ୍ତି। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର କାହାଣୀ ଅବର୍ଣ୍ଣନୀୟ। ଅବଶ୍ୟ କେତେକେ ସ୍ବାର୍ଥସାଧନ ଲାଗି ପ୍ରଚଳିତ ନିୟମ ବାହାରକୁ ଯାଇ ଉଚ୍ଚବର୍ଗଙ୍କୁ ହଇରାଣ ହରକତ କରୁଥିବା ଖବର ମିଳିଥାଏ। ତଥାପି ଅଧିକ ପ୍ରତିଶତ ଦଳିତ ଆର୍ଥିକ ଅନଗ୍ରସରତା ଓ ସାମାଜିକ ବାସନ୍ଦ ଯୋଗୁ ଦୁଃଖ ଭୋଗିଥାଆନ୍ତି। ଇତିହାସ ଦେଖିଲେ ଆମ୍ବେଡ୍‌କର ପ୍ରଥମେ ଦଳିତ ଶବ୍ଦ ବ୍ୟବହାର କରିଥିଲେ। ତେବେ ୧୯୫୮ରେ ମହାରାଷ୍ଟ୍ରର ବମ୍ବେଠାରେ ଅନୁଷ୍ଠିତ ପ୍ରଥମ ଦଳିତ ସମ୍ମିଳନୀରେ ‘ଦଳିତ ସାହିତ୍ୟ’ ଉପରେ ଆଲୋଚନା ହୋଇଥିଲା। ଏହି ବର୍ଗଙ୍କ ବିଷୟରେ କହିବା ଲାଗି ସାହିତ୍ୟର ଆବଶ୍ୟକତା ଅନୁଭୂତ ହେବା ପରେ କେତେକ ଲେଖକ ଏ ଦିଗରେ ଲେଖାଲେଖି କଲେ। ଆଜି ଏହି ଧରଣ ସାହିତି୍ୟକଙ୍କ ସଂଖ୍ୟା ବଢ଼ୁଥିବାରୁ ଦଳିତ ସାହିତ୍ୟ ଏକ ନୂଆ ରୂପ ପାଇଛି। ୨୦୨୦ ମସିହା ପାଇଁ ସରସ୍ବତୀ ସମ୍ମାନ ପାଇବା ଲାଗି ମରାଠୀ ଔପନ୍ୟାସିକ, କବି, ସମାଲୋଚକ ତଥା କ୍ଷୁଦ୍ରଗଳ୍ପ ଲେଖକ ଶରନକୁମାର ଲିମ୍ବାଲେଙ୍କ ନାମ ଘୋଷଣା ପରେ ଦଳିତ ସାହିତ୍ୟ ଆଉ ପାଦେ ସମ୍ମାନ ପାଇଲା ବୋଲି କୁହାଯାଇପାରିବ। ଉଲ୍ଲେଖଯୋଗ୍ୟ, ୧୯୯୧ରେ କେ.କେ. ବିର୍ଲା ଫାଉଣ୍ଡେଶନ ଦ୍ୱାରା ଏହି ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଭାରତୀୟ ସାହିତ୍ୟରେ ଏହି ମର୍ଯ୍ୟାଦାଜନକ ସମ୍ମାନର ବିଜେତାଙ୍କୁ ଏକ ଫଳକ, ଉପଢୌକନ ଏବଂ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ।
ମହାରାଷ୍ଟ୍ରର ସୋଲାପୁର ଜିଲାରେ ୧ ଜୁନ୍‌ ୧୯୫୬ରେ ଲିମ୍ବାଲେ ଜନ୍ମଗ୍ରହଣ କରିଥିଲେ। ମରାଠୀ ସାହିତ୍ୟରେ ସ୍ନାତକୋତ୍ତର କରିବା ପରେ ସେ ମରାଠୀ ଦଳିତ ସାହିତ୍ୟ ଏବଂ ଆମେରିକାର କୃଷ୍ଣକାୟଙ୍କ ଉପରେ ଆଧାରିତ ସାହିତ୍ୟର ତୁଳନାତ୍ମକ ଅନୁଧ୍ୟାନ କରି କୋହ୍ଲାପୁରସ୍ଥିତ ଶିବାଜୀ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ପରେ ନାସିକ୍‌ସ୍ଥିତ ଯଶୋବନ୍ତରାଓ ଚଭନ ମହାରାଷ୍ଟ୍ର ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରକାଶନ ବିଭାଗରେ ସେ ସହାୟକ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସେଠାରେ ପ୍ରଫେସର ଓ ନିର୍ଦ୍ଦେଶକ ସ୍ତରକୁ ଉନ୍ନୀତ ହୋଇ ଅବସର ନେଇଥିଲେ।
ଲିମ୍ବାଲେଙ୍କ ସାହିତ୍ୟ ପରିଧିକୁ ଦେଖିଲେ ସେ ଉପନ୍ୟାସ, କବିତା ଓ ଗଳ୍ପ ସଙ୍କଳନ ଏବଂ ସମାଲୋଚନାଧର୍ମୀ ୪୦ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ଅନେକ ଆଲୋଚନାଚକ୍ରରେ ବିଶ୍ଳେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରି ସେ ତାଙ୍କ ବୌଦ୍ଧିକ ବିଦ୍‌ବତ୍ତାର ପରିଚୟ ଦେଇଛନ୍ତି। ତେବେ ୨୦୧୮ରେ ରଚିତ ଉପନ୍ୟାସ ‘ସନାତନ’ ପାଇଁ ତାଙ୍କୁ ୨୦୨୦ ସକାଶେ ସରସ୍ବତୀ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ଲିମ୍ବାଲେଙ୍କ ସାହିତ୍ୟକୃତି ଅଧିକ ଚର୍ଚ୍ଚାକୁ ଆସିଛି। ଅସ୍ପୃଶ୍ୟମାନଙ୍କ ସାମାଜିକ ଓ ସାଂସ୍କୃତିକ ସଂଗ୍ରାମର କାହାଣୀ ‘ସନାତନ’ରେ ସନ୍ନିବେଶିତ ହୋଇଥିବାରୁ ତାହା ବିଚାରକମଣ୍ଡଳୀଙ୍କ ନଜରକୁ ଆସିଥିଲା ବୋଲି କେ.କେ. ବିର୍ଲା ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି। ଏଥିରେ ଆହୁରି ଦର୍ଶାଯାଇଛି ଯେ, ଲେଖକ ଏହି ପୁସ୍ତକ ରଚନା ପାଇଁ ଅନେକ ବହି ପଢ଼ିଛନ୍ତି। ଲୋକ ସଭାର ପୂର୍ବତନ ମହାସଚିବ ସୁଭାଷ ସି କାଶ୍ୟପଙ୍କ ନେତୃତ୍ୱରେ ବିଦ୍ୱାନ୍‌ ଓ ଲେଖକଙ୍କ ଏକ କମିଟି ଲିମ୍ବାଲେଙ୍କ କୃତିକୁ ଚୟନ କରିଛନ୍ତି। ୨୨ ଭାରତୀୟ ଭାଷାର ଲେଖାକୁ ତର୍ଜମା କରିବା ସହ ଏକ ତୁଳନାତ୍ମକ ଅନୁଧ୍ୟାନ କରାଯାଇ ‘ସନତନ’କୁ ବଛାଯିବା ସୂଚାଇ ଦେଇଛି ଯେ ଲିମ୍ବାଲେ କେତେ ଗଭୀରକୁ ଯାଇ ଏହି ଉପନ୍ୟାସ ସୃଷ୍ଟି କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଏହି ସରସ୍ବତୀ ସମ୍ମାନ କବି ହରିବଂଶ ରାଇ ବଚ୍ଚନ, ନାଟ୍ୟକାର ବିଜୟ ତେନ୍ଦୁଲକର, ଔପନ୍ୟାସିକ ମନୋଜ ଦାସ ଓ ସୁନୀଲ ଗଙ୍ଗୋପାଧ୍ୟାୟଙ୍କ ଭଳି ଲେଖକଙ୍କୁ ଦିଆଯାଇଛି।
ଲିମ୍ବୋଲେଙ୍କ ଲେଖାର ବିଶେଷତ୍ୱ ହେଲା ସେ କଳ୍ପନା ଜଗତରେ କମ୍‌ ବିଚରଣ କରି ବାସ୍ତବ ଦିଗକୁ କୃତିରେ ପ୍ରତିଫଳିତ କରିବାକୁ ଚାହିଁଥାଆନ୍ତି। ତାଙ୍କ ଆତ୍ମଜୀବନୀ ‘ଏକରମାସି’ ବା ସାମାଜିକ ବାସନ୍ଦ ଇଂଲିଶ ସମେତ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ଉଚ୍ଚ ପାଠକୀୟ ସ୍ବୀକୃତି ପାଇଛି। ଏଥିସହିତ ୨୦୦୪ରେ ପ୍ରକାଶିତ ‘ଏସ୍ଥେଟିକ୍‌ସ ଅଫ୍‌ ଦଳିତ ଲିଟେରେଚର’ ବା ଦଳିତ ସାହିତ୍ୟର ସୌନ୍ଦର୍ଯ୍ୟବୋଧ ହେଉଛି ତାଙ୍କ ଆଉ ଏକ ଅନବଦ୍ୟ କୃତି। ଦଳିତ ସାହିତ୍ୟ ସର୍ଜନା କରୁଥିବା ଲେଖକଙ୍କ ପାଇଁ ଏହା ଏକ ରେଫେରାଲ୍‌ ବୁକ୍‌ ହୋଇପାରିଛି। ସମାଜର ଏକ ଅବହେଳିତ ବର୍ଗଙ୍କ ସଂଘର୍ଷର କାହାଣୀକୁ ସର୍ବସମ୍ମୁଖରେ ଥୋଇ ସେମାନଙ୍କ ମଙ୍ଗଳ ପାଇଁ କିଛି କରିବାରେ ସେ ଯେଉଁ ଆତ୍ମସନ୍ତୋଷ ଲାଭ କରିଛନ୍ତି, ସମ୍ଭବତଃ ସରସ୍ବତୀ ସମ୍ମାନ ତାଙ୍କ ସର୍ଜନା ଦିଗକୁ ଅଧିକ ରୁଦ୍ଧିମନ୍ତ କରିବ। ଯୁଗେ ଯୁଗେ ଏଭଳି ସୃଜନଶୀଳ ବ୍ୟକ୍ତିଙ୍କ ସମାଜ ସଂସ୍କାରଧର୍ମୀ ଚିନ୍ତାଧାରା ଓ ପଦକ୍ଷେପ ଦୁନିଆରେ ପରିବର୍ତ୍ତନ ଆଣିଥାଏ। ଦଳିତ ସାହିତ୍ୟକୁ ‘ସନାତନ’ ପଥ ପ୍ରଦର୍ଶନ କରିବ ବୋଲି କୁହାଯାଇପାରେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri