ଜୀବନକୁ ବୁଝି ନ ଥିବା ମଣିଷ

ସେ ଜଣେ କୁକୁଡ଼ାକଟାଳି। ସେଥିପାଇଁ ଜିଅନ୍ତା କୁକୁଡ଼ାର ବେକ ମୋଡ଼େ। ଛଟପଟ ହେଉଥିବା କୁକୁଡ଼ାକୁ ଗରମ ପାଣିରେ ଭରିଦିଏ। ତା’ପରେ ପର ଛେଲି ଶରୀରକୁ ଟିକିଟିକି ମାଂସରେ ପରିଣତ କରିଦିଏ। ମାଂସକଟାଳି ଭାବେ କଲ୍ୟାଣସିଂହପୁରର ଶେଖ୍‌ ମହମ୍ମଦ କାସିମ ଚାଚାଙ୍କୁ ଯିଏ ଦେଖିବ, ଲାଗିବ ସେ କେଡ଼େ ନୃଶଂସ। କିନ୍ତୁ ଦୋକାନରୁ ବାହାରିଗଲେ ସେ ପରମ ଦୟାଳୁ। ଯିଏ ଆସି ଗୁହାରି କରେ, ତାକୁ ନିଜ ସାଧ୍ୟମତେ ସହଯୋଗ କରେ। ପ୍ରତିଦିନ ଭୋକିଲାଙ୍କୁ ଖାଇବାକୁ ଦିଏ। ଖରା ଓ ବର୍ଷାଦିନ ପୂର୍ବରୁ ଅସହାୟ ଦୀନ ଦରିଦ୍ରଙ୍କୁ ଛତା ବଣ୍ଟନ କରେ। ଶୀତରେ କମ୍ବଳ ଦିଏ। ଚାଚାଙ୍କ କହିବା ହେଲା ଫକିର ହୋଇ ଏଠାକୁ ଆସିଥିଲି। ଆଲ୍ଲାଙ୍କ ଦୟାରୁ ବେଶ୍‌ ଦି’ ପଇସା କମଉଛି। ଗରିବଙ୍କୁ ମୁଁ ଯଦି ସହାୟତା ନ କରିବି, ତେବେ ମୁଁ କି ଇନ୍‌ସାନ୍‌ ବୋଲେଇବି। ଚାଚାଙ୍କ ମନ ଓ ହୃଦୟରେ ଯାହାକିଛି ଥାଉନା କାହିଁକି, କାସିମ ଚାଚାଙ୍କ ହୃଦୟ ଯେ ବଡ଼ ଏକଥା ଏଇ ଅଞ୍ଚଳର ଲୋକେ ବୁଝି ପାରିଛନ୍ତି। ଏଇଠି ବି ଲୋକ ଅଛନ୍ତି, ପାଣିସୁଅ ଭଳି ପଇସା ଅର୍ଜନ କରୁଛନ୍ତି। ବ୍ୟାପକ ଗାଡ଼ି ଘୋଡ଼ା, ଥାଟବାଟ ଭିତରେ ଜବନ ଜିଉଁଛନ୍ତି। ବିଶାଳ ଘରର ଦୁଆର ମୁହଁରେ ଦୁଃଖୀଟିଏ ଆତୁର ହୋଇ ଛିଡ଼ା ହେଲେ ସହାୟତାର ହାତ ଭିତରୁ ଆସିପାରୁନି। ଦୂର୍‌ ଦୂର୍‌ ମାର୍‌ ମାର୍‌ କରି ଘରର ଲୋକେ ଘଉଡ଼େଇ ଦିଅନ୍ତି। ସେତେବେଳେ ନିଜକୁ ବଡ଼ଲୋକ ଭାବୁଥିବା ମଣିଷଟିଏ ସାଧାରଣରେ ମାମୁଲି ଲାଗନ୍ତି। ସେଇ ଅସହାୟ ମଣିଷ ନିକଟରେ ତ ତଥାକଥିତ ମଣିଷ ନିକୃଷ୍ଟ ପାଲଟିଯାଆନ୍ତି। ପଇସା ଥିଲେ ଦାନ କରିହୁଏନି। ସହାୟତା ଲାଗି ବାସ୍ତବରେ ଗୋଟେ କଥାକୁହା ହୃଦୟଟି ଲୋଡ଼ା। ମନ ଚିହ୍ନା ମନଟିଏ ଲୋଡ଼ା। ତରଳି ଯାଉଥିବା ପ୍ରାଣଟି ଲୋଡ଼ା। ମନ ହୃଦୟ ଭିତରେ ପର ପାଇଁ ଖାଲି ସ୍ଥାନ ସୃଷ୍ଟି ନ କଲେ ହାତ ପ୍ରସାରିତ ହୋଇପାରିବନି। ନିଜେ ସଂକୁଚିତ ହେବାକୁ ପଡ଼େ।
କରୋନା କାଳରେ ଅନେକ କଥା ଘଟିଯାଇଛି। ଧନବଳ ଥାଇ ମଧ୍ୟ ମୃତ୍ୟୁକୁ କେହି ଅଟକେଇ ପାରିନାହାନ୍ତି। ସେଇଠି ବି ଅନେକ ଦାତା ଅଛନ୍ତି, ମହାମାରୀରେ ଲୋକଙ୍କ ଜୀବନ ବଞ୍ଚେଇବା ଲାଗି ଧନ, ମନ ଓ ହୃଦୟକୁ ପର ପାଇଁ ଖୋଲି ଦେଇଛନ୍ତି। ସେଇମାନେ ସଦାକାଳେ ସ୍ମରଣୀୟ। ମଣିଷର ସର୍ବଶ୍ରେଷ୍ଠ ସଂପଦ ସ୍ବାସ୍ଥ୍ୟ। ଅଥଚ ଏବେ ମଣିଷର ସବୁଠାରୁ ପ୍ରିୟ ଅର୍ଥ। କୋଟିପତି କିରାଣି, ପୋଲିସ, ଅଙ୍ଗନଓ୍ବାଡି, ଶିକ୍ଷକ, ଡାକ୍ତର, ଇଞ୍ଜିନିଅର, ଜିଆରଏସ୍‌ ଭଳି ଚେହେରା ପ୍ରତିଦିନ ଟିଭି ପରଦାରେ ନାଚୁଛି। କିଏ କାହାକୁ ଲୁଟୁଛି। ସମ୍ପତ୍ତିକୁ ନେଇ ବାଦବିବାଦ ବଢୁଛି। କ୍ଷମତା ପାଇଁ ବଳପ୍ରୟୋଗ କରାଯାଉଛି। ଦୁର୍ବଳ ଉପରେ ସବଳର ଅତ୍ୟାଚାର ବଢ଼ିଛି। ନିଜର କାୟା ବଢ଼େଇବା ପାଇଁ ଅନ୍ୟର ଛାୟାକୁ ନିପାତ କରାଯାଉଛି। ଏମିତି ବି ନିଜର ଆଧିପତ୍ୟ ବିସ୍ତାର ଲାଗି ସବୁ ସମ୍ପର୍କକୁ ପଛକୁ ଠେଲି ଦିଆଯାଉଛି। ସର୍ବଶକ୍ତିମାନ୍‌ ହେବାର ଭ୍ରମରେ ବିଭୋର ହେଉଛି ମନ ଓ ପ୍ରାଣ। ଏଥିପାଇଁ ନିଜର ଆପଣାର ମଣିଷମାନଙ୍କୁ ନେଇ ସୁଖଦ ଜୀବନର ପରିକଳ୍ପନା କରୁଛି। ତାକୁ ନେଇ ଗତିଶୀଳ ବି ହେଉଛି। କିନ୍ତୁ ମଣିଷ ଶେଷରେ ହାରିବାକୁ ପଡୁଛି।
ଜୀବନର କରୁଣ ପରିଣତିକୁ ଦେଖି ଗୌତମ ବୁଦ୍ଧ ଦିନେ ଗୃହତ୍ୟାଗୀ ହୋଇ କାରଣ ଖୋଜିବାକୁ ବାହାରିଥିଲେ। ମଣିଷ ଜୀବନର ବାସ୍ତବ ସତ୍ୟକୁ ରାସ୍ତାରେ ଦେଖିଲେ ମଧ୍ୟ ତା’ର ନିରାକରଣ ମାର୍ଗ ପ୍ରଦର୍ଶନ କଲେ। ଏଠି ଆଜିକା ମଣିଷ ନିତିଦିନ ଜୀବନର ସତ୍ୟକୁ ଦେଖୁଛି। ଚାକିରି ପରେ ଏକାକୀ ବୃଦ୍ଧ ଦମ୍ପତିଙ୍କୁ ମୁହଁ ମୋଡ଼ି ଚାଲିଯାଉଛି ପୁତ୍ର। ଧାଇଁ ଧାଇଁ ଅର୍ଜିଥିବା ସମ୍ପତ୍ତି ଅସାର ଲାଗୁଛି। ହାତ ଧରି ଚାଲୁଥିବା ହଳେ ସଂସାରୀ ଭିତରୁ ଜଣେ ଛିଡ଼ିଗଲେ ଆରଜଣକ ପାଇଁ ଜୀବନ ତୁଚ୍ଛ ଲାଗୁଛି। ବୟସ ଭାରରେ ନଇଁ ପଡୁଥିବା ମଣିଷଟି ଘୋଷାରି ହୋଇ ଜୀବନକୁ ଠେଲିଠେଲି ଏକାକୀ ନେଉଛି। ସେତେବେଳେ ଜୀବନତମାମର ପାପପୁଣ୍ୟର ହିସାବ କରୁକରୁ ଆଖିକୁ କୁହ ଜକେଇ ଆସୁଛି। ଯାହା ପାଇଁ ମଣିଷ ଜୀବନରେ ସବୁ କିଛି କରିଆସୁଛି, ସେଇ ଚରିତ୍ର ଶେଷରେ ପଛ କରି ଚାଲିଗଲା ପରେ ଜୀବନ ଆଉ ଜୀବନ ହୋଇ ରହୁନି। ସୁଖଦ ଜୀବନ ବଞ୍ଚୁଥିବାବେଳେ ହଠାତ୍‌ ଦୁରାରୋଗ୍ୟର ଶିକାର କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହେଲା ପରେ ମଣିଷର ମନ ଓ ହୃଦୟ କୋରି ହୋଇଯାଉଛି। ଅର୍ଜିଥିବା ଧନସମ୍ପତ୍ତି, ଗଢ଼ିଥିବା ସାମ୍ରାଜ୍ୟ ସେତେବେଳେ ସେଇ ମଣିଷ ପାଇଁ ଅଦରକାରୀ ଲାଗୁଛି। ଜୀବନର ଏମିତି ଏକ ମୋଡ଼କୁ ସାମ୍ନା କରେ ପ୍ରତ୍ୟେକ ମଣିଷ। ସେଇ ମୋଡ଼ରେ ବଦଳିଯାଏ ଜୀବନର ଗତିପଥ। ସେତେବେଳେ ଜୀବନର ପରିଭାଷାକୁ ନିଜର ସ୍ବତନ୍ତ୍ର ଅର୍ଥରେ ବୁଝି ଆସିଥିବା ମଣିଷ ଅସଲ ଅର୍ଥକୁ ଖୋଜିବା ଆରମ୍ଭ କରେ। ସେଇଠୁ ପରକୁ ଜୀବନର ବାସ୍ତବତାକୁ ବୁଝିବାକୁ ବଳାଇ ବଳାଇ କହେ। ନିକଟରୁ ତଥାକଥିତ ମଣିଷକୁ ଦେଖି ଆସିଥିବା ଚାରିପାଖର ମଣିଷମାନେ ପରିବର୍ତ୍ତିତ ଚରିତ୍ରକୁ ଦେଖି ଚକିତ ହୋଇଯାଆନ୍ତି। ପଛରେ ଗୁଡ଼ାଏ ବାଛକୁଟ ହୁଅନ୍ତି। ଦୁରବସ୍ଥା ପାଇଁ ସେଇ ମଣିଷର ଅତୀତର କର୍ମକୁ ନିନ୍ଦନ୍ତି। କିନ୍ତୁ ସେଇ ମଣିଷଠାରୁ କିଛି ଶିକ୍ଷା କରିପାରନ୍ତିନି। ଜୀବନର କରୁଣ ବାସ୍ତବତାକୁ ତଥାପି ଗ୍ରହଣ କରିପାରନ୍ତିନି। ସେଇ ସେଇ ମୋହମାୟାରେ କ୍ଷିପ୍ର ଗତିରେ ଦୌଡ଼ିବାକୁ ଆରମ୍ଭ କରନ୍ତି। କେଉଁଠି କାହାକୁ ପଛରେ ଛାଡ଼ିବାକୁ ହେବ। କେତେ ବେଗରେ ଦୌଡ଼ିଲେ ଅନ୍ୟକୁ ପଛରେ ପକେଇ ହେବ। ଦୌଡ଼ିବା ପାଇଁ କେଉଁସବୁ କୁଟିଳ ଜାଲ ବିଛେଇବାକୁ ପଡ଼ିବ, ସେଇ ନିଶାରେ ଚୂର ହୋଇଯାଆନ୍ତି। ବେଙ୍ଗ ଦୌଡ଼ି ଦୌଡ଼ି ସେଇ ବୁଦାମୂଳକୁ ନ୍ୟାୟରେ ପୁଣି ଜୀବନର କୋଉ ଏକ ମୋଡ଼ରେ ମଣିଷ ନିଜକୁ ନିଜେ ଭେଟିବାକୁ ପଡ଼ିବ। ସେତେବେଳେ ଜୀବନକୁ ବୁଝିବା ଆରମ୍ଭ କରେ ମଣିଷ। ଘାତ ପ୍ରତିଘାତ, ପ୍ରଗତି, ଉନ୍ନତି, ପଦୋନ୍ନତି, କ୍ଷମତା ହାସଲ, ଧନ ଉପାର୍ଜନ, ସକଳ ସୁଖ ଭୋଗ ଭିତରେ ଯିଏ ଜୀବନକୁ ବୁଝିବା ଶିଖିଥିବ, ସେଇ ମଣିଷଟି ନିଜକୁ ଅନ୍ୟପାଇଁ ସମର୍ପିତ କରିବ ନିଶ୍ଚିତ। ଜୀବନର ସେଇ ସେଇ ମୋଡ଼ରେ ନିଜ ଜୀବନକୁ ନେଇ ଆଉ ଅବସୋସ ନ ଥିବ। କାରଣ ସେତେବେଳକୁ ନିଜ ଜୀବନ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ସାରିଥିବ।

– ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri