ଜୀବନକୁ ବୁଝି ନ ଥିବା ମଣିଷ

ସେ ଜଣେ କୁକୁଡ଼ାକଟାଳି। ସେଥିପାଇଁ ଜିଅନ୍ତା କୁକୁଡ଼ାର ବେକ ମୋଡ଼େ। ଛଟପଟ ହେଉଥିବା କୁକୁଡ଼ାକୁ ଗରମ ପାଣିରେ ଭରିଦିଏ। ତା’ପରେ ପର ଛେଲି ଶରୀରକୁ ଟିକିଟିକି ମାଂସରେ ପରିଣତ କରିଦିଏ। ମାଂସକଟାଳି ଭାବେ କଲ୍ୟାଣସିଂହପୁରର ଶେଖ୍‌ ମହମ୍ମଦ କାସିମ ଚାଚାଙ୍କୁ ଯିଏ ଦେଖିବ, ଲାଗିବ ସେ କେଡ଼େ ନୃଶଂସ। କିନ୍ତୁ ଦୋକାନରୁ ବାହାରିଗଲେ ସେ ପରମ ଦୟାଳୁ। ଯିଏ ଆସି ଗୁହାରି କରେ, ତାକୁ ନିଜ ସାଧ୍ୟମତେ ସହଯୋଗ କରେ। ପ୍ରତିଦିନ ଭୋକିଲାଙ୍କୁ ଖାଇବାକୁ ଦିଏ। ଖରା ଓ ବର୍ଷାଦିନ ପୂର୍ବରୁ ଅସହାୟ ଦୀନ ଦରିଦ୍ରଙ୍କୁ ଛତା ବଣ୍ଟନ କରେ। ଶୀତରେ କମ୍ବଳ ଦିଏ। ଚାଚାଙ୍କ କହିବା ହେଲା ଫକିର ହୋଇ ଏଠାକୁ ଆସିଥିଲି। ଆଲ୍ଲାଙ୍କ ଦୟାରୁ ବେଶ୍‌ ଦି’ ପଇସା କମଉଛି। ଗରିବଙ୍କୁ ମୁଁ ଯଦି ସହାୟତା ନ କରିବି, ତେବେ ମୁଁ କି ଇନ୍‌ସାନ୍‌ ବୋଲେଇବି। ଚାଚାଙ୍କ ମନ ଓ ହୃଦୟରେ ଯାହାକିଛି ଥାଉନା କାହିଁକି, କାସିମ ଚାଚାଙ୍କ ହୃଦୟ ଯେ ବଡ଼ ଏକଥା ଏଇ ଅଞ୍ଚଳର ଲୋକେ ବୁଝି ପାରିଛନ୍ତି। ଏଇଠି ବି ଲୋକ ଅଛନ୍ତି, ପାଣିସୁଅ ଭଳି ପଇସା ଅର୍ଜନ କରୁଛନ୍ତି। ବ୍ୟାପକ ଗାଡ଼ି ଘୋଡ଼ା, ଥାଟବାଟ ଭିତରେ ଜବନ ଜିଉଁଛନ୍ତି। ବିଶାଳ ଘରର ଦୁଆର ମୁହଁରେ ଦୁଃଖୀଟିଏ ଆତୁର ହୋଇ ଛିଡ଼ା ହେଲେ ସହାୟତାର ହାତ ଭିତରୁ ଆସିପାରୁନି। ଦୂର୍‌ ଦୂର୍‌ ମାର୍‌ ମାର୍‌ କରି ଘରର ଲୋକେ ଘଉଡ଼େଇ ଦିଅନ୍ତି। ସେତେବେଳେ ନିଜକୁ ବଡ଼ଲୋକ ଭାବୁଥିବା ମଣିଷଟିଏ ସାଧାରଣରେ ମାମୁଲି ଲାଗନ୍ତି। ସେଇ ଅସହାୟ ମଣିଷ ନିକଟରେ ତ ତଥାକଥିତ ମଣିଷ ନିକୃଷ୍ଟ ପାଲଟିଯାଆନ୍ତି। ପଇସା ଥିଲେ ଦାନ କରିହୁଏନି। ସହାୟତା ଲାଗି ବାସ୍ତବରେ ଗୋଟେ କଥାକୁହା ହୃଦୟଟି ଲୋଡ଼ା। ମନ ଚିହ୍ନା ମନଟିଏ ଲୋଡ଼ା। ତରଳି ଯାଉଥିବା ପ୍ରାଣଟି ଲୋଡ଼ା। ମନ ହୃଦୟ ଭିତରେ ପର ପାଇଁ ଖାଲି ସ୍ଥାନ ସୃଷ୍ଟି ନ କଲେ ହାତ ପ୍ରସାରିତ ହୋଇପାରିବନି। ନିଜେ ସଂକୁଚିତ ହେବାକୁ ପଡ଼େ।
କରୋନା କାଳରେ ଅନେକ କଥା ଘଟିଯାଇଛି। ଧନବଳ ଥାଇ ମଧ୍ୟ ମୃତ୍ୟୁକୁ କେହି ଅଟକେଇ ପାରିନାହାନ୍ତି। ସେଇଠି ବି ଅନେକ ଦାତା ଅଛନ୍ତି, ମହାମାରୀରେ ଲୋକଙ୍କ ଜୀବନ ବଞ୍ଚେଇବା ଲାଗି ଧନ, ମନ ଓ ହୃଦୟକୁ ପର ପାଇଁ ଖୋଲି ଦେଇଛନ୍ତି। ସେଇମାନେ ସଦାକାଳେ ସ୍ମରଣୀୟ। ମଣିଷର ସର୍ବଶ୍ରେଷ୍ଠ ସଂପଦ ସ୍ବାସ୍ଥ୍ୟ। ଅଥଚ ଏବେ ମଣିଷର ସବୁଠାରୁ ପ୍ରିୟ ଅର୍ଥ। କୋଟିପତି କିରାଣି, ପୋଲିସ, ଅଙ୍ଗନଓ୍ବାଡି, ଶିକ୍ଷକ, ଡାକ୍ତର, ଇଞ୍ଜିନିଅର, ଜିଆରଏସ୍‌ ଭଳି ଚେହେରା ପ୍ରତିଦିନ ଟିଭି ପରଦାରେ ନାଚୁଛି। କିଏ କାହାକୁ ଲୁଟୁଛି। ସମ୍ପତ୍ତିକୁ ନେଇ ବାଦବିବାଦ ବଢୁଛି। କ୍ଷମତା ପାଇଁ ବଳପ୍ରୟୋଗ କରାଯାଉଛି। ଦୁର୍ବଳ ଉପରେ ସବଳର ଅତ୍ୟାଚାର ବଢ଼ିଛି। ନିଜର କାୟା ବଢ଼େଇବା ପାଇଁ ଅନ୍ୟର ଛାୟାକୁ ନିପାତ କରାଯାଉଛି। ଏମିତି ବି ନିଜର ଆଧିପତ୍ୟ ବିସ୍ତାର ଲାଗି ସବୁ ସମ୍ପର୍କକୁ ପଛକୁ ଠେଲି ଦିଆଯାଉଛି। ସର୍ବଶକ୍ତିମାନ୍‌ ହେବାର ଭ୍ରମରେ ବିଭୋର ହେଉଛି ମନ ଓ ପ୍ରାଣ। ଏଥିପାଇଁ ନିଜର ଆପଣାର ମଣିଷମାନଙ୍କୁ ନେଇ ସୁଖଦ ଜୀବନର ପରିକଳ୍ପନା କରୁଛି। ତାକୁ ନେଇ ଗତିଶୀଳ ବି ହେଉଛି। କିନ୍ତୁ ମଣିଷ ଶେଷରେ ହାରିବାକୁ ପଡୁଛି।
ଜୀବନର କରୁଣ ପରିଣତିକୁ ଦେଖି ଗୌତମ ବୁଦ୍ଧ ଦିନେ ଗୃହତ୍ୟାଗୀ ହୋଇ କାରଣ ଖୋଜିବାକୁ ବାହାରିଥିଲେ। ମଣିଷ ଜୀବନର ବାସ୍ତବ ସତ୍ୟକୁ ରାସ୍ତାରେ ଦେଖିଲେ ମଧ୍ୟ ତା’ର ନିରାକରଣ ମାର୍ଗ ପ୍ରଦର୍ଶନ କଲେ। ଏଠି ଆଜିକା ମଣିଷ ନିତିଦିନ ଜୀବନର ସତ୍ୟକୁ ଦେଖୁଛି। ଚାକିରି ପରେ ଏକାକୀ ବୃଦ୍ଧ ଦମ୍ପତିଙ୍କୁ ମୁହଁ ମୋଡ଼ି ଚାଲିଯାଉଛି ପୁତ୍ର। ଧାଇଁ ଧାଇଁ ଅର୍ଜିଥିବା ସମ୍ପତ୍ତି ଅସାର ଲାଗୁଛି। ହାତ ଧରି ଚାଲୁଥିବା ହଳେ ସଂସାରୀ ଭିତରୁ ଜଣେ ଛିଡ଼ିଗଲେ ଆରଜଣକ ପାଇଁ ଜୀବନ ତୁଚ୍ଛ ଲାଗୁଛି। ବୟସ ଭାରରେ ନଇଁ ପଡୁଥିବା ମଣିଷଟି ଘୋଷାରି ହୋଇ ଜୀବନକୁ ଠେଲିଠେଲି ଏକାକୀ ନେଉଛି। ସେତେବେଳେ ଜୀବନତମାମର ପାପପୁଣ୍ୟର ହିସାବ କରୁକରୁ ଆଖିକୁ କୁହ ଜକେଇ ଆସୁଛି। ଯାହା ପାଇଁ ମଣିଷ ଜୀବନରେ ସବୁ କିଛି କରିଆସୁଛି, ସେଇ ଚରିତ୍ର ଶେଷରେ ପଛ କରି ଚାଲିଗଲା ପରେ ଜୀବନ ଆଉ ଜୀବନ ହୋଇ ରହୁନି। ସୁଖଦ ଜୀବନ ବଞ୍ଚୁଥିବାବେଳେ ହଠାତ୍‌ ଦୁରାରୋଗ୍ୟର ଶିକାର କିମ୍ବା ଦୁର୍ଘଟଣାର ସମ୍ମୁଖୀନ ହେଲା ପରେ ମଣିଷର ମନ ଓ ହୃଦୟ କୋରି ହୋଇଯାଉଛି। ଅର୍ଜିଥିବା ଧନସମ୍ପତ୍ତି, ଗଢ଼ିଥିବା ସାମ୍ରାଜ୍ୟ ସେତେବେଳେ ସେଇ ମଣିଷ ପାଇଁ ଅଦରକାରୀ ଲାଗୁଛି। ଜୀବନର ଏମିତି ଏକ ମୋଡ଼କୁ ସାମ୍ନା କରେ ପ୍ରତ୍ୟେକ ମଣିଷ। ସେଇ ମୋଡ଼ରେ ବଦଳିଯାଏ ଜୀବନର ଗତିପଥ। ସେତେବେଳେ ଜୀବନର ପରିଭାଷାକୁ ନିଜର ସ୍ବତନ୍ତ୍ର ଅର୍ଥରେ ବୁଝି ଆସିଥିବା ମଣିଷ ଅସଲ ଅର୍ଥକୁ ଖୋଜିବା ଆରମ୍ଭ କରେ। ସେଇଠୁ ପରକୁ ଜୀବନର ବାସ୍ତବତାକୁ ବୁଝିବାକୁ ବଳାଇ ବଳାଇ କହେ। ନିକଟରୁ ତଥାକଥିତ ମଣିଷକୁ ଦେଖି ଆସିଥିବା ଚାରିପାଖର ମଣିଷମାନେ ପରିବର୍ତ୍ତିତ ଚରିତ୍ରକୁ ଦେଖି ଚକିତ ହୋଇଯାଆନ୍ତି। ପଛରେ ଗୁଡ଼ାଏ ବାଛକୁଟ ହୁଅନ୍ତି। ଦୁରବସ୍ଥା ପାଇଁ ସେଇ ମଣିଷର ଅତୀତର କର୍ମକୁ ନିନ୍ଦନ୍ତି। କିନ୍ତୁ ସେଇ ମଣିଷଠାରୁ କିଛି ଶିକ୍ଷା କରିପାରନ୍ତିନି। ଜୀବନର କରୁଣ ବାସ୍ତବତାକୁ ତଥାପି ଗ୍ରହଣ କରିପାରନ୍ତିନି। ସେଇ ସେଇ ମୋହମାୟାରେ କ୍ଷିପ୍ର ଗତିରେ ଦୌଡ଼ିବାକୁ ଆରମ୍ଭ କରନ୍ତି। କେଉଁଠି କାହାକୁ ପଛରେ ଛାଡ଼ିବାକୁ ହେବ। କେତେ ବେଗରେ ଦୌଡ଼ିଲେ ଅନ୍ୟକୁ ପଛରେ ପକେଇ ହେବ। ଦୌଡ଼ିବା ପାଇଁ କେଉଁସବୁ କୁଟିଳ ଜାଲ ବିଛେଇବାକୁ ପଡ଼ିବ, ସେଇ ନିଶାରେ ଚୂର ହୋଇଯାଆନ୍ତି। ବେଙ୍ଗ ଦୌଡ଼ି ଦୌଡ଼ି ସେଇ ବୁଦାମୂଳକୁ ନ୍ୟାୟରେ ପୁଣି ଜୀବନର କୋଉ ଏକ ମୋଡ଼ରେ ମଣିଷ ନିଜକୁ ନିଜେ ଭେଟିବାକୁ ପଡ଼ିବ। ସେତେବେଳେ ଜୀବନକୁ ବୁଝିବା ଆରମ୍ଭ କରେ ମଣିଷ। ଘାତ ପ୍ରତିଘାତ, ପ୍ରଗତି, ଉନ୍ନତି, ପଦୋନ୍ନତି, କ୍ଷମତା ହାସଲ, ଧନ ଉପାର୍ଜନ, ସକଳ ସୁଖ ଭୋଗ ଭିତରେ ଯିଏ ଜୀବନକୁ ବୁଝିବା ଶିଖିଥିବ, ସେଇ ମଣିଷଟି ନିଜକୁ ଅନ୍ୟପାଇଁ ସମର୍ପିତ କରିବ ନିଶ୍ଚିତ। ଜୀବନର ସେଇ ସେଇ ମୋଡ଼ରେ ନିଜ ଜୀବନକୁ ନେଇ ଆଉ ଅବସୋସ ନ ଥିବ। କାରଣ ସେତେବେଳକୁ ନିଜ ଜୀବନ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ସାରିଥିବ।

– ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?