ଇରାନୀୟ ମହିଳାଙ୍କ ପାଇଁ ଆଶାର କିରଣ

ପ୍ରକାଶ ତ୍ରିପାଠୀ

 

ଇରାନ ସରକାର ମୋରାଲିଟି ପୋଲିସ ଅର୍ଥାତ୍‌ ନୈତିକ ପୋଲିସ ବ୍ୟବସ୍ଥାକୁ ଉଠାଇଦେବା ପରେ ଇରାନ ମହିଳାଙ୍କ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ ପ୍ରାୟତଃ ଥମି ଯାଇଛି। ପ୍ରକାଶଯୋଗ୍ୟ, ଇରାନରେ ଡ୍ରେସ୍‌ କୋଡ୍‌ ଲାଗୁକରିବା ହେଉଛି ମୋରାଲିଟି ପୋଲିସର କାମ। ଦେଶବ୍ୟାପୀ ମହିଳାମାନଙ୍କୁ ଡ୍ରେସ୍‌ କୋଡ୍‌ ବାବଦରେ ସଚେତନ କରାଇବା ସହ ଏହାକୁ ମାନୁ ନ ଥିବା ମହିଳାଙ୍କୁ ଦଣ୍ଡବିଧାନ କରିବା ଥିଲା ମୋରାଲିଟି ପୋଲିସର ମୁଖ୍ୟଲକ୍ଷ୍ୟ। ୧୯୮୩ରୁ ଦେଶର ସବୁ ମହିଳାଙ୍କ ପାଇଁ ସାର୍ବଜନୀକ ରୂପରେ ନିଜର ସମ୍ପୂର୍ଣ୍ଣ ମୁଣ୍ଡକୁ ଆବରଣ ରଖିବା ବାଧ୍ୟତାମୂଳକ ଥିଲା। ଏହାକୁ ବିରୋଧ କରିଥିଲେ ଇରାନର ସାଧାରଣ ମହିଳା। ୧୯୭୯ ପର୍ଯ୍ୟନ୍ତ ଯେତେବେଳେ ଇରାନ ଉପରେ ଶାହାଙ୍କ ନିୟନ୍ତ୍ରଣ ଥିଲା, ମହିଳାମାନଙ୍କୁ କିଛିଟା ସ୍ବାଧୀନତା ମିଳୁଥିଲା। ୧୯୬୩ ରେ ସେମାନଙ୍କୁ ଭୋଟଦାନ ଅଧିକାର ମିଳିଥିଲା। ସେମାନଙ୍କ ବିବାହ ବୟସକୁ ମଧ୍ୟ କୋହଳ କରାଯିବା ସହ ଅସ୍ଥାୟୀ ବିବାହ ତଥା ବହୁ ବିବାହ ପ୍ରଥାକୁ ମଧ୍ୟ ଅଙ୍କୁଶ ଲଗାଯାଇଥିଲା। ୧୯୭୯ରେ ଇସ୍‌ଲାମିକ କ୍ରାନ୍ତି ଆସିବା ପରେ ସେମାନଙ୍କ ଉପରେ ପୁଣିଥରେ କଟକଣା ବୃଦ୍ଧି ପାଇବାକୁ ଲାଗିଲା। ହିଜାବ ପିନ୍ଧିବା ବାଧ୍ୟତାମୂଳକ ହେଲା। ଗତ ସେପ୍ଟେମ୍ବରରେ ୨୨ବର୍ଷୀୟ ମହିଳା ଅମିନ୍‌ ବିନା ହିଜାବରେ ଯାଉଥିବା ବେଳେ ପୋଲିସ ଗିରଫ କରିଥିଲା ଓ ପୋଲିସ ହାଜତରେ ଥିବାବେଳେ ଅମିନଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଅଭିଯୋଗ ଉଠିଥିଲେ ହେଁ ପୋଲିସ ପକ୍ଷରୁ ତାହା ହୃଦ୍‌ଘାତ ଯୋଗୁ ବୋଲି କୁହାଯାଇଥିଲା। ଅମିନ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ନ ଥିଲେ ଇରାନର ମହିଳାମାନେ। ଏହାର ୩ ଦିନ ପରେ ଆରମ୍ଭ ହୋଇଥିଲା ଅମିନ ମୃତ୍ୟୁର ପ୍ରତିବାଦ ଯାହାକି ସମଗ୍ର ଇରାନକୁ ବ୍ୟାପିଯାଇଥିଲା। ପୋଲିସ ଏହାକୁ ଦୃଢ଼ହସ୍ତରେ ଦମନ କରିବାକୁ ଚେଷ୍ଟା କରିଥିଲା। ଇରାନରେ ମହିଳାମାନଙ୍କୁ ସ୍ବାଧୀନତା ଦେବା ପାଇଁ ଦେଶର ଅନେକ ନାମୀଦାମୀ ଲୋକ, ସଙ୍ଗଠନ ବି ମତ ରଖିଲେ। ଏପରିକି କାତାରରେ ବିଶ୍ବକପ୍‌ ଫୁଟ୍‌ବଲ ମ୍ୟାଚ୍‌ ସମୟରେ ଇରାନର ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଉଥିବା ବେଳେ ବି ଇରାନ ଖେଳାଳିମାନେ ନୀରବତା ପ୍ରଦର୍ଶନ କରି ମହିଳା ମାନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ।
ଇରାନ ସରକାର ହିଜାବ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ମାତ୍ର ଶେଷରେ ଇରାନ ସରକାରଙ୍କୁ ଦେଶର ମହିଳା ମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁବାକୁ ପଡ଼ିଲା। ଇରାନର ଆଟର୍ନି ଜେନେରାଲ ମହମ୍ମଦ ଜାଫର ମୋନ୍ତାଜେରି କହିଛନ୍ତି, ନୈତିକ ପୋଲିସକୁ ଉଚ୍ଛେଦ ସହ ଏ ସମ୍ପର୍କିତ ଆଇନକାନୁନ୍‌କୁ ମଧ୍ୟ ସମୀକ୍ଷା କରାଯିବ, ଯେଉଁଥିରେ ମହିଳାମାନଙ୍କୁ ମୁହଁ ଢାଙ୍କିବାକୁ ବାଧ୍ୟ କରାଯାଉଥିଲା। ଇରାନ ଅଦାଲତ ଓ ସାଂସଦ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ତେବେ କେତେଜଣ ରାଜନୈତିକ ବିଶାରଦ ମତ ଦେଇଛନ୍ତି ଯେ ଉଭୟ ମୋରାଲିଟି ପୋଲିସ ଓ ସେନା ଉଭୟ ଇରାନର ଗୃହ ମନ୍ତ୍ରଣାଳୟର ଅଧୀନ, ବିଚାର ବିଭାଗ ଅଧୀନ ନୁହେଁ। ଏଭଳି କ୍ଷେତ୍ରରେ ଆଟର୍ନି ଜେନେରାଲଙ୍କ ଘୋଷଣାକୁ ନେଇ ସେଠାରେ ତର୍କ ଆରମ୍ଭ ହୋଇଯାଇଛି॥ ମୋରାଲିଟି ପୋଲିସର ଉଚ୍ଛେଦ ପରେ ଦେଶରେ ପ୍ରଚଳିତ ଡ୍ରେସ୍‌ କୋଡ୍‌ ରହିବ କି ହଟିବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। କାରଣ ଆଟର୍ନି ଜେନେରାଲ ମହମ୍ମଦ ଜାଫର ମୋରାଲିଟି ପୋଲିସ ଉଚ୍ଛେଦ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ହେଁ ଇରାନ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଅପରପକ୍ଷରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ମଧ୍ୟ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇନାହିଁ।
ନିର୍ଦ୍ଦୟ ଅତ୍ୟାଚାର ସତ୍ତା ବିରୋଧରେ ଇରାନୀୟ ମହିଳାମାନେ ଇସ୍‌ଲାମୀୟ ଡ୍ରେସ୍‌ କୋଡ୍‌ର ବାଧ୍ୟତାମୂଳକ ନିୟମ ବିରୋଧରେ ଏକ ନିରନ୍ତର ତଥା ଦୀର୍ଘ ଅଭିଯାନ ଚଳାଇଥିଲେ। ଇରାନର ରକ୍ଷଣଶୀଳ ଶାସନ ଶେଷରେ ଡ୍ରେସ୍‌ କୋଡ୍‌ ଲାଗୁ କରିବା ଦାୟିତ୍ୱରେ ଥିବା ନୈତିକ ପୋଲିସକୁ ହଟାଇବାକୁ ବାଧ୍ୟ ହୋଇଛି। ଅମିନ୍‌ଙ୍କ ମୃତ୍ୟୁ ପରଠାରୁ ବହୁ ସଂଖ୍ୟାରେ ମହିଳା ହିଜାବ ପାଳନ କରୁନାହାନ୍ତି। ଏଥିପାଇଁ ଅନେକ ସମୟରେ ମହିଳାମାନଙ୍କୁ ପୋଲିସର ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଥିଲା। ୧୯୭୯ ବିପ୍ଳବର ୪ବର୍ଷ ପରେ ହିଜାବ ବାଧ୍ୟତାମୂଳକ ହେଲା ଯାହା ଆମେରିକାର ସମର୍ଥିତ ରାଜତନ୍ତ୍ରକୁ ପରାସ୍ତକରି ଇରାନ ଇସ୍‌ଲାମିକ ରିପବ୍ଲିକ ପ୍ରତିଷ୍ଠା କରିଥିଲା। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ଇରାନର ପ୍ରୟାସ ମହମୁଦ ଅହମ୍ମଦାବାଦୀ ରାଷ୍ଟ୍ରପତି ହେବା ପରେ ଅଧିକ ସଙ୍ଗଠିତ ହୋଇଥିଲା। ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଜଣେ ଅତ୍ୟନ୍ତ ରକ୍ଷଣଶୀଳ ବ୍ୟକ୍ତି ଓ ଧର୍ମୀୟ ଆଧାରରେ ଶାସନ ପରିଚାଳନା ତାଙ୍କର ମୁଖ୍ୟ ଲକ୍ଷ୍ୟ। ତାଙ୍କ ନେତୃତ୍ୱରେ ବର୍ତ୍ତମାନର ଶାସନ, ହେଡ୍‌କାର୍ଫ ଆଇନ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟ ଅନୁଷ୍ଠାନକୁ ଏକତ୍ର କରିବାକୁ ଆହ୍ବାନ ଦେଇଥିଲେ।
ଅନେକ ଇରାନୀୟ ମହିଳା କ୍ରମାଗତ ଭାବରେ ସେମାନଙ୍କର ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟକୁ ପଛରେ ପକାଇ ହିଜାବ ବିରୋଧରେ ସୂକ୍ଷ୍ମ ପ୍ରତିରୋଧ କାର୍ଯ୍ୟରେ ଭାଗନେଉଥିଲେ। ବିକ୍ଷୋଭକାରୀମାନେ ବିନା ନେତୃତ୍ୱରେ ମୁଖ୍ୟତଃ ନୈତିକ ପୋଲିସକୁ ଟାର୍ଗେଟ କରୁଥିବାବେଳେ ଏଭଳି ଆନ୍ଦୋଳନକୁ ଦମନ କରିବାକୁ ସରକାର ବିଫଳ ହେଉଥିଲେ। ଅତୀତରେ ଇରାନ ୨୦୧୭ ଏବଂ ୨୦୧୯ ରେ ବେକାରି ଏବଂ ମୁଦ୍ରାସ୍ଫୀତି ଓ କ୍ରମାଗତ ବୃଦ୍ଧି ପାଉଥିବା ଅର୍ଥନୈତିକ ସମସ୍ୟା ପରିପ୍ରେକ୍ଷୀରେ ଜନବିରୋଧର ସମ୍ମୁଖୀନ ହୋଇଥିଲା। ବିଶେଷକରି ଶ୍ରମିକ ଶ୍ରେଣୀର ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ହୋଇଥିଲା। ବର୍ତ୍ତମାନ, ପ୍ରଥମ ଥର ପାଇଁ, ପ୍ରତିବାଦ ସମାଜର ସମସ୍ତ ବର୍ଗର ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କୁ ଜଡ଼ିତ କରିଛି ଏବଂ ଏହା ସମଗ୍ର ଇରାନରେ ବ୍ୟାପିଛି। ଇରାନରେ ସର୍ବାଧିକ ଲୋକପ୍ରିୟ ଫୁଟ୍‌ବଲ ଖେଳାଳିଙ୍କଠାରୁ ଆରମ୍ଭକରି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ ଉଚ୍ଚ ପ୍ରୋଫାଇଲ ଇରାନୀୟମାନେ ମହିଳା ପ୍ରଦର୍ଶନକାରୀଙ୍କ ସହ ସେମାନଙ୍କର ମତ ମିଶାଇଛନ୍ତି। ଏହି ଆନ୍ଦୋଳନ ଚରମ ଲିଙ୍ଗଗତ ଭେଦଭାବ ଆଇନ ଯାହା ବାଧ୍ୟତାମୂଳକ ହିଜାବ ଏବଂ ମହିଳାଙ୍କ ବିବାହ, ଛାଡ଼ପତ୍ର, ହେପାଜତ ଏବଂ ଉତ୍ତରାଧିକାର ଅଧିକାରକୁ ପ୍ରୋତ୍ସାହନ ଦେଉଥିଲା, ତାହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛି। ଏହି ଅସ୍ଥିରତା ଇରାନର କ୍ଷମତାସୀନ ଧର୍ମଗୁରୁଙ୍କ ଶାସନ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି।
ମୋରାଲିଟି ପୋଲିସକୁ ଅସ୍ଥାୟୀ ଭାବେ ହଟାଇ ଦିଆଯାଇଛି କି ପୂର୍ଣ୍ଣ ରୂପେ ହଟାଇଦିଆଯାଇଛି ତାହା ଅସ୍ପଷ୍ଟ ରହିଛି। ତେବେ ଯାହାହେଉ ମୋରାଲିଟି ପୋଲିସ ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଇରାନ ମହିଳାଙ୍କ ପାଇଁ ଏହା ଅନେକ ଆଶାର କିରଣ ସୃଷ୍ଟି କରିଛି। ମହିଳାଙ୍କ ସ୍ବାଧୀନତା ଓ ଅଧିକାର କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିଛି। ଇରାନ ଭଳି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ମହିଳାମାନଙ୍କ ଏହି ବିଜୟ ବିଶ୍ବର ଅନ୍ୟ ଭାଗରେ ପ୍ରତାଡ଼ିତ ମହିଳାଙ୍କ ପାଇଁ ମଧ୍ୟ ଅନେକ ଆଶା ଉଜ୍ଜୀବିତ କରିବ, ଏଥିରେ ସନ୍ଦେହ ନାହିଁ। ଏକ ବିଶାଳ ବିଦ୍ରୋହ ପରେ ଇରାନର ନୈତିକ ପୋଲିସର ବିଲୋପର ସମ୍ଭାବନା ଇରାନର ସାହସୀ ମହିଳାମାନଙ୍କ ପାଇଁ ଏକ ବିଜୟ। କାରଣ ଏକ ରକ୍ଷଣଶୀଳ ଧର୍ମୀୟ ଚିନ୍ତାଧାରାସମ୍ପନ୍ନ ରାଷ୍ଟ୍ରରେ ଏଭଳି ବିଜୟ ନିଶ୍ଚିତ ଐତିହାସିକ। ଏହା ପ୍ରମାଣ କରେ ଯେ ରାଜତନ୍ତ୍ର ହେଉ କି ଗଣତନ୍ତ୍ର, ସାଧାରଣ ନାଗରିକ ହେଉଛନ୍ତି ଶକ୍ତିଶାଳୀ। କୌଣସି ଦେଶ, ଯେତେ ଚେଷ୍ଟାକଲେ ମଧ୍ୟ ନାଗରିକମାନଙ୍କୁ ଦମନ କରିପାରିବେ ନାହିଁ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri